Unknown

 

 

 

 

 

 

 

 

 

 

 

ଏଇ ଆପଣଙ୍କ ବିଷୟ

ଶ୍ରୀ କୈଳାସଚନ୍ଦ୍ର ରଥ

 

ଏଇ ଆପଣଙ୍କ ବିଷୟ

–୧–

 

ସେ ଦିନ ଦୈନିକ କାଗଜରେ ଗୋଟାଏ ନୂଆ ପ୍ରକାର ପ୍ରସଙ୍ଗ ପ୍ରକାଶ ପାଇଥିଲା । ପର୍ଶୁଧର ରଥ ନାମକ କୌଣସି ମହାନ୍‌ ବ୍ୟକ୍ତି ଓଡ଼ିଶାର ଦରିଦ୍ର ଜନତାକୁ ଆହ୍ୱାନ କରି ଆଶ୍ୱାସନାବାଣୀ ଶୁଣାଇ ସେମାନଙ୍କ ପ୍ରାଣରେ ଆଶାର ସଂଚାର କରାଇଥିଲେ । ତାଙ୍କର ବକ୍ତୃତାର ସାରମର୍ମ ଏପରି ପ୍ରକାଶ ପାଇଥିଲା :—

 

କଟକର ଟାଉନହଲରେ ଓଡ଼ିଶାର ଦରିଦ୍ର ଜନତାକୁ ପର୍ଶୁଧର ରଥଙ୍କର ସମ୍ବର୍ଦ୍ଧନା ବାଣୀ । ଏହି ମହାନ୍ ବ୍ୟକ୍ତିଙ୍କ ସାରଗର୍ଭକ ଓଜସ୍ଵିନୀ ବକ୍ତୃତାରେ ଧନୀ ଦରିଦ୍ର ନିର୍ବିଶେଷରେ ମହାଭାବରେ ଉଦ୍‌ବୁଦ୍ଧ ହୋଇଥିଲେ । ବିରାଟ ଜନତା ଏହି ସଭାରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ । ପର୍ଶୁବାବୁ କହିଥିଲେ, ‘‘ଦେଖନ୍ତୁ ଭାଇମାନେ, ଆପଣମାନେ ହିଁ ସୃଷ୍ଟିର ମୂଳପିଣ୍ଡ-। ଆପଣମାନଙ୍କ ଯୋଗୁଁ ହିଁ ଏ ସୃଷ୍ଟି ସମ୍ଭବ । ଏହି ବିଶ୍ୱ ସୃଷ୍ଟି ଦରିଦ୍ରମାନଙ୍କ ଝାଳରେ, ଦରିଦ୍ରମାନଙ୍କ ରକ୍ତରେ ଗଢ଼ି ଉଠିଛି । ସମଗ୍ର ଜଗତ୍‌ ଦରିଦ୍ରମାନଙ୍କ ନିଶ୍ୱାସରେ, ଶକ୍ତିରେ ହିଁ ଗଠିତ-। କିଏ କହେ ଟଙ୍କା ପଇସା ମାନବର ସୃଷ୍ଟିକରେ । ମୁଁ କହେ, ମନୁଷ୍ୟ ହିଁ ଟଙ୍କା ପଇସାର ସୃଷ୍ଟି କରିଛି । ଆପଣମାନେ ହୁଏତ ନିଜକୁ ନିସ୍ୱ ମନେ କରୁଥିବେ । ମାତ୍ର ମନେ ରଖନ୍ତୁ, ସଂସାରରେ ଯଦି ପ୍ରକୃତ ନିସ୍ୱ କିଏ ଥାଏ ସେ ହେଉଛି ଥିବା ଶକ୍ତି ଥାଇ ଯେ ନ ଦିଏ । ଆପଣମାନେ ହିଁ ସ୍ଵଗରାଜ୍ୟରେ ପ୍ରକୃତ ଅଧିକାରୀ । ଆପଣମାନେ ହିଁ ଦେଶର ସମ୍ବଳ, ଜାତିର ଗୌରବ-। ଆପଣମାନେ ଜାଣି ଶୁଣି ମୂକହୋଇ ଯେଉଁ ମହାନ୍‌ଦୀକ୍ଷା ଗ୍ରହଣ କରିଛନ୍ତି, ତାହା ସର୍ବଥା ପ୍ରଶଂସନୀୟ । ଯଦି କୌଣସି ସ୍ଵଳ୍ପଧୀ ନିଜର ବଡ଼ିମାର ଦରିଦ୍ରଙ୍କୁ ଅପମାନିତ କରେ, ଆପଣମାନେ ନୀରବରେ ତାହା ସହ୍ୟକରି ଯେଉଁ ଗରୀୟାନ୍‌ ଗୁଣର ପରିଚୟ ଦିଅନ୍ତି, ତାହା ଭାଗ୍ୟବାନଙ୍କ ପକ୍ଷରେ ହିଁ ସମ୍ଭବ । ଇତରର କଥାରେ ବିଚଳିତ ନ ହୋଇ ଆପଣମାନେ ନିଜ ନିଜକୁ ସ୍ଵର୍ଗରାଜ୍ୟର ଉପଯୁକ୍ତ ନାଗରିକ ରୂପେ ଗଢ଼ି ପାରିଛନ୍ତି । ଆପଣମାନେ ସଂଖ୍ୟାଗରିଷ୍ଠ । ଆପଣମାନେ ଉପଲବ୍ଧି କରିପାରିଥିବେ ଯେ, ମାତ୍ର ସାଢ଼େ ତିନିହାତ ଜାଗା ବି ଆପଣମାନଙ୍କର ମରଣାବଧି ଆବଶ୍ୟକ । ମୂଢ଼ଧୀମାନେ ଜାଗା ଚାଖଣ୍ଡକ ପାଇଁ ଯେଉଁ ରକ୍ତନଦୀ ସୃଷ୍ଟିକରି ବସନ୍ତି ତାହା ଆପଣମାନେ କଳ୍ପନା ହିଁ କରିପାରିବେ ନାହିଁ । ଆପଣମାନଙ୍କ ଠାରୁ ସଂସାରରେ ଆହୁରି ଦୀନ ଦରିଦ୍ର କେତେ ଅଛନ୍ତି; ଏ ବିବେଚନା ମହାଜ୍ଞାନୀ ବ୍ୟତୀତ ରେକେ ଅପର କେହି କରିପାରନ୍ତି ନାହିଁ । ତେଣୁ ମୁଁ କହେ, ଆପଣମାନେ ହିଁ ସ୍ଵର୍ଗର ଉପଯୁକ୍ତ ପ୍ରତିବାସୀ । ଆଉ ଗୋଟିଏ କଥାକୁ ଲକ୍ଷ୍ୟ ରଖନ୍ତୁ । ଆପଣମାନଙ୍କର ପ୍ରତେକ ରକ୍ତ ବିନ୍ଦୁ ଅପରର ସୁଖ ସଂଭୋଗ ଉଦ୍ଦେଶ୍ୟରେ ଉତ୍ସୃଷ୍ଟ-। ଆପଣମାନେ ଆଜନ୍ମରୁ ନିଜକୁ ପରର ଉପକାର ପାଇଁ ଉତ୍ସୃଷ୍ଟ କରି ଆସିଛନ୍ତି । ଏ ସୌଭାଗ୍ୟ ମିଳେ କେତେଜଣଙ୍କୁ ? ପରୋପକାରାୟ ସ୍ୱର୍ଗାୟ—ଆପଣମାନେହିଁ ପ୍ରାଣେ ପ୍ରାଣେ ଅନୁଭବ କରନ୍ତି, ତଦନୁଯାୟୀ ଆଚରଣ କରନ୍ତି ମଧ୍ୟ । ସେଥିପାଇଁ ମୁଁ କହେ, ଆପଣମାନେ ହିଁ ଦେଶର ଗୌରବ, ଜାତିର ମାନଦଣ୍ଡ, ଓଡ଼ିଶାର ଭାଗ୍ୟବିଧାତା, ବିଶ୍ୱର ନାଗରିକ, ସଂସାରରେ ମହତ୍ଵର ପଚାୟକ ଏବଂ ଜନତାର ଉପଯୁକ୍ତ ପ୍ରତିନିଧି ।

 

‘‘ମୋ ବିଚାରଧାରା ଆପଣଙ୍କୁ ଯଦି ଅସଂଗତ ବୋଧ ହୁଏ, ତା’ର କାରଣ, ଆପଣମାନେ କେବେ ଏ ଦିଗରେ ଚିନ୍ତା କରିନାହାନ୍ତି । ଏ ଦୃଷ୍ଟିରୁ ଆପଣ କେବେହେଲେ ନିଜ ଜୀବନକୁ ପର୍ଯ୍ୟାଲୋଚନା କରି ନାହାନ୍ତି । ଆଜି ସମୟ ଆସିଛି ଯେତେବେଳେ ଆମେ ଆମ ପରିସ୍ଥିତିରେ ସନ୍ତୁଷ୍ଟ ରହି ଅପରର ସୁଖ ସମ୍ଭୋଗ ନିମିତ୍ତ ପ୍ରାଣାପାତ କରିବା । ଯେଉଁ ଐକ୍ୟ ଏବଂ ସାମ୍ୟ ବଳରେ ଜଗତ୍‌ ଆପଣଙ୍କ ନିର୍ଦ୍ଦେଶ କ୍ରମେ ବସ୍‌ ଉଠ୍‌ ହୋଇପାରେ, ସେହି ବଳର ଅପପ୍ରୟୋଗ କରିବାକୁ ପ୍ରତ୍ୟେକ କୁଣ୍ଠା ବୋଧକରିବେ । ମାତ୍ର ଓଡ଼ିଶାର ଦୁଃଖ ଦୈନ୍ୟ, ବଢ଼ି ମରୁଡ଼ି, କଲେରା ମହାମାରୀ ପ୍ରଭୃତି ବିରୁଦ୍ଧରେ ସେହି ବଳ ପ୍ରୟୋଗ କଲେ, ସେମାନେ ଓଡ଼ିଶାର ଦେବଭୂମିରେ ପାଦ ପକାଇବାକୁ କୁଣ୍ଠାବୋଧ କରିବେ ନିଶ୍ଚୟ ।

 

‘‘ମୋର ଆଉ ବିଶେଷ କିଛି କହିବାର ନାହିଁ । ଆଶା କରେ, ଆପଣମାନେ ଅପର ଦୃଷ୍ଟିରୁ ନିଜକୁ ନିମିତ୍ତ ମନେ କରି ଏହି ଦେବଭୂମିର ଉପଯୁକ୍ତ ନାଗରିକ ହେବେ, ଦେଶମାତୃକାର କୃତିସନ୍ତାନ ବୋଲାଇବେ । ପ୍ରତ୍ୟେକ ଗୋଟିଏ ଗୋଟିଏ ଧୈର୍ଯ୍ୟ, ଶାନ୍ତି ଓ କ୍ଷମାର ପ୍ରତୀକ ହୋଇ ଜୀବନକୁ ସ୍ଵଚ୍ଛନ୍ଦରେ କଟାଇ ପାରିବେ । ମୋ’ର ଆନ୍ତରିକ କାମନା ଆପଣମାନ ହୃଦୟରେ ପରସ୍ପର ପ୍ରତି ଈର୍ଷାଭାବ ନ ପୋଷି ସୁଖୀ ସଂସାରୀ ହୋଇ ଅପରର ଦୁଃଖ ମୋଚନରେ ଲାଗି ପଡ଼ନ୍ତୁ । ପ୍ରତି ମାନବର ହୃଦୟରରେ ଅହରହ ଏହି ଭାବନାଟି ଖେଳୁ:—

 

‘‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ

ସର୍ବେ ଭାଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍‌ଦୁଃଖଭାଗ୍ ଭବେତ୍‌ ।’’

 

ଏହି ଆହ୍ଵାନରେ ମୁଁ ଗୋଟିଏ ନୂତନତା ଅନୁଭବ କଲି । ଆଜି ସୁଦ୍ଧା ଟାଉନ୍‌ ହଲରେ ଯେତେ ଗୁଡ଼ିଏ ସଭା ହୋଇଥିଲା, ତହିଁରେ ଓଡ଼ିଶାର ମୂକ ଜନତାକୁ ଆଶା ଓ ଆଶ୍ଵାସନାର ବାଣୀ ସ୍ଵତଃପ୍ରବୃତ୍ତ ହୋଇ କେହି କେବେ ଶୁଣାଇ ଥିବାର ମନେ ହେଲା ନାହିଁ । ଟାଉନ ହଲରେ ସଭା ହୁଏ । ବିଜ୍ଞାନ, ସାହିତ୍ୟ, କଳା, ସଙ୍ଗୀତ, ନ୍ୟାୟଶାସ୍ତ୍ର, ଦର୍ଶନ, ରାଜନୀତି, ସ୍ଵାର୍ଥ ସଂରକ୍ଷଣ, ଅର୍ଥଶାସ୍ତ୍ର ନେଇ ଅନେକ ଆଲୋଚନା ସମାଲୋଚନା ହୁଏ । ମାତ୍ର ଏ ପ୍ରକାର ନିଃସ୍ଵାର୍ଥ ଆଲୋଚନା କ୍ଵଚିତ ହୋଇଥାଏ । ଏ ବକ୍ତୃତା ପଢ଼ୁ ପଢ଼ୁ, ମୋର ମନରେ ପର୍ଶୁବାବୁଙ୍କର ସଙ୍ଗଲାଭ କରିବା ପାଇଁ ଗୋଟାଏ କ୍ଷୀଣ ଲିପ୍ସା୍‌ଜାଗି ଉଠିଲା । କେହି ବକ୍ତା ଉତ୍ତମରୂପେ ନିଜର ବକ୍ତବ୍ୟ ଦେଇଥିବାର ମୁଁ ଶୁଣିଲେ ମୋର ସେପରି ବକ୍ତା ହେବାକୁ ଇଚ୍ଛା ହୁଏ । ମାନବର ପ୍ରକୃତି ଏପରି ଚଞ୍ଚଳ, ମାନବର ବିବେଚନା ଶକ୍ତି ଏଡ଼େ ସମୀମ ଯେ ତାର ଆଦର୍ଶ ମୁହୂର୍ତ୍ତରୁ ମୁହୂର୍ତ୍ତକୁ ପରିବର୍ତ୍ତିତ ହୁଏ । ପର୍ଶୁବାବୁଙ୍କ ବକ୍ତୃତା ଯେଉଁମାନେ ଶୁଣିଥିବେ, ସେମାନେ ମୋ' ପରି ଇଚ୍ଛା କରିପାରନ୍ତି । ମାତ୍ର ମୋର ଇଚ୍ଛା ଏ ଜୀବନରେ ପୂର୍ଣ୍ଣ ହେବାର ସାଧନ ବହୁ ଦୂରରେ । ତେଣୁ ସେ ଇଚ୍ଛାର କ୍ଷୀଣାଂଶ ପୂରଣ ନିମିତ୍ତ ମୁଁ ତାଙ୍କର ସଙ୍ଗଲିପ୍‌ସୁ ହୋଇଉଠିଲି । ମୋ ହୃଦୟରେ ଯେଉଁ ଭାବନା । ଜାଗିଲା, ସେଥିରେ ବିଶିଷ୍ଟତା କିଛି ନାହିଁ । ତଥାପି ଏ କ୍ଷେତ୍ରରେ ମୋର ଅନୁଭୂତି ଟିକିଏ ଗାଢ଼ତର ବୋଧହେଲା । ଆହୁରି ଅନେକ ସୁଦକ୍ଷ ବକ୍ତାଙ୍କ ବାଣୀ ମୁଁ ଶୁଣିଥିଲି, ପଢ଼ିଥିଲେ, ମାତ୍ର ପର୍ଶୁବାବୁଙ୍କ ପ୍ରତି ଦୃଦୟରେ ଯେତେଦୂର ଆସକ୍ତି ଅନୁଭବ କଲି, ତାହା ଅନ୍ୟତ୍ର କ୍ଵଚିତ୍‌ ହୋଇଥାଏ । ମନ ତ ଅନେକ କିଛି ଲୋଡ଼େ, ମାତ୍ର କରମ ଯେ ବିଆଳି ବିଛାଉ ଥାଏ । ତଥାପି ଆଶା, ଭଗବାନଙ୍କର ଅଭିପ୍ରେତ ନିଶ୍ଚୟ ମଙ୍ଗଳଜନକ ।

 

–୨–

 

X X X ନିହାତି ଛୋଟ ଛୋଟ କାମରେ ତୁମେ ତୁମର ବ୍ୟକ୍ତିତ୍ଵ ଫୁଟାଇ ପାରିବ । ଧର, ତୁମେ ବସ୍‌ଯୋଗେ ସ୍ଥାନାନ୍ତରକୁ ଗମନ କରୁଛ; ପ୍ରତ୍ୟେକ ଯେଝାର ଆସନ ଗ୍ରହଣ କରି ସାରିଲା ଉତ୍ତାରୁ ତୁମେ ତୁମର ଆସନ ଗ୍ରହଣ କରିବାରେ ଅସୁବିଧା ଟିକିଏ ହୁଏତ ହୋଇପାରେ । ମାତ୍ର ସେ ଅସୁବିଧା ଟିକିକ ନିର୍ବିକାର ଚିତ୍ତରେ ସହିପାରିଲେ ତୁମର ଚରିତ୍ର ସବଳ ହେବ । ମୋଟାମୋଟି, ଯେଡ଼େ ସାମାନ୍ୟ କାମ ହେଉନା କାହିଁକି, ତୁମେ ଭାବିଚିନ୍ତି କାର୍ଯ୍ୟ କଲେ, ତୁମର ଚାରିତ୍ରିକ ବଳ, ମାନସିକ ଶାନ୍ତି ବଢ଼ିବ । ନିଜର ବ୍ୟକ୍ତିତ୍ଵ ଛାଏଁ ଛାଏଁ ଫୁଟି ଉଠିବ ।

 

ଏହା କୌଣସି ମହାତ୍ମାଙ୍କ ବାଣୀ କି ନୁହେଁ ମୁଁ କହିପାରିବି ନାହିଁ । ମାତ୍ର ସ୍କୁଲରୁ ବିଦାୟ ଦେଲାବେଳେ ଆମର ଶ୍ରଦ୍ଧେୟ ଏବଂ ପୂଜାସ୍ପଦ ହେଡ଼ମାଷ୍ଟର ମହୋଦୟ ଏହା କହି ଆମ୍ଭମାନଙ୍କୁ ବିଦାୟ କରିଥିଲେ । ତାଙ୍କଠାରୁ ଏହା ମୋର ଶେଷଶ୍ରୁତ ବାଣୀ ବା ଉପଦେଶ । ଶୁଣିଲା ଦିନଠାରୁ କଥାଟି ମୋର ପ୍ରାଣରେ ଗଭୀର ରେଖାପାତ କରିଛି । ମୁଁ ତାଙ୍କ କଥାନୁରୂପେ କାର୍ଯ୍ୟ କରି ଯିବାକୁ ସତତ ଚେଷ୍ଟିତ ହେଲେ ବି ଅସଲ କ୍ଷେତ୍ରରେ ଇସପଙ୍କ ଗଳ୍ପର ହରିଣୀ ପରି ମୋର ଅବସ୍ଥା ହୋଇଯାଏ । ଥରକର ଗୋଟିଏ ହରିଣୀ ତାର ଛୁଆଙ୍କୁ କହିଲା—ଦେଖ ପିଲେ, ମୁଁ କେଡ଼େ ବଳବାନ, ମୋର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ କିପରି ସୁସ୍ଥ ଏବଂ ସବଳ । ମୁଁ ଏକୋଦିକ୍ରମେ ୮ ଘଣ୍ଟା ଦୌଡ଼ିପାରେ ଏବଂ ୮ ଗଜ ପର୍ଯ୍ୟନ୍ତ ଏକା ଲମ୍ଫକେ ଅତିକ୍ରମ କରିପାରେ । ଏହି ସମୟରେ ନିକଟରେ କୁକୁର ଭୁକିବାର ଶବ୍ଦ ତା’ କାନରେ ବାଜିଲା । ସେ ଦେଲା ଏକ ଦୌଡ଼ ଯେ ଆଉ ତା’ର ଦେଖା ନାହିଁ । ସନ୍ଧ୍ୟାବେଳକୁ ଧଇଁ ସଇଁ ହୋଇ ଆସି ପିଲାଙ୍କ ପାଖରେ ପହଞ୍ଚିଲାରୁ, ପିଲାଏ ପଚାରିଲେ—ଆଚ୍ଛା ମା, ତୁ ତ ଏଡ଼େ କଥା କହୁଥିଲୁ । ମାତ୍ର କୁକୁର ଭୁକିବାରୁ ଏମିତି ଧାଇଁବା କାହିଁକି ଆରମ୍ଭ କରିଦେଲୁ ? ହରିଣୀ କହିଲା, ହଁରେ ପିଲେ, ମୁଁ ଯାହା କହିଲି ସବୁ ଠିକ୍ ଯେ, ମାତ୍ର କୁକୁର ଭୁକିବା ଶୁଣିଲେ ମୋର ଧୈର୍ଯ୍ୟ ସାହସ ସବୁ କ୍ଷଣକେ ତୁଟିଯାଏ ।

 

ମୁଁ ପରୀକ୍ଷା ସ୍ଥଳରେ ଅନୁଭବ କରେ ସେ ଠିକ୍ ଏଇ ହରିଣୀପରି ମୋର ଫାଙ୍କାସି ଉଡ଼ିଯାଏ । ମାତ୍ର ମୋର ମାନସିକ ପ୍ରବୃତ୍ତି ଏପରି ଯେ ମୁଁ ସବୁଠାରେ ସବୁବେଳେ ଲକ୍ଷ୍ୟକରେ, କୌଣସି ବ୍ୟକ୍ତି ଏପରି ବିଚାରଶୀଳ ଆଚରଣ କରନ୍ତି ନା ନାହିଁ ।

 

କୌଣସି ବ୍ୟକ୍ତି ସାବଧାନତା ସହ ବିଚାରଶୀଳ ଆଚରଣ କରୁଥିବାର ଦେଖିଲେ, ତାଙ୍କ ପାଖରେ ମୋର ଦୃଦୟ ଆପେ ଆପେ ନଇଁ ଆସେ ଏବଂ ତାଙ୍କ ସମ୍ବନ୍ଧରେ ବିଶେଷ କିଛି ଜାଣିବା ପାଇଁ ମୋର ମନରେ ପ୍ରବଳ ଆଗ୍ରହ ଜନ୍ମେ ।

 

ସେଥର କରଂଜିଆରୁ ବାରିପଦାକୁ ଆସୁଥାଏ । ଦୂରତା ୭୫ ମାଇଲ । ମଟରକୁ ପ୍ରାୟ ୬ ଘଣ୍ଟା ଲାଗେ । ପଥ ବଡ଼ ବନ୍ଧୁର ଏବଂ ଗହନ । ଘାଟି ମଧ୍ୟ ଗୋଟେ ଅଧେ ପଡ଼େ ।

 

କରଂଜିଆରୁ ଗାଡ଼ି ଭୋର ଛଅଟାରେ ଛାଡ଼େ । ପ୍ରାଇଭେଟ ଗାଡ଼ି । ପ୍ରାଇଭେଟ୍ ଗାଡ଼ି କହିଲେ, ଗାଡ଼ିର ଅବସ୍ଥା କିପରି ହୋଇଥିବ ତା ସହଜରେ ଅନୁମାନ କରିହେବ । ଫଳରେ ଯାତ୍ରୀଙ୍କ ଭାଗ୍ୟ ଉପରେ ଯାତ୍ରା ସମ୍ପୂର୍ଣ୍ଣ ନିର୍ଭର କରେ । ଯାତ୍ରୀଙ୍କ ଭାଗ୍ୟ ଭଲଥିଲେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଯାନ୍ତି । ବସ୍‌ ଖରାପ ହେବା କେବଳ ଗୋଟିଏ ଦୁର୍ଯ୍ୟୋଗ ନୁହେଁ; ସମୟେ ସମୟେ ଘାଟିରାସ୍ତାକୁ ହାତୀ ମଧ୍ୟ ଅବରୋଧ କରେ । ତେଣୁ କରଂଜିଆରୁ ଭୋର୍ ଛଅଟାରେ ବାହାରି କେତେବେଳେ ବାରିପଦାରେ ଜଣେ ପହଞ୍ଚିବେ, ତା କହିବା ବଡ଼ ମୁଷ୍କିଲ ସେଦିନ ପାଗ ଭଲ ନ ଥାଏ । ଆକାଶସାରା ବାଦଲ ଛାଇ ଯାଇଥାଏ । ମେଘ ବର୍ଷନ୍ତ ଦିଶୁଥାଏ ।

 

ଗାଡ଼ିରେ ସେଦିନ ଆମେ ଗାଡ଼ିଏ ଯାତ୍ରୀ ଥାଉଁ । ଗାଡ଼ିରେ ୩ଟି ଶ୍ରେଣୀ ଥାଏ । ଯିଏ ଯେଉଁ ଶ୍ରେଣୀରେ ବସି ପାରିଲା । ଭଡ଼ା ସମାନ । ମୁଁ ସକାଳୁ ଟିକିଏ ଜଲଦି ଆସି ପ୍ରଥମ ଶ୍ରେଣୀରେ ବସି ଯାଇଥାଏ । ଗାଡ଼ି ଯଥାସମୟରେ ଛାଡିଲା । ୧୬ ମାଇଲ ଅତିକ୍ରମ କଲାପରେ ଯଶିପୁରରେ ଚାହା ଖାଇବା ପାଇଁ ଗାଡ଼ି ଟିକିଏ ରୋକେ । ସେଠାରୁ ଗାଡ଼ି ଛାଡ଼ିଲାବେଳକୁ ଆମ ଆଗବାଲାମାନଙ୍କ ଦୃଷ୍ଟି ଜଣେ ପଛ ଡବାର ଯାତ୍ରୀଙ୍କ ଉପରେ ପଡ଼ିଲା । ସେ ଜଣେ ପଞ୍ଚହତା ମର୍ଦ-। ବେଶ ତମ୍ବା ପରି ଗୋରା ତକ ତକ ଦେହ । ଚାନ୍ଦ ପରି ଏଡ଼େ ବଡ଼ ଚକା ମୁହଁ ତାଙ୍କର । ସଦାସର୍ବଦା ସେ ମୁହଁ ଖଣ୍ଡିକରେ ହସ ଲାଗି ରହିଥିବାପରି ଦିଶୁଥାଏ । ସହାନୁଭୂତିସୂଚକ ଆଖି, ମୁଣ୍ଡରେ ସ୍ଵଳ୍ପ କେଶ, ଅଯତ୍ନବର୍ଦ୍ଧିତ । ପୋଷାକପତ୍ର ବଡ଼ ସାଦାସିଧା । ତାଙ୍କ ମୁହଁକୁ ଚାହିଲେ ଗୋଟାଏ ଧାରଣା ସହଜର ହୁଏ ଯେ ଅପର ପ୍ରାଣରେ ଶାନ୍ତି ସଂଚାର କରିବାକୁ ସତେ ଯେପରି ସେ ମୁହଁ ବିଧି ନିର୍ଦ୍ଦିଷ୍ଟ ।

 

ଏପରି ଜଣେ ପୁରୁଷ କିପରି ଗାଡ଼ିର ଆଗ ଡବାରେ ବସିବାକୁ ଚେଷ୍ଟା ନ କରି ଶେଷ ଡବାରେ ଗନ୍ଧିଆ ଲୋକଙ୍କ ମଝିରେ ଧୂଳି ସାଲୁବାଲୁ ହୋଇ ବସିକରି ଆସୁଛନ୍ତି, ଭାବିଲାରୁ ମତେ ଟିକିଏ ଆଶ୍ଚର୍ଯ୍ୟ ବୋଧହେଲା । ଗାଡ଼ିରେ ୩ଟା ଶ୍ରେଣୀ । ପ୍ରତ୍ୟେକ ଶ୍ରେଣୀରେ ଭଡ଼ା ସମାନ । ତଥାପି ଯାତ୍ରୀ ନିଜକୁ ଯେଉଁ ଶ୍ରେଣୀର ବ୍ୟକ୍ତି ବୋଲି ମନେ ମନେ ସ୍ଥିର କରେ, ସେହି ଶ୍ରେଣୀରେ ବସିବାକୁ ଚେଷ୍ଟିତ ହୁଏ । ଅବଶ୍ୟ ମୁଁ କହୁନାହିଁ ଯେ, ଯେତେ ଯାତ୍ରୀ ପ୍ରଥମ ଶ୍ରେଣୀରେ ବସନ୍ତି ଏବଂ ଯେତେ ତୃତୀୟ ଶ୍ରେଣୀରେ ବସନ୍ତି ସେମାନେ ସେ ସବୁ ଶ୍ରେଣୀପାଇଁ ଉପଯୁକ୍ତ । ମାତ୍ର ମନୁଷ୍ୟର ସବୁବେଳେ ଲୋଡ଼ା ସୁଖ ସ୍ଵାଚ୍ଛନ୍ଦ୍ୟ । ସେ ଚାହେଁ, ଅଳ୍ପ ଖର୍ଚ୍ଚରେ କିପରି ସବୁଠାରୁ ଅଧିକ ସୁଯୋଗ ପାଇବ । ମୋ ମନେ ମୁଁ ଏଣୁ ତେଣୁ ଭାବି ଚାଲିଥାଏ ।

 

ଏହି ଅବସରରେ ମୋ ପାଖରେ ଜଣେ ଭଦ୍ରବ୍ୟକ୍ତି ତାଙ୍କୁ ଲକ୍ଷ୍ୟକରି ମତେ ପଚାରିଲେ, ସେ ଭଦ୍ରବ୍ୟକ୍ତି ଜଣକ କିଏ କି ? ମୋ ଉତ୍ତରକୁ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ଆଉ ଜଣେ ଉତ୍ତର ଦେଲେ, ସେ ଯେ ହେଉନା କାହିଁକି, ନିଶ୍ଚେ ଜଣେ ପଳାତକ; ତା’ନ ହେଲେ ସମସ୍ତଙ୍କ ଦୃଷ୍ଟି ଏଡ଼ାଇ ଗତି କରିବାକୁ ଚେଷ୍ଟା କରୁଥାନ୍ତା କାହିଁକି ? ତାଙ୍କ କଥା ସବୁ ନ ସରୁଣୁ, ଆଉ ଜଣେ ମତବ୍ୟକ୍ତ କଲେ, ମହାକାଳ ଫଳ ହୋଇଥିବ ହେ, ଦେଖୁନ ସମସ୍ତଙ୍କୁ ଆପଣାର କରି ନେଲାପରି କିମିତି ମୁହଁ କରିଛି । ଚୁପ୍‌ ସଇତାନଟିଏ ପରି ଜଣାପଡ଼ିଲେ କଅଣ ହେବ, ରୂପ ଖଣ୍ଡେ ପାଇଚି ଏକା !

 

ଏହିପରି ଆଲୋଚନା ଆଗ ଡବାରେ ଚାଲୁଥାଏ; ମୁଁ ଭାବୁଥାଏ, ମଣିଷକୁ ମଣିଷ ପ୍ରଥମରୁ ସନ୍ଦିଗ୍ଧଧ ଦୃଷ୍ଟିରେ ନ ଦେଖି ଠିକ୍‌ ଅପର ଦିଗରୁ ବିଚାରଟା ଆରମ୍ଭ କରି ବସିଲେ ମଣିଷର କଅଣ କ୍ଷତି ହୁଅନ୍ତା । ମୁଁ ଆଗ ଡବାର ଯାତ୍ରୀଙ୍କ ମଝିରେ ବସିଥାଏ । ତେଣୁ ଯୁକ୍ତିତର୍କ ବେଶିକରି ନ ଜମି, ଅଳ୍ପ ସମୟପରେ ମଉଳିଗଲା ।

 

କ୍ରମାଗତଃ ୪–୫ ଘଣ୍ଟାକାଳ ଗାଡ଼ିରେ ବସି, ଗପସପ କରିବା ସ୍ପୃହା, ଅଧିକାଂଶଙ୍କର ମଉଳି ଯାଇଥାଏ । କେହି କେହି ସୁଯୋଗ ପାଇଲେ, ତୁଲୋଉ ଥାନ୍ତି । ଅଧିକାଂଶଙ୍କ ମୁହଁ ଶୁଖିଲା ଦିଶୁଥାଏ । ଘାଟିରେ ଗାଡ଼ି ଆସି ପଡ଼ିଲା । ଗାଡ଼ି ଦୋହଲିଲା; କେଉଁ ଯାତ୍ରୀଙ୍କ ବା । କଡ଼କୁ ଢଳିଲାଣି ତ ପୁଣି ମୁହୂର୍ତ୍ତକେ ଡାହାଣ କଡ଼କୁ ଢଳିଲାଣି । ମାତ୍ର ପଡ଼ିଯିବାର ଆଶଙ୍କା ନ ଥାଏ । କାରଣ, ଗାଡ଼ିରେ ଏତେ ଯାତ୍ରୀ ଖୁନ୍ଦି ହୋଇ ଯାଇଥାନ୍ତି ଯେ ପଡ଼ିଯିବା ପାଇଁ ସ୍ଥାନର ଏକାନ୍ତ ଅଭାବ । ଗାଡ଼ିର ଏଇ ଧକ୍‌କା ଏବଂ ଦୋହଲା ସମ୍ଭାଳି ନ ପାରି ଜଣେ ବ୍ୟକ୍ତି ବାନ୍ତିକରି ପକାଇଲେ ଏବଂ ବାନ୍ତି କରୁ କରୁ ତାଙ୍କ ମୁଣ୍ଡ ଡବାରେ ପିଟିହୋଇ ସାମାନ୍ୟ ପରିମାଣରେ ରକ୍ତ ବାହାରି ପଡ଼ିଲା । ଗାଡ଼ି ରୋକିବାକୁ କହିଲେ କିଏ ଶୁଣୁଛି ? ବହୁତ କୁହାବୋଲା ଏବଂ ଗଣ୍ଡଗୋଳ କରିବାରେ ଡ୍ରାଇଭର ବାବୁ ଗାଡ଼ି ରୋକିଲେ । ସଙ୍ଗେ ସଙ୍ଗେ ଆମ ଭିତରୁ ଅଧିକାଂଶ ଓହ୍ଳାଇପଡ଼ି ସେ ବ୍ୟକ୍ତିଙ୍କ ପାଖକୁ ଧାଇଁଗଲୁ । ସେତେବେଳକୁ କେହି କେହି କହୁଥାନ୍ତି, ପାଣି ଟିକେ ଦିଅ ରେ, ପାଣିଟିକେ ଆଣ ରେ, ପଛେ ତାଙ୍କ ଘା ଧୋଇବ; ମାତ୍ର ପାଣିର ଦେଖା ନ ଥାଏ । ବଡ଼ କୁଣ୍ଡରେ ଇନ୍‌ଜିନ୍‌ ଥଣ୍ଡା କରିବାକୁ ରଖାହୋଇଥିବା ମଇଳାପାଣିରୁ ଗାଡ଼ିର କ୍ଲିନର ମୁଦିଏ ଦେଲେ । ଏହି ଅବସରେ ଜଣେ କିଏ କହିଲେ, ଲୋକଟାକୁ କଲେରା ଧଇଲାଣି ନିଶ୍ଚୟ । କେହି କେହି ବସ୍‌ ମାଲିକକୁ ଗାଳିଦେବାକୁ ଆରମ୍ଭ କରି ଦେଇଥାନ୍ତି । ଅଭିଯୋଗ ଯେ, ପଇସା ଲୋଭରେ ଯାକୁ ତାକୁ ଗାଡ଼ିରେ ବସାଇ ସମସ୍ତଙ୍କୁ ରୋଗାକ୍ରାନ୍ତ କରାଇ ମାରିବ । ମୁଁ ସେ ଗୋରା ଭଦ୍ରବ୍ୟକ୍ତିଙ୍କୁ ଲକ୍ଷ୍ୟ କରୁଥାଏ ।

 

ଗାଡ଼ି ରୋକିବା ସାଙ୍ଗେ ସାଙ୍ଗେ ସେ ନୀରବରେ ଓହ୍ଳାଇ ପଡ଼ିଲେ । ଗାଡ଼ି କ୍ଲିନର୍‌ଙ୍କ ଠାରୁ ପାଣି ମୁନ୍ଦେ ନେଇ ଆହତ ବ୍ୟକ୍ତିଙ୍କ ଛେଚା ଜାଗାଟାକୁ ଆଗ ଧୋଇଦେଲେ । ନିଜେ ଧଳା ରୁମାଲଟିକି ଦୁଇ ଖଣ୍ଡ କରି ଚିରି ଖଣ୍ଡିଏ ତାଙ୍କ ମୁଣ୍ଡରେ ବାନ୍ଧିଦେଲେ । ଅପର ଖଣ୍ଡିକରେ ମଗ୍‌ ମୁହଁ ବାନ୍ଧି ତାଙ୍କୁ କହିଲେ, ଏହି ବାଟେ ପାଣି ଶୋଷି କୁଳି କରି ପଳାନ୍ତୁ । ରୁମାଲରେ ପାଣି ଯେତେ ଛାଣି ଦେଲେ ମଧ୍ୟ, ରଙ୍ଗ ବଦଳିବ କାହୁଁ ?

 

ସବୁ କରିଥାନ୍ତି ? ଯେତିକି ଦରକାର ସେତିକି କଥା କହୁଥାନ୍ତି । କିଛି ସମୟରେ ପ୍ରତ୍ୟେକେ ଯେଝାର ଆସନରେ ବସିଲାରୁ ପୁଣି ଗାଡ଼ି ଚାଲିଲା ।

 

ମୁଁ ଭାବୁଥାଏଁ, ମୋ ଭିତରେ ଏବଂ ସେ ଭଦ୍ରବ୍ୟକ୍ତିଙ୍କ ମଧ୍ୟରେ ପ୍ରଭେଦ କେଉଁଠି ? ଦେଖିଲି, ମୁଁ ଯାହା କରିବା ଉଚିତ୍ ତାହା ବିଚାରି ନିଶ୍ଚେଷ୍ଟ ରହୁଛି । କିନ୍ତୁ ଯାହା କରିବାର କଥା ସେ ସ୍ୱାଭାବିକ ରୂପେ କାର୍ଯ୍ୟରେ ପରିଣତ କରି ଯାଉଛନ୍ତି । କହିବା ଏବଂ କରିବାରେ ଯେତିକି ବ୍ୟବଧାନ, ତାହା ମୋତେ ସ୍ପଷ୍ଟ ଜଣାପଡ଼ିଲା । ତାଙ୍କର ଏ ପ୍ରକାର ଆଚାର ବ୍ୟବହାର ଦେଖି ଆମ ଭିତରୁ ପୁଣି କେହି କେହି ମନ୍ତବ୍ୟ ପ୍ରକାଶ କରି କହିଲେଣି, ‘‘ବିଚାରା ବେଶ୍ ଭଦ୍ର ଲୋକୁଟାଏ’’ । ପୁଣି କେହି ଅଭିମତ ବ୍ୟକ୍ତ କରୁଛି, “ଆପଣ କଣ ଗୋଟେ ଅଧେ କାମରୁ ବେଶ୍ ଲୋକଟିଏ ବୋଲି ଧରିନେଇ ସାରିଲେଣି ?’’ ଅପର ଜଣେ ପ୍ରତିବାଦ କରି କହିଲେ, “ଲୋକ ଚିହ୍ନିବା ଏଡ଼େ ସୋଜା କଥା ନୁହେଁ । ସାରୁରେ ମାରୁ ବେଶ୍ ଥାଇପାରେ ।’’ କେହି ବା ଯୁକ୍ତି ବାଢ଼ି ବସୁଛି, “ଯାହା ଦେଖିଲେଇଁ ତା କହିବା, ନା ଯାହା ନ ଦେଖିଚେ ତା କହିବା ?’’ ଏହିପରି ନାନା ଅଭିମତ ତାଙ୍କୁ କେନ୍ଦ୍ରକରି ଉକୁଟି ଉଠିଲା । ମୁଁ ସେତେବେଳକୁ ପଛ ଆଡକୁ ନିଘା କରୁଥାଏ ମଝିରେ ମଝିରେ । ଆମର ଏପଟ ଯୁକ୍ତି ତାଙ୍କ କାନରେ ବାଜିଲେ ତାଙ୍କୁ ମୁଁହରେ କି ପରିବର୍ତ୍ତନ ହେବ, ତାହା ଲକ୍ଷ୍ୟ କରିବା ମୋର ଉଦ୍ଦେଶ୍ୟ ଥାଏ । ମାତ୍ର ମୁଁ ଦେଖିଲି, ସେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ଏଡ଼େ ବିରାଟ ଯେ, ସେତବେଳକୁ ପଛ ଡବାର ସବୁଯାତ୍ରୀଙ୍କ ଉପରେ ତାର ପ୍ରଭାବ ପଡ଼ିସାରିଲାଣି । ଅଧିକାଂଶ ଆମ ଏପଟର କଥା ସହିଯାଉଛନ୍ତି । କେହି କେହି ସମର୍ଥନ କରିବାକୁ କୁଣ୍ଠାବୋଧ କରୁଛନ୍ତି । କେହି କେହି ବି ଭଦ୍ରଲୋକଙ୍କୁ ଈର୍ଷା କରି ଉଠୁଛନ୍ତି । କେନ୍ଦ୍ର କେନ୍ଦ୍ର ପ୍ରତି–ଆଘାତ କରିବାକୁ ଅବକାଶ ଅପେକ୍ଷାରେ ଅଛନ୍ତି ।

 

ମୁଁ ଭାବୁଥାଏଁ, ମାନବର ନିମ୍ନ ପ୍ରକୃତି କଥା । ଦୋଷ ଦେବା ପାଇଁ କାହାରିକି କିଛି ନ ଥାଏ । ମୋର ହଠାତ୍ ମନେ ହେଲା, ଯେଉଁ ଅନ୍ଧ ଛଅ ଜଣ, ହାତୀକୁ ଉଣ୍ଡାଳି କରି ବର୍ଣ୍ଣନା କରିଥିଲେ ତାଙ୍କରି କଥା । ସେମାନେ ଠିକ୍‌ ବରଂ ଭୁଲ୍‌ ମୋର । କାରଣ, ତାଙ୍କର ନିଜ ନିଜ ଦୃଷ୍ଟିଭଙ୍ଗୀରୁ ତାଙ୍କର ହାତୀ ବର୍ଣ୍ଣନ ଯଥାର୍ଥ ନୁହେଁ କି ? ସେହି ପରି ଆପଣାର ଦୃଷ୍ଟିରେ ବ୍ୟକ୍ତି ଜଗତକୁ ଦେଖେ । ଅନ୍ଧାର ରାତିରେ ଥୁଣ୍ଟା ଗଛ ଦେଖି ପ୍ରେମିକ, ପ୍ରେମିକା ବୋଲି ମାନିନିଏ । ଚୋର ଆଗନ୍ତୁକ ଭୂତ ବୋଲି ଡରି ଛାନିଆଁ ହୁଏ । ଠିକ୍‌ ସମସ୍ତିଙ୍କର, ଭୁଲ୍‌ବି ସମସ୍ତିଙ୍କର ।

 

ଏହିପରି ଆଲୋଚନା କରୁ କରୁ ଗାଡ଼ି ଆସି ବାରିପଦା ଷ୍ଟାଣ୍ଡ, ଧଇଲା । ସେତେବେଳକୁ ଦିନ ରତ ରତ । ତ୍ୟେକେ ଯେଝା ଯେଝା ଗନ୍ତବ୍ୟ ସ୍ଥାନକୁ ଆଗେଇ ଚାଲିଲେ ।

 

ମୁଁ ଟିକିଏ ସଇଥଳିଆ ହୋଇ ଓହ୍ଲାଇବା ପାଇଁ ପଛକୁ ରହିଯାଇଥାଏ । ଜଣେ ଆସି ମତେ ପଚାରିଲେ, ‘‘ଆଜ୍ଞା, ଏ ଗାଡ଼ିରେ ପର୍ଶୁଧର ରଥ ବୋଲି ଜଣେ ଭଦ୍ରଲୋକ ଆସୁଥିଲେ କି-?’’ ମୁଁ, କେଉଁ ପର୍ଶୁଧର ରଥ ବୋଲି ପଚାରିଲି; ସେ ତାଙ୍କ ଚେହେରା ବର୍ଣ୍ଣନ ନ କରି, ମୋତେ କହିଲେ, “ଜଣେ ଲେଖକ, ଏବେ ତାଙ୍କର ଲେଖା ‘ଗରିବର ଦଶରା କାଗଜରେ ବାହାରିଥିଲା । ‘‘ମୁଁ ସେତେବେଳକୁ କୌଣସି ପ୍ରସଙ୍ଗ ଆଲୋଚନା କରିବା ମତଲବ୍‌ରେ ନଥିଲି । ତାଙ୍କୁ, ନାହିଁ ମୁଁ ଜାଣିନି କହିବାରେ ସେ ଫେରିଗଲେ ।

 

ଏ ଘଟଣାର ବାସି ଗଲା, ତିଆସି ଦିନ ମୋତେ ବାରିପଦାରୁ ପୁରୀ ଆସିବାକୁ ପଡ଼ିଲା । ବାରିପଦାରୁ ଟ୍ରେନ୍ ଯୋଗେ, ରୁପ୍‌ସା ଷ୍ଟେସନ ଦେଇ ପୁରୀ ଯାଇ ହେବ । ମାତ୍ର ସାଧାରଣତଃ ଯାତ୍ରୀମାନେ ବାରିପଦାରୁ ମଟର ଯୋଗେ ବାଲେଶ୍ଵର ଷ୍ଟେସନକୁ ଆସନ୍ତି ଏବଂ ବାଲେଶ୍ଵରରୁ ଟ୍ରେନ୍‌ ଧରନ୍ତି । ବାରିପଦାରୁ ବାଲେଶ୍ଵରକୁ ୩୬ ମାଇଲ ରାସ୍ତା । ବସ୍‌କୁ ପ୍ରାୟ ୨ ଘଣ୍ଟା ଲାଗେ । ଦିନକ ଭିତରେ ନିହାତିପକ୍ଷେ ୪ । ୫ ବସ୍ ଯିବା ଆସିବା କରୁଥିବାରୁ ଯେତେବେଳେ ଇଚ୍ଛା ସେତେବେଳେ ଯାଇ ହୁଏ ।

 

ଜୁନ୍ ମାସଟା । ଗତ ଗତ ରାତିରୁ ହାତୀ ଶୁଣ୍ଢ ପରି ପାଣି ମେଘରୁ ଗଳୁଛି । ବାଆ ତୋଫାନ ପ୍ରବଳ ଜୋର୍ ରେ ବହୁଛି । କୁଆ କୋଇଲି ବସା ଛାଡ଼ିବେ ନାହିଁ ବୋଲି ସ୍ଥିର କରି ଦେଇଛନ୍ତି । ସୂର୍ଯ୍ୟ ତ ଦେଖିବାକୁ ସପନ । ମନ କହୁଛି, କାମ ପଛେ ନ ହେଉ,ଏ ପାଗରେ ଘରୁ ପଦାକୁ ଗୋଡ଼ କାଢ଼ିବା ଅର୍ଥ, ବିପଦକୁ ସଂଖୋଳି ଆଣିବା । ମାତ୍ର କର୍ତ୍ତବ୍ୟ କହୁଛି, ପୁରୀ ଯିବାକୁ ହିଁ ପଡ଼ିବ । ଯିବାକୁ ପଡ଼ିବ ଯେତେବେଳେ, ପାଗକୁ ଡରିଲେ କୁଆଡ଼ୁ ଚଳିବ ? ଅଗତ୍ୟ ସକାଳ ୮୪ଟା ପାସେଞ୍ଜର ବସ୍ ରେ ଉଠିଲା । ବର୍ଷା ନିର୍ଧୁମ କୁଟୁଥାଏ । ଏକମୁହାଁ ହୋଇ ଧାଇଁ ଯାଇ ଗାଡ଼ିର ଆଗ ଡବାରେ ଉଠି ପଡ଼ିଲା । ଗାଡ଼ି ଠିକ୍ ସମୟରେ ଛାଡ଼ିଲା । ବର୍ଷାର ପ୍ରକୋପ, ଏଣେ ପବନର ବେଗ ଗାଡ଼ିକୁ ଏପରି ଭାବେ ଦୋହଲାଇ ପକାଉଥାଏ ଯେ, ପ୍ରାଣ ପ୍ରତି ମୁହୂର୍ତ୍ତରେ ଶଙ୍କାକୁଳ ହୋଇ ଉଠୁଥାଏ । ଏ ପରିସ୍ଥିତିରେ କାହାରି ଅପର କାହାରି ପ୍ରତି ନଜର ଦେବା ବା ଗଳ୍ପ ବୋଲିବା ପ୍ରାୟ ଅସଂଭାବ; ତହିଁକ ପୁଣି, ଗାଡ଼ିର ପାଣି ପ୍ରତିରୋଧ କରିବା ପାଇଁ ଯେଉଁ ପାଲ, ସେ ଗୁଡ଼ା ଅତି ପୁରୁଣା ଦିଶୁଥାଏ । ଗାଡ଼ି ମାଲିକଙ୍କର ସବୁ ଦେଶରେ, ସବୁ କାଳରେ ତ ପଇସା ଉପରେ ଲକ୍ଷ୍ୟ । ଏହା ସ୍ଵାଭାବିକ ମଧ୍ୟ । ଯାତ୍ରୀଙ୍କ ସୁବିଧା ଅସୁବିଧା ପ୍ରତି, ଅନ୍ତତଃପକ୍ଷେ କେତେଟା ଦୃଷ୍ଟିଦେଲେ, ଆଇନକାନୁନ୍‍ରୁ ତ୍ରାହି ମିଳିବ, ତାହା ବସ୍‌ ମାଲିକଙ୍କୁ ନିଶ୍ଚୟ ବେଶ୍ କରି ଜଣା । ସେ ଯାହାହେଉ, ଅଧାରାସ୍ତା ଅତିକ୍ରମ କରି, ବସ୍‌ ଆସି ବେତନଟୀରେ ପହଞ୍ଚିଲା । ପ୍ରକୃତିର ଡକରାରେ, ତଳକୁ ଓହ୍ଲାଇବା ମୋ’ ନିତାନ୍ତ ଆବଶ୍ୟକ ହେଲା । ଏହି ଅବସରରେ ଡ୍ରାଇଭର ଏବଂ କଣ୍ଡକ୍‌ଟର ପ୍ରଭୃତି ଆଲୋଚନା କରୁଥାନ୍ତି, ଗାଡ଼ି ଛାଡ଼ିବା ନା ଆକାଶ ନିର୍ମଳ ହେଲା ଯାଏ ଅପେକ୍ଷା କରିବା ।

 

ଗାଡ଼ିର ଖୋଦ୍‌ ମାଲିକ ହୁଏତ ଅନୁପସ୍ଥିତ । ତେଣୁ ପ୍ରଶ୍ନଟି ଯେତେ ସମାନ୍ୟ ହେଉ ନା କାହିଁକି, ତା’ର ସମାଧାନ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ମଧ୍ୟରେ ହୋଇପାରୁ ନ ଥାଏ । ମଝିରେ ମଝିରେ କ୍ଲିନର ମଧ୍ୟ ପଦେ ଅଧେ ମନ୍ତବ୍ୟ ପ୍ରକାଶ କରୁଥାଏ । ତହିଁରୁ ସ୍ପଷ୍ଟ ଜଣା ପଡ଼ୁଥାଏ, ରାମୟ ସ୍ଵାହା, ରାବଣାୟ ସ୍ୱାହା । ଶେଷରେ ରାଗ ତମତମ ମୁହଁରେ ହର୍ଣ୍ଣ ପରେ ପରେ ହର୍ଣ୍ଣ ଡ୍ରାଇଭର କୋଡ଼ିଲେ । ମୁଁ ମୋ ବସିବା ସ୍ଥାନକୁ ଉଠି ଯାଉ ଯାଉ ମୋ ଦୃଷ୍ଟି ହଠାତ୍‌ ଯାଇ, ପଅର ଦିନକାର ସେହି ଭଦ୍ରବ୍ୟକ୍ତିଙ୍କ ଉପରେ ପଡ଼ିଲା । ସେ ୩ୟଶ୍ରେଣୀ ଡବାର ଦରଜାରେ ଠିଆ ହୋଇଥାନ୍ତି । ମୁଁ ତାଙ୍କୁ ଦେଖି, ହଠାତ୍‌ ଆଶ୍ଚର୍ଯ୍ୟ ଅନୁଭବ କଲି । ମାତ୍ର ବସ୍‌ର ଯେଉଁ ଅବସ୍ଥା,ତହିଁରେ କଥା ପଦେ କହିବାର ସୁଯୋଗ ନ ଥାଏ । ମୋତେ କିଛି ସୁଖକର ବୋଧ ହେଉ ନ ଥାଏ ।

 

କେସିଙ୍ଗା ଥାନା ପାଖରେ ଗାଡ଼ିର ଡାଏରୀ କରିବା ପାଇଁ ବସ୍ ଅଟକିଲା । ସେତେବେଳକୁ ବର୍ଷାର ପ୍ରକୋପ ଟିକିଏ କମି କମି ଆସୁଥାଏ । ପୁରା ଛାଡ଼ି ନ ଥାଏ । ଫିରି ଫିରି ହେଉଥାଏ । ମାତ୍ର ମେଘ କାଳିମାମୟ ଦିଶୁଥାଏ । ପବନର ବେଗ ଟିକିଏ ଥମି ଯାଇଥାଏ । ମୁଁ ନିଜର ମାନସିକ ଆବେଗ ସମ୍ଭାଳି ନ ପାରି, ସେ ଭଦ୍ରବ୍ୟକ୍ତିଙ୍କୁ ଟିକିଏ ଦେଖା କରିବାକୁ, ତଳକୁ ଓହ୍ଳାଇ ପଡ଼ିଲି । ଦେଖିଲି, ସେ ମଧ୍ୟ ତାଙ୍କ ଡବାରୁ ଓହ୍ଳାଇ ଗାଡ଼ି ରେଲିଂକୁ ଧରି ଗୋଟାଏ କଡ଼କୁ କଡ଼ିକିଆ ହୋଇ ଠିଆ ହୋଇଛନ୍ତି । ତାଙ୍କର ଦୃଷ୍ଟି ଉଦାସ,ଏବଂ ଦୂର ଚକ୍ରବାଳରେ ପ୍ରାୟ ପ୍ରତିନିବଦ୍ଧ । ସେ ଗୋଟାଟା ଯାକ ଓଦା ସୁଡ଼ୁ ସୁଡ଼ୁ । ମୁଁ ପଚାରିଲି, ‘‘କଅଣ ଆଜ୍ଞା, ଗୋଟା ଯାକ ଯେ ଭିଜି ଗଲେଣି ! କଣ ବସିବାକୁ ଜାଗାର ଅଭାବ ଅଛି ସେ ପଟେ ?’’ ସେ ସଙ୍ଗେ ସଙ୍ଗେ ଉର ଦେଲେ, “ଧନ୍ୟବାଦ୍‌ ଆଜ୍ଞା, ମୋ ସକାଶେ ବ୍ୟସ୍ତ ହୁଅନ୍ତୁନି । ମୁଁ ଚେଷ୍ଟାକଲେ ଅବଶ୍ୟ ଖୁନ୍ଦିଖାନ୍ଦି ହୋଇ ବସି ପାରନ୍ତି । ମାତ୍ର ତଦ୍ୱାରା ଆଉ କେହି ଅସ୍ଵସ୍ଥି ଅନୁଭବ କରିବାର ସମ୍ଭାବନା ତ ଅଛି । ପୁନଶ୍ଚ, ପାଲର ଯାହା ଅବସ୍ଥା ଏବଂ ପାଗର ଯେଉଁ ପ୍ରକୋପ, ସେଥିରେ ସମସ୍ତଙ୍କୁ ଓଦା ହେବାକୁ ନ ଦେଇ ଜଣେ ଓଦା ହେଲେ କ୍ଷତି କଣ ? ଲୁଗା ତ ନିଶ୍ଚେ ବଦଳିବାକୁ ପଡ଼ିବ । ହଉ ଆଜ୍ଞା ବସନ୍ତୁ, ଗାଡ଼ି ଛାଡ଼ିବାକୁ ବସିଲାଣି ।’’

 

ତାଙ୍କଠାରୁ ଏତିକି ଶୁଣି, ତାଙ୍କ ବ୍ୟବହାରରେ ମୁଗ୍ଧ ହୋଇ ମୁଁ ତାଙ୍କଆଡ଼େ କ୍ରମଶଃ ଢଳିବାର ଦୁର୍ବଳତା ଅନୁଭବ କରୁଥାଏ ।

 

ଗାଡ଼ି ଶେଷ ହର୍ଣ୍ଣ ଦେଇ ଛାଡ଼ିଲା । ଆମ ଭିତରୁ ଜଣେ ସେ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ପ୍ରଥମେ ପ୍ରସଙ୍ଗ ପକାଇଲା—‘‘ବ୍ୟକ୍ତି କିଏ ? ଭିଜି ଭିଜି ଥରି ଗଲେଣି ପ୍ରାୟ, ତଥାପି ତାଙ୍କୁ ବସିବାକୁ କେହି ଟିକିଏ ଜାଗା ଦେଉନି । ତାଙ୍କୁ ଏକଡକୁ ଡାକ ନ ହେଲେ ।’’ ଆଉ ଜଣେ ଥାଇ କହୁଛନ୍ତି, ‘‘ଆପଣ ତ ବେଶ୍ ଭଦ୍ରଲୋକ; ଏଠି କେଉଁଠି ଜାଗା ଅଛି ଯେ ଡାକିବେ ? ଆମେ ଯାହା ବା ଟିକିଏ ଦରଶୁଖିଲା ଅଛେ, ସେ ଦାର୍ଘବପୁ ଆସିଲେ ସମସ୍ତେ ଓଦା ହୋଇଯିବା ।’’ ଆଉ ଜଣେ କହିଲେ, “ଆପଣ ତାଙ୍କୁ ଡାକିଲେ, ସେ ଯଦି ଆସନ୍ତି, ଆପଣ ଆପଣଙ୍କ ଜାଗା ଛାଡ଼ିଦେବେ ନାଁ ? ଆମେ କିନ୍ତୁ ଆଉ କୁଆଡ଼କୁ ଘୁଞ୍ଚିବାକୁ ରାହା ନାହିଁ । ଏହି ଅବସରରେ ଆଉ ଜଣେ ଭଦ୍ରଲୋକ କହି ଉଠିଲା, ତାଙ୍କର ଯେଉଁ ବ୍ୟକ୍ତିର ଅଛି, ସେ ଇଙ୍ଗିତ ଦେଲା ମାତ୍ରେ, ହୁଏତ ତାଙ୍କ ପାଇଁ ଗୋଟାଏ ଜାଗା ରିଜର୍ଭ ରହନ୍ତା । ମାତ୍ର ନିଶ୍ଚୟ ଏଥିରେ କିଛି କଥା ଥିବ ନା, ନହଲେ, ସେ ଖାପଛଡ଼ା ହୋଇ ପଏଁତରା ମାରୁଥାନ୍ତେ କାହିଁକି ?’’

 

ପ୍ରଥମେ ସହାନୁଭୂତି-ସୂଚକ କଥା କେଇ ପଦ ଯେଉଁ ଭଦ୍ରଲୋକ କହିଥିଲେ, ତାଙ୍କ ସରାଗ ସଂପୂର୍ଣ୍ଣ ରୂପେ ତୁଟି ଗଲାଣି । ତାଙ୍କୁ ଉତ୍ତର ଦେବାକୁ ଅବସର ନ ଦେଇ ପ୍ରସଙ୍ଗ ଅନ୍ୟଆଡ଼େ ମୁହାଁଇବାର ଦେଖି ସେ ନୀରବରେ ଟିକିଏ ଅସ୍ଵସ୍ତି ବୋଧ କରୁଥାନ୍ତି । ପ୍ରକୃତରେ ଦେଖିବାକୁ ଗଲେ ପ୍ରତି ପ୍ରାଣୀ ଏକ । ପରସ୍ପରର ପରସ୍ପର ପ୍ରତି ସହାନୁଭୂତି ଛାଏଁ ଛାଏଁ ଗଡ଼ିଆସେ-। ମାତ୍ର ମନୁଷ୍ୟ ପାରିପାର୍ଶ୍ଵିକ ଅବସ୍ଥାରେ ଏତେଦୂର ପ୍ରଭାବିତ ଯେ, ନିଜର ସ୍ଵଭାବ ବିରୁଦ୍ଧରେ କାର୍ଯ୍ୟ କରିବାକୁ ଜାଗାଏ ଜାଗାଏ ବାଧ୍ୟ ହୋଇଥାଏ ।

 

ସେ ଭଦ୍ରବ୍ୟକ୍ତି ଡକରା ପାଇ ଆମ ଡବାକୁ ଆସିବାର ସଂଭାବନା ଯେତିକି, ନ ଆସିବାର ସଂଭାବନା ମଧ୍ୟ ସେତିକି । ମାତ୍ର ଡାକିଲା ମାତ୍ରେ ସେ ନିଶ୍ଚେ ଆସିବେ, ଏହି ସୂତାକୁ ଧରି ନେଇ ଯେଉଁ ଚଟିଆ ଯୁଦ୍ଧ ଚାଲିଥାଏ, ତାହା ମୋତେ ପଦେ ଦି ପଦ କହିବାକୁ ବାଧ୍ୟ କଲା । ମୁଁ କହିଲି, ମୁଁ ତାଙ୍କୁ ବସିବାକୁ ଡାକିଲେ ଯେ, ସେ ଆସିବାକୁ ମନା କଲେ‘‘ । ଏତିକିରେ ସମସ୍ତ ନୀରବ ରହିଲେ ।

 

ମୋ ଭାବନା କିନ୍ତୁ ଗଡ଼ି ଚାଲିଥାଏ, ତାଙ୍କୁ ଇ କେନ୍ଦ୍ରକରି । ତାଙ୍କର ଯେଉଁ ଚେହେରା, ଯେଉଁ ବ୍ୟକ୍ତିର, ତାକୁ କଣ ବସିବାକୁ ସେପଟେ ଜାଗା ଖଣ୍ଡ ମିଳନ୍ତା ନାହିଁ ? ହୁଏତ ସେ ଡବାର ଯାତ୍ରୀ ମାନେ ସହାନୁଭୂତି ଦେଖେଇବାକୁ ମନେ ମନେ ଭାବୁଥିବେ ନିଶ୍ଚୟ; ମାତ୍ର ନିଜ ନିଜକୁ ସେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ନିକଟରେ ଏଡ଼େ ଅକିଞ୍ଚନ ମନେ କରୁଥିବେ ଯେ, ସାହସ କରି କେହି କିଛି କହି ପାରୁ ନ ଥିବେ । କେହି କେହି ହୁଏତ ଭାବୁଥିବେ ଯେ, ଭଦ୍ରବ୍ୟକ୍ତି ବୈଦେଶିକ ଅର୍ଥାତ୍‌ ଅନ୍ୟ କୌଣସି ପୃଥିବୀର ଲୋକ, କାରଣ, ସେ କଥା କହୁଛନ୍ତି ଅଳ୍ପ । ପୁଣି ମୁହଁରେ ତାଙ୍କର ‘ସ୍ଵାଗତ’ ଲାଗି ରହିଲା ପରି ଦିଶୁଛି । ପୁଣି ତାଙ୍କର ଆଚାର ବ୍ୟବହାର ଏବଂ ଢଙ୍ଗଢାଙ୍ଗ ଏକରକମ ଖାପ ଛଡ଼ା ଜଣାପଡ଼ୁଛି । ଆମେ ସମସ୍ତଙ୍କ ଅବସ୍ଥା ଏକା । ମୁଁ ଆଗ,ମୋ କଥା କାମ ଆଗ—ଏ ଟ୍ରେନିଂ ପାଇ ପାଇ ଆମେ ଏତେଦୂର ଅଭ୍ୟସ୍ତ ଯେ, ସେ ଆଗ ବା ତା କଥା ଓ କାମ ଆଗ ଏହା କହିବା ବେଳକୁ ଆମର ହଜମ ହେଉନି । ମାନବର ଏ ସଂକୀର୍ଣ୍ଣତା ଛଡ଼ା ଅନ୍ୟ କିଛି ନୁହେଁ; ମାତ୍ର ମୋର କଣ ଏ ପ୍ରକାର ସଂକୀର୍ଣ୍ଣତା ନାହିଁ ? ପରର ସୁଖକୁ ଉଦ୍ଦେଶ୍ୟ କରି ତାଙ୍କ ପରି ମୁଁ କଣ ଓଦା ସୁଡ଼ୁ ସୁଡ଼ୁ ହୋଇ ପଇସା ଦେଇ ଠିଆ ଠିଆ ଗନ୍ତବ୍ୟ ପଥକୁ ଯାଇ ପାରିଥାନ୍ତି ?

 

–୩–

 

ପୁରୀ ଆସିବା ମୋର ଅଭିପ୍ରାୟ ଥାଏ । ମୁଁ ବାଲେଶ୍ଵରରୁ ପୁରୀରୁ ଟିକଟ କାଟିଲି––୩ୟ ଶ୍ରେଣୀର ଖଣ୍ଡେ ଟିକଟ । ସେତେବେଳକୁ ପାଗ ଟିକିଏ ଫରଚା ହୋଇ ଆସୁଥାଏ । ଟ୍ରେନ୍‍ଟା ଭିଡ଼ ଭିଡ଼ ଦିଶୁଥାଏ । ବର୍ଷାକୁ ଡରି ଅଧିକାଂଶ ଯାତ୍ରୀ ପଦାକୁ ବାହାରୁ ନ ଥାନ୍ତି । ପ୍ରକୃତବଶତଃ ଗାଡ଼ିର ଗୋଟାଏ ପ୍ରାନ୍ତରେ ବସିବାକୁ ମତେ ଭଲ ଲାଗେ । ପୁନଶ୍ଚ, ୩ୟ ଶ୍ରେଣୀରେ ଯାଉଛି । କୌଣସି ବନ୍ଧୁବାନ୍ଧବ ସାଙ୍ଗରେ ଅକସ୍ମାତ୍ ସାକ୍ଷାତ ହେଲେ ମୋର ଆଭିଜାତ୍ୟରେ ଆଞ୍ଚ ଆସିବାର ସମ୍ଭାବନା । ଗାଡ଼ିର ଗୋଟାଏ ପ୍ରାନ୍ତରେ ବସିଲେ ଏକରକମ ଆତ୍ମଗୋପନ ବି ହୁଏ । ପୁଣି ପୁରୀ ପ୍ଲାଟ୍‍ଫର୍ମରେ ଗହଳି ଜମିବା ପୂର୍ବରୁ ଓହ୍ଲାଇ ଯିବା ସୁବିଧା ବିଚାର ମୁଁ ଇଂଜିନକୁ ଲାଗିଥିବା ଡବାରେ ଉଠିଗଲି । ଦେଖେ ତ ଡବାଟା ପ୍ରାୟ ଶୂନ୍ୟ । ମାତ୍ର ଆଶ୍ଚର୍ଯ୍ୟ କଥା, ପୂର୍ବୋକ୍ତ ସେହି ଭଦ୍ରବ୍ୟକ୍ତି ସେ ଡବାରେ ଏକାକୀ ବସିଥାନ୍ତି । ଟିକିଏ ଆନନ୍ଦ ଲାଗିଲା ।

 

ମୋ ପାଟିରୁ ହଠାତ୍ ବାହାରି ପଡ଼ିଲା, “ଆପଣ ଯେ ଏଠି ? ସେ ହସି ହସି ସଙ୍ଗେ ସଙ୍ଗେ ଉତ୍ତର ଦେଲେ, “ମୁଁ ତ ଠିକ୍ ଭାଇ ଭାବୁଚି ? ଆପଣ ଗୋଇନ୍ଦା ବିଭାଗରେ ଚାକିରୀ କରନ୍ତି ବୋଧହୁଏ । ନ ହେଲେ ମୋ ପିଛା କାହିଁକି ଧରିଥାନ୍ତେ ।

 

ବାଲେଶ୍ଵରରୁ ପୁରୀ ଲମ୍ବା ରାସ୍ତା । ପାସେଞ୍ଜର ଗାଡ଼ି, ପ୍ରତି ଷ୍ଟେସନରେ ରହି ରହି ଯିବ-। ମାତ୍ର ମନରେ ଟିକିଏ ଆଶ୍ଵସ୍ତି ଅନୁଭବ କରୁଥାଏ ଯେ ସେ ଭଦ୍ରଲୋକଙ୍କ ସାଙ୍ଗ ମିଳିଛି । ଗପି ଗପି କରି ଗଲେ ଗସ୍ତର ତିକ୍ତତା ଅନେକଟା ଜଣାପଡ଼ିବନି । ବିଶେଷ କରି, ସେ ଭଦ୍ରବ୍ୟକ୍ତିଙ୍କ ସମ୍ବନ୍ଧରେ ବିଶେଷ କରି ଜାଣିବା ପାଇଁ ମୋର ସେ କୌତୁହଳ ଜନ୍ମିଛି, ତାହା କେତେକାଂଶରେ ପୂର୍ଣ୍ଣ ହେବାର ସୁଯୋଗ ମତେ ମିଳିବାରୁ ମୁଁ ଟିକିଏ ଆନନ୍ଦ ଅନୁଭବ କରୁଥାଏ । ଏହିପରି ଭାବୁ ଭାବୁ ମତେ ଶ୍ରାନ୍ତି ହେତୁ, ବୋଧହୁଏ, ଟିକିଏ ଘୁମ ଧରି ପକାଇଛି । ମୁଁ ଆଖି ଫିଟାଇଲା ବେଳକୁ ଦେଖି ସେ ଆମ ଡବାରେ ଡବାଏ ପୁରୀ ଯାତ୍ରୀ ଖୁନ୍ଦି ହୋଇ ଯାଇଛନ୍ତି । ଏବଂ ଏହି ଯାତ୍ରୀମାନଙ୍କୁ ଜାଗା ଦେଇ ଦେଇ ସେ ଭଦ୍ରବ୍ୟକ୍ତି ଟି ଯେଉଁ ବେଞ୍ଚରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ସେଇ ବେଞ୍ଚର ଶେଷରେ ଯାଇ ପହଞ୍ଚିଲେଣି । ମୋର ମନରେ ଟିକିଏ ଦ୍ଵିଧା ହେଲା । ମୁଁ ଭାବିଲି, ସେ ଭଦ୍ରବ୍ୟକ୍ତି ମତେ ଜାଣିଶୁଣି କାହିଁକି ବୋଧହୁଏ କରଛଡ଼ା ଦେଉଛନ୍ତି । ‘‘ଆପଣ ଗୋଇନ୍ଦା ବିଭାଗରେ ଚାକିରୀ କରୁଛନ୍ତି କି ?’’ ତାଙ୍କର ଏ ପ୍ରଶ୍ନ ମୋ ସନ୍ଦେହକୁ ଏକ ରକମ ପୁଷ୍ଟ କଲା । ତାଙ୍କୁ ପାଖକୁ ଡାକବି କି ନାହିଁ ଭାବୁଥାଏ, ଗାଡ଼ି ଚାଲୁଥାଏ ।

 

ଖୋର୍ଦ୍ଧା ରୋଡ଼ରେ ଡବାରେ ଏତେ ଯାତ୍ରୀ ଭର୍ତ୍ତି ହୋଇଗଲେ ଯେ, ସୋରିଷଟିଏ ପକାଇଲେ ହୁଏତ ତଳେ ପଡ଼ିବ ନାହିଁ । ରଥଯାତ୍ରା ନିକଟେଇ ଆସୁଥାଏ କିନା ! ମୋ ଦୃଷ୍ଟି ମଝିରେ ମଝିରେ ସେ ଭଦ୍ରବ୍ୟକ୍ତିଙ୍କୁ ଅନୁସରଣ କରୁଥାଏ । ଖୋର୍ଦ୍ଧାରୁ ଗାଡ଼ି ଛାଡିଲାବେଳକୁ, ଲକ୍ଷ୍ୟ କରି ଦେଖିଲି, ସେ ଭଦ୍ରବ୍ୟକ୍ତି ଡବାର ଆର ପଟ ଦୁଆରର, ଗୋଟିଏ ରେଲିଂ କୁ ଧରି ଛଡ଼ା ହୋଇଛନ୍ତି । ତାଙ୍କର ଆଚରଣ ମତେ ବଡ଼ ଆଶ୍ଚର୍ଯ୍ୟଜନକ ବୋଧହେଲା ।

 

ମୋ ମନଟା କିନ୍ତୁ ତାଙ୍କର ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଥାଏ ମୁଁ ଭାବିଥାଏ, ତାଙ୍କର ବ୍ୟକ୍ତିତ୍ଵ ଅଛି । ପୁନଶ୍ଚ, ଡବାରେ ସେ ପ୍ରଥମ କରି ଉଠିଥିଲେ । ସାମାନ୍ୟ ଟିକିଏ ଚେଷ୍ଟା କରିଥିଲେ, ପୈତୃକ ସମ୍ପତ୍ତିପରି, ତାଙ୍କ ସ୍ଥାନରେ ସେ ବସନ୍ତୁ ବା ନ ବସନ୍ତୁ, ଜାଗା ନିର୍ଦ୍ଧିଷ୍ଟ ଥାନ୍ତା । ମାତ୍ର ସେ ଦୀନହୀନ ପରି ଆଚରଣ କରୁଛନ୍ତି କାହିଁକି ? ତାଙ୍କୁ କଣ ବସିବାକୁ କଷ୍ଟ ବୋଧ ହେଉଛି-? କି ପ୍ରକାର ଭାବନା ବର୍ତ୍ତମାନ ମୁହୂର୍ତ୍ତରେ ତାଙ୍କ ଅନ୍ତରରେ ଖେଳୁଛି ? ଏଇ ଅବସରରେ ଜଣେ କିଏ ଢ଼ଗ ମିଳିଲା—‘ଦେଖ ଗୋ ସୁନ୍ଦର ଭେଣ୍ଡିଆଟିଏ, ହାତ ଗୋଡ଼ ନାହିଁ ଖଣ୍ଡିଆଟିଏ । ସେ ପୁଣି ପାଖ ଲୋକକୁ ଅନାଇ କହିଲା, ‘‘ହଇଓ ଟିକଟ ନ କରି ବି ଡବାରେ ଜାଗା ଦଖଲ କରି ବସିଥିବା ଲୋକ, ଜାଗାରେ ଆଉ ଜଣେ କିଏ ଆସି ବସିଲା ବେଳକୁ ସେ ତାର ପ୍ରାଣ ଖାଇଯିବ, ଆଉ ଇଏ ଏଡ଼େ ଭଦ୍ରଲୋକ ଯେ, ଯିଏ ଆସୁଛି, ତାକୁ ଜାଗା ଦେଇ ଦେଇ ଯାଇ ଗାଡ଼ିର ଗୋଟାଏ କୋଣରେ ଠିଆ ହୋଇଛି । ବେହିପ, ଚେହେରା କାଢ଼ିଚି ମ, ଚେହେରାଖୋଳ, ଦେଖାସୁନ୍ଦର କଖାରୁବଡ଼ିଟା ! ଟିକଟ ନାହିଁ କି ଅଣ୍ଡାରେ ବି ଜୋର ନାହିଁ । ଆଉ ଜଣେ ସେ ଭଦ୍ରଲୋକଙ୍କୁ ଲକ୍ଷ୍ୟ କରି କହିଲା, ଚୋର କି ବିଦମାସ ହୋଇଥିବ ନିଶ୍ଚେ, ବେହିପ କମିତି ନାଙ୍ଗୁ ନାଙ୍ଗୁ ହଉଚି ଅନା । ତା କଥା ସାରିବାକୁ ନ ଦେଇ ଉପରେ ପଡ଼ି ଆଉ ଜଣେ କହୁଛି, ଆମେ ଆମର ସାବଧାନ ହୋଇ ବସିଲେ ଗଲା; ଯେଝା ଭାଗ୍ୟ ଘେନି ଲୋକ ଫଳଭୋଗ କରିବ । ଅମର ଇୟା ତା ଆଲୋଚନା କରି କରି କି ଲାଭ ! ସେ ଟିକିଏ ବୟସ୍କ । ତାଙ୍କ କଥା ଶୁଣି ସମସ୍ତେ ପ୍ରାୟ ନୀରବ ରହିଲେ । ମୋର ବୁଝିବାକୁ ବାକିରହିଲା ନାହିଁ ଯେ, ଆମର ସେହି,ବ୍ୟକ୍ତିକୁ ଲକ୍ଷ୍ୟ କରି ଏ ବାକ୍‍ ବିତଣ୍ଡା ଚାଲିଥିଲା ।

 

ଗାଡ଼ି ଆସି ପୁରୀ ପ୍ଲାଟଫର୍ମ ଧଇଲା ଏବଂ ମୁଁ ଏକା ହୋଇ କରି ସେ ଭଦ୍ରବ୍ୟକ୍ତିଙ୍କ ପିଛା ଧଇଲି । ସେ ଗେଟରେ ତାଙ୍କ ଟିକଟ ଖଣ୍ଡି ବଢ଼ାଇ ଦେଇ ପଦାକୁ ବାହାରି ଗଲେ । ତାଙ୍କ ପଛେ ପଛେ ମୁଁ ମଧ୍ୟ ଗଲି । ଗେଟ୍‌ପାରି ହୋଇ ଯିବା ଉତ୍ତରୁ ମୁ ପ୍ରଶ୍ନ କଲି ଆଜ୍ଞା କେଉଠିକି ଯିବେ-? ସେ ଟିକିଏ ଆଶ୍ଚର୍ଯ୍ୟ ହେଲେ । ବୋଧହୁଏ ସେ ଆଶା କରୁ ନଥିଲେ ଯେ, ମୁଁ ଏତେ ନିକଟରେ ଥାଇ ତାଙ୍କୁ ଏପରି ପ୍ରଶ୍ନ କରିବି । ସେ ମୋ ଆଡ଼କୁ ମୁହଁ ବୁଲାଇ କହିଲେ, ଦର୍ଶନକୁ ବାହାରି ଆସିଛି ଗୋଟାଏ ମଠରେ ରହିବା କଥା । ଆଛା, ଆପଣ କୁଆଡ଼େ ଯିବେ ? ମୁଁ କହିଲି, ବାଲିସାହି କି । ମୋ କଥା ଶୁଣି ସେ ପ୍ରସ୍ତାବ କଲେ, ‘‘ଆସନ୍ତୁ ସାଙ୍ଗ ହୋଇ ଗୋଟାଏ ରିକ୍ସାରେ ବସିଯିବା ।” ସେ ଡାକନ୍ତୁ ବୋଲି କହିବାରୁ ମୁଁ ରିକ୍ସା ଡାକିଲି । ରିକ୍ସା ଆସିଲାରୁ ତାଙ୍କୁ ବସିବାକୁ କହିଲାରୁ ସେ କହିଲେ, ‘ମୁଁ ବସିଗଲେ ଆପଣ ବସିବାକୁ ଜାଗା ରହିବନି, ଆପଣ ଆଗବସି ଯାଅନ୍ତୁ ତା ପରେ ମୁଁ ଉଠିବି ।’ ତାଙ୍କର କଥା ହିଁ ହେଲା । ରିକ୍ସା ଆଗେଇ ଚାଲିଲା ।

 

ମୁଁ ପଚାରିଲି, ଆଜ୍ଞା ଆପଣଙ୍କ ନାଁଟା କଣ କି ? ସେ କହିଲେ, ପର୍ଶୁଧର ରଥ । ମୋର ନାଁ ଶୁଣି ହଠାତ୍ ମନେ ପଡ଼ିଗଲା, ବାହାରେ ବସ୍‌ଷ୍ଟାଣ୍ଡରେ ତାଙ୍କୁ ଜଣେ ଖୋଜୁଥିବାର । ମୁଁ କହିଲି, ଆପଣ କାଗଜରେ ମଝିରେ ମଝିରେ ଲେଖା ଦିଅନ୍ତି କି ? ସେ କହିଲେ, ନିୟମିତ ନୁହେଁ, କେତେବେଳେ କିମିତି ମନ ହେଲେ ପଦେ ବିପଦ ଲେଖିଥାଏଁ । କାହିଁକି କି ? ମୁଁ କହିଲି, ଆପଣଙ୍କ ବାରିପଦା ବସ୍‌ଷ୍ଟାଣ୍ଡରେ ଜଣେ କିଏ ଖୋଜୁଥିଲେ । ତହୁଁ ସେ କହିଲେ ବି, ମୁଁ ତାଙ୍କର ବସାରେ ସେ ରାତି ଓ ତହିଁଆର ରାତି କଟାଇଲି । ସେ ବାରିପଦାରେ ନ ଥିଲେ ମୁଁ ହୁଏତ କାଲିଠୁ ପୁରୀ ଆସି ସାରନ୍ତିଣି । ମାତ୍ର ଆପଣଙ୍କର ତ ସଙ୍ଗଲାଭ ଭାଗ୍ୟରେ ଅଛି, ଛାଡ଼ୁଛି କୁଆଡ଼ୁ ?’’

 

ତାଙ୍କର ଆଚାର ବ୍ୟବହାର ମୋର ପୁରା ପସନ୍ଦ ହୋଇସାରିଛି । ତାଙ୍କର ପ୍ରତ୍ୟେକ ଗତିବିଧି ଅମାୟିକତାରେ ଭରପୂର । ସେ ନିଜର ସୌଜନ୍ୟରେ ମୋତେ ସଂପୂର୍ଣ୍ଣ ମୁଗ୍ଧ କରି ସାରିଥାନ୍ତି । ତାଙ୍କର ସୌମ୍ୟ ଗଠନ ମୋ ପ୍ରାଣରେ ମମତା ଆଙ୍କିଥାଏ । ତାଙ୍କ ବଚନର ମାଧୁର୍ଯ୍ୟରେ ମୁଁ ଅଭିଭୂତ ହୋଇଥାଏ । ତାଙ୍କ ସହିତ ଗୋଟିଏ ରିକ୍ସାରେ ଗଲାବେଳେ ମୁଁ ନୀରବ ରହି ପାରୁ ନ ଥାଏ । ପଚାରୁ ପଚାରୁ ପଚାରି ଦେଲି,ଆଜ୍ଞା, ଗାଡ଼ିରେ ଆପଣ ମୋର ପାଖଛଡ଼ା କାହିଁକି ହେଲେ କି ? ସତ କୁହନ୍ତୁ । ସେ ଟିକିଏ ହସି ହସି କଲେ, “ବୁଝିଲେ ଆଜ୍ଞା, ମୁଁ ଦେଖିଲି, ଆପଣ ଘୁମୋଉଛନ୍ତି । ଯେଉଁମାନେ ଗାଡ଼ି ଭିତରକୁ ଆସୁଛନ୍ତି, ସେମାନେ ବସିବାକୁ ନିତାନ୍ତ ବ୍ୟାକୁଳ । ମୋତେ ଏକୁଟିଆ ବସି ବସି ଭାରି ଚିଟା ଲାଗୁଥାଏ । ତେଣୁ ନୀରବରେ ଆଗନ୍ତୁକଙ୍କୁ ଜାଗା ଦେଉ ଦେଉ ଶେଷରେ ଦେଖିଲି, ମତେ ଠିଆ ହେବାକୁ ପଡ଼ିଲା । ତେଣୁ ଗେଟ୍ ପାଖରେ ପବନ ପାଇବା ପାଇଁ ଠିଆ ହୋଇଆସିଲି । ଯାତ୍ରୀମାନେ ମୋ ବିରାଟ ବିପୁଣର ଧର୍ଷଣରୁ ତ୍ରାହି ପାଇ ଯେଉଁ ଆନନ୍ଦ ଅନୁଭବ କରିଥିବେ, ଟ୍ରେନର ଦରଜାରେ ପବନ ମୋ ବିରାଟ ବପୁକୁ ଧର୍ଷଣ କରି ସେ ଆନନ୍ଦ ମଧ୍ୟ ପାଇ ଥିବାର ଆଶା । ବନ୍ଧୁଙ୍କର ରସିକତାର ଆଭାସ ପାଇ ମୁଁ ବିଶେଷ ଆନନ୍ଦିତ ହେଲି ।

 

ରିକ୍‌ସା ଆସି ବାଲିସାହିରେ ପହଞ୍ଚିଲା । ମୁଁ ରିକ୍‌ସାରୁ ଓହ୍ଲାଇ ପଡ଼ି ପକେଟରୁ ଗୋଟାଏ ଟଙ୍କା କାଢ଼ି ବଢ଼ାଇ ଦେଇ ସେ ଭଦ୍ରବ୍ୟକ୍ତିଙ୍କୁ କହିଲି, ‘‘ଏଇଟା ଆଜ୍ଞା ରଖନ୍ତୁ, ଓହ୍ଲାଇ କରି ରିକ୍‌ସା ଭଡ଼ାଟା ଦେଇ ଦେବେ । ସେ ଆପତ୍ତି କଲେ, କହିଲେ, ‘‘ମୁଁ ସମୁଦ୍ରକୂଳରେ ଓହ୍ଲାଇ ଭଡ଼ାଟା ଦେଇଦେବି । ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ ।’’ ମାଗଣାରେ ରିକ୍ସାରେ ବସି ପଇସା ଦେବାରୁ ବଞ୍ଚିତ ହେବାରେ ମୁଁ ବିଶେଷ ଆପତ୍ତି କରି ଶେଷରେ ନୀରବ ରହିଲି । ସେ ରିକ୍ସାବାଲାକୁ ଆଗେଇ ଯିବାପାଇଁ କହି ମୋତେ ଉଦ୍ଦେଶ୍ୟ କରି କହିଲେ, ‘‘ନମସ୍କାର ଆଜ୍ଞା, ଭାଗ୍ୟରେ ଥିଲେ ପୁଣି ଦେଖା’’ ମୁଁ ଘରଭିତରକୁ ପଶି ଯାଉ ଯାଉ ଭାବିଲି, ‘‘ଆହା, ତାଙ୍କ ରହିବା ଠିକଣାଟା ତ ସଠିକ ରୂପେ ବୁଝି ପାରିଲି ନାହିଁ !’’

 

–୪–

 

ପୁରୀରେ ଥିଲା ବେଳେ ଅବସର ଟିକେ ମିଳିଲେ ବୁକୁତଳେ ଦରିଆର ମୋହ ଉଙ୍କି ମାରେ । ସହଜେ ସେ ଦିନ ପୂର୍ଣ୍ଣିମା ହୋଇଥାଏ । ଅନେକ ବାର ପୁରୀର ସମୁଦ୍ର କୂଳରେ ପୂର୍ଣ୍ଣିମା ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ ମଧ୍ୟ, ପୁଣି ମନରେ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ମନ ଡ଼ାକୁଥାଏ ସୌନ୍ଦର୍ଯ୍ୟ ପୁରୁଣା ହେବାର ନୋହେ; ଯେତେ ଦେଖୁଥିଲେ ମଧ୍ୟ ସେତେ ନୂଆ ଲାଗୁଥିବା କଥା । ପୁଣି ପୁଣି ଦେଖିବାକୁ ଇଚ୍ଛା ମଧ୍ୟ ଜାଗେ । ବାସ୍ତବିକ, ପୁରୀରେ ଯେତେ ଦାର୍ଘ ଅବସର କଟାଇଲେ ମଧ୍ୟ, ଥରେ ଅଧେ ସମୁଦ୍ରକୂଳ ଆଡ଼େ ନ ଗଲେ, ପୁରୀରେ ଥିଲା ପରି ଲାଗେ ନାହିଁ । ତେଣୁ ଅଧିକ ଲଗନରୁ ପୂର୍ଣ୍ଣିମାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସମୁଦ୍ରକୂଳକୁ ଅନୁକୂଳ କଲି । ବୁଲି ବୁଲି ସମୁଦ୍ର କୂଳରେ ପହଞ୍ଚିଲା ବେଳକୁ ଚନ୍ଦ୍ର ଚନ୍ଦ୍ରବାଳରୁ ପୁରୁଷେ ଖଣ୍ଡେ ଉଠି ଆସିଲେଣି । ରୂପା ଥାଳି ପରି ଚକ୍‌ଚକ୍‌ ଦିଶୁଥାନ୍ତି । ଚନ୍ଦ୍ରଙ୍କର ପ୍ରତିଚ୍ଛାୟା ପ୍ରତି ଜଳକଣାରେ ପୂରିଥିଲା ପରି ପ୍ରତିଫଳିତ । ସମୁଦ୍ର ଆନନ୍ଦରେ ତରଙ୍ଗାୟିତ । ଜୁଆର ଚନ୍ଦ୍ରଙ୍କୁ ଚୁମ୍ବନ କରିବାକୁ ଉଚ୍ଛଳ ।

 

ଊର୍ମିର କ୍ଷଣଭଙ୍ଗୁରତା ଯୋଗୁ ସାଗର ପୂର୍ଣ୍ଣ ନିର୍ଘୋଷ ଗାଇପାରୁ ନ ଥାଏ । ଉତ୍ତାଳ ତରଙ୍ଗ ନିଜର ବୁକୁଭିତରେ ଚନ୍ଦ୍ରରୁ ରସ ଚିପୁଡ଼ି ଘେନି ଆସିଲା ପରି ବିଜୟ ଉଲ୍ଲାସରେ ପାଗଳ । ମନ୍ତ୍ରମୁଗ୍ଧ ହୋଇ କେତେକ ଦର୍ଶକ ଠାଏ’ ଠାଏ’ ଜମାଟ ବାନ୍ଧିଛନ୍ତି । ପ୍ରଶାନ୍ତ ସାଗରର ଆଲୋଡ଼ନ ଯୁବକ ଯୁବତୀ ପ୍ରାଣରେ ଆଲୋଡ଼ନ ସୃଷ୍ଟି କରୁଥିବ ନିଶ୍ଚୟ; ମାତ୍ର ସେ ଦୃଶ୍ୟରେ ତନ୍ମୟ ହେବାପାଇଁ ଅନ୍ୟମାନଙ୍କ ପାଇଁ ବି ମାଦକତା ରହିଛି ଯଥେଷ୍ଟ । କ୍ରୀଡ଼ାରତ ଅନେକଗୁଡ଼ିଏ ବାଳକ ବାଳିକା ଇଆଡ଼େ ସିଆଡ଼େ ଧାଁ ଧପଡ଼ କରୁଥାନ୍ତି, କତିପୟ ବଙ୍ଗଯୁବତୀ ବିଭିନ୍ନ ରଙ୍ଗର ପୋଷକରେ ରୂପାୟିତ ହୋଇ ପ୍ରଜାପତି ଭଳି ଜହ୍ନ ଆଲୁଅରେ ପହଁରୁଥାନ୍ତି । ଚନାଚୁରବାଲା ‘ଲେ ଲେ ବଡ଼େ ମଜାଦାର, ଗରମାଗରମ ଚନାଚୁର’ କହି ସମୁଦ୍ର ଘୋଷ ସଙ୍ଗେ ପ୍ରତିଦ୍ୱନ୍ଦିତା କରି ରଡ଼ି ଛାଡୁଥାଏ । ଦଳେ ଯୁବକ ସନ୍ତରଣ ପୋଷାକରେ ଲହଡ଼ିରେ ତାଳ ଦେଇ ଉନ୍ମତ୍ତ ପ୍ରାୟ ନୃତ୍ୟ କରୁଥାନ୍ତି । କୂଳରେ କେତେକ ଦର୍ଶକ ସେମାନଙ୍କର ସାହସ କଳନା କରୁଥାନ୍ତି । ଭିକାରୀ କେତୋଟି ଆଶାୟିତ ହୋଇ ଅଣ୍ଟା ଭାଙ୍ଗି ବାବୁଭାୟାଙ୍କ ଦାନକୁ ନିକୁଟି ଠିଆ ହୋଇଥାନ୍ତି । ଏଇ ଅବସରରେ କିଛି ଦୂରରେ ‘‘ବୁଡ଼ିଗଲା ବୁଡ଼ିଗଲା’’ ଶବ୍ଦ ହଠାତ୍ ଶୁଣାଗଲା । କିଏ ବୁଡ଼ିଗଲା ବା କଅଣ ବୁଡ଼ିଗଲ ସେତେବେଳେ ବିଚାରିବାକୁ ଅବକାଶ ନ ଥାଏ । ଯନ୍ତ୍ରଚାଳିତ ହୋଇ ଜନତା ଠା’ ଠା’ କରୁ ଉଠି ପଡ଼ି ଶବ୍ଦ ଶୁଭୁଥିବା ସ୍ଥାନରେ ଯାଇ ପହଞ୍ଚିଗଲେ । ଚନ୍ଦ୍ର ଆଲୁଅରେ କିଛି ଜଣା ପଡ଼ୁ ନଥାଏ । ସେଇ କେଇ ମୁହୂର୍ତ୍ତରେ ଶବ୍ଦ ହେଉଥିବା ଜାଗା ଜନାକୀର୍ଣ୍ଣ ହୋଇଗଲାଣି । କିଏ କହୁଛି, ‘ହେଇଟି, ହେଇଟି’ ,କିଏ କହୁଛି, ‘ମୋ ଟୁକୁ କିରେ’, ‘କିଏ କହୁଛି, ‘ରମେଶ ତାର ମା’ର କାଛେ ଆଛେ ତ’, ‘କିଏ କହୁଛି, ‘ହେଇଟି ଉଠିଲା’, କିଏ ପାଟି କରୁଛି, ନୋଳିଆକୁ ଡାକ, ନୋଳିଆକୁ । ପୁଣି କିଏ କହୁଛି, ସେଠି ଦଳେ ଗାଧୋଉଛନ୍ତି, ତାଙ୍କୁ ଡାକ । ଏଇପରି ପାଟିତୁଣ୍ଡ ଚାଲିଥିବା ବେଳେ, ଜନୈକ ସୁଦର୍ଶନ ବ୍ୟକ୍ତି ଜାମାଖଣ୍ଡେ ଦେହରୁ କାଢ଼ି, କୂଳରେ ଫୋପାଡ଼ି ଦେଇ ପାଣି ଭିତରକୁ ପଶିଗଲେ । ତାଙ୍କୁ ହୁଏତ ବେଶୀ ଶ୍ରମ ସ୍ୱୀକାର କରିବାକୁ ପଡ଼ିଲାନି । ସେ ଗୋଟିଏ ୧୧-। ୧୨ ବର୍ଷର ବାଳିକାକୁ କୁଣ୍ଢେଇ କରି ପାଣି ଭିତରୁ ଛାଣି ଆଣିଲେ । ପିଲାଟି ଅଚେତା ହୋଇଯାଇଥାଏ । ପାଣି ଢୋକେ ଦି ଢୋକ ପିଇ ଦେଇଥିବା ସ୍ଵାଭାବିକ । ହଠାତ୍‌ ଗୋଟିଏ କରୁଣ କ୍ରନ୍ଦନ ଶୁଣାଗଲା । ଜଣେ ବଙ୍ଗ ମହିଳା କହୁଛି, ‘‘ଆଗୋ, ଆମର ମିନାକ୍ଷୀ ଗୋ, କି କର୍‌ଲେ, ଆମର ମା’ର ପ୍ରଭୁ ଜଗନ୍ନାଥ ।’’ ତା କାନ୍ଦକୁ ଦୃଷ୍ଟି ହୁଏତ କାହାରି ନାହିଁ । ହଇଚଇ ମଧ୍ୟରେ କିଏ କଅଣ କହୁଛି ତାହା ସ୍ପଷ୍ଟ ବାରି ହେଉନି । କିଏ କହୁଛି, ‘ଛେଲେଟାକେ ଡାକ୍ତରଖାନାୟ ପାଠିଏ ଦାଓ’’ ତ, କିଏ ରଡ଼ କରୁଛି; କିଏ କହୁଛି, ଛାଡ଼ ଛାଡ଼ ମୋତେ ଛାଡ଼, ମୁଁ ସବୁ ଠିକ୍‍ କରି ଦେବି-। କେତେଜଣ ପିଲା ଦର୍ଶକମଣ୍ଡଳୀକୁ ଘଉଡ଼ି ଦେବାରେ ବ୍ୟସ୍ତ । ‘ପିଲାଟା ରୁନ୍ଧ ହୋଇପଡ଼ିଛି, ପବନ ଟିକିଏ ଛାଡ଼ ଭଲା’ ବୋଲି ବ୍ୟସ୍ତ ହୋଇ କିଏ ବା କହି ବୁଲୁଛନ୍ତି; କେହି କେହି ପିଲାଟାକୁ ଦେଖିବା ଉଦ୍ଦେଶ୍ୟରେ ଜନତାର ପଛରେ ଫାଙ୍କ ଖୋଜି ଖୋଜି ଦାଣ୍ଡିଆ ମାଗୁଛନ୍ତି । କିଏ କିମିତି ଦଳେ ଦଳେ ଫେରିବାକୁ ଆରମ୍ଭ କରି ଦେଲେଣି । ଗୋଟାଏ ଦଳର କଥୋପକଥନ ଚାଲିଛି, ଶଳା ବଙ୍ଗାଳିଗୁଡ଼ା ଯେମିତି ଉଦବାର୍ଯ୍ୟ ହେଲେଣି ଏ ସମୁଦ୍ରକୂଳରେ,ନିଶ୍ଚେ ଗୋଟା ଗୋଟା ହୋଇ ମରିବେ ଏଠି । ତାଙ୍କର ଭିତରୁ ଆଉ ଜଣେ କହୁଛି, ଛୁଆଟା ବଙ୍ଗାଳି ବୋଲି ଜାଣିଥିଲେ, ମୁଁ ଯଦି ଉଦ୍ଧାରକର୍ତ୍ତା ହୋଇଥାନ୍ତି, ତାକୁ ସେହି ପାଣିରେ ମାଡ଼ ଦେଇଥାନ୍ତି ନିଶ୍ଚୟ । ଆଉ ଜଣେ ପ୍ରତିବାଦ କରୁଛି—ଆରେ, ବିପଦ ଆପଦକୁ ବଙ୍ଗାଳି ଓଡ଼ିଆ କଅଣରେ ? ସବୁ କିସମର ଲୋକ ସଂସାରରେ ଅଛନ୍ତି, ତା’ର ପ୍ରମାଣ ତ ଏଇଭଳି ଜାଗାରେ ମିଳେ ।

 

ଆଉ ଦଳେ ଲୋକ ସେଇ ବାଟ ଦେଇ ଚାଲିଗଲେ । ଜଣେ ତହିଁରୁ କହୁଛି, ‘ଯେ ଭଦ୍ରଲୋକ ଝିଅଟାକୁ ପାଣିରୁ ଟାଣି ଆଣିଲା, ସେ ନିଶ୍ଚୟ ଜଣେ ବଙ୍ଗାଳୀ ହେବ; ନ ହେଲେ ସମୁଦ୍ରଭିତରେ ପଶିବାକୁ ଓଡ଼ିଆର ସାହସ କାହିଁ ?’ ସଙ୍ଗେ ସଙ୍ଗେ ଅନ୍ୟଜଣେ କହିଲା ‘ଆରେ, ତୁ ଠିକ୍ ଓଲଟା କହୁଛୁ । ଆସେ, ବାଜି ମାରେ, ଚାଲ୍‌ ଦେଖିବା, ଦେଖି ସେ ଓଡ଼ିଆ ନାଁ ବଙ୍ଗାଳୀ ।’

 

ଗଣ୍ଡଗୋଳ ମଧ୍ୟରେ ତ ଏଇଭଳି କେତେ ଆଲୋଚନା ଚାଲିଛି । ମାତ୍ର ଉଦ୍ଧାରକର୍ତ୍ତା ଜଣକ କିଏ ସେ ପ୍ରତି ହୁଏତ କାହାରି ଲକ୍ଷ୍ୟ ନାହିଁ ଲୋକଟି ପରିଷ୍କାର ଧୋବ ଧୋତି ଖଣ୍ଡିଏ ପିନ୍ଧିଛନ୍ତି । ଦିହରେ ଗଞ୍ଜି ଖଣ୍ଡିଏ; ଓଦାରେ ଜୁଡ଼ୁସୁଡ଼ୁ ତାଙ୍କ ଦେହରୁ ପାଣି ନିଗିଡ଼ି ପଡ଼ୁଥାଏ । କପାଳରେ ସ୍ୱେଦକଣା ନା ବାଲି, କଅଣ ଲାଗି ଚିକ୍‌ଚିକ୍‌ କରୁଥାଏ । ସେ ପିଲାଟିକୁ ଶୁଆଇ ଦେଇ ନିଜର ଜାମା ଖଣ୍ଡି ଖୋଜି ହେଉଛନ୍ତି, ଜଣେ ଭଦ୍ରବ୍ୟକ୍ତି ପ୍ରଶ୍ନ କଲେ, ‘ଆପ୍‍ନାର ନାମ କି ମୋଶାଇ-? ଭଦ୍ରବ୍ୟକ୍ତି ନିଜ ନାମ ପ୍ରକାଶ କରିବାକୁ ଯେପରି କୁଣ୍ଠିତ, ସେପରି ସ୍ୱରରେ କହିଲେ, ‘ପର୍ଶୁଧର ରଥ’ । ମୁଁ ନାମ ଶୁଣି ଚମକି ପଡ଼ିଲି । ସଙ୍ଗେ ସଙ୍ଗେ ଭଦ୍ରଲୋକ ପ୍ରଶ୍ନ କରୁଛନ୍ତି, ଆପନି କି ଉଡ଼େ-? ଭଦ୍ରଲୋକ ନରମ ଗଳାରେ ଉତ୍ତର ଦେଲେ, ଆଜ୍ଞା, ହଁ । ଏହା କହୁ କହୁ ସେ ଲୁଗାର ଅଗ୍ରଭାଗ ଚୁପୁଡ଼ା ଚୁପୁଡ଼ି କରି ପୋଛାପୋଛି ହୋଇ ସାରିଲେଣି ପ୍ରାୟ । ବଙ୍ଗାଳୀ ଭଦ୍ର ଲୋକଙ୍କଠାରୁ ଆଉ କୌଣସି ପ୍ରଶ୍ନର ଅପେକ୍ଷା ନ କରି ସେ ନିଜ ଜାମାରେ ଆଖି ପକାଇଲେ । ତହିଁରେ ଜଣେ ଲୋକର ପାଦ ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ । ଝାଡ଼ି ଝୁଡ଼ି କରି କାଖରେ ଜାକିଲେ ସେ ଖଣ୍ଡ-। ତାଙ୍କ ହାବଭାବରୁ ଜଣା ପଡ଼ୁଥାଏ ଯେପରି ସେ ସମସ୍ତଙ୍କ ଅଜାଣତରେ ପଳାଇ ଯିବାକୁ ବ୍ୟସ୍ତ-। ମୁଁ ସେତେବେଳକୁ ତାଙ୍କର ଅତି ନିକଟରେ ପହଞ୍ଚିଥାଏ । ମୋ ଚାଦର ଖଣ୍ଡିକ ତାଙ୍କ ହାତକୁ ବଢ଼ାଇ ଦେଇ କହିଲି, 'ନମସ୍କାର ଆଜ୍ଞା, ବହୁଭାଗ୍ୟ ମୋର ଆଜି ଯେ ଅପୂର୍ବଙ୍କ ଦର୍ଶନ ମିଳିଲା । ‘ସେ ହସିଲା ହସିଲା ହୋଇ ମୋ ଚାଦରଟି ନେଇ ପାଲଟିଲେ । ଜାମାଟିକ ଦେହରେ ଗଳାଇ, ହାତରେ ଓଦା ଗଞ୍ଜି ଆଉ ଓଦା ଲୁଗା ଧରି ବସା ଅଭିମୁଖରେ ଅଗ୍ରସର ହେଲେ । ମୁଁ ମଧ୍ୟ ତାଙ୍କ ସହିତ ତାଙ୍କ ବସାକୁ ଫେରିଲି । ବାଟରେ ମୁଁ ଆଶା କରୁଥାଏ, ମୋ ଚାଦର ଖଣ୍ଡି ତାଙ୍କୁ ଦେଇଥିବାରୁ ମୋତେ ପଦେ ଅଧେ କହିବେ । ମାତ୍ର ସେ ନୀରବ ରହିବାରୁ ମୁଁ ଟିକିଏ କ୍ଷୁର୍ଣ୍ଣ ବୋଧ କରିଥିବି ନିଶ୍ଚୟ । ଖାଣ୍ଟି ସଂସାରର ଲୋକ ମୁଁ । ‘ପରୋପକାରାୟ ସ୍ଵର୍ଗାୟ’ ମୁଁ ଜାଣେ । ପରର ଉପକାର ତୁରନ୍ତ ଭୁଲିଯିବା ଗୋଟାଏ ମହନୀୟ ଚରିତ୍ରର କଣିକାଏ ଅଭିବ୍ୟକ୍ତି । ତଥାପି ମନଟା ଟିକିଏ ଉକୁଟେଇ ଉଠିଲା । କଥାଭାଷା ହେବାର ସ୍ପୃହା ମୋର ଆପେ ଆପେ ବିଲୟ ହୋଇଗଲା-। ମୁଁ ନୀରବରେ ତାଙ୍କ ସଙ୍ଗେ ସଙ୍ଗେ ଆସୁଥାଏ । ଅନୁମାନ କଲି, ସେ ଯେଉଁ ମହତ୍‌କାର୍ଯ୍ୟ କଲେ, ସେଥିପାଇଁ ପ୍ରଶଂସା ଶୁଣିବାର ପ୍ରୟାସୀ ସେ ବିଲକୁଲ ନୁହନ୍ତି । ତାଙ୍କ ଚରିତ୍ରରେ ଏ ଗୋଟାଏ ନୂତନ ଉପାଦାନ । ତେଣୁ ମୁଁ ବା ତାଙ୍କୁ ଯାହା ଟିକିଏ ପ୍ରଶଂସା କରିଥାନ୍ତି, ତହିଁରୁ ବିରତ ହେଲି-

 

କ୍ରମଶଃ ଆମେ ଗୋଟିଏ ମଠ ପାଖରେ ପହଞ୍ଚିଲୁ । ସମୁଦକୂଳରୁ ଅଳ୍ପ ଦୂରରେ ସେ ମଠଟି । ପାଖାପାଖି ହୋଇ ଅନେକ ଗୁଡ଼ିଏ ମଠ ଥିବାରୁ ସେ କେଉଁ ମଠର ନାମକରଣ କଲେ, ତାହା ବିସ୍ମୃତ ହେବାକୁ ମୋତେ ବିଳମ୍ବ ଲାଗିଲା ନାହିଁ । ସେ ସେଠାରେ ଠିଆ ହୋଇ ମୋତେ କହିଲେ,‘‘ମୁଁ ବର୍ତ୍ତମାନ ପାଇଁ ଏଇ ମଠରେ ରହୁଛି । ଆପଣଙ୍କ ଚଦରଟି କାଲି ଫେରାଇ ଦେଲେ ଆପଣଙ୍କର ବିଶେଷ କିଛି ଅସୁବିଧା ହେବ ନାହିଁ ବୋଧହୁଏ ।’’ ମୁଁ ରାଜି ହେବାରୁ ସେ ନମସ୍କାରଟିଏ ପକାଇ କରି ଲଙ୍କାଆମ୍ବ ଗଛ ଉହାଡ଼ରେ ଅଦୃଶ୍ୟ ହୋଇଗଲା । ମୁଁ କାଲିକି ତାଙ୍କ ଦେଖା ପାଇବାର ସୂତ୍ରପାତ ହୋଇଥିବାରୁ ଆନନ୍ଦମନରେ ବସା ଆଡ଼କୁ ଆଗେଇଲି ।

 

–୫–

 

ତହିଁ ଆରଦିନ କଥା । ସକାଳ ନଅଟା ସରିକି ହେବ । ସକାଳୁ ସକାଳୁ ବର୍ଷା ଅସରାଏ ହୋଇ ଛାଡ଼ି ଯାଇଥାଏ । ରବିବାର ଥାଏ ସେଦିନ । ମୁଁ ନିତ୍ୟକର୍ମ ପ୍ରଭୃତି ସାରି ବାହାରିଥାଏ ଶ୍ରୀମନ୍ଦିର ଆଡ଼େ; ଉଦ୍ଦେଶ୍ୟ ଥାଏ, ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନଟାଏ କରି ଟିକିଏ ଏମାର ମଠ ଲାଇବ୍ରେରୀରେ ସମୟ କଟାଇବା ପାଇଁ । ଘରୁ ପଦାକୁ ବାହାରି ଆସି ଦେଖେ ତ, ପର୍ଶୁଧର ବାବୁ ଦୁଆରମୁହଁରେ ଠିଆ ହୋଇଛନ୍ତି । ‘ନମସ୍କାର ଆଜ୍ଞା,ଭିତରକୁ ଆସନ୍ତୁ’, ମୁଁ କହିଲି । ସେ କହିଲେ, ବୁଲି ବାହାରିଛନ୍ତି ଯେତେବେଳେ ପୁଣି ଆଉ ଭିତରକୁ କାହିଁକି, ଚାଲନ୍ତୁ ବୁଲିଯିବା । ଚଦରଟି ନେଇ ରଖିଦେଇ ଆସନ୍ତୁ । ଏହା କହି ମୋ ହାତକୁ ସେ ଚଦରଟି ବଢ଼ାଇ ଦେଲେ । ମୁଁ ଦେଖିଲି, ଭଦ୍ରବ୍ୟକ୍ତି ମୋ ଚଦରଟି ଧୋଇ ପରିଷ୍କାର କରି ଚଉତା ଚଉତି କରି ବଡ଼ ଯତ୍ନରେ ଆଣି ଦେଇଛନ୍ତି । କାଲି ରାତିରେ ମୋଠାରୁ ଚଦରଟି ନେଇଥିଲେ । ସକାଳୁ ବର୍ଷା ହୋଇଥିଲା । ସଫା କଲେ କେତେବେଳେ, ପୁଣି ଶୁଖାଇଲେ କେତେବେଳେ । ଏମିତିକା ଭାବୁ ଭାବୁ ଚଦରଟି ନେଇ ବସା ଭିତରେ ଯଥାସ୍ଥାନରେ ରଖିଦେଇ, ଫେରିଲି । ତାଙ୍କରି ପରିସ୍ଥିତିରେ ମୋତେ ଯଦି କେହି ଚଦର ଖଣ୍ଡେ ସାହାଯ୍ୟ କରିଥାନ୍ତା, ମୁଁ ତ ସଫାକରି ଫେରେଇବା ଦୂରର କଥା, ଏତେ ଶୀଘ୍ର ଫେରାଇଥାନ୍ତି କି ନାହିଁ ସନ୍ଦେହ । ତାଙ୍କ ସୌଜନ୍ୟରେ ପ୍ରାଣ ଛାଏଁ ଛାଏଁ ନଇଁ ଆସୁଥାଏ । ଘରୁ ବାହାରି ମୁଖଲଜ୍ଜା ହେତୁ ଧନ୍ୟବାଦ୍‌ ଦେବାକୁ ଭାବି, ଭାଷା, ଖୋଜୁଛି, ସେ କହିଲେ, ‘‘ଧନ୍ୟବାଦ୍ ଦେବା ଦରକାର ନାହିଁ; କୁହନ୍ତୁ, ମନ୍ଦିରକୁ ଯିବେ ନା ଲାଇବ୍ରେରୀକୁ ଯିବେ ? ମୁଁ କହିଲି, ‘‘ଆପଣଙ୍କର ନିତିପ୍ରତି ମନ୍ଦିରକୁ ଯିବାର ଅଭ୍ୟାସ ଥିବ, କାରଣ ଆପଣ ମଠରେ କାଳ କଟାଉଛନ୍ତି, ଚାଲନ୍ତୁ ଆଗ ଦେବଦର୍ଶନଟା ସାରିଦେବା !’’ ସେ ସଂକ୍ଷେପରେ କହିଲେ,’’ଦେବଦର୍ଶନ ନ ହେଲେ ସେ ମୋର ନ ଚଳେ ତାହା ନୁହେଁ, ହଉ ଚାଲନ୍ତୁ ତା ହେଲେ !’’

 

ମନ୍ଦିରର ବେଢ଼ା ଭିତରେ ପଶି ମୁଁ ସଂକ୍ଷେପରେ ଦର୍ଶନଟା ସାରିନେଲି । ତାଙ୍କର ଦର୍ଶନ ମୋ’ଠାରୁ ଆହୁରି ଚଞ୍ଚଳ ସରିଗଲା । ଆକାଶଟା ଟିକେ ମେଘାଚ୍ଛନ୍ନ ଦିଶୁଥାଏ । ବୁଲି ଆସି ଦୁହେଁଯାକ ପଶ୍ଚିମପଟ ରାଧାକୃଷ୍ଣଙ୍କ ମନ୍ଦିର ପାଖରେ ପହଞ୍ଚିଲୁଁ । କଥିତ ଅଛି ଯେ, ବର୍ଷର ବା’ରମାସ ଯାକ ସେ ମନ୍ଦିର ସାମନାରେ ବସନ୍ତ ବୁହେ । ସେହିଠାରେ ବସିଲୁ । ବସିବାର ଉଦ୍ଦେଶ୍ୟ ଥିଲା, ତାଙ୍କର ମଳୟ ସେବନ, ମୋ’ର ଗୀତା ପରାୟଣ ଏବଂ ଚର୍ଚ୍ଚା । ଜଣେ ଗୈରିକ ବସ୍ତ୍ର ପରିହିତ ଅନ୍ଧ, ଗୀତା ପରାୟଣ କରୁଥାନ୍ତି ସେଠି । ଅଠର ଅଧ୍ୟାୟ ଗୀତାଯାକ ତାଙ୍କର କଣ୍ଠସ୍ଥ-। କର୍ଣ୍ଣରସାସୁନ ସେତେ ନ ହେଉ ଥିଲେ ମଧ୍ୟ, ମୋର ବନ୍ଧୁ ବେଶ୍‌ ତନ୍ମୟ ହୋଇ ଗୀତା-ଶ୍ଳୋକ ଶୁଣିଯାଉଥାନ୍ତି । ମୋର ଗୀତା ପାଠକଙ୍କ ଉପରେ ନଜର । ବେଶ୍‌ ଦୁଇପଇସା ରୋଜଗାର ହୁଏ ତାଙ୍କର । ଦେଖିଲି, ଅନେକ ସ୍ତ୍ରୀ ପୁରୁଷ ତାଙ୍କ ପାଦରେ ମୁଣ୍ଡ ନୂଆଁ ଅଛନ୍ତି । କିଏ ଦି’ ପଇସା କିଏ ବା ଚାରିପଇସା ତାଙ୍କ କାନିରେ ପକାଇ ଦେଇ ତାଙ୍କ ପାଦ ସ୍ପର୍ଶ କରି ନିଜ ବାଟରେ ଆଗେଇ ଯାଉଛନ୍ତି । ଅନ୍ଧ, ହାତରେ ଗୋଟିଏ ମାତ୍ର ପଇସା ରଖି ଅବଶିଷ୍ଟ ପାଇବା ମାତ୍ରେ ସ୍ଥାନାନ୍ତରିତ କରୁଛନ୍ତି, ଲୁକ୍‌କାୟିତ କରିବା ଉଦ୍ଦେଶ୍ୟରେ । ଗୀତା ନ ବୁଝି ପାଠ କରୁ କରୁ ଯେବେ ଅନ୍ନ ସଂସ୍ଥାନର ଏପରି ବନ୍ଦୋବସ୍ତ ହୋଇପାରେ, ଗୀତା ବୁଝି ତଦନୁସାରେ ଆଚରଣ କରି ବସିଲେ, କଅଣ ପେଟ ଚାଖଣ୍ଡକ ଅପୂର୍ଣ୍ଣ ରହିବ ? କିଛି ସମୟପରେ ତାଙ୍କର ଗୀତା–ପରାୟଣ ଶେଷ ହେଲା । ସେ କ୍ଷଣମାତ୍ର ବିଶ୍ରାମ ନେଇ ଜୟଦେବଙ୍କ ଦଶଅବତାର ବର୍ଣ୍ଣନା ଆରମ୍ଭ କରିଦେଲେ-। ପାଟିରୁ ଅନର୍ଗଳ ବାହାରୁଥାଏ ସ୍ତୋତ୍ରଯାକ । ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ଯେ ଜନ୍ମାନ୍ଧଙ୍କର ଏତେ ଗୁଡ଼ାଏ ମୁଖସ୍ଥ ହେଲା କିପରି । ମନକୁ ମନ ଯୁକ୍ତି କଲି, ସେ ବୋଧହୁଏ ଦୁର୍ଭାଗ୍ୟବଶତଃ ପରେ ଅନ୍ଧ ହୋଇ ଯାଇଛନ୍ତି; ଜନ୍ମରୁ ଅନ୍ଧ ନ ଥିଲେ । ଏହି ସମୟରେ ବେଶ ବରକୋଳିଆ ଟୋପାମାନ ହଠାତ୍ ଚାଳିଦେଲା । ମୁଁ କ୍ଷୁଦ୍ରତମ ରାସ୍ତା ଦେଇ ମନ୍ଦିର ମଧ୍ୟକୁ ଉଠିଗଲି । ସେଠାରେ ମୋ ବଂଧୁଙ୍କ ନିମନ୍ତେ ପଛକୁ ଚାହିଁ ଯାହା ଦେଖିଲି, ମୋର ଲାଜରେ ମୋ ମୁହଁ ପୋତି ହୋଇଗଲା-। ଦେଖିଲି, ସେ ଅନ୍ଧଙ୍କୁ ମନ୍ଦିର ଭିତରକୁ ଚଳାଇ ଆଣୁଛନ୍ତି । ନିଜର ବ୍ୟବହାରରେ ଅନୁତାପ ଆସିଲା ବେଳକୁ ଲେଡ଼ି ଗୁଡ଼ କହୁଣୀକୁ ବୋହି ସାରିଥିଲା । ଅଳ୍ପକ୍ଷଣ ପରେ ମେଘ ପୁଣି ସଫା ହୋଇଗଲା । ଆମେ ଦୁହେଁ ଯାଇ ଉତ୍ତରପଟ ବଟମୂଳେ ବସିଲୁ । ଜାଗାଟି ବେଶ ନିକାଞ୍ଚନିଆ-। ମାତ୍ର ସେତେ ପରିଷ୍କାର ନୁହେଁ । କେବେ କେବେ ଜଣେ ଅଧେ ଦର୍ଶକ ସେ ବାଟ ଦେଇ ଏ ଦିଗକୁ, ଏବାଟ ଦେଇ ସେ ଦିଗକୁ ଯିବା ଆସିବା କରୁଥାଆନ୍ତି । ମୁଁ କହୁ କହୁ କହିପକାଇଲି ଅନ୍ଧଟି ବିଚରା ବହୁ କଷ୍ଟ ଅନୁଭବ କରୁଥିଲେ । ସାଙ୍ଗେ ସାଙ୍ଗେ ମୋ ବନ୍ଧୁ ଉତ୍ତର ଦେଲେ, ‘‘ମୋ ବିଚାରରେ, ତମ ଆମ ପରି ଅନ୍ଧ ହେବାଠାରୁ ସେପରି ଅନ୍ଧ ହେବା ଶତଗୁଣେ ଭଲ-।’’ ମୁଁ କଥାଟାକୁ ସେତେବେଳେ ସୁସ୍ପଷ୍ଟ କରି ବୁଝି ପାରି ନ ଥିଲି । ତାଙ୍କ ସହିତ ମୋର ସମ୍ପର୍କ ଦିନକୁ ଦିନ ଘନ ହେବାକୁ ଯାଉଛି-। ମୁଁ କ୍ରମଶଃ ତାଙ୍କୁ ବୁଝିବାକୁ ଚେଷ୍ଟା କରୁଥାଏ-। ଦେଖୁଛି,ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ମୋ ମନରେ ଗଭୀର ରେଖାପାତ କରୁଛି । ଯାହାର ଗୋଟିଏ ଭଲ ଗୁଣ ଅଛି, ସେ ପ୍ରକାରାନ୍ତରେ ତାହା ବ୍ୟକ୍ତ ନ କଲା ପର୍ଯ୍ୟନ୍ତ ନୀରବ ହୋଇ ରହିପାରେ ନାହିଁ । ମାତ୍ରା ପର୍ଶୁବାବୁଙ୍କର ଯାବତୀୟ ସୁଗୁଣ ଥିଲେ ସୁଦ୍ଧା ନିଜକୁ ସେ ଯେପରି ନିହାତି ଅକିଞ୍ଚିତ ମନେ କରୁଛନ୍ତି । ଆମ୍ଭମାନଙ୍କର ପ୍ରବଳ ଇଚ୍ଛା,କିପରି ସବୁଠି ଆମର ଅସ୍ତିତ୍ଵ ପ୍ରତିପାଦିତ ହେବ । ଏ ଇଚ୍ଛା ସ୍ଵାଭାବିକ ମଧ୍ୟ । ସାମାନ୍ୟ ପିମ୍ପୁଡ଼ିଟା ମଧ୍ୟ ନିଜର ଅସ୍ତିତ୍ଵ ଡିଣ୍ଡିମ ପିଟି ବୁଲୁଥାଏ । ସୁଯୋଗ ମିଳିଲେ ପୁଳାଏ କାମୁଡ଼ି ଦେଇ ତା ନିଜର ଉପସ୍ଥିତି ଘୋଷଣା କରେ । ଆଉ ତା'ର ଅନୁପାତରେ ଆମେ ନିଜର ନିଜର ଅହମିକାକୁ ଖାଦ୍ୟ ଯୋଗାଇବା ପାଇଁ ଯେଉଁ ଚେଷ୍ଟା କରୁ, ତାହା ନିତାନ୍ତ ସ୍ଵାଭାବିକ । ଆମେ ପିମ୍ପୁଡ଼ିଠାରୁ ହୀନ ତ ହୋଇ ପାରିବା ନାହିଁ । ମାତ୍ର ଫରକ ରହିଯାଏ ଏଇଠି । ମୋ ଭିତରେ ଏବଂ ପର୍ଶୁଧର ବାବୁଙ୍କ ମଧ୍ୟରେ । ମୁଁ ତାଙ୍କ ବିଷୟରେ ବିଶେଷ କିଛି ଜାଣିବାକୁ ଆଗ୍ରହୀ ଥିଲାବେଳେ, ସେ ସେପରି ମୋତେ ବା ଅପର କାହାରିକୁ କିଛି ଜଣାଇବାକୁ କଷ୍ଟ ଅନୁଭବ କରୁଛନ୍ତି—ମୋତେ ସେପରି ପ୍ରଣୀତ ହୁଏ । ମୁଁ ବୁଝି ପାରେନି—ସେ ନିଜକୁ ଲୋକଲୋଚନ ଅଗୋଚରରେ ରଖି ଜୀବନ କଟାଇ ଦେବାକୁ କାହିଁକି ସତତ ଜାଗ୍ରତ ତାଙ୍କୁ ଉତ୍ତମ ରୂପେ ବୁଝିବାକୁ ହେଲେ, ମୋତେ ଯେ ଯଥେଷ୍ଟ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ ଏହାର ଆଭାସ ପ୍ରଥମରୁ ହିଁ ଜଣାପଡ଼ିଛି । ତଥାପି ମୁଁ ତାଙ୍କୁ ନ ବୁଝି ତାଙ୍କୁ ଅଧାବାଟରେ ଛାଡ଼ି ଦେବାକୁ ମୋ ପୁରୁଷକାରରେ ଆଘାତ ଅନୁଭବ କରୁଥିଲି-। ଭଗବାନଙ୍କ ଆର୍ଶୀବାଦରୁ ଅନେକ ବାର ଜୀବନ ପଥରେ ତାଙ୍କ ସଂପର୍କରେ ଆସିଛି । ସେ ମୋ ବନ୍ଧୁତ୍ୱକୁ ସ୍ଵାଗତ କରୁଥିଲେ କି ନାହିଁ ମୁଁ କହି ପାରିବ ନାହିଁ, ମାତ୍ର ମୁଁ କହି ପାରିବ ଯେ, ମୁଁ ତାଙ୍କ ବଂଧୁତ୍ଵ ପାଇଁ ଲାଳାୟିତ ଥିଲି । ତାଙ୍କ ବ୍ୟବହାରରୁ ମୁଁ ଲକ୍ଷ୍ୟ କରି ଦେଖିଲି ଯେ, ମୋ ପ୍ରତି ତାଙ୍କର ହାର୍ଦ୍ଦିକ ଅନୁରାଗ ଅଛି । ମାତ୍ର ତାଙ୍କର ଏ ଅନୁରାଗ ଭାଜନ ମୁଁ ହେଲି କିପରି, ତାହା ଆଲୋଚନା କରି ବସିଲେ, ମୋ ମୁଣ୍ଡ ବଥାଇବାକୁ ଆରମ୍ଭ କରେ । ମୁଁ ଯେତେ ଅବାନ୍ତର ବା ଅପ୍ରାସଙ୍ଗିକ କାର୍ଯ୍ୟ କଲେ ମଧ୍ୟ, ସେ ମୋତେ କେବେ ହେଲେ କର୍କଶ କରି ପଦେ କଥା କହି ନ ଥାନ୍ତି । ତାଙ୍କର ଚରିତ୍ରରେ ଦୋଷ ହୋଇ ଯଦି କିଛି ଥାଏ, ତାହା ହେଉଛି ସେ ଯାହାକୁ ଭଲପାଆନ୍ତି, ତାର ତ୍ରୁଟି ବା ଭୁଲକୁ କଥାରେ ସମାଲେଚନା ନ କରି କାର୍ଯ୍ୟରେ ସଂଶୋଧନ କରି ବସନ୍ତି । ତେଣୁ ତାଙ୍କୁ ବୁଝିବା କଷ୍ଟକର ବୋଧହୁଏ ।

 

ପାଣି–ଖରାର ପ୍ରତାପ ମଝିରେ ମଝିରେ ଖୁବ୍ ବଢ଼ିଥିବାର ଜଣା ପଡ଼ୁଥାଏ । ପେଟରେ ଭୋକର ଆଭାସ ମଧ୍ୟ ଦେଖା ଦେଲାଣି । ଦିନ ୧୧ଟା ସରିକି ହେବ । ମୁଁ ପ୍ରସ୍ତାବ ବାଢ଼ିଲି, ‘‘ଚାଲନ୍ତୁ, ପ୍ରସାଦ ସେବନ କରିବା’’ । ସେ କହିଲେ, ‘‘କ୍ଷମା କରିବ ପ୍ରସାଦ ସେବନର ପକ୍ଷପାତୀ ମୁଁ ନୁହେଁ । ଆପଣଙ୍କୁ ଭୋକ ଲାଗିଲାଣି ନିଶ୍ଚୟ, ଆପଣ ଯା’ନ୍ତୁ, ମୁଁ ଏଠାରେ ଅପେକ୍ଷା କରୁଛି, ଆପଣ ଫେରିଲେ ଲାଇବ୍ରେରୀ ଆଡ଼େ ଯିବା ।’’ ସେ ପ୍ରସାଦ ସେବନର ପକ୍ଷପାତୀ କାହିଁକି ନୁହଁନ୍ତି, ଏ ପ୍ରଶ୍ନ ପଚାରି ଦେବାକୁ ମନ ଡାକୁଥିଲା, ମାତ୍ର ମୋର ହଠାତ୍ ସେପରି ପ୍ରଶ୍ନରେ ସେ ଅପ୍ରତିଭ ହୋଇପାରନ୍ତି, ଏଇ ଆଶଙ୍କା କରି, ମୁଁ ନୀରବରେ ଲକ୍ଷ୍ମୀ ବଜାର ଉଦ୍ଦେଶ୍ୟରେ ଆଗେଇ ଚାଲିଲି ।

 

କାମ ସାରି ଫେରୁଥାଏ । ମନଟା ଦୁକୁଲୁ ପୁଚୁଲୁ ହେଉଥାଏ । ସେ କାହିଁକି ପ୍ରସାଦ ସେବନ କରନ୍ତି ନାହିଁ ତାର କାରଣ ମୁଁ ଯେତେ ଆଲୋଚନା କଲେ ମଧ୍ୟ ଠିକ କରି ପାରିଲି ନାହିଁ । ଆବ୍ରାହ୍ମଣ ଚଣ୍ଡାଳ କିବା ସ୍ତ୍ରୀ କିବା ପୁରୁଷ ଯେଉଁଠାରେ ପ୍ରସାଦ ସେବନରେ ନିଜକୁ ଭାଗ୍ୟବାନ, ଭାଗ୍ୟବତୀ ମନେ କରନ୍ତି, ସେଠାରେ ପର୍ଶୁବାବୁଙ୍କର ଅସୁବିଧା କଅଣ ଥାଇପାରେ ? ମୋ ସହ ପ୍ରସାଦସେବନରେ ଅଭିଯୋଗ କଅଣ ତାଙ୍କର ଆଉ ଆପତ୍ତି ? ଅଳ୍ପ କିଆ ମନଟା ମୋର । ନ ପଚାରି ରହି ପାରିଲି ନାହିଁ । ‘‘ଆପଣ ପ୍ରସାଦ ସେବନର ପକ୍ଷାପାତୀ ନୁହନ୍ତି, ନାଁ ମୋ ସଙ୍ଗେ ସେବନରେ ଆପତ୍ତି ଅଛି ?’’ ସେ ଟିକିଏ ହସିଲେ ଏବଂ କହିଲେ, ‘‘ଆପଣ ଯାହା ଭାବୁଛନ୍ତି ତାହା ସତ ନୁହେଁ । ମୋ ପାଇଁ ମଠରେ ଚାଉଳ ପଡ଼ିଥିବ । ମୁଁ ଏଠାରେ ଯେଉଁ ଖାଦ୍ୟତକ ଖାଇବି ସେତକରେ ଆଉ ଜଣେ ଉପାସ ଯେ ନ ରହିବ, ତାର ପ୍ରମାଣ ନାହିଁ । ଆଉ, ଜଣେ ମଣିଷର ଦି’ଜଣକ ଖାଦ୍ୟ ନଷ୍ଟ କରିବାର ଯୁକ୍ତି ବି ନାହିଁ, ବିଶେଷ କରି ଏ ଖାଦ୍ୟକ୍ଳିଷ୍ଟ ଯୁଗରେ !’’

 

ତାଙ୍କର ଜନତା ପାଇଁ ଯେଉଁ ପ୍ରେମ ତା’ର ପରିଚୟ ମୁଁ ପୂର୍ବରୁ ଅଳ୍ପ ବହୁତରେ ପାଇଥିଲି । ତେଣୁ ଏ ପ୍ରକାର ଯୁକ୍ତି ନିଗ୍ରହ କରି ପାରିଲି ନାହିଁ । ପକ୍ଷାନ୍ତରେ ତାଙ୍କ ପ୍ରତି ମୋର ଆଗ୍ରହ ବଢ଼ିଗଲା । ନିଜର ସ୍ଵଭାବ ଚରିତ୍ର ବଳରେ ସେ ମୋତେ ପ୍ରତି କ୍ଷେତ୍ରରେ ଯେ ମୁହ୍ୟମାନ କରି ପକାଉଛନ୍ତି ଏହା ମୁଁ ଅବଗତ ହେଲି । ମୋ କୃତଜ୍ଞତା ଜଣାଇବାକୁ ବାଟ ନ ପାଇ ମୁଁ ପ୍ରସ୍ତାବ କଲି, ଡେରି ହେଲାଣି, ଲାଇବ୍ରେରୀ ବନ୍ଦ ହୋଇ ଯିବଣି, ଚାଲନ୍ତୁ ଫେରିଯିବା । ସଂଧ୍ୟା ବେଳକୁ ସମୁଦ୍ର କୂଳରେ ଦର୍ଶନ ମିଳିବାର ବନ୍ଦୋବସ୍ତ କରିବେ ।’’ ବଂଧୁ ଟିକିଏ ହସିଦେଇ ନିରବ ରହିଲେ । ଆମେ ଫେରୁଥାଉଁ । ବାଟରେ ତାଙ୍କୁଇ କେନ୍ଦ୍ର କରି ମୋ ମନ ଗହୀରରେ ହଜାର ହଜାର ଭାବନା ଉଙ୍କି ମାରୁଥାଏ ।

 

–୬–

 

ଆଉ ଅଳ୍ପ ସମୟ ମଧ୍ୟରେ ଚାନ୍ଦ ଉଠିବ । ପଶ୍ଚିମାଞ୍ଚଳ ପରିଷ୍କାର ଦିଶିଲାଣି । ଦିତ୍ୱୀୟା ବା ତୃତୀୟା ହେବ ପରା ! ମୁଁ ସେ ଦିନ ସମୁଦ୍ର କୂଳରେ ପହଞ୍ଚିଲା ବେଳକୁ ସଂଧ୍ୟା ହୋଇଯାଇ ଥାଏ କହିଲେ ଚଳେ । ଆମର ଆଗରୁ ଠିକ ହୋଇଯାଇଥାଏ ଯେ, ସେ ପ୍ରଥମେ ଆସିବ ନିର୍ଦ୍ଦିଷ୍ଟ ବତୀ ଖୁଣ୍ଟ ପାଖେ ଅପେକ୍ଷା କରିବ । ପର୍ଶୁବାବୁ ନିଶ୍ଚୟ ମୋ’ଠାରୁ ଅନେକ ଆଗରୁ ଆସି ପହଞ୍ଚିଛନ୍ତି । ସେ ବସିଛନ୍ତି ବତୀଖୁଣ୍ଟ ଠାରୁ ସାମାନ୍ୟ ଦୂରରେ । ତାଙ୍କ ବ୍ୟକ୍ତିତ୍ୱ ସେ ପାଉଁଶିଆ ଆଲୋକରେ ତାଙ୍କୁ ବୋଲି ଚିହ୍ନାଇ ଦେଉଛି । ସେ କିପର ଧ୍ୟାନମଗ୍ନ ହୋଇ ବସିଛନ୍ତି, ଦୃଷ୍ଟି ତାଙ୍କର ଦୂର ଚକ୍ରବାଳରେ ନିବର୍ଦ୍ଧ । ଜୂଆରର ଉର୍ବାର ପ୍ରକୋପ ପୂର୍ଣ୍ଣିମା ଦିନ ପରି ବିଶେଷ ଦୃଷ୍ଟି ହେଉନି । ସେ ମନେ ମନେ କଅଣ ଭାବୁଛନ୍ତି କେଜାଣି । ମାତ୍ର ସାଗରର ନୀଳ ଘନ ଜଳରାଶିରେ ଯେତେ ଅବୋଧର ଦୃଷ୍ଟି ପଡ଼ିଲେ ମଧ୍ୟ କ୍ଷଣେ ସ୍ଥିର ହୋଇ ରହିଜିବ । ବିଶ୍ଵର ପ୍ରକାଣ୍ଡତାର ଗୋଟିଏ କ୍ଷୀଣ ଆଭାସ ମିଳେ ସାଗରର ଅସୀମତାରୁ । ପ୍ରାଣରେ ନିଜର ଆତ୍ମଗରିମା କ୍ଷୁବ୍ଧ ହୋଇ ଆସେ, ମନ ଛଟ ପଟ ହୁଏ । ଇଚ୍ଛା ହୁଏ, ସମୁଦ୍ର ପରି ବିରାଟ ଓ ଗମ୍ଭୀର ହେବାକୁ । ବୁକୁତଳେ ଜାଗେ ଅବୁଝା କୋହ । ଦଶପନ୍ଦର ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରି ଦେଖିଲି ଯେ, ବନ୍ଧୁଙ୍କର ଧାନ ଭଗ୍ନ ହେଉନି । କଅଣ କରିବ ? ତାଙ୍କ ଦୃଷ୍ଟି ମୋ ଆଡ଼କୁ ଆକୃଷ୍ଟ କରିବା ଉଚିତ ହେବ କି ନାହିଁ ଆଲୋଚନା କରୁଥାଏ ମନେ ମନେ । ସମୁଦ୍ରର ମୋହ ମୋ’ଠାରେ ଯେତେ ନ ଥାଏ ସେତେବେଳକୁ, ବନ୍ଧୁଙ୍କ ସଙ୍ଗେ ଗପିବାର ମୋହ ଥାଏ ତା’ଠାରୁ ବେଶୀ । ଯେତେବେଳେ ଚନ୍ଦ୍ରମା ଚକ୍ରବାଳ ଛାଡି ୪୦|୫୦ ହାତ ଉପରକୁ ଉଠିଗଲେ, ମୋର ମନ ଉତ୍ତାଳ ହୋଇ ପଡ଼ିଲା । ମୁଁ ଆଉ ସଂଭାଳି ପାରିଲି ନାହିଁ । ଚିକ୍‌ଚିକ୍‌ଚାନ୍ଦ ଆଲୁଅରେ ଜଳର ତରଳତା ମୋ’ ମନକୁ ଆହୁରି ତରଳାଇ ଦେଲା । କର୍ତ୍ତବ୍ୟ ଠିକ୍ କରି ପାରୁନଥାଏ । ଆଖ କୋରଡରେ ଆଙ୍ଗୁଳି ଗେଂଜି ଏକକାଳୀନ ୨|୩ ଚନ୍ଦ୍ରମା ଦେଖୁଦେଖୁ କିଛି କ୍ଷଣ କଟାଇଦେଲି । ତା ପରେ ମୋ’ ଧୈର୍ଯ୍ୟର ଖୋଳାଇଟା ହଠାତ୍‌ଖାଲି ହୋଇଗଲା । ମୁଁ ଡାକ ଦେଲି, ‘‘ଆଜ୍ଞା, କଅଣ ଧ୍ୟାନଭଗ୍ନ ହେବନାହିଁ ? ନମସ୍କାର ।’’ ସେ କହିଲେ, ''ନମସ୍କାର, ବସନ୍ତୁ, ମୁଁ ସେଇ ଅନ୍ଧଙ୍କ କଥା ହିଁ ଭାବୁଥିଲି । ଆପଣ ଅନେକ ବେଳୁଁ ନିଶ୍ଚୟ ଆସିଲେଣି ।'' ମୁଁ କହିଲି, ‘‘ସେ ଯାହା ହେଉ, ଅନ୍ଧଙ୍କ କଥା କଅଣ ଭାବୁଥିଲେ ଟିକିଏ ଦୟାକରି କହିବେ କି ?’’ ସେ ଟିକିଏ ଚିନ୍ତିତ ହୋଇ କହିବାକୁ ଆରମ୍ଭ କଲେ, ‘‘ଗୋଟାଏ ଜିନିଷ ଦେଖିବାକୁ ତିନିଟା ଆଖି ଦରକାର –ଆଖି, ମନ ଓ ଚେତନା । ସେ ଭଦ୍ରବ୍ୟକ୍ତିଙ୍କର ଆଖି ନାହିଁ, ମାତ୍ର ମନ ଓ ଚେତନା ଅଛି-। ଆମର ଆଖି ଅଛି, ମନ ଅଛି, ମାତ୍ର ଧରନ୍ତୁ ଚେତନା ନାହିଁ । ତା’ ହେଲେ, ତାଙ୍କଠାରୁ ଆମେ ବିଶେଷ ଅନ୍ଧ ନୁହେଁ କି ? ମୁଁ କାହିଁକି ଭାବେ ଯେ, ସମଗ୍ର ସଂସାରରେ ସବୁଠାରୁ ବଡ଼ ଅନ୍ଧ ମୁଁ-। କାରଣ ବି ଦେଖନ୍ତୁ । ଆପଣଙ୍କ ସାକ୍ଷାତ୍‌ପାଇଁ ମୁଁ ଏଠି ଆସି ଅନେକ ବେଳୁ ଅପେକ୍ଷାରେ ରହିଛି । ଆପଣ କେଉଁ କାଳୁ ଆସିଲେଣି, ମାତ୍ର ମୁଁ ଦେଖି ପାରୁନି । କହିଲେ, ମୁଁ ଅନ୍ଧ ନା ନୁହେଁ ? ପୁଣି ବିଚାରନ୍ତୁ, ଆଖିର କାମ କଅଣ ? ସେ ଦର୍ଶନୀୟ ବସ୍ତୁର ଆକାର ପ୍ରକାର ନେଇ ମନ ଚଳେ ଗୋଟାଏ ପରଦାର ଛାଇ ଆଙ୍କେ । ସେତିକି ତା’ର କାମ । ତା ପରେ ମନର କାମ । ସେ ଚରମ ପଦାର୍ଥରୁ ନିଜ ଅନୁରୂପେ ଫଳ ଗ୍ରହଣ କରେ । ମନ ନଥାଇ ଖାଲି ଆଖି ଥିଲେ, କିଛି ଦେଖି ହେବନି । ଗୋଟିଏ ମାଠିଆରେ ମାଠିଆଏ ପାଣି ମୁଣ୍ଡାଇ ଆପଣ ଫରଲଙ୍ଗେ ବାଟ ଚାଲନ୍ତୁ । ସର୍ତ୍ତ ରହୁ ଯେ, ଟୋପାଏ ପାଣି ତଳେ ପଡ଼ିବନି । ତା ହେଲେ, ଆପଣ ଦେଖିବେ ଯେ, ସେ ଫରଲଙ୍ଗ ରାସ୍ତାର କୌଣସି ବସ୍ତୁ ଆପଣଙ୍କ ଆଖିକି ଦିଶିବ ନାହିଁ । କେବଳ ମାଠିଆଟା ଦିଶୁଥିବ; କାରଣ, ଆପଣଙ୍କର ସେ ଅବସ୍ଥାରେ ଆଖି ଯଦିଓ ଅଛି, ମନ ନାହିଁ । ମନ ଯାଇ ମାଠିଆରେ ।

 

‘‘ଆଉ ଟିକିଏ ବିଚାରନ୍ତୁ । ଦେଖୁଛନ୍ତି ସଂସାରରେ ଜରା, ରୋଗ, ଶୋକ ଲାଗି ରହିଛି । କଷ୍ଟୀ ଲୋକକୁ ଦେଖି କେଡ଼େ କଷ୍ଟ ହଉଚି, ତାହା ମଧ୍ୟ ଆପଣଙ୍କ ମନରେ ଚାପି ହୋଇ ଯାଉଛି । ତଥାପି ଚେତନା ହଉନି । ତା ଅର୍ଥ, ଆଖି ଅଛି, ମନ ଅଛି, ମାତ୍ର ଚେତନା ନାହିଁ । ତେଣୁ ମୁଁ କହେ, ମଣିଷର ତିନୋଟି ଆଖି, ଏବଂ ଏଥିରୁ କୌଣସି ଗୋଟିକର ଅଭାବରେ ମଣିଷ ଅନ୍ଧ ହୁଏ । ଆଉ ମୋ ବିବେଚନାରେ, ସ୍ଥୂଳ ଆଖି ହରାଇ ଯେ ଅନ୍ଧ, ସେ ସୂକ୍ଷ୍ମ ଆଖି ହରାଇ ଅନ୍ଧ ହୋଇଥିବାଠାରୁ କୌଣସି ମତେ ବିଶେଷ କଷ୍ଟୀ ନୋହେ ।’’ ଏହା କହି ସେ ନୀରବ ହେଲେ ।

 

ପର୍ଶୁ ବାବୁଙ୍କ ଚରିତ୍ରର ଆଜି ଗୋଟିଏ ନୂତନ ଉପାଦାନ ଫୁଟି ଉଠିଲା । ତାଙ୍କର ଏ ପ୍ରକାର ଦାଶନିକ ମତ ଏବଂ ଯୁକ୍ତି, କେବଳ ମୋତେ କାହିଁକି, ପ୍ରତ୍ୟେକଙ୍କୁ ରୁଚିକର ବୋଧହେବ ନିଶ୍ଚୟ । ମୁଁକଥାଟାକୁ ମନେମନେ ଆହୁରି ଆଲୋଚନା କରିବି ସ୍ଥିର କରି, କହିଲି, ଦେହ ଶୀତେଇଲାଣି, ଆଜ୍ଞା ! ଚାଲନ୍ତୁ ଯିବା । ସେ ପ୍ରତିବାଦ ନ କରି ଉଠି ଠିଆହେଲେ । ଆମେ ବସା ଅଭିମୁଖରେ ବଢି ଚାଲିଲୁଁ ।

 

–୭–

 

ଦିନ କେତୋଟି ପରର କଥା । ମୋର ଭାରି ଇଚ୍ଛା ହେଲା ପର୍ଶୁ ବାବୁଙ୍କ ସଙ୍ଗେ ଏକାଠି ବସି ଥରେ ଖାଇବା ପାଇଁ । ଦିନ ୧୧ ବେଳକୁ ଖାଇବା କଥା । ସକାଳୁ ମୋ ନିମନ୍ତ୍ରଣ କଥା ବଂଧୁଙ୍କୁ ଜଣାଇ ଦେବା ମୋର କର୍ତ୍ତବ୍ୟ । ମୁଁ ସକାଳୁ ସକାଳ ବନ୍ଧୁଙ୍କ ବସାରେ ପହଞ୍ଚିଲି । ଦେଖିଲି, ସେ ମଠ ନିକଟସ୍ଥ ଗୋଟିଏ ଛୋଟିଆ ଗଡ଼ିଆରେ ଗାଧୋଉଛନ୍ତି । ମୋର ଆନ୍ତରିକତା ଭରପୂର ହୋଇଥାଏ । ତେଣୁ ସ୍ଥାନ ଅସ୍ଥାନ ବିବେଚନା ନ କରି, ମୁଁ ଆପେ ଆପେ ବଂଧୁଙ୍କ ନିକଟକୁ ନିଜକୁ ସ୍ଵାଗତ କରେ । ମୁଁ ସିଧା ସଳଖେ ଯାଇ ଗଡ଼ିଆ ହୁଡ଼ାରେ ପହଞ୍ଚିଗଲି । ଦେଖିଲି, ବଂଧୁ ଗାଧୁଆ ପ୍ରାୟ ଶେଷ ହୋଇ ଆସୁଛି । ମାତ୍ର ସେ ଗୋଟିଏ କାର୍ଯ୍ୟରେ ରତ ହୋଇଛନ୍ତି । ମୁଁ ଭାବିଲି, ବୋଧ ହୁଏ ଜଳ ତର୍ପଣ କରୁଛନ୍ତି । ମାତ୍ର ଲକ୍ଷ୍ୟ କରି ଦେଖିଲି ତାହା ତର୍ପଣ ନୁହେଁ । ସେ ଗୋଟାଏ ବିଛାକୁ ପାଣି ଭିତରୁ ଆଞ୍ଜୁଳାଏ ପାଣି ସହିତ ଉପରକୁ ତୋଳୁଛନ୍ତି, ପୁଣି ଛାଡ଼ି ଦେଉଛନ୍ତି । ଏପରି ୧୦ । ୧୨ ଥର ମୋ ଆଖି ଆଗରେ ସେ ପ୍ରାୟ କଲେଣି । ବଂଧୁଙ୍କର ଏ ପ୍ରକାର କୌତୁହଳ ମୋ ଆଖିକି ସଂପୂର୍ଣ୍ଣ ନୂତନ । କେତେବେଳ ସରିକି ତାଙ୍କ ନଜର ମୋ ଉପରେ ପଡ଼ିଲା ବୋଧହୁଏ । ପାଣି ଆଞ୍ଜୁଳା ସହିତ ବିଛାଟିକୁ ଫିଙ୍ଗି ଦେଉଦେଉ ସେ କହିଲେ, ‘‘ଆରେ, ଆପଣ କେତେବେଳୁଁ ? ନମସ୍କାର ।’’ ମୁଁ ମୋର କୌତୁହଳ ଦବାଇ ନ ପାରି ପଚାରିଦେଲି, ‘‘ଆଜ୍ଞା, ବିଛା ଆପଣଙ୍କ ସହିତ, ନା ଆପଣ ବିଛା ସହିତ ଖେଳୁଥିଲେ ?’’ ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ‘‘ଆପଣ ଯାହା ଭାବନ୍ତୁ, ବିଛାର ମୋ ସହିତ ଗୋଟାଏ ଦ୍ୱନ୍ଦ ଚାଲିଥିଲା । ବିଛାର ନାହୁଡ଼ ମାରିବା ସ୍ଵଭାବ, ଏବଂ ବିଛାକୁ ପାଣିରୁ ରକ୍ଷା କରିବା ମୋର ସ୍ଵଭାବ । ଭଗବାନଙ୍କ ଦୟାରୁ ଆଜି ମୋର ସ୍ଵଭାବର ହିଁ ଜଣାପଟ ।’’

 

ଏ ପ୍ରକାର କୈଫିୟତ୍‌ମୁଁ ଆଶା କରି ନ ଥିଲି । ବଂଧୁଙ୍କ କଥାରୁ ମୋର ଆଉ ବୁଝିବାକୁ ବାକୀ ରହିଲା ନାହିଁ ଯେ, ଯେଉଁ ବିଛା ବାରମ୍ୱାର ନାହୁଡ଼ ମାରୁଥିଲା, ସେଇ ବିଛାକୁ ଅଶେଷ କଷ୍ଟ ସ୍ୱୀକାର କରି ପର୍ଶୁ ବାବୁ ଉପରକୁ ତୋଳିଥିଲେ; ପକ୍ଷାନ୍ତରେ ତାର ପ୍ରାଣଦାନ କରିଥିଲେ । ଏଭଳି ମହୀୟାନ ଚରିତ୍ରର ଚାକ୍ଷୁସ ପ୍ରମାଣ ଜଗତର କେତେଯାଏଁ ଲୋକ ଦେଇଥାନ୍ତି ?

 

ନିମନ୍ତ୍ରଣ ଦେଇ ସାରି ଘରକୁ ଫେରୁଥାଏ । ବାଟରେ ସେଇ ବିଛା–ପ୍ରସଙ୍ଗ ଆଲୋଚନା କରୁଥାଏ ମନେ ମନେ । ଜିଦ୍‌ତାଙ୍କର କଅଣ ନାଁ, ନାହୁଡ଼ ମାରିବା ଯଦି ବିଛାର ଧର୍ମ ହୁଏ, ପ୍ରାଣୀକୁ ବଞ୍ଚାଇବା ମଣିଷର ଧର୍ମ । ମଣିଷର ହାର ହୋଇ, ବିଛାର ଜିତ୍‌ହେବ—ଏହା ମୋ’ ବଂଧୁଙ୍କର ଅସହ୍ୟ । ଜୀବଟାକର ଧର୍ମ ଆଗରେ ମଣିଷର ଧର୍ମ ପରାଜିତ ହେବା ମୋ ବଂଧୁ ସହି ପାରୁ ନାହାନ୍ତି । ମାତ୍ର ମୁଁ ହୋଇଥିଲେ, ବାଲି ମୁଠାକରେ ସେ ବିଛଟାକୁ ଜୀଅନ୍ତା, ପାଣି ଭିତରେ ସମାଧି ଦେଇଥାନ୍ତି ।

 

ପର୍ଶୁବାବୁ ଏବଂ ମୋ ଭିତରେ ଏଇ ତ ଫରକ ଅଛି, ଆଚ୍ଛା ତାଙ୍କୁ ଗୁରୁ କଲେ କିମିତିକା ହୁଅନ୍ତା ? ଏହା ଭାବୁ ଭାବୁ ମୁଁ ଆସି ବସାରେ ପହଞ୍ଚି ସାରିଲିଣି ।

 

–୮–

 

ବଂଧୁଙ୍କୁ ନିମନ୍ତ୍ରଣ କରିନେଲି ଭାବି–ବିହ୍ୱଳତାରେ, ମାତ୍ର ଫେରି ବସାରେ ପହଁଞ୍ଚିଲାରୁ ମୁଁଣ୍ଡକୁ ମୋର ପୋକ କାମୁଡ଼ିଲା । ପଚାରି ତ ପାରିଲିନାହିଁ ସେ ନିରାମିଷାଶୀ କି ନାଁ ? ହୁଏତ, ପିଆଜ ରସୁଣ ପର୍ଯ୍ୟନ୍ତ ବି ଖାଉ ନ ଥିବେ ! କଅଣ କରିବି ? ଆଉ ଥରେ ଯାଇ ପଚାରି ଆସନ୍ତି, ମାତ୍ର ନିଜର ଦୁର୍ବଳତା ପଦାରେ ପକାଇ ଦେବା କଅଣ ଏଡ଼େ ସହଜ ? ମନେ ମନେ ସ୍ଥିର କଲି, ପୂରା ଆମିଷ ଭୋଜନର ବନ୍ଦୋବସ୍ତ କରିବି । ବଂଧୁ ନ ଖାଇବେ ତ ମହାର୍ଦ୍ଦ କିଣି ଆଣି ତାଙ୍କୁ ଚର୍ଚ୍ଚା କରି ଛାଡ଼ିବି । ଏହି ସଂକଳ୍ପ ଅନୁସାରେ କାର୍ଯ୍ୟକ୍ରମ ଆଗେଇ ଚାଲିଲା ।

 

ଠିକ୍‌ଦିନ ୧୧ଟାରେ ବନ୍ଧୁଙ୍କ ଦରହସିତ ବଦନର ଦର୍ଶନ ମିଲିଲା । ହାର୍ଦିକ ସ୍ନେହସଂଭାଷଣ ଉତ୍ତାରେ ଭୋଜନ ବ୍ୟବସ୍ଥା ହେଲା । ଭୋଜନ ସରିଲାରୁ ପୂଜାରୀ ପଚରିଲା, ‘‘ଆଜ୍ଞା, ଭଲ ମନ୍ଦ କିଛି କହିଲେ ନାହିଁ ତ ?’’ ବଂଧୁ ଉତ୍ତରରେ କହିଲେ, ‘‘ଆରେ ବାବା, ଘୁଷୁରି ପାଚିଲା କଦଳୀର ସ୍ଵାଦୁ କାହୁଁ ବୁଝିବ ? ତେବେ, ତୁମେ ମୋ ପାଇଁ ଯେଉଁ କଷ୍ଟ ସ୍ୱୀକାର କରିଛ ତାହା ନିଶ୍ଚୟ ପ୍ରଶଂସନୀୟ; କାରଣ, ଏ ଭୋଜନ ଫଳରେ ମୋର ଅତିସାର ହେବାର ସୂଚନା ମିଳିଲାଣି । ସହଜେ ତ ବେଙ୍ଗ ପାଟିରେ ଘିଅ ହଜମ ହୁଏନା; ତହିଁରେ ପୁଣି, ଦୁଇ ତିନି ଜଣଙ୍କର ଆଧାର ଜିଭ ଲାଳସା ଏଡାଇ ନ ପାରି ଗିଳି ପକେଇଛି । ଆଚ୍ଛା, କହିଲ, କେତେ ଜଣଙ୍କର ଆହାର ମୁଁ କରିଛି ?’’

 

ବନ୍ଧୁ କହୁଥାନ୍ତି ପୂଜାରୀକୁ ଲକ୍ଷ୍ୟ କରି, ମାତ୍ର ମୁଁ ମନେ ମନେ ଗର୍ବ ଅନୁଭବ କରୁଥାଏ, କାରଣ, ତାଙ୍କ କଥାରେ ମୋର ମଧ୍ୟ ପ୍ରଶଂସା ଟିକିଏ ଥାଏ । ପୂଜାରୀ ଟୋକା ତାଙ୍କ କଥା ଗୁଡ଼ା, ସାପ ଗୀତ ଶୁଣିଲା ପରି, ଆଁ କରି ପିଇ ଯାଉଥାଏ । ତା ଆଖି ଦୁଇଟା କହୁଥାଏ ଯେ, ସେ କିଛି ବୁଝି ପାରୁନାହିଁ । ତା’ର ଯେଉଁ ପ୍ରକୃତି, ବନ୍ଧୁଙ୍କୁ କଥାରେ ଟିକ୍‌କା ଟିପ୍‌ପଣୀ କରିବାକୁ ଯେ ସେ ମୋତେ ନ ପଚାରିବ, ତା ନୁହେଁ ! ଆଜିକାଲି ପୂଜାରୀ ଚାକରଙ୍କର ଯେଉଁ ଦାଉ, ତାକୁ ମୁଣ୍ଡ ପୋତି ସହି ନ ଗଲେ ଗତ୍ୟନ୍ତର ନାହିଁ । ଏ ଦୃଷ୍ଟିରୁ ବିଚାର କରି ମୁଁ ସ୍ଥିର କଲି ଯେ, ଭୋଜନ ସଂପର୍କରେ ବଂଧୁ, ପୂଜାରୀ ଟୋକା ଆଗରେ ଆଉ କିଛି ବ୍ୟକ୍ତ କରିବା ହିତକର ନୁହେଁ । ତେଣୁ ପ୍ରସଙ୍ଗ ବଦଳାଇ ଦେଲି । ମୁଁ ପଚାରିଲି, ‘‘ଟିକିଏ ବିଶ୍ରାମ କରିବେ, ଆଜ୍ଞା ?’’ ସଙ୍ଗେ ସଙ୍ଗେ ସେ କହିଲେ, ‘‘ଲୋଡୁଚ ତ, ଭାଗ୍ୟରେ ଥିଲେ ଶୀଘ୍ର ମିଳିଯିବ ସିନା ।’’ ଉତ୍ତର ମୋ ମନରେ ଚାଉଁକିନାଁ ଚେଁକି ହୋଇଗଲା । ବଂଧୁ ହସି ହସି କହିଲେ, ‘‘ମନ ଦୁଃଖ କରନ୍ତୁନି, ଆସନ୍ତୁ ଗଡ଼ିବା, କଥା ଭାଷା ହେବା-।’’

 

ତା’ପରେ କଥା ପ୍ରସଙ୍ଗରେ ସେ କହି ଚାଲିଲେ, ‘‘ଆପଣଙ୍କ ଘରେ ଯେଉଁ ଆଇଟମ୍ ଗୁଡ଼ିକ ତୟାର ହୋଇଥିଲା, ସେ ଗୁଡିକ ବେଶ ରୁଚିକର ଏବଂ ସୁସ୍ୱାଦୁ ହୋଇଥିଲା । ମାତ୍ର ବହୁତ ପ୍ରକାର ବ୍ୟଞ୍ଜନ ତୟାର ହୋଇ ଥିବାରୁ, ପ୍ରତ୍ୟେକରୁ ଟିକିଏ ଟିକିଏ ଖାଉ ଖାଉ ପେଟ ପୁରିଗଲା । ଫଳତଃ, କୌଣସି ଗୋଟାକୁ ସନ୍ତୋଷ ସହିତ ଖାଇ ହେଲା ନାହିଁ । ଜଗି ରଖି ଖାଇବା ସତ୍ୱେ ଏତେ ଖାଇ ଦେଇଛି ଯେ ଚଳତ୍‌ଶକ୍ତି–ରହିତ ହୋଇ ଯାଇଛି ।’’ ତାଙ୍କର ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ ଦରକାର ହୁଏ ନାହିଁ । ମାତ୍ର ଆଜି ଦେଖି କହିଛନ୍ତି, ବିଶ୍ରାମ ନ କଲେ ନ ଚଳେ । ତାଙ୍କ ମତରେ, ନିଜର ଅବସ୍ଥା ଉପଯୋଗୀ ଖାଦ୍ୟ ପ୍ରସ୍ତୁତ କରି ହୃଦୟର ସହିତ ନିମନ୍ତ୍ରଣ କରିବା ଅପେକ୍ଷା, ଆଡ଼ମ୍ବରକୁ ଆଜିକାଲିକା ଯୁଗରେ ସ୍ଥାନ ଦେବା ତାମସିକ ପ୍ରବୃତ୍ତି ବଢୁଛି । ଯେଉଁ ଖର୍ଚ୍ଚରେ ସାଧାରଣତଃ ସାତଜଣ ସୁଖରେ ଖାଇ ପାରିବେ, ସେଇ ଖର୍ଚ୍ଚରେ ତିନି ଜଣଙ୍କ ପାଇଁ ଆଧାର ବନ୍ଦୋବସ୍ତ କଲେ, ନିମନ୍ତ୍ରିତ ବ୍ୟକ୍ତିଙ୍କ ପେଟ ଉପରେ ଅତ୍ୟାଚାର କରା ହୁଏ । ବିଶେଷ କରି ସେ ଆମିଷ ଭୋଜନର ପ୍ରିୟ ନୁହନ୍ତି । ପିଆଜ, ରସୁଣ ତାଙ୍କୁ ଭଲ ଲାଗେ ନାହିଁ । କାରଣ, ଏଭଳି ଖାଦ୍ୟ ୩ଟି ଦୋଷରେ ଦୂଷିତ ହୁଏ । ପ୍ରଥମତଃ, ଜାତି ଦୋଷ । ପିଆଜ ରସୁଣ ପ୍ରଭୃତି ପଦାର୍ଥ ଖାଇଲେ ଚିନ୍ତାର ଗତି ଅଶୁଦ୍ଧ ହୁଏ । ଦିତୀୟତଃ, ଆଶ୍ରୟ ଦାଷ । ଯେଉଁ ପଦାର୍ଥ ଯେଉଁ ପ୍ରକାର ବ୍ୟକ୍ତିଠାରୁ ଆସିଥାଏ ତା’ର ପ୍ରଭାବରେ ଖାଦ୍ୟ ପଦାର୍ଥ ସେଇ ପରିମାଣରେ ଦୂଷିତ ହାଇଥାଏ । ଥରେ ଜଣେ ରାଜା ତାଙ୍କ ଗୁରୁଙ୍କୁ ନିମନ୍ତ୍ରଣ କଲେ । ଗୁରୁ ଭୋଜନପରେ ବସାକୁ ଫେରିବା ବେଳେ ରାଜାଙ୍କର ଗୋଟିଏ ମୂଲ୍ୟବାନ ହାର ଅପହରଣ କଲେ । ଅନେକ ଖୋଜା ଲୋଡ଼ା ପରେ, ଜିନିଷଟି ନ ମିଳିବାରୁ ଚାକର ଚାକରାଣୀ ଅଯଥା ଦଣ୍ଡିତ ହେଲେ । ତହିଁ ଆର ଦିନ ରାଜଗୁରୁ ନିଜ ଚୋରି କରିଥିବା କଥା କହି ହାରଟି ଫେରେଇ ଦେଲେ । ସେ ସମୟରେ–ରାଜଗୁରୁ, ରାଜାଙ୍କୁ ଅନ୍ନ କଳୁଷିତ ଥିବା ନଥିବାର ଅନୁସଂଧାନ କରିବାକୁ ଅନୁରୋଧ କଲେ । ରାଜା ବୁଝିଲେ ଯେ, ଅନ୍ନ ଚୋରଠାରୁ ସଂଗୃହୀତ ହୋଇଥିଲା । ରାଜଗୁରୁ ରାଜାଙ୍କୁ ବୁଝାଇ ଦେଲେ, ‘‘ଯେପରି ଶାରୀରିକ ରୋଗର ଜୀବାଣୁ ଚାରିଆଡ଼େ ବିଚ୍ଛୁରିତ ହୋଇ ରୋଗ ବୃଦ୍ଧି କରନ୍ତି, ସେପରି ସୂକ୍ଷ୍ମ ମାନସିକ ପରମାଣୁ ଚାରିଆଡ଼େ ବିଚ୍ଛୁରିତ ହୋଇ ପ୍ରଭାବ ବିସ୍ତାର କରନ୍ତି । ଚୋରିର ପରମାଣୁ, ଚାଉଳରେ ଥିବାରୁ ତାଙ୍କର ସ୍ଵଭାବ କଳୁଷିତ ହେଲା ଏବଂ ଅତିସାରରେ ସେ ଖାଦ୍ୟ ଦେହରୁ ବହିର୍ଗତ ହେଲାରୁ ପୁଣି ଶୁଦ୍ଧ ସ୍ଵଭାବ ଫେରି ଆସିଲା । ଏହି ସବୁ କାରଣରୁ ଶାସ୍ତ୍ରରେ ରାଜାନ୍ନ ନିଷିଦ୍ଧ । ତେଣୁ ମୋ ବଂଧୁ ଆଜି ଅତିସାର ହେବା ଆଶଙ୍କା କରୁଥଲେ ।

 

ତୃତୀୟଟି, ନିମିତ୍ତ ବା ସଂସର୍ଗ ଦୋଷ । ଖାଦ୍ୟରେ ମାଛି ବସିଲେ ବା ବାଳ, ଧଳି ପ୍ରଭୃତି ଆସି ପଡ଼ିଲେ ତାହା ଅପବିତ୍ର ହୁଏ । କୌଣସି ବ୍ୟକ୍ତିର ରସଗୋଲା ଯେଡେ ପ୍ରିୟ ହେଉ ନା କାହିଁକି ପାଇଖାନା ଘରେ ପଶି ଦୁଇଟା ରସଗୋଲା ସେ ଖାଇ ପାରିବ ନାହିଁ । ଆଉ ଖାଇବାର ନିୟମ ହେଉଛି, ଖାଦ୍ୟକୁ ପାଣି କରି ପିଇବ ଏବଂ ପେୟକୁ ଖାଦ୍ୟବତ୍‌ଖାଇବ । ମାଂସ ପ୍ରଭୃତି ନ ଖାଇଲେ ଭଲ, ଯେହେତୁ ସେ ସବୁ ଗରିଷ୍ଠ ଖାଦ୍ୟ । ପୁଣ୍ୟ ବା ଧର୍ମ ଅଧର୍ମ ସଂବନ୍ଧରେ ପର୍ଶୁ ବାବୁ ସେତେ ବ୍ୟାକୁଳିତ ନୁହନ୍ତି ନିଜ ପେଟକୁ ତଥା ମନକୁ କଳୁଷିତ ନ କରିବା ପାଇଁ ସେ ଅହରହ ଜାଗ୍ରତ । ତାଙ୍କ ଯୁକ୍ତିର ନିରାମିଷାଶୀ ହେଲେ ଯଦି ଧର୍ମ ହୁଅନ୍ତା, ତା ହେଲେ ଜଙ୍ଗଲର ହରିଣ, ଠେକୁଆ ପ୍ରଭୃତି ଗୋଟିଏ ଗୋଟିଏ ପୁଣ୍ୟତ୍ମା ବୋଲି ଧରିବାକୁ ହେବ । ବେଶି ଗାଧୋଇଲେ ଯଦି ଲୋକମାନେ ଶୁଦ୍ଧ ହେଉଥାନ୍ତେ, ତା ହେଲେ ମାଛମାନେ ଆଗ ସ୍ୱର୍ଗକୁ ଯାଆନ୍ତେ, କାରଣ ସେମାନେ ଚବିଶ ଘଣ୍ଟା ଗାଧୋଇ ପାଧୋଇ ଶୁଚୀ ରହନ୍ତି । ସାଧାରଣତଃ ଖାଦ୍ୟର ମନ ଉପରେ ପ୍ରଭାବ ଅବଶ୍ୟ ପଡେ; ମାତ୍ର ସିଦ୍ଧ ସାଧକର ମନ ଉପରେ ଖାଦ୍ୟର ବିଶେଷ ପ୍ରଭାବ ପଡ଼େ ନାହିଁ-। ମୋ ବଂଧୁ ପୂରା ସଂସାରୀ । ତାଙ୍କର ଧାରଣା, ସଂସାର କରୁକରୁ ଉପଯୁକ୍ତ ସଂସାରୀ ହେବା ପାଇଁ ଚାରିଟା ବେଳକୁ ପୂଜାରୀ ମୋତେ ଜଳଖିଆ ଦେଇ ତା’ ପୋଥିର ଡୋର ଫିଟେଇଲେ । ‘‘ଆଜ୍ଞା, କଅଣ ସେ ଭଦ୍ରଲୋକ କହିଲେ କି ? କିଛି ତ ଖାଇଲେନି ?’’ ମୁଁ ତାକୁ ବୁଝାଇ ବସିଲି, ‘‘ହାତୀ ଜଙ୍ଗଲରେ ଗଛପତ୍ର ଖାଇ ବଳୁଆ, ସାପ ପବନ ଆହାର ଖାଇ ମୋଟା; ଯୋଗୀ ଋଷିମାନେ ଫଳମୂଳ ଖାଇ ଦୀର୍ଘାୟୁ । ତେଣୁ ଖାଇବାର ସାମଗ୍ରୀରେ କିଛି ଯାଏ ଆସେନି; ମନରେ ସବୁ । ତାଙ୍କ ଚେହେରାରୁ ଯିଏ’ ନା ସିଏ ଅନୁମାନ କରିବ ଯେ ସେ ଗୁଡ଼ିଏ ଗିଳନ୍ତି, ମାତ୍ର ନିଜ ଆଖିରେ ଦେଖିଲୁ ତ ‘ସେ କେତେ ଖାଇଲେ । ଜିନିଷ ପତ୍ର ସବୁ ସ୍ୱାଦୁ ହୋଇଥିଲା, ମାତ୍ର ତାଙ୍କର ମନଦୁଃଖ ଯେ ଆମର ଆନ୍ତରିକତା ଫୁଟି ପାରିଲା ନାହିଁ । ତୁ ଯଦି କାନିକା, ଡାଲି, ମାଛ, ଖଟା, ତରକାରୀ, ପାୟସ ପରିବର୍ତ୍ତେ ଅରୁଆ ଭାତ, ମୁଗ ନଡ଼ିଆ ଡାଲମା ଟିକେ କରିଥାନ୍ତୁ ସେ ଆହୁରି ସନ୍ତୋଷରେ ଖାଇଥାନ୍ତେ ବୋଲି କହୁଥିଲେ ।’’ ‘‘ଏ ଗୁରା ତ ଆଜ୍ଞା, ଆମ ଶାସନର ବିଧବା ବ୍ରାହ୍ମଣୀ ସବୁ କାର୍ତ୍ତିକରେ ଖାନ୍ତି । ସେଗୁରା କରିଥିଲେ, ମୁଁ ଭଲ ରାନ୍ଧି ଜାଣେ ବୋଲି ସେ ଜାଣିଥାନ୍ତି କିମିତିକା ?’’ ତାକୁ କଅଣ କହିଲେ ସେ ମୋ ଭାବ ବୁଝି ପାରିବ, ଜାଣି ନ ପାରି ମୁଁ କହିଲି, ‘‘ଯାହାକୁ ଯାହା ଭଲ ଲାଗେ ନା !’’ ସେ ଛାଡ଼ିବାର ନୁହେଁ; କହିଲା, ‘‘ଆପଣ ଯେମିତି ବରାଦ ଦେଲେ ନାଁ !’’ ମୋର ଭୁଲ ମୁଁ ବୁଝି ପାରି ତୂନୀ ପଡ଼ିଲି ।

 

–୯–

 

ଦିନେ ମୁଁ ସମୁଦ୍ରକୂଳ ଆଡ଼େ ବୁଲି ଯାଉଥାଏ । ସ୍ଵର୍ଗଦ୍ୱାର ବାଟ । ପୂର୍ବଦ୍ଵାର ପାର ହୋଇ ସମୁଦ୍ର କୂଳର ପକ୍‌କା ସଡ଼କ ଧରିଛି, ଦେଖିଲ କିଛି ଦୂର ଆଗରେ ଦୁଇଟି ଷଣ୍ଡ ଲଢ଼ାଇ କରୁଛନ୍ତି; ଗୋଟାଏ ବଡ଼ ଷଣ୍ଢ, ସାନଟାକୁ ପଛକୁ ଠେଲି ଠେଲି ଆଣୁଛି । ପ୍ରାୟ ପାଏ ବାଟ ପଛେଇଲେଣି । ଗୋଟାଏ ପାଞ୍ଚ ବର୍ଷର ଛୁଆକୁ ଷଣ୍ଢମାନେ ଚକଟି ପକେଇଥାନ୍ତେ; ମାତ୍ର, ହାତରୁ ଚିଲ ମାଛ ଝାମ୍ପି ନେଲା ପରି, ତା’ ମା’ ସଡ଼କରୁ ଷଣ୍ଡ ଆଗରୁ ଛୁଆକୁ ଏପରି ଝାମ୍ପି ନେଲା ଯେ, ସମସ୍ତଙ୍କ ଆଖି ଖୋସି ହୋଇଗଲା । ମା ବ୍ୟତୀତ ଅପର କେହି ଛୁଆ ପାଇଁ ଏତେ ସ୍ୱାର୍ଥତ୍ୟାଗ କରି ପାରେନି ବୋଲି ଆମେ ଦର୍ଶକମଣ୍ଡଳୀ, ତାଙ୍କୁ ମା’ ବୋଲି ଅନୁମାନ କରୁଥିଲୁ । ଷଣ୍ଢ ଦୁଇଟା ମୋତେ ଅତିକ୍ରମ କରି ଚାଲିଗଲେ । ମୁଁ ନିଜକୁ ଏଥର ନିରାପଦ ବିଚାରି ଆଗକୁ ପାଦ ବଢ଼େଇଲି-। ଆମେ ସାଧାରଣତଃ ଯେଉଁ ଜାଗାରେ ବସୁ, ସେଇ ଜାଗାରେ ମୋର ବନ୍ଧୁ ହୁଏତ ମୋତେ ଅପେକ୍ଷା କରିଥିବେ, ଏଇ ଆଶା ମୋର ଥାଏ । ସେ ମୋତେ ଦେଖିବା ଆଗରୁ ମୁଁ ତାଙ୍କୁ ନିରୀକ୍ଷଣ କରି ଅନୁଭବ କଲି, ଯେପରି ତାଙ୍କ ନୟନ ବାଷ୍ପାକୁଳ । ମୁଁ ପଚାରିଲି, ‘‘ନମସ୍କାର ଆଜ୍ଞା-! ଏପରି ଅସୁସ୍ଥ ଦିଶୁଛନ୍ତି କାହିଁକି ?’’

 

ରୁଦ୍ଧ ଆବେଗ ତାଙ୍କର ଅସମ୍ଭାଳ ହେଲା । ସେ କହିଲେ, ‘‘ମୋର ବୋଉ ମନେ ପଡ଼ି ଆଖି ଦି’ଟା ଆପେ ଆପେ ଓଦା ହୋଇ ଆସୁଛି । ମୁଁ ଛୁଆ ଥିଲା ଅବସ୍ଥାରେ ମା’କୁ ହରାଇଛି । ମାତ୍ର ମା’ର ମୂଲ୍ୟ ମୁଁ ଏବେ ସୁଦ୍ଧା ସଂପୂର୍ଣ୍ଣ ଓ ହୃଦୟଙ୍ଗମ କରି ପାରୁନି । ମୋରି ମା ପ୍ରଥମେ ଜ୍ଞାନଚକ୍ଷୁ ଫିଟାଇ ଥିଲେ । କାଲି ପରି ମୋର ମନେ ପଡ଼ି ଯାଉଛି । କଅଁଳ ବୟସରେ ମୁଁ ଅତ୍ୟନ୍ତ ରାଗୀ ଥିଲି, ଅହେତୁକ ରାଗୀ । ମୁଁ ଥରେ ଏପରି ଗୋଟିଏ ଦୁଷ୍କର୍ମ କରି ପକାଇଲି, ଯାହାର କୁଫଳ ମୋ ଜୀବନକୁ ବ୍ୟର୍ଥ ଏବଂ ହାହୁତାଶମୟ କରିପକାଉଥିଲା । ମାତ୍ର ଭଗବାନଙ୍କ ଅପାର କରୁଣା ବଳରେ ମୁଁ ସେଥିରୁ ଟିକେକେ ବର୍ତ୍ତିଗଲି । ନିଜର ଅପମାନ କହିବା ଉଚିତ ନୁହେଁ । ମାତ୍ର ଆପଣ ମୋର ଏତେ ପ୍ରିୟ ହୋଇ ଉଠିଛନ୍ତି ଯେ, ମୁଁ ନିଜ ଆପଣା ଭେଦ ଭୁଲି ଯାଇଛି । ଦୁଷ୍କର୍ମ କରିବାର କିଛି କ୍ଷଣ ପରେ ପ୍ରାଣରେ ଭୀଷଣ ଅନୁତାପ ଆସିଲା । ମୁଁ ତାର ଦୁର୍ବଳତାକୁ ଅନୁମୋଦନ କରି ମା’ର ସାହାଯ୍ୟ ଲୋଡିଲେ । ସେ ଭୋ ଡକା ପାରି କାନ୍ଦୁଥାଏ । ମା’ର ସେଦିନକାର ସହାନୁଭୂତି, ସେ ଦିନର କଅଁଳ କଥା, ସେ ମୁହଁ, ମୋ ଦୁଃଖରେ ତାର ସେଦିନ ଆଖିର ଚାହାଣୀ, ମୋର ଆଖି ଆଗରେ ନାଚି ଯାଉଛି । ମା’ର ଦୃଦୟ, ଛୁଆ କାହିଁ କଳନା କରି ପାରିବ ? ମା’ର ସେ ଦିନର କଥା କେଇଟି ମୋ ପ୍ରାଣରେ ଗଭୀର ରେଖାପାତ କରିଛି । ସେ ଦିନକାର ଘଟଣା ପରେ ମୋର ଆଉ ତାଙ୍କ ସଙ୍ଗେ ସାକ୍ଷାତ ହୋଇନାହିଁ । ହତଭାଗ୍ୟର ସୌଭାଗ୍ୟ—ଉଦୟ ସ୍ଵପ୍ନରେ ସିନା ସମ୍ଭବି ପାରେ । ମୁଁ କଥା କହିବାରେ ଦକ୍ଷ ନୁହେଁ । ତଥାପି ମା’ଙ୍କର କଥା କେଇ ପଦ ଛାତ—ରେ ଗାର ପରି ଲେଖି ହୋଇଯାଇଛି । ମା ସେଦିନ କହିଥିଲେ, ‘‘ତୁ ଭାବୁଛୁ ତୋପରି ରାଗୀ ସଂସାରରେ ଆଉ କେହି ନାହିଁ । ମାତ୍ର ତୁ ହୁଏତ ବିଶ୍ୱାସ କରିବୁ ନାହିଁ ଯେ ତୋ’ଠାରୁ ଶତଗୁଣରେ ପ୍ରଚଣ୍ଡ ରାଗୀ ଥିଲି ମୁଁ, ତୋ ବୟସରେ । ରାଗ ଦୃଷ୍ଟିରୁ ବିଚାର କଲେ, ତୁ ମୋର ଗୋଟିଏ ପ୍ରତିଛାୟା ମାତ୍ର । ତୁ ଆଜି ଯେପରି ହତଚକିତ, ମୁଁ ସେପରି ଅନେକ ପରସ୍ଥିତିରେ ପଡ଼ି ପଡ଼ି ରାଗକୁ ସାମାନ୍ୟ ପରିମାଣରେ ଆୟତ୍ତକୁ ଆଣିଛି । ତୁ ଭାବୁଛୁ, ମୁଁ ବିଲକୁଲ ରାଗେ ନାହିଁ । ମୁଁ ନ ରାଗିବାର କାରଣ, ମୁଁ ମୋ ପିଲାଙ୍କୁ ରାଗିବାକୁ ଚାହେଁ ନାହିଁ । ସେଥିପାଇଁ ତୋ’ ବାପା ମୋତେ ଗୋଟିଏ ଚାହା ଧରାଇ ଦେଇଛନ୍ତି । ସେ କେବେ ରାଗନ୍ତି ନାହିଁ, କେବେ ସନ୍ଦେହ କରନ୍ତି ନାହିଁ, କେଉଁଥିରେ ଅଭିଯୋଗ ବାଢ଼ନ୍ତି ନାହିଁ । ସେ ସବୁବେଳେ ଆଶାବାଦୀ ଏବଂ କର୍ମପ୍ରିୟ । ଖୁସି ମନରେ ଧୈର୍ଯ୍ୟର ସହିତ ସେ ଦୀର୍ଘକାଳ ଅପେକ୍ଷା କରି ପାରନ୍ତି । ତାଙ୍କ ଆଗରେ, ତାଙ୍କ ପରି ନ ହେବାହେତୁ ମୋତେ ଲାଜଲାଗେ । ସେ ମୋତେ ସାହାଯ୍ୟ କରନ୍ତି, ସାନ୍ତ୍ଵନା ଦିଅନ୍ତି । ପ୍ରତି ମା’ଙ୍କ ପରି ମୋ ପିଲାଙ୍କଠାରେ ମୁଁ ସଦ୍ ଗୁଣ ଖୋଜେ । ମୋର ପିଲାଙ୍କଠାରେ ମୁଁ ଯେଉଁ ଯେଉଁ ଗୁଣ ଦେଖିବାକୁ ଚାହେଁ, ବାପା ବିତାଇଥିବା ବାଟରେ ଗଲେ ସେ ଗୁଣ ସହଜରେ ଫୁଟିଉଠେ । ଛୁଆଙ୍କ ଆଗରେ ମା’ ହିଁ ମୂର୍ତ୍ତିମତି ଦୁର୍ଗା । ଆଉ ମୋ ନିଜ ସକାଶେ ଚେଷ୍ଟା କରିବା ଅପେକ୍ଷା ମୋ’ର ପିଲାମାନଙ୍କ ସକାଶେ ଚେଷ୍ଟା କରିବା ମୋତେ ସହଜ ବୋଧହୁଏ । ମୋଠାରୁ ପଦେ କଡା କଥା ଶୁଣିଲେ, ତୁମ ଆଖିର ଯେଉଁ ସୁଧ ଚାହାଣୀ, ତୁମ ମୁହଁର ଯେଉଁ ବିଷାଦ ଭଙ୍ଗୀ ତାହା ମୋତେ ନୀରବ ଭତ୍ସନା କରେ । ସେ ଭତ୍ସନା ଖାଲି ନୀରବ ନୁହେଁ, ବଡ଼ କଟୁ ଏବଂ ବଡ଼ ତିକ୍ତ । ମୁଁ ସହିପାରେ ନାହିଁ । ମୋ ଜୀବନରେ ମୋ’ ଛୁଆଙ୍କ ସ୍ନେହ, ମୋ ଛୁଆଙ୍କର ମୋ ପ୍ରତି ସମ୍ମାନ, ମୋ ଠାରେ ସେମାନଙ୍କ ବିଶ୍ୱାସ, ଭଗବାନଙ୍କ ରାଜ୍ୟରେ ମୋର ଏ ଏକମାତ୍ର କାମ୍ୟ ପୁରଷ୍କାର । ତୁ ବୁଝି ପାରବୁନି ବାପ, ଏଇ ପୁରସ୍କାର ପାଇବା ପାଇଁ, ମୋ ଛୁଆମାନେ ଯେଉଁ ଗୁଣରେ ଗୁଣବାନ ହେବାକୁ ମୁଁ ଆଶା କରେ, ସେଇ ଗୁଣାବଳୀରେ ପ୍ରଥମେ ମୋତେ ହିଁ ଗୁଣବତୀ ହେବାକୁ ପଡ଼ିବ । ଆଉ ଗୋଟିଏ କଥା ମନେ ରଖିବୁ, ପୁଅ ! ଆମର ଜଣେ ବନ୍ଧୁ ଅଛନ୍ତି । ତାଙ୍କର ସାହଚର୍ଯ୍ୟ, ଖୋଜିଲା ବେଳେ ମିଳେ । ଦୁଃଖମୟ ଜୀବନକୁ ଧରି ରଖିବାକୁ ହେଲେ, ପହିଲେ ସାନ୍ତ୍ଵନା ହିଁ ଲୋଡ଼ା ହୁଏ । ଅକାତରରେ ସେ ବନ୍ଧୁ ଆମକୁ ତାହା ଦିଅନ୍ତି । ତୋ’ ଜୀବନରେ ଦୁଃଖ ଦୈନ୍ୟର ଝଡ ଝଞ୍ଜା ଅଦ୍ୟାପି ଆରମ୍ଭ ହୋଇ ନାହିଁ । କିଏ କହିପାରେ ଯେ, ତୋ ଜୀବନରେ ପ୍ରବଳ ଝଡ ଝଞ୍ଜା ନ ବହିବ ? ମାତ୍ର ମୁଣ୍ଡଉପରେ ଓ ହୃଦୟ ଭିତରେ ତୋର ଯେଉଁ ପରମ ପିତା, ପରମ ବନ୍ଧୁ ଅଛନ୍ତି, ତାଙ୍କୁ ବିଶ୍ୱାସ କରି ପାରିଲେ, ତାଙ୍କ ଉପରେ ନିର୍ଭରଶୀଳ ହୋଇ ପାରିଲେ, ତୋ’ ପାଦରେ ଆଞ୍ଚ ପର୍ଯ୍ୟନ୍ତ ଲାଗିବ ନାହିଁ । ତୁ ତାଙ୍କୁ ଯେତେ ଯେତେ ଅଧିକ ବିଶ୍ୱାସ କରିବୁ, ଯେତେ ବେଶୀ ବେଶୀ ଭଲ ପାଇବୁ, ହୃଦୟର କେତେ ନିକଟରେ ତାଙ୍କୁ ପାଇ ପାରିବୁ । ମାନବର ସାହାଯ୍ୟ ଉପରେ ଆସ୍ଥା କାମ କରି, ତାଙ୍କ ଉପରେ ଆସ୍ଥା ରୋପି ପାରିଲେ, ସେ ପରଶ ଦେବାକୁ ତା’ର ନିକଟେଇ ଆସିବେ । ତାଙ୍କର ଯତ୍ନ, ତାଙ୍କର ପ୍ରେମ କେବେ କାହା ପ୍ରତି କୁଣ୍ଠିତ ନୁହେଁ, କେହି ତାକୁ ଅପହରଣ କରି ପାରିବେ ନାହିଁ । ତାଙ୍କ ପ୍ରେମ ସାରା ଜୀବନର ସୁଖ ସ୍ଵାଚ୍ଛନ୍ଦ୍ୟର ଚିହ୍ନ । ତାଙ୍କ ପ୍ରେମ ଭାଗ୍ୟବାନର ପ୍ରତୀକ । ପ୍ରାଣପଣେ ତାଙ୍କୁ ବିଶ୍ୱାସ କର । ତୋ’ର ଯାବତ ଅଭାବ ଅଭିଯୋଗ ଧରି ତାଙ୍କରି ଦ୍ୱାରସ୍ଥ ହୁଅ । ତୋ ମନର ସମସ୍ତ ଗ୍ଳାନି ଓ ଦୁର୍ବଳତା ତାଙ୍କରି ପାଦପଦ୍ମରେ ଅଜାଡି ଦେ, ଆହୁରି ଅସୀମ ଆନନ୍ଦ ପାଇବୁ । ମୋ ନିକଟରେ ଦୃଦୟ ଖୋଲି ପ୍ରାଣରେ ଯେଉଁ ଆନନ୍ଦ ଉପଲବ୍ଧି କରୁଛି, ସେ ଆନନ୍ଦ କାଣିଚାଏ ବୋଧ ହେବ । କାରଣ, ତାଙ୍କର ଅଭିପ୍ରେତରେ ଆଜି ମୁଁ ତୋର ମାଆ, ତାଙ୍କରି ଇଙ୍ଗିତରେ ମୁଁ ତତେ ବୁଝାଇ ସଚେତ କରି ଦେବାକୁ ଚେଷ୍ଟା କରୁଛି ମାତ୍ର’ ।’’

 

ହୃଦୟର ସମସ୍ତ ଉଚ୍ଛ୍ୱାସ ଘେନି ପର୍ଶୁବାବୁ ଯେ ସମସ୍ତ କହିଗଲେ, ତହିଁରେ ତାଙ୍କ ନିଜ, ଚରିତ୍ରର, ନିଜ ଭାବଧାରାର କେତେକ ଉପାଦାନ ଆପେ ଆପେ ପ୍ରକାଶ ପାଇଗଲା । ମୁଁ ହତବାକ୍‌ ହୋଇ ଶୁଣି ଯାଉଥିଲି । ମନେ ମନେ ଆଲୋଚନା କରୁଥାଏ, ଉପଯୁକ୍ତ ମାତାର ଉପଯୁକ୍ତ ପୁତ୍ର ହିଁ ପର୍ଶୁ ବାବୁ ଆମର । କେତେବେଳ ସରିକି ଆମେ ସେଦିନ ବସାକୁ ଫେରିଥିଲୁଁ ।

 

–୧୦–

 

ବନ୍ଧୁଙ୍କ ବସାକୁ ଇତ୍ୟବସରରେ ମୁଁ ଅନେକବାର ଯାତାୟତ କରିଛି । ସେ ପୁରୀରେ ଯେଉଁ ମଠରେ ଥାଆନ୍ତି, ସେଥିରେ ତାଙ୍କୁ ଗୋଟିଏ ଛୋଟ କୋଠରୀ ମିଳିଥାଏ । ସେ କୋଠରୀରେ ଖଣ୍ଡିଏ ତକ୍ତପୋଷ, ଆଲନାରେ ୪|୫ ଖଣ୍ଡ ଧୋତି, ୩ଖଣ୍ଡି ଜାମା, ଦୁଇ ଖଣ୍ଡି ଗାମୁଛା ପ୍ରାୟ ସବୁବେଳେ ସୁସଜ୍ଜିତ ହୋଇ ରହିଥାଏ । ବନ୍ଧୁଙ୍କର ଲୁଗା ପଟାରେ ଗୋଟିଏ ବିଶେଷତ୍ଵ ଥିଲାପରି ଜଣାପଡ଼େ । ପ୍ରତେକ ଧୋତିର ଧାଡ଼ି ଗୁଡ଼ିକ ଗୋଟିଏ ରଙ୍ଗର, ପୋଇଗୁଳିଆ ଲାଲ । ପ୍ରତ୍ୟେକ ଜାମାର ରଙ୍ଗ ମଧ୍ୟ ସଫେଦ, ମାର୍କିନ କନାର । ମୁଁ ତାଙ୍କର ଲୁଗା ପଟା ପ୍ରଭୃତିରେ ଏତେ ଅଭ୍ୟସ୍ତ ଯେ, ଗୋଛାଏ ଲୁଗାଗଦାରୁ, ତାଙ୍କର ଲୁଗାପଟା ଅନାୟାସରେ ଚିହ୍ନି ପାରିବି ବା ବାଛି ପାରିବି ।

 

ପୁରୀରେ ନୂଆ କରି ଗୋଟିଏ ସେଠ ଲୁଗା ଦୋକାନ ଖୋଲି ଥାଏ । ତା’ ଦୋକାନରେ ଅନେକ କିସମର ଲୁଗା ପ୍ରଚୁର ପରିମାଣରେ, ଉପଯୁକ୍ତ ଦରରେ ମିଳେ । କଲିକତା ମାନ୍ଦ୍ରାଜ ପ୍ରଭୃତିରୁ ପିଲାଙ୍କ ଛୋଟ ଗରମ କୋଟ୍‌, ମଫଲରୁ ପ୍ରଭୃତି ଆଣି ସୁବିଧା ଦରରେ ମଧ୍ୟବିତ୍ତ ପରିବାରଙ୍କୁ ଯୋଗାଯୋଗି କରେ । ସେ ସବୁର କାରବାର ଗୋଟିଏ ଅଲଗା କୋଠରୀରେ ହୁଏ । ପୁରୁଣା ଲୁଗାପଟା ବା ଅନ୍ୟାନ୍ୟ ପୋଷାକପତ୍ର ଭଲ ଅବସ୍ଥାରେ ଥିଲେ ମଧ୍ୟ, ସେ ଉଚିତ ଦାମ ଦେଇ ଖରିଦ କରିନିଏ ।

 

ଦିନକର କିଛି ଖରିଦ୍‌ କରିବା ଉଦ୍ଦେଶ୍ୟରେ ମୁଁ ସେ ଦୋକନରେ ବସିଛି, ଏହି ସମୟରେ ହଠାତ୍‌ ସେ ଦୋକାନକୁ ପର୍ଶୁ ଢୁକିଲେ । ସେ ମୋତେ ଦେଖି ଆଶ୍ଚର୍ଯ୍ୟ ହେଲେନି, ମାତ୍ର ଆନନ୍ଦିତ ହେଲେ । ମୁଁ ଏ ଘଟଣାର ଆଗରୁ ତାଙ୍କୁ ଦେଖା ପାଇ ନ ଥାଏ । ମୁଁ ଆନନ୍ଦରେ ଅଧୀର ହୋଇ ପଚାରି ପକାଇଲି, ଅପୂର୍ବ କିମିତି ହଠାତ୍‌ ଆକାଶରୁ ଗଳି ପଡ଼ିଲା ?’’ ସେ ମୃଦୁହସି ମୋତେ କହିଲେ, ‘‘ଆପଣ ଦୃଢ଼ ବିଶ୍ୱାସ କରିବେନି, ମାତ୍ର ମୁଁ ଠିକ୍‌ ଆପଣଙ୍କୁ ହିଁ ମନେ ମନେ ଖୋଜୁଥିଲି । ଆଉ ଖବର କଅଣ ? ଭଲ ଅଛନ୍ତି ତ । ସେ ଯେ ଏଡ଼େ ସହଜ ଭାବରେ ପୂର୍ଣ୍ଣ ଆନ୍ତରିକତାର ସହିତ ଏପରି ପ୍ରଶ୍ନ ପଚାରିପାରନ୍ତି, ତହିଁରେ ମୁଁ ଟିକିଏ ବିସ୍ମିତ ହେଲି । ସେ ତାଙ୍କ କୁହା କେଇ ପଦରେ ଅନ୍ତରର ଯାବତୀୟ ସ୍ନେହ ଅନୁରାଗ ଢ଼ାଳି ଦେଇଥିଲେ । ସାବୁନରେ ରଙ୍ଗ ରହିଲା ପରି, ତାଙ୍କ କଥାରେ ମାଧୁର୍ଯ୍ୟ ଜଡ଼ି ରହିଥାଏ । ମୁଁ ତାଙ୍କ ହାତକୁ ଧରି ନିଜର ଗୋଟାଏ ଲିପ୍‌ସା ଚରିତାର୍ଥ କରିବାରେ ଵ୍ୟାପୃତ ଥାଏ । ତାଙ୍କ କଥାରୁ ବୁଝିଲି ଯେ, ସେ କାଲି ଗାଡ଼ିରୁ ଫେରୁ ଫେରୁ ତାଙ୍କର ଦୁଇଖଣ୍ଡି ଧୋତି ଚୋରି ହୋଇଗଲା । ସେଥିପାଇଁ ଖଣ୍ଡେ ଅଧେ ଧୋତି କିଣିବାକୁ ସେ ଦୋକାନରେ ଢୁକିଛନ୍ତି । ମୁଁ ତାଙ୍କୁ କହିଲି, ‘‘ଭିଡ଼ ଜମିଛି, ଆସନ୍ତୁ ସେକେଣ୍ଡ ହାଣ୍ଡ କାଉଣ୍ଟରରେ ଟିକିଏ ଅପେକ୍ଷା କରିବା । ଭିଡ କମିଲେ ପୋଇଗୁଳିଆ ରଙ୍ଗର ଧଡ଼ିଥିବା ଧୋତି ଖୋଜିବା । ଆପଣ ହୁଏତ ଅନ୍ୟ ଧୋତି ପସନ୍ଦ କରିବେନି ।’’ ସେ ନୀରବରେ ମା’ ସଙ୍ଗେ ଗଲେ । ସେକେଣ୍ଡ ହାଣ୍ଡ କାଉଣ୍ଟରରେ ଗୋଟିଏ ବେଞ୍ଚରେ ବସୁ ବସୁ ସେ କହିଲେ, ‘‘ସେକେଣ୍ଡ ହାଣ୍ଡ ଧୋତି କିଣନ୍ତି ଯେ ମାତ୍ର ରୁଚି ଯାଉନି, କିଏ ବ୍ୟବହାର କରି ନିତାନ୍ତ ଦୈନ୍ୟରେ ପଡ଼ି ବିକିଥିବା ଜିନିଷ ମୋତେ ଭଲ ଲାଗିବନି । ମାତ୍ର ଆର୍ଥିକ ଅବସ୍ଥା ଦୃଷ୍ଟିରୁ କିଣି ଯୋଗାଏ ।’’ ମୁଁ କହିଲି, ‘‘ନାହିଁ, ସେକେଣ୍ଡହାଣ୍ଡ, ଧୋତି କିଣିବାକୁ ମୁଁ ଡାକୁନି ଯେ ଅନ୍ତର୍ଦ୍ଧାନର କୈଫିୟତ ତଲବ୍‌କରିବାକୁ ଡ଼ାକିଲି-।’’

 

ଆମର ଏହି କଥୋପକଥନ, ମାନ ଅଭିମାନ ଚାଲିଥିବା ବେଳେ, ଗୋଟିଏ ଦରିଦ୍ର ସେ ଦୋକାନକୁ ଉଠି ଆସିଲା । ତା’ର ଚେହେରାରୁ ସେ ଦରିଦ୍ର ବୋଲି ଜଣା ପଡୁଥିଲା । କଳା ରଙ୍ଗରୁ, ଡେଙ୍ଗା ଦେହ, ଅପରଛନିଆ ନିଶ ଦାଢି କୋରଡ ଆଖି ଭିତରୁ ତାର ସେ ଯେଉଁ କରୁଣ ଚାହାଣୀ, ଆଖିରେ ପଡ଼ିଲେ ସହାନୁଭୂତି ଆସେ । ତା’ର କାଖରେ ଗୋଟିଏ ପୁଟୁଳା । ସେ ସେକେଣ୍ଡ ହାଣ୍ଡ କାଉଣ୍ଟରରେ ଉଠିଥିଲା । ଆମର ନଜର ତା ଉପରେ ପଡ଼ିବା ସ୍ଵାଭାବିକ । କାରଣ, ଗହଳ ସେଠି ସେତେ ନ ଥାଏ । ସେ ଲୋକଟି ଅତ୍ୟନ୍ତ କୁନ୍ଥୁ କୁନ୍ଥୁ ହୋଇ କାଖରୁ ପୁଟୁଳାଟି ବାହାର କରି ଫିଟାଇଲା ଏବଂ କହିଲା, ଏ ଦୁଇଟି ବିକ୍ରୀ କରିବି, ଦେଖନ୍ତୁ । ସେଠିକାର ବିକ୍ରେତା ସେ ଧୋତି ଦୁଇଖଣ୍ଡ ଧରି ଏପଟ ସେପଟ କରି ଦେଖୁ କହିଲା କିରେ, ଚୋରିମାଲ କିରେ ? ତୁ କିଆଁ ଚଙ୍ଗ ଚଙ୍ଗ ହେଉଛୁ ?’’ ଲୋକଟି ‘ନାହିଁବାବୁ’ କହି ନିରବରେ ଠିଆ ହୋଇଥାଏ । ତାଙ୍କର ଏ କଥାବାର୍ତ୍ତାରେ ଆମର ଦୃଷ୍ଟି ସିଆଡ଼କୁ ଟାଣି ହେଲା । ମୋର ନିଜର ଧୋତି ଉପରେ ପଡ଼ିଲା ମାତ୍ରେ ମୁଁ ସ୍ଥିର ନିଶ୍ଚୟ–କରି ଜାଣି ପାରିଲ ଯେ, ଧୋତି ଦୁଇଟି ପର୍ଶୁ ବାବୁଙ୍କ ବ୍ୟତୀତ ଆଉ କାହାର ନୁହେଁ । ମୁଁ ଚିତ୍କାର କରି ଉଠିଥିଲି, ମାତ୍ର ହଠାତ୍‌ପର୍ଶୁ ବାବୁ ମୋ’ ପାଟିରେ ତାଙ୍କ ବାଁ ହାତ ଟା ମାଡି ଦେଇ କାଉଣ୍ଟର୍‌ପାଖରେ ଉଠିଗଲେ । ମୁଁ ଚୁପ୍ ରହିବାକୁ ଉଚିତ୍‌ମନେ କଲି, ମାତ୍ର’ ନୀରବରେ ତାଙ୍କ ସଙ୍ଗେ ସଙ୍ଗେ ଯାଇ କାଉଣ୍ଟର୍‌ପାଖରେ ପହଞ୍ଚିଲି । ସେତେବେଳକୁ ବିକ୍ରେତା କହୁଥାଏ, ‘‘ତୋ’ ମାଲର ପ୍ରମାଣ ଦେ, ସତ କହ, ନ ହେଲେ ସିଧା ସିଧା ଥାନାକୁ ପଠାଇ ଦେବି ।’’ ଆମ ଦୁଇ ଜଣଙ୍କୁ ଦେଖି କ୍ରେତା ବିକ୍ରେତା ଦିହେଁ ଟିକେ ସଂକୁଚିତ ହୋଇ ଆସିଲେଣି । ପର୍ଶୁ ବାବୁ କହିଲେ, ‘‘ହଇଓ ମାଲିକେ, ଲୁଗା ଦୁଇଟାର ଅବସ୍ଥା ଭଲ ଦେଖିବତ ରଖିବ, ନ ହେଲେ ଫେରେଇ ଦେବ । ଆଉ ପସରା ମେଲି ତାଙ୍କୁ ଥାନାକୁ ପଠାଇଦେବାକୁ କିଆଁ ଧମକଉଛ ! ତାଙ୍କୁ ଏତିକି କହି ସେ ଲୋକଟିକୁ କହିଲେ, ‘‘ହଇରେ ରାଧୁ, ଆରେ ପଇସା ନ ଥିଲା ତ ମୋତେ କହିଲୁନି, ପୁଅର ଧୋତି ଦୁଇଟା ବିକିବାକୁ ଘେନି ଆସିଲୁ । ତିନିମାସ ତଳେ କିଣିଥିଲା ପରା ?’’ ଲୋକଟି କାବା କାବା ହୋଇ ଚାହୁଁ ଥାଏ । ତା ମୁହଁଟି କିନ୍ତୁ ଉଜ୍ଵଳ ଦିଶୁଥାଏ । ଦୋକାନୀ ଯାହା ଶୁଣିଲା, ସେଥିରୁ ଅଧିକା ପ୍ରମାଣ ତା’ର ଆଉ ଲୋଡ଼ା ପଡ଼ିଲାନି । ସେ ଧୋତି ଦୁଇଟା ରଖି ୪ ସେ ଲୋକକୁ ଦେଲା-। ଟଙ୍କା ହାତରେ ପଡ଼ିବାରୁ ରାଧୁ ଏକମୁହାଁ ହୋଇ ଚମ୍ପଟ ।

 

ମୁଁ ସେତେବେଳକୁ ବଡ଼ ଅପ୍ରତିଭ ହୋଇ ପଡ଼ିଲିଣି । ବନ୍ଧୁ ମୋ’ ପକ୍ଷ ନ ନେଇ ମୋ ଆତ୍ମମର୍ଯ୍ୟାଦାକୁ ଯେ ପ୍ରବଳ ଆଘାତ କରିବେ, ତାହା ମୋର ଅସହ୍ୟ ହେଲା । ମୁଁ କାନ୍ଦ କାନ୍ଦ ହୋଇ ଗଲିଣି । ମୋ ଆଖିରୁ ପର୍ଶୁ ବାବୁ ନିଶ୍ଚୟ ଠଉରାଇଥିବେ ଯେ, ମୋତେ କେହି ନିଆଁ ରେ ପକାଇଲେ ମଧ୍ୟ ବନ୍ଧୁଙ୍କର ଧୋତି ବୋଲି ମୁଁ ନିଆରେ ପଶି ସାକ୍ଷୀ ଦେବି । ମୋର ଭାବ ପରିବର୍ତ୍ତନ ଲକ୍ଷ କର, ବନ୍ଧୁ କହିଲେ, ‘‘ଆସନ୍ତୁ ଆଜି ବୁଲିଯିବା, କାଲି ଆଡକୁ ଧୋତି କିଣିବା ।’’ ଏହା କହି ସେ ଆଗେଇଲେ । ମୁଁ ତାଙ୍କ ପଛେ ପଛେ ଯାଉଥାଏ ।

 

ଥୋଡ଼ାଏ ଦୂର ଆଗେଇ ଯିବାରେ ସେ ମୋତେ କହିଲେ, ‘‘ଦେଖନ୍ତୁ ରଥବାବୁ, ଲୋକଟା କେଡେ ଗରିବ ?’’ ମୁଁ ପଚାରିଲି, ‘‘ଆପଣ ତାକୁ କିପରି ଚାହିଁଲେ ?’’ ସେ କହିଲେ, ‘‘ସେ ମଣିଷ, ମୁଁ ମଣିଷ ହୋଇ ଚିହ୍ନି ପାରିବିନି ?’’ ମୁଁ ପଚାରିଲି, ‘‘ଆଚ୍ଛା ତା ନାଁ କିମିତି ଜାଣିଲେ-?’’ ସେ କହିଲେ, ନାଁରେ କଅଣ ଯାଏଆସେ । ତାର ନାଁ ମୁଁ ଜାଣିନାହିଁ, ମାତ୍ର ମୁଁ ତାର ଯେଉଁ ନାମକରଣ କଲି ତହିଁରେ ସେ ଆପତ୍ତି ଉଠାଇଲା ନାହିଁ । ତାହା ହିଁ ମୋର ଭାଗ୍ୟ ।’’

 

ମୁଁ ହତବାକ୍‌ । ନୀର୍ଜବଭାବେ ବଂଧୁଙ୍କ ସହିତ ପଥ ବାହି ଚାଲୁଥାଏ । ବଂଧୁଙ୍କ ଚରିତ୍ରର ଏ ଯେଉଁ ନୁଆ ପରିଚୟ ତାହା ମୋ ମନକୁ ସମ୍ପୂର୍ଣ୍ଣ ଆବୋରି ବସିଲା । ପନଶ୍ଚ ମନେ ମନେ ଗର୍ବ ଅନୁଭବ କଲି ଯେ, ଏପରି ଉଦାର ବ୍ୟକ୍ତିଙ୍କର ମୋ ପାଇଁ ମଧ୍ୟ ହୃଦୟରେ ସ୍ଥାନ ଟିକିଏ ଅଛି । ମାତ୍ର ସେ ସ୍ଥାନଟିକ ମୁଁ ମୋ ଯୋଗ୍ୟତାବଳରେ ଅର୍ଜ୍ଜନ କରି ପାରିଛି, ନାଁ ସେ ଦୟାପରବଶ ହୋଇ ଦାନ କରିଛନ୍ତି ? ଆଲୋଚନା କରୁ କରୁ ମୁଁ ଅଭିଭୂତ ହୋଇ ପଡ଼ିଲି । ମୋର ଇଚ୍ଛା ହେଲା, ବଂଧୁଙ୍କୁ ମୁଁ ଗିଳି ପକାଇ ହେଲେ, ବଂଧୁଙ୍କର ସଦ୍‌ଗୁଣଯାକ ମୋର କରିପାରନ୍ତି କି ! ହୃଦୟର ଖୁବ୍‌ନିକଟରେ ମୁଁ ସେଦିନ ପାଇଥିଲି ତାଙ୍କୁ ।

 

–୧୧–

 

ସାଦିନ ଦୀପାବଳି ଅମାବାସ୍ୟା । ଆକାଶ ଘନ ମେଘାଚ୍ଛନ୍ନ । ସଂଧ୍ୟା ୭ଟା ସରିକି ହେବ-। ଅନ୍ଧାର ଯେ, ମୁହଁକୁ ମୁହଁ ଦିଶୁ ନାହିଁ । ଦେହରେ ସମୁଦ୍ରକୂଳର ଥଣ୍ଡା ବାୟୁ ବାଜିଲେ ଦେହ ଶୀତେଇ ଉଠୁଥାଏ । ବତୀଖୁଣ୍ଟର ଆଲୋକ ଆଜି ସବୁଦିନିଆ ପରି ନିଷ୍ପ୍ରଭ ଦିଶୁ ନ ଥାଏ । ବତୀ-ଆଲୋକ ପରସ୍ପରର ଅଳ୍ପ କିଛି ଦୂରରେ, ଅନ୍ଧକାରଗୁଡ଼ା ମୂର୍ତ୍ତି ଭଳି ଠିଆ ହୋଇ, ଯେପରି ଦାନ୍ତ କଡ଼ ମଡ଼ କରୁଛି । କାହିଁକି ଆଲୋକ-ସ୍ତମ୍ଭଟା ସେଠି ରହିଲା, ଏଇ ଭାବନାରେ ସେ ଯେପରି ଈର୍ଷାନ୍ୱିତ । ବତୀଖୁଣ୍ଟ ନ ଥିଲେ ଯେଉଁ ଅନ୍ଧକାର ସେ ସ୍ଥାନ ଅଧିକାର କରିଥାନ୍ତା, ସେଇ ଅନ୍ଧକାର ନିଶ୍ଚୟ ଅଳ୍ପ ଦୂରରେ ପ୍ରତି ମୁହୂର୍ତ୍ତରେ ବତୀଖୁଣ୍ଟର ଅପସାରଣ ପ୍ରତୀକ୍ଷାରେ ଠିଆ ହୋଇ ରହିଛି-

 

ବତୀଖୁଣ୍ଟ ତଳେ ଜଣେ ବ୍ୟକ୍ତି ସ୍ଥାଣୁ ଭଳି ବସି ରହିଛନ୍ତି । ଦୁଇଧାର ଅଶ୍ରୁ ତାଙ୍କ ଗଣ୍ଡଦେଶକୁ ଅବାରିତ ଭାବେ ପ୍ଳାବିତ କରୁଛି । ତାଙ୍କ ଦୃଷ୍ଟି ଗାଢ ଅନ୍ଧକାର ମଧ୍ୟରେ କାହାର ମୁଖଦର୍ଶନ ପାଇଁ ବ୍ୟାକୁଳିତ ହେଲା ପରି ବୋଧ ହେଉଛି । ଜଗତ ଯେତେବେଳେ ଆନନ୍ଦରେ ବ୍ୟାପୃତ, ସେତେବେଳେ ଏହି ବ୍ୟକ୍ତି ଆଉ କିଏ ହୋଇ ପାରନ୍ତି ? ଚାରି ପାଖରେ ବାଲିଗୁଡାକ ଆଲୁଅରେ ପାଖରୁ ଦେଖିଲେ ନାଲି ଆଖି କରି ଚିକ୍‌ଚିକ୍‌ ଦିଶୁଛନ୍ତି । ତାଙ୍କ ସଫା ଲୁଗା ପଟାରେ ଆଲୋକର ରଙ୍ଗିନ୍‌ଆଭା, ମଳିନ ଅଥଚ ପରିସ୍ପୁଟ । ସେ ନିର୍ନିମେଷନୟନ ।

 

ତାଙ୍କର ଅତି ନିକଟରେ ଉପସ୍ଥିତ ହୋଇ ପର୍ଶୁବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା । ମାତ୍ର ତାଙ୍କ ଗଣ୍ଡ ଦେଶରୁ ଆଜି ବାରିଧାରା ବହୁଥିବାର କାରଣ ନ ଜାଣି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲି । ବିଶେଷ କରି ଆଜି ପରା ଦିନରେ ସାରା ଜଗତ ଯେତେ–ବେଳେ ଆନନ୍ଦସାଗରରେ ନିମଜ୍ଜିତ, ସେତେବେଳେ ପର୍ଶୁବାବୁ ବ୍ୟଥିତ ଅନ୍ତରରେ ସୂଚୀଭେଦ୍ୟ ଅନ୍ଧକାରରେ କାହା ପ୍ରତୀକ୍ଷାରେ ? ମୁଁ କିଛି ସ୍ଥିର କରି ପାରିଲି ନାହିଁ । କିଛି ନ ବିଚାରି ମୁଁ ପଚାରି ଦେଲି, ‘‘ଏଠି କଅଣ ଆଜ୍ଞା, ପିତୃତର୍ପଣ କରୁଛନ୍ତି କି ? ନମସ୍କାର ।’’ ସେ ମୋ ପ୍ରଶ୍ନରେ ଟିକିଏ ଅଧିକ ବ୍ୟଥିତ ହେବାର ଅନୁମାନ କଲି । ତା ପରେ କିଛିକ୍ଷଣ ଉଭୟେ ନୀରବ । ମୁଁ ମୋର ଭୁଲ୍‍ ସକାଶେ ପଶ୍ଚାତ୍ତାପ କରୁ କରୁ କି ପ୍ରସ୍ତାବ ପାଡ଼ିବି, ତାହାହିଁ ଭାବୁଥାଏ । ସେ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ, ‘‘ଈଶ୍ୱରଙ୍କ ଦୟାରୁ ଆପଣ ଭବିଷ୍ୟତ୍‌ଦର୍ଶୀ ବୋଲି ମୁଁ ଜାଣି ନ ଥିଲି । । ବାସ୍ତବିକ୍‌, ମୁଁ ବସି ବସି ପିତୃତର୍ପଣ କରୁଥିଲି । ବିଦେଶରେ ଅଶ୍ରୁ ବ୍ୟତିତ ମୋର ଆଉ କି ସଂବଳ ଅଛି ? ତାହାହିଁ ଦେଇ ପିତୃତର୍ପଣ କରିବାକୁ ଉଚିତ୍‌ମନେ କରୁଛି । ମୋ ପିତାଙ୍କ ସ୍ମୃତି ପୁନଃ ପୁନଃ ମାନସପଟରେ ଜାଗରୂକ ହେଉଛି । ସେ ମୋର କେବଳ ପିତା ନ ଥିଲେ, ଗୁରୁ ଥିଲେ ମଧ୍ୟ । ତାଙ୍କ ଜୀବନ ଜଗତ ଦୃଷ୍ଟିରୁ ଯେତେ ନିଷ୍ଫଳ ହେଲେହେଁ ମୁଁ ତାଙ୍କ ଜୀନନକୁ ଆଦର୍ଶ କରି ଗ୍ରହଣ କରିଛି । ସେ ମୋତେ ଅତ୍ୟନ୍ତ ସ୍ନେହ କରୁଥିଲେ । ମୁଁ ତାଙ୍କର ଜୀବନୀ ମୋ ଜୀବନରେ ଉତ୍ତାରି ପାରିଲେ ତାଙ୍କର ଉପଯୁକ୍ତ ଶିଷ୍ୟ ହେବି ସିନା ।’’ ମୁଁ ନୀରବରେ ଶୁଣୁଥାଏ । ସେ ଗପି ଯାଉଛନ୍ତି, ଆଜି କେଉଁ ଅଜଣା ସଇତାନର ବଶବର୍ତ୍ତୀ ହୋଇ ।

 

‘‘ଜୀବନରେ ମୋର ଅନ୍ୟ କିଛି ମନେ ଆସିବା ପୂର୍ବରୁ ସ୍ୱର୍ଗତ ପିତା ହିଁ ମୋର ମନେ ପଡ଼ନ୍ତି ସର୍ବାଗ୍ରେ । ନିଃସ୍ୱ ଦରିଦ୍ର ଜୀବନରେ ଆମ୍ଭମାନଙ୍କୁ ଯୋଗ୍ୟ କରି ପାରିଲେ ନାହିଁ ବୋଲି ସେ ସେତେ ବ୍ୟାକୁଳିତ ଥାନ୍ତି । ଆବର୍ତ୍ତନୀୟ ସ୍ୱୀକାର କରି ଆମର ଶିକ୍ଷାର ଭାର ସେ ନିଜେ ହିଁ ଗ୍ରହଣ କରନ୍ତି । କାଲି ପରି ମନେ ଅଛି, ସେ ପ୍ରଥମ ଦିନ ଶିକ୍ଷାରେ କହିଥିଲେ, ‘ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗୋଟିଏ କାରଖାନା ଦେବି । ତୁମେ ଆଜିଠାରୁ ତାର ପରିଚାଳକ, ମାଲିକ, ଚୌକିଦାର, ମୂଲିଆ ସବୁ କିଛି । ତୁମେ ଇଚ୍ଛା ନ କଲେ ସେ କାରଖାନା ଚାଲୁ ହୋଇ ପାରିବ ନାହିଁ । ସେ କାରଖାନାରେ ତୁମେ ହିଁ ସର୍ବେସର୍ବା । ତୁମ ଇଚ୍ଛା ବରୁଦ୍ଧରେ କୌଣସି ପ୍ରକାରର କିଛି ପଦାର୍ଥ ତୟାର କରିବାର ଶକ୍ତି ଜଗତରେ କାହାର ନାହିଁ । ଆଉ ସେଇ କାରଖାନାଟିମାନ ତୁମେ ଦେଖି ପାରିଲଣି ? ’

 

‘‘ଆମେ ସେଦିନ ହତଚକିତ୍‌ ହୋଇ ବାବାଙ୍କ ମୁହଁକୁ ଚାହିଁ ରହିଥାଉଁ । ବାପା ଯେ ଆମକୁ ଗୋଟିଏ ଗୋଟିଏ କାରଖାନାର ମାଲିକ କରିଦେବେ, ଏ ଧାରଣା ପ୍ରାଣରେ ଅପାର ଆନନ୍ଦର ସୃଷ୍ଟି କରୁଥିଲା । ସେ ଯେତେବେଳେ ଦେଖିପାରିବା କଥା ପଚାରିଲେ, ଆମେ ବୋକାଙ୍କ ଭଳି ତାଙ୍କ ମୁହଁକୁ ଚାହିଁ ରହିବା ବ୍ୟତୀତ ଗତ୍ୟନ୍ତର ନ ଥିଲା ।

 

‘‘ଦେଖି ପାରୁନ କିରେ ପିଲେ ? କାରଖାନାଟି ହେଉଛି ତୁମର ହୃଦୟ ଆଉ ମନ । ମୋର ଆଶା, ତୁମେ ସେଥିରେ ଜଙ୍କ ଲଗାଇ ଦେବନି । କେତେବେଳେ କେମିତି ଭୟ, ବ୍ୟଗ୍ରତା, ଅଧୈର୍ଯ୍ୟ, ରାଗ, ଦ୍ୱେଷ, ଅହଙ୍କାର, ସନ୍ଦେହ ତୟାର କରିବାକୁ ଇଚ୍ଛା ହେବ, ମାତ୍ର ମନେ ରଖିବ, ସେ ସବୁ ତୟାର କରି ଜଗତରେ କେହି କେବେ ସୁଖୀ ହୋଇ ପାରିନି । ସେପରି ପଦାର୍ଥ କୌଣସି ଯୁଗରେ କୌଣସି କାଳରେ ଲୋକଚକ୍ଷୁରେ ଆଦରଣୀୟ ହୋଇ ପାରେନାହିଁ । ’

 

ଆମେ ସୁସ୍ପଷ୍ଟ ବୁଝି ପାରୁ ନ ଥାଉଁ, ମାତ୍ର ତାଙ୍କର କହିବା ଭଙ୍ଗୀ ମୋତେ ଅତି ଭଲ ଲାଗୁଥାଏ । ମୁଁ ଏକମନା ହୋଇ ଶୁଣୁ ଥାଏ ।

 

Unknown

‘‘ତାପରେ କାରଖାନାରେ କଅଣ କଅଣ କରିବା ଉଚିତ୍‌ତାର ଗୋଟିଏ ତାଲିକା ଦେଇଥିଲେ । ପ୍ରେମ, ସାହାସ, ଶାନ୍ତି, ଧୈର୍ଯ୍ୟ, ସହନଶୀଳତା, ସନ୍ତୋଷ, କାର୍ଯ୍ୟତତ୍ପରତା, ଦୟା, ଦାକ୍ଷିଣ୍ୟ, ବନ୍ଧୁତା, ସାରଲ୍ୟ, ମୈତ୍ରୀ, ସତ୍ୟ, ଉଦାରତା, ନ୍ୟାୟ ଇତ୍ୟାଦି କେତେ କଅଣ କହିଥିଲେ-। ସବୁଟା ମନେ ନାହିଁ । ପ୍ରତ୍ୟେକକୁ ବିଷୟବସ୍ତୁର ସାରାଂଶ କରି । ସେ ପ୍ରତିଦିନ ଗୋଟିଏ ଗୋଟିଏ ସଜୀବ ଗଳ୍ପ କହନ୍ତି । ଖାଲି କହିଗଲେ ଆମେ ହୁଏତ ସହଜରେ ବିସ୍ମୃତ ହୋଇଯିବୁ, ଏଇ ଆଶଙ୍କା କରି, ସେ ଯେଉଁ ଉଦାହରଣ ଦିଅନ୍ତି, ସେହି ପ୍ରକାର ନିଜେ ଆଚରଣ ମଧ୍ୟ କରନ୍ତି । ଆମକୁ ଅବିରତ ସହାନୁଭୂତି ସହକାରେ ଆମ କର୍ତ୍ତବ୍ୟରେ ସଚେତ କରାଇ ସଜାଗ ରଖାନ୍ତି । ଯେଉଁ ସବୁ ଗୁଣାବଳୀର ତାଲିକା ସେ ଦେଲେ, ତହିଁରୁ ଗୋଟିକର ଅଭାବରେ ଜୀବନ ତୁଚ୍ଛ, ଅକାମ୍ୟ ହୋଇପଡ଼େ । ଏଇ ଧାରଣା ଆମର ଦୃଢୀଭୂତ କରିବା ନିମନ୍ତେ ସେ ପ୍ରାଣାନ୍ତକ ଚେଷ୍ଟା କରନ୍ତି ।’’

 

ଏହା କହୁ କହୁ ପର୍ଶୁବାବୁ କାନ୍ଦି ଉଠିଲେ । ତାଙ୍କର ସେ ଅବସ୍ଥା ମୋର ଅସହ୍ୟ ହୋଇ ଉଠିଲା । ଶିଶୁପରି ଭୋ ଭୋ ଡକା ପାରିବାରୁ ମୁଁ ତାଙ୍କ ହାତ ଧରି ଉଠାଇ ଦେଲି । ‘‘ଚାଲନ୍ତୁଳ ଆଉ ଦିନେ କହିବେ, ଆଜି ଏତିକିରେ ଥାଉ’’ କହି ମୁଁ ତାଙ୍କ ହାତ ଧରି ଚାଲିବାକୁ ଆରମ୍ଭ କଲି । ସେ ଲୁଗା କାନିରେ ମୁହଁ ପୋଛି ଆସ୍ତେ ଆସ୍ତେ ଚାଲିବାକୁ ଆରମ୍ଭ କଲେ । ରାସ୍ତାରେ ଆମେ ଦିହେଁ ନୀରବ । ବାଟତକ ଅନେକ ଦୂର ରାସ୍ତା ପରି ସେଦିନ ଜଣା ପଡ଼ିଥିଲା ।

 

–୧୨–

 

ଏହି ଘଟଣାର ପରେ ପରେ ବଂଧୁଙ୍କ ସଙ୍ଗେ ଅନେକବାର ଦେଖା ହୋଇଛି । ମୁଁ ଅବସର କ୍ରମେ ତାଙ୍କର ଶିକ୍ଷା ପ୍ରସଙ୍ଗ କଥା ଉଠାଏ । କାରଣ, ତାଙ୍କ କଥା ଶୁଣି ମୋର ଇଚ୍ଛା ହୁଏ, ମୁଁ ଗଳ୍ପାନୁସାରେ ନିଜର ଚରିତ୍ର ଗଠନ କରି ପାରନ୍ତି କି ! ତାଙ୍କ ଗପରେ କଳ୍ପନାର ବିଳାସ ନ ଥାଏ-। ସେ ଘଟଣାରେ ସତ୍ୟର ଅପଳାପ କ୍ୱଚିତ୍‌ କରିଥାନ୍ତି । ବସ୍ତୁତଃ, କାହା ଚରିତ୍ରରେ କେଉଁ ମହୀୟାନ୍‌ ପ୍ରଶଂସାର୍ହ ଗୁଣ ନିଜର ଆଲୋକରେ ସ୍ୱତଃ ବିଛୁରୀତ ତାହାହିଁ କହି ବସନ୍ତି । ସେ କହନ୍ତି, ତାଙ୍କ ପିତା ଯେଉଁ ଗଳ୍ପଗୁଡ଼ିକ ବୟାନ କରନ୍ତି ସେ ଗଳ୍ପଗୁଡ଼ିକର ନାୟକ ବା ନାୟିକା ପୃଥିବୀ–ପ୍ରସିଦ୍ଧ ବ୍ୟକ୍ତିମାନେ । ତେଣୁ କାଳ୍ପନିକ ନାମ ଓ ଆଦର୍ଶ କଳ୍ପନାରେ ହିଁ ରହିଯାଏ-। ଭାବପ୍ରବଣତା ପିଲା ଦିନୁ ଦୁରେଇ ରହିବା ଏ କ୍ଷେତ୍ରରେ ସ୍ୱାଭାବିକ୍‌ କଥା ।

 

ଦିନକର ସେ ଲୋଭର ପରିଣାମ ବିଷୟରେ ଆଉ ଗୋଟିଏ ଗଳ୍ପ କହୁଥିଲେ । ତାର ସାରାଂଶ ଏଇ ଯେ, ଓଡ଼ିଶାର କୌଣସି ଏକ ଛୋଟିଆ ଗଡ଼ଜାତରେ ଜଣେ ରାଜା ଥିଲେ । ତାଙ୍କର ଦୁଇଟି ପୁତ୍ର ଥାନ୍ତି । ଦିନକର ରାଜପୁତ୍ର ୨ଟି ଘୋଡ଼ାଚଢ଼ି ଶୀକାର ଉଦ୍ଦେଶ୍ୟରେ ଘନ ବନ ମଧ୍ୟରେ ପ୍ରବେଶ କଲେ । ରାସ୍ତରେ ଗୋଟିଏ ବାବାଜିଙ୍କ ସଙ୍ଗରେ ଦେଖା ହେଲା । ବାବାଜି କହିଲେ, ‘‘ଏ ବାଟେ ଯାଅନି ପିଲେ, ଡାହାଣୀ ଅଛି ଖାଇ ଯିବ ।’’ ରାଜପୁତ୍ର ଦୁହେଁ ଆତ୍ମଗର୍ବରେ ଗର୍ବିତ ହୋଇ ତାଙ୍କ କଥା ପ୍ରତି ଭ୍ରୁପେକ୍ଷ ନ କରି ଅଗ୍ରସର ହେଲେ । ମଧ୍ୟାହ୍ନରେ ସେମାନଙ୍କର ଗୋଟିଏ ସ୍ୱର୍ଣ୍ଣପାତ୍ର ଦୃଷ୍ଟି-ଗୋଚର ହେଲା । ସେ ସ୍ୱର୍ଣ୍ଣପାତ୍ର ବହୁମୂଲ୍ୟ ମଣି ମାଣିକ୍ୟ ଖଚିତ ଥିବାରୁ ରାଜପୁତ୍ର ଦୁହେଁ ଲୋଭାକୃଷ୍ଟ ହେଲେ । କ୍ଷୁଧାରେ ଅସ୍ଥିରତା ବଢ଼ି ଉଠିବା ସଙ୍ଗେ ସଙ୍ଗେ ଜଣେ ଜଣକୁ କହିଲା, ‘‘ଭାଇ, ତୁ ଯାଇ ନିକଟବର୍ତ୍ତୀ କୌଣସି ଗ୍ରାମରେ ଖାଦ୍ୟ ପାନୀୟର ଅନୁସନ୍ଧାନ କର । ମୁଁ ଏହି ବହୁମୂଲ୍ୟ ପଦାର୍ଥ ଜଗି ବସୁଛି ।’’ ସାନ ଭାଇ ଅନ୍ୱେଷଣରେ ଯାଉ ଯାଉ ଭାବିଲା, ବଡ଼ ଭାଇ ଯଦି କୌଣସି ପ୍ରକାରେ ମରିଯାନ୍ତା, ସମସ୍ତ ସମ୍ପତ୍ତିର ଅଧିକାରୀ ମୁଁ ହୁଅନ୍ତି । ଆଚ୍ଛା, ତା ପାଇଁ ଯେଉଁ ଖାଦ୍ୟ ନେବି, ତହିଁରେ କାଳକୂଟ ଭରିଦେବି । ଏଣେ ବଡ଼ ଭାଇ ହୃଦୟରେ ସେହି ଭାବନା । ସେ ଭାବୁଚି, ସାନ ଭାଇ ଖାଦ୍ୟ ଘେନି ଆସିବା ମାତ୍ରେ ତାକୁ ବଂଧୁକରେ ଗୁଳି କରି ମାରିଦେବି ଯେ, ସମସ୍ତ ସମ୍ପତ୍ତି ମୋର ହେବ । ସାନ ଭାଇର ଲାସ୍‌କୁ ଏ ଜଙ୍ଗଲରେ ଗଡ଼ାଇ ଦେଲେ ବଣ୍ୟଜନ୍ତୁ କ୍ଷଣକରେ ଶେଷ କରି ଦେବେ । ସତକୁ ସତ ଭାଇ ଦୃଷ୍ଟିଗୋଚର ହୁଅନ୍ତେ ତାକୁ ଗୁଳି କରି ମାରି ଦେଲା । ନିଜେ ଅନ୍ନ ଭୋଜନ କରି ସ୍ୱଳ୍ପକ୍ଷଣ ମଧ୍ୟରେ ପ୍ରାଣ ହରାଇଲା ।

 

ସଂଧ୍ୟା ହେଲା । ରାଜପୁତ୍ର ଦୁହେଁ ରାଜାବାଟୀକୁ ନ ଫେରିବାରୁ ରାଜାଙ୍କ ଲୋକ ଖୋଜି ବାହାରିଲେ । ରାସ୍ତାରେ ପୁନଶ୍ଚ ସେଇ ବାବାଜିଙ୍କ ସଙ୍ଗେ ସାକ୍ଷତ୍ ହେଲା । ସେ କହିଲେ, ମଧ୍ୟାହ୍ନ ସମୟରେ ବନସ୍ତ ଅଭିମୁଖରେ ୨ଟି ଅଶ୍ୱାରୋହୀ ବନପଥରେ ବାହି ଯାଉଥିବାର ସେ ଦେଖିଥିଲେ-। ତାଙ୍କର ଅନୁମାନ, ସେ ଦୁହେଁ ରାଜପୁତ୍ର ହେବେ । ଅନୁସଂଧାନ କରିବାରେ ଲାସ୍‌ ଦୁଇଟି କ୍ଷତ ବିକ୍ଷତ ଅବସ୍ଥାରେ ମିଳିଲା । ରାଜା ପୁତ୍ରଦ୍ୱୟଙ୍କ ପରିବର୍ତ୍ତେ ସେ ବହୁମୂଲ୍ୟ ସ୍ୱର୍ଣ୍ଣ ପେଟି ପାଇ ପୁତ୍ରଶୋକରୁ କିଞ୍ଚିତ ଅବ୍ୟାହତି ଲାଭ କଲେ । ଉକ୍ତିଟି ସତ୍ୟର ଅପଳାପ ବୋଲି ଧରି ନେଲେ ମଧ୍ୟ ଶିକ୍ଷଣୀୟ । ଧନ ସଂମ୍ପତ୍ତି ସଂସାରରେ ଦୁଃଖର ନିଦାନ । ମାନସିକ ପ୍ରବୃତ୍ତି ହେତୁ ସଂସାରରେ ବ୍ୟକ୍ତିବିଶେଷଙ୍କ ଧନଲୋଭ, ପୁତ୍ର-ଲୋଭଠାରୁ ଯଥେଷ୍ଟ ବେଶୀ ।

 

କୋମଳ ବୟସ, ମନର ଅବସ୍ଥା ଏପରି ଯେ, ଯେଉଁ ରେଖାଟି ପଡ଼ିବ ତାହା ଲିଭିବା ଅସଂଭବ । ହୃଦୟ ପରିଷ୍କାର । ତହିଁରେ ଏପରି ଉପଦେଶାତ୍ମକ ଗଳ୍ପ ଯେ ପର୍ଶୁବାବୁ ପ୍ରାଣରେ ପଥର ଗାର ପରି ରହିଯାଇଛି, ତାହା ନିତାନ୍ତ ସ୍ୱାଭାବିକ ନୁହେଁ କି ? ମୋ ବଂଧୁ ଧନ ପ୍ରତି ଏତେ ଉଦାସୀନ ହେବା ମୂଳରେ ଏହି ଶକ୍ଷା ହିଁ ଦାୟୀ । ଅବଶ୍ୟ ମାନିବାକୁ ହେବ ଯେ, ସଂସାରେ ଚଳିବାକୁ ହେଲେ, ଅର୍ଥ ଅନର୍ଥର ମୂଳ ହେଲେ ମଧ୍ୟ ପ୍ରତ୍ୟେକର ନିତ୍ୟାନ୍ତ ଆବଶ୍ୟକ । ମାତ୍ର କାହାର କେଉଁ ପରିମାଣରେ ଆବଶ୍ୟକ, ତାର ନିୟନ୍ତ୍ରଣ ଶକ୍ତି ପ୍ରତି ବ୍ୟକ୍ତିର ସ୍ୱାଧୀନତାର କାର୍ଯ୍ୟକ୍ରମ ମଧ୍ୟରେ ଆସେ । ଧନର ଆୟ ଉପରେ ନୁହେଁ ବ୍ୟୟ ଉପରେ ହିଁ ଆବଶ୍ୟକତାର ପରିମାଣ ସମ୍ପୁର୍ଣ୍ଣ ରୂପେ ନିର୍ଭର କରେ । ପର୍ଶୁବାବୁ ଯେ ଟଙ୍କା ପନ୍ଦରଟାରେ ଆଜିକାଲି ଚଳି ଯାଉଛନ୍ତି, ତାହା ଏଣିକି ମୋର ଆଉ ଅବିଶ୍ୱାସ ହେଉନାହିଁ ।

 

–୧୩–

 

ସେଦିନ ସମୁଦ୍ରକୂଳରେ ହାଓ୍ୟାରେ ମତଓ୍ୟାଲା ହେବା ପାଇଁ ବେଶ ଗୁଡ଼ିଏ ଉପାଦାନର ସମାବେଶ ହୋଇଥାଏ । ସବୁଦିନ ପରି ଆମେ ଦୁଇବଂଧୁ ଆଜି ଆଉ ବସି ରହିବାକୁ ପସନ୍ଦ କଲୁନାହିଁ । ଚାଲ ଚାଲ ହୋଇ ଗଳ୍ପ କରୁ କରୁ ଆଗେଇ ଗଲୁଁ । ଆମନଙ୍କର ମୁହଁ ସୁବର୍ଣ୍ଣଗୌରାଙ୍ଗ ଆଡ଼କୁ ହୋଇଥାଏ । କେମିତି କଅଣ କି ପ୍ରସଙ୍ଗ ଆରମ୍ଭ କରିବି ଭାବୁଥାଏ । ଆମ ପାଖ ଦେଇ ଦଳେ ବଙ୍ଗୀୟ ଯୁବକ ଚାଲିଗଲେ । ସେମାନଙ୍କର ଆମ ପ୍ରତି ଭ୍ରୁକ୍ଷେପ ନାହିଁ । ସେମାନଙ୍କର କଥାର କେତକାଂଶ ମୋ କାନରେ ବାଜିଲା, ‘‘ଛୋଡିଁ ଟାକେ ନିଏ ବେଟା ଫୁର୍ତ୍ତି କର୍ଚ୍ଚେ; ଭୁଲେ ଯାଚ୍ଚେ, ଆଛେ କୋଥାୟ ବଲେ ।’’ ମୁଁ ତହିଁରୁ କିଛି ସ୍ଥିର କରି ପାରିଲି ନାହିଁ । ଆମେ କିଛି ଦୂର ଆଗେଇ ଗଲୁଁ । ଦେଖିଲୁ, ନିର୍ଜ୍ଜନ ବେଳାଭୂମିରେ ଗୋଟିଏ ଯୁବକ ବୟସ ଅନ୍ଦାଜ ୩୫ । ୩୬ ହେବ ବସିଛି । ତା ସାମନାରେ ଗୋଟିଏ ୧୫ । ୧୬ ବର୍ଷର ଯୁବତୀ ବସିଛି । ଉଭୟ ଗଳ୍ପରତ । ସଂସାର ପ୍ରତି ତାଙ୍କର ନଜର ନାହିଁ । ଦୁହେଁ ଯାକ ନିଶ୍ଚେ ଆନନ୍ଦରେ ବିଭୋର । ନ ହେଲେ ଖୋଲା ପ୍ରାଣର ଉଚ୍ଛୁଳା ହସ ମଝିରେ ମଝିରେ ଭାସି ଆସୁଥାନ୍ତା ନାହିଁ । ବଂଧୁ ନୀରବତା ଭଙ୍ଗ କରି କହିଲେ,‘‘ଆଜି କାଲି ଶିକ୍ଷାର ଯେଉଁ ଗତି ହେଲାଣି, ପ୍ରାଣରେ ଭୟଙ୍କର ଅବଶୋଷ ଆସେ । ଜନତାର ଚକ୍ଷୁ ଫିଟାଇବା ପାଇଁ ଏ ରାସ୍ତା ମୋଟେ ପ୍ରଶସ୍ତ ନୁହେଁ ।’’ ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ କଥା ଶୁଣୁଥାଏ । ସେ ଟିକିଏ ନୀରବ ରହି ପୁଣି କହିବାକୁ ଆରମ୍ଭ କଲେ, ‘‘ସେଠାରେ ଯେଉଁ ସ୍ତ୍ରୀ ପୁରୁଷ ଆଳାପରତ, ସେମାନଙ୍କ ମଧ୍ୟରେ ବାପ ଝିଅର ସଂପର୍କ ରହିବା ଖୁବ୍ ସଙ୍ଗତ । ସେମାନେ ଅନ୍ୟାୟପ୍ରଣୟରେ ରତ ବୋଲି ଆପଣ ଯଦି ଆଶଙ୍କା ପୋଷି ବସନ୍ତି, ତା ହେଲେ କେତେବଡ଼ ଭୁଲ୍‍ ହେବ ଜାଣି ପାରୁଛନ୍ତି ତ ?’’ ଏତେବେଳକୁ ମୋ ମୁଣ୍ଡରେ ପଶିଲା ଯେ, ପର୍ଶୁବାବୁ ହଏତ ବଙ୍ଗୀୟ ଯୁବକଙ୍କର ପ୍ରସଙ୍ଗ ସମାଲୋଚନା କରୁଛନ୍ତି । ମୁଁ କହିଲି,‘‘ଲୋକର ପ୍ରକୃତି, ସେ ପ୍ରଥମରୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରେ ।’’ ମୋତେ ଆଉ କହିବାକୁ ନ ଦେଇ ପର୍ଶୁବାବୁ କହିଲେ, ‘‘ସେଇଥି ପାଇଁ ତ ମୋର ଦୁଃଖ । ଏଥିପାଇଁ କେବଳ ଶିକ୍ଷକଙ୍କୁ ଦୋଷ ନ ଦେଇ ବରଂ ପିଲାର ପିତା ମାତାଙ୍କ ପ୍ରତି ଦୋଷ ଦେବା ଯୁକ୍ତିସଙ୍ଗତ । ଆପଣମାନଙ୍କ ଶିକ୍ଷା ତୁଳନାରେ ମୁଁ ଅଶିକ୍ଷିତ ହେଲେ ଅତ୍ୟୁକ୍ତି ହେବ ନାହିଁ । ମୁଁ ପ୍ରଥମ କରି ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲି । ସେଇ ଶ୍ରେଣୀରେ ପାଠ ସଂପୂର୍ଣ୍ଣ ନ ହେଉଣୁ ମୋର ବସ୍ତାନିର ଡୋର ବାନ୍ଧିବାକୁ ପଡ଼ିଲା । ସେଇ ଶ୍ରେଣୀର ପାଠ୍ୟ ଆୟତ୍ତ କରି ନ ପାରିବାର କାରଣ ଖୋଜି ବସିଲେ ନିଜକୁ ଦୋଷ ଦେବାର କିଛି ପାଉନାହିଁ । ଅନ୍ୟ କାହାକୁ ଦୋଷ ଦେବାର କି ଲାଭ । ଅଙ୍କ ପାଠରେ ମୁଁ ନିତାନ୍ତ ଦୁର୍ବଳ । ତାର କାରଣ, ତହିଁରେ ନୂତନ୍ୱତ କିଛି ନାହିଁ । ସୃଷ୍ଟିର ଆରମ୍ଭରୁ ତିନି ଆଉ ଚାରି ମିଶି ସାତ ହେଉଥିଲେ, ଆଜି ମଧ୍ୟ ସେଇ ୩ ଓ ୪ ମିଶି ସାତ ହେଉଛନ୍ତି ଏବଂ ଆସନ୍ତା କୋଟିଏ ବର୍ଷ ପରେ ମଧ୍ୟ ସେଇ ୭ହିଁ ହେଉଥିବ, ନା ଛଅ ବା ଆଠ ? ଏହି ଚର୍ବିତ ଚର୍ବଣ କରିବାକୁ କାହାକୁ ବା ସୁଖ ଲାଗିବ ? ପୁନଶ୍ଚ ମୋର ମାନସିକ ପ୍ରଗତି ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ପୃଥକ । ମୋର ତ୍ରୁଟି ଗୋଟିଏ ବିଷୟକୁ ସଂପୂର୍ଣ୍ଣ ଆୟତ୍ତ କରିବା ପୂର୍ବରୁ ତାର ପରବର୍ତ୍ତୀ ବିଷୟକୁ ମନଟା ଛାଏଁ ଛାଏଁ ଓଟାରି ହୋଇଥାଏ । ତାହା ପାରିଛ ବୋଲି ଧାରଣା ଦୃଢ଼ୀଭୂତ ହୁଏ । ଏଣୁ କୌଣସି ଗୋଟିଏ ପ୍ରସଙ୍ଗକୁ ଫୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ମୁଁ ଅନିଚ୍ଛା ପ୍ରକାଶ କରେ ଏବଂ ଶିକ୍ଷକ କୌଣସି ବିଷୟକୁ ବିଶ୍ଲେଷଣ କରିବାରେ ବ୍ୟାପୃତ ଥିଲା ବେଳେ ମୁଁ ବିଦ୍ୟାପୀଠର କଡିବରଗା ଗଣନରେ ସମୟ ଅତିବାହିତ କରେ ।

 

‘‘ଏହା ବ୍ୟତିରେକେ ମୋର ପ୍ରକୃତିଗତ ଦୋଷ ଯଦି କିଛି ଥାଏ ମୋର ବାତ୍ସଲ୍ୟଭରା ପିତା ସେଥିପାଇଁ ଅନେକାଂଶରେ ଦାୟୀ । ଅକ୍ଲାନ୍ତ ପରିଶ୍ରମ କରି ସେ ଆମକୁ ଯେଉଁ ଶିକ୍ଷା ଦେଲେ, ତହିଁରେ ସ୍କୁଲ ପାଠ୍ୟ ସମ୍ୱନ୍ଧରେ କିଛି ସୂଚାଇବା ତାଙ୍କର ଉଚିତ ଥିଲା । ମାତ୍ର ତାଙ୍କର ଶିକ୍ଷାର ପଦ୍ଧତି ଭିନ୍ନ । ମାନବର ନୈତିକତା ଉପରେ ସେ ଯେତେ ଜୋର ଦିଅନ୍ତି, ତହିଁରୁ କାଣିଚାଏ ଯଦି ବୈଷୟିକ ଶିକ୍ଷା ଉପରେ ଦେଇଥାନ୍ତେ, ତା ହେଲେ ହଏତ ଏ ଜଗତକୁ ମୁଁ ଭିନ୍ନ ପ୍ରକାର ପ୍ରତିଭାତ ହେଉଥାନ୍ତି ।’’

 

ଏଇଠି ମୁଁ ପଚାରି ବସିଲି, ‘‘ଆପଣ ଯେଉଁ ପ୍ରକାର ଶିକ୍ଷା ପାଇଥିଲେ ଆଜି ଜଗତରେ ବାସୁ ଥାଆନ୍ତେ ବୋଲି କଳ୍ପନା କରୁଛନ୍ତି ସେ ଶିକ୍ଷା ନ ପାଇ ଆପଣଙ୍କ ପ୍ରାଣରେ କଅଣ ଅବଶୋଷ ହେଉଛି ?’’

 

‘‘ଅବଶୋଷ ଠିକ୍ ଆସୁନି, ତେବେ ଜଗତ ଦୃଷ୍ଟିରୁ ହଏତ ମୁଁ ଆଜି ଅପଗଣ୍ଡ ବୋଲାଉ ନ ଥାନ୍ତି । ମୋତେ ଆଜି ଯେଉଁମାନେ ଅପଦାର୍ଥ ବୋଲି ଭାବୁଛନ୍ତି, ମୋର ସାମାନ୍ୟ ବୈଷୟିକ ଶିକ୍ଷା ଥିଲେ ବାହ୍ୟ ଚାକଚାକ୍ୟରେ ସେମାନଙ୍କୁ ସ୍ତବ୍ଧ କରି ଦେଇ ପାରନ୍ତି । ମୋର ବୈଷୟିକ ବୁଦ୍ଧି ଏବଂ କୁଟିଳତାରେ ସେମାନେ ମୂଢ଼ ହୋଇ ଯାଉଥାନ୍ତେ । ସେ ଯାହାହେଉ, ଢିଙ୍କି ସ୍ୱର୍ଗକୁ ଗଲେ ମଧ୍ୟ ଧାନ କୁଟିବ । ମୋ କର୍ମ ଫଳ ମୋତେ ହିଁ ଭୋଗ କରିବାକୁ ପଡ଼ିବ । ମନୁଷ୍ୟ ନିଜର ଭାଗ୍ୟ ଘେନି ଜନ୍ମଲାଭ କରେ । ତହିଁ ପାଇଁ ଅପର କାହାରିକି ଦୋଷ ଦେବା ମୂର୍ଖତାର ପରିଚାୟକ । ତେବେ ମୁଁ ପ୍ରାଣରେ ଗୋଟାଏ ଅଶ୍ୱସ୍ତି ଉପଲବ୍ଧି କରୁଛି ଯେ, ଭଗବାନଙ୍କର ଅଭିପ୍ରେତ ମୁଁ ଯଥାର୍ଥ ଧରି ପାରୁନାହିଁ । ମୋର ଅବଶ୍ୟ କିଛି ଅଭାବ ଥିଲା ପରି ମୁଁ ଉପଲବ୍ଧି କରି ପାରୁ ନାହିଁ, ମାତ୍ର ଅଖଣ୍ଡ ଶାନ୍ତିର ରାଜ୍ୟସୀମାରୁ ବହୁ ଦୂରରେ ରହି ଯାଇଥିଲା ପରି ମୋର କାହିଁକି ପ୍ରତୀତ ହେଉଛି, ବେଳେ ବେଳେ ।’’

 

ପର୍ଶୁବାବୁଙ୍କ ପ୍ରାଣ କଷ୍ଟାଭିଭୂତ ହୋଇ ଆସୁଥିବାର ଅନୁମାନକଲି ପ୍ରସଙ୍ଗ ପରିବର୍ତ୍ତନ କରିବା ଉଚିତ ମନେ କରି ମୁଁ ପଚାରିଲି, ‘‘ଆପଣଙ୍କ ବାପାଙ୍କ ଶିକ୍ଷାପଦ୍ଧତି ସଂପର୍କରେ କଅଣ ମନେରଖିଛନ୍ତି କହିଲେ ।’’

 

ସେ ଉତ୍ତର ଦେଲେ,‘‘ବାପା ମୋର ଦେବୋପମ ପ୍ରକୃତିରେ ଲୋକ ଥିଲେ । ତାଙ୍କ ଶିକ୍ଷାପଦ୍ଧତିର ନମୁନା ମୁଁ ସେଦିନ କଥା ପ୍ରସଙ୍ଗରେ ବାଢ଼ିଥିଲି । ଆଜି ଚର୍ବିତଚର୍ବଣ ନ କରି ସ୍ଥୂଳତଃ ସେ ସମ୍ପର୍କରେ କିଛି କହିପାରେ । ମୋ ପିତାଙ୍କ ପ୍ରାଣରେ ଗୋଟିଏ ଧାରଣା ଦୃଢ଼ୀଭୂତ ହୋଇଥିଲା ଯେ, ପୁଅ ଯଦି ଯୋଗ୍ୟ ହୁଏ ଧନ କାହିଁ ପାଇଁ ସଞ୍ଚୁ, ଆଉ ପୁଅ ଯେବେ ଅଯୋଗ୍ୟ ହୁଏ, ତେବେ ଧନ କାହିଁ ପାଇଁ ସଞ୍ଚୁ । ସହଜେ ତ ଆୟ ତାଙ୍କର ନିତାନ୍ତ କମ୍‍ ଥିଲା । ତେଣୁ ପ୍ରାୟ ପ୍ରତ୍ୟହ ବାହାରୁ ଆସେ, ହାଣ୍ଡିରେ ପଶେ, ନିତିପ୍ରତି ଏହି ପାଲା । ସଂଚୟର ପ୍ରଶ୍ନ ମୋଟେ ଉଠୁନାହିଁ । କେଉଁ ବାପ ପୁଅକୁ ଅଯୋଗ୍ୟ କରି ସଂସାରରେ ଛାଡ଼ି ଯିବାକୁ ପ୍ରୟାସ କରିବ ? ତାଙ୍କର ଅନୁଭୂତି ତାଙ୍କୁ ସବୁବେଳେ ସଜାଗ କରୁଥାଏ ଯେ, ଯୋଗ୍ୟତା ଆଗରେ ସୁନା ରୂପାର ମୂଲ୍ୟ ମାଟି ଗୋଡ଼ିଠାରୁ ମଧ୍ୟ ହୀନ । ତେଣୁ ସେ ଆମକୁ ଯୋଗ୍ୟ କରିବାରେ ଲାଗି ପଡ଼ିଥାନ୍ତି । ମନୁଷ୍ୟ ହୃଦୟ ବଳରେ ସଂସାର ଜୟ କରିପାରେ । ଏହି ମର୍ମରେ ଭୂରି ଭୂରି ଉଦାହରଣ ଆମେ ଶୁଣୁଁ । କ୍ରମଶଃ ଆମ୍ଭେମାନେ ବୁଝି ପାରିଲୁଁ ଯେ, ମନୁଷ୍ୟ ଜାତିରେ ଯେ କୌଣସି ଅଭାବ, ନିଜର ଅଭାବ ପରି ଗ୍ରହଣ କରିବା ପ୍ରତ୍ୟେକ ସାମାଜିକ ଜୀବର ପ୍ରଥମ କର୍ତ୍ତବ୍ୟ । ମନୁଷ୍ୟର ସୁଖଶ୍ରୀରେ ସ୍ରଷ୍ଟାର ଜୀବନ୍ତ ଦର୍ଶନ ପ୍ରତିଭାତ ହୁଏ, ଏହି ବାକ୍ୟ ତାଙ୍କର ଆମକୁ ଅନ୍ତିମ ଦାନ ।

 

‘‘ତାଙ୍କର ଶିକ୍ଷା ପ୍ରଭାବରେ ମୋର ଭାଇ ଭଉଣୀମାନେ ଦୟାର ଗୋଟିଏ ଗୋଟିଏ ମେସିନ୍‌ ହୋଇ ପଡ଼ିଥିଲେ । ଏପରିକି ଛଳନା–ଗତ ବ୍ୟକ୍ତି ଦୟାର ପାତ୍ର କି ନାହି, ବିବେଚନା ଶକ୍ତି ସେମାନଙ୍କର ଲୁପ୍ତ । ଆମର ଶିକ୍ଷାର ପଦ୍ଧତିକ୍ରମେ ଆମେ ଫଟା ପାହୁଲଟି ରୋଜଗାର କରିବାପାଇଁ ଉପଯୁକ୍ତ ହେବା ପୂର୍ବରୁ ଅକୁଣ୍ଠିତ ଚିତ୍ତରେ କିପରି ଶହ ଶହ ଦାନ କରିପାରିବୁ, ସେଥିପାଇଁ ପ୍ରସ୍ତୁତ ହୋଇ ଗଲୁଁ । ପିତାଙ୍କ ଆମ ପ୍ରତି ବ୍ୟବହାର ସ୍ମୃତି ମନେ ପଡ଼ିଲେ ମୋର ଗୋଟାଏ କାମନା ହୁଏ । ଶତ ଜନ୍ମରେ ତାଙ୍କ ପରି ପିତା ମୁଁ ପାଉଥାନ୍ତିକି ?’’ ସେତେବେଳେକୁ ଫେରି ଆମେ ତାଙ୍କ ବସା ପାଖରେ ପହଞ୍ଚିଥିଲୁ ।

 

–୧୪–

 

ଏହା ମଧ୍ୟରେ ଦିନ କେଇଟା ବୋହି ଯାଇଛି । ମୋର ପର୍ଶୁବାବୁଙ୍କ ସଙ୍ଗେ ପ୍ରାୟ ଦେଖା ହୋଇ ପାରିନାହିଁ । ଆଜି ଟିକିଏ ଅବସର ପାଇବାରୁ ମନଟା ବନ୍ଧୁ ମିଳନ କାମନରେ ଚଞ୍ଚଳ ହୋଇଉଠିଲା । ସମୟ ଦିନ ୪ଟା ସରିକି ହେବ । ମୁଁ ବାହାରି ପଡ଼ିଲି ବନ୍ଧୁଙ୍କ ବସା ଆଡ଼େ । ଉବ୍ଦେଶ୍ୟ, ବନ୍ଧୁଙ୍କୁ ସଙ୍ଗରେ ଧରି ସମୁଦ୍ରକୂଳକୁ ବୁଲି ଯିବ । ଯାଇ ଦେଖେ ତ, ବନ୍ଧୁ ମଧ୍ୟ ବୁଲି ବାହାରୁଛନ୍ତି । ସ୍ନେହ ସଂଭାଷଣ ପରେ କିଛି ଦୂର ଆଗେଇ ଗଲୁଁ । ଗୋଟିଏ ଲଙ୍କା ଆମ୍ବ ଗଛ ନିକଟରେ ହୋଇଛୁ, ହଠାତ୍ ଗୋଟିଏ ଫୋପଡ଼ ଆସି ବନ୍ଧୁଙ୍କ ବେକ ପାଖରେ ବସିଲା । ମୁଣ୍ଡଟା ସାମାନ୍ୟ ଆଘାତ ମଧ୍ୟ ପାଇଲା । ଗୋଟିଏ ଛୋଟ କଣା ହୋଇ ହଠାତ୍ ରକ୍ତ ଝରିବାକୁ ଲାଗିଲା । ମୁଁ ଏ ପ୍ରକାର ବିପଦରେ ବଡ଼ ଅପ୍ରତିଭ ହୋଇପଡ଼ିଲି । ବନ୍ଧୁଙ୍କ କ୍ଷତ ଜାଗାରୁ ରକ୍ତ ନ ବାହାରିବା ଉବ୍ଦେଶ୍ୟରେ ଜାଗାଟା ଗୋଟିଏ ହାତରେ ଚାପି ଧରି ମୁଁ ଚାରିଆଡ଼କୁ ଦୃଷ୍ଟି ସଂଚାଳନ କରି ଦେଖିଲି, ଅଦୂରରେ ଗୋଟିଏ ବୁଢ଼ୀ ଭୀତଗ୍ରସ୍ତ ହୋଇ ଠିଆ ହୋଇଛି । ପତ୍ର କେତୁଟା ଦର ଶୁଖିଲା ହୋଇ ଗଛରୁ ଝଡ଼ିଗଛ ମୂଳରେ ପଡ଼ିଥାଏ । ବୁଢ଼ୀ ଗୋଟାଏ ଦଦରା ଗାଣ୍ତୁ ଆରେ ଲଙ୍କାଆମ୍ବ ସାଇତି ରଖିଥାଏ । ମୋର ବୁଝିବାକୁ ବାକି ରହିଲା ନାହିଁ ଯେ, ବୁଢ଼ୀ ଗୋଟାଏ ଦଦରା ଗାଣ୍ଡୁଆରେ ଲଙ୍କା ଆମ୍ବ ସାଇତି ରଖିଥାଏ । ମୋର ବୁଝିବାକୁ ବାକି ରହିଲା ନାହିଁ ଯେ, ବୁଢ଼ୀ ଫୋପାଡ଼ରେ ବନ୍ଧୁଙ୍କର ଆଘାତ ପ୍ରାପ୍ତ ହୋଇଛି । ମୋ ଅନ୍ତର ରାଗରେ ପ୍ରଜ୍ଜଳିତ ହେଲା । ମୁଁ ରାଗଜର୍ଜରିତ ହୋଇ ସେ ବୁଢ଼ୀକୁ ମାର ନ ମାର ହୋଇ ପାଖକୁ ଡାକିଲି । ବୁଢ଼ୀ ବଡ଼ ଶଂକତ ପଦପାତରେ ଛେଳିକୁ ପାଣିକୁ ନେଲା ପରି ଶଙ୍କିତ ଚିତ୍ତରେ ପାଦେ ଆଗକୁ ଆସୁଥାଏ, କରୁଣ ଦୃଷ୍ଟିରେ ଆମକୁ ଚାହିଁ ଠିଆ ହୋଇ ପଡ଼ିଥାଏ । ଡେଙ୍କେଇ ବୁଢ଼ୀ ଖଣ୍ଡେ, ହାଡ଼ ପିଞ୍ଜରା ଗଣିହୋଇ ପଡ଼ୁଛି, କାନ୍ଦିବାକୁ ଇଚ୍ଛାକଲେ ମଧ୍ୟ ଦେହରୁ ରକ୍ତ ଏପରି ପରିମାଣରେ ଶୁଖିଯାଇଛି ଯେ ଆଖି ଓଦା ହଉନି-। ଛିଣ୍ଡା ମସିଆ କରିଆ ଖଣ୍ଡେ ପିନ୍ଧିଥାଏ ଯେ ନ ପିନ୍ଧିଲା ପରି । ଯାହା କହୁଛି ତହିଁରେ କାରୁଣ୍ୟ ଭରପୂର । ସେ ଅତି ସନ୍ତର୍ପଣରେ କହୁଥାଏ, ‘‘ମୁଁ ଜାଣିନି ବାବୁ, ଲଙ୍କା ଆମ୍ବ ବିକି ଗୁଜୁରାଣ ମେଣ୍ଟାଏ । ସବୁଦିନ ଇମିତି ଫୋପାଡ଼ରେ ଝଡ଼ାଏ ବାବୁ, ମୋତେ ମାର ନେଇ ବାବୁ, ମୁଁ ମଲେଣି ବାବୁ । ସମସ୍ତଙ୍କୁ ଖାଇ ଏ ଦରପୋଡ଼ା ପେଟ ପୁରୁନି କି ଏ ହିନିମାନିଆ ପେଟ ଜୀବଟା ଯାଉନି-। କେହି ନାହାନ୍ତି ବାବୁ ମୋର ବାବୁ, ବଡ଼ ଦୁଃଖୀ ମୁଁ । ମୋ ପରି ଅରିକ୍ଷିତ ସଂସାରେ ନ ଥିବେ-। ନେହୁରା ହଉଚି ବାବୁ, ମୋର ଦୋଷ ହେଇଚି ବାବୁ ।’’

 

ସେ ବୁଢ଼ୀ ଆମେ କିଛି କହିବା ପୂର୍ବରୁ ଓଳିଆରୁ ଧାନ ଗିଳିଲା ପରି କହି ଚାଲିଥାଏ । ମୋର ସେତେବେଳେ ପ୍ରଚଣ୍ଡ ରାଗ । ତା କଥା ଶୁଣିବା ଅବସ୍ଥାରେ ମୁଁ ନ ଥାଏ । ମୋର ହାଡ଼ କଡ଼କଡ଼ ହେଉଥାଏ । ବନ୍ଧୁ ଆଘାତ ପାଇଥିବାରୁ ସିଧା ସଳଖ ଦେଖି ପାରୁ ନ ଥାନ୍ତି । ଟିକିଏ ମୁଣ୍ଡ ଟେକି ବୁଢ଼ୀକୁ ଚାହିଁଲେ ଏବଂ କହିଲେ, ଆାମ ସଙ୍ଗେ ଆ ବୁଢ଼ୀ ଏବଂ ମୋତେ ବୁଢ଼ୀ ପ୍ରତି ବିରକ୍ତ ହବାକୁ ବାରଣ କଲେ । ମୁଁ ସେମିତି ରାଗରେ ଜଳୁଥାଏ ମାତ୍ର ବନ୍ଧୁଙ୍କ ଅନୁରୋଧରେ ବୁଢ଼ୀକୁ କିଛି କହୁ ନ ଥାଏ । ମୋର ଚିତ୍ତ ଏଡ଼େ ଚଞ୍ଚଳ ଥାଏ ଯେ, ବୁଢ଼ୀକୁ କେଉଁଠିକି ଆମ ସାଙ୍ଗରେ ଆସିବାକୁ ବନ୍ଧୁ କହିଲେ ବା କାହିଁକି କହିଲେ ମୁଁ ବୁଝିପାରୁ ନ ଥାଏ । ମୁଁ ବନ୍ଧୁଙ୍କ ମୁଣ୍ଡ ଚିପି ଧରି ଯନ୍ତ୍ର ପରି ଚାଲୁଥାଏ, ବୁଢ଼ୀର ଉପଯୁକ୍ତ ଦଣ୍ଡ କଅଣ ହୋଇପାରେ, ତାହାହିଁ ମନେ ମନେ ସ୍ଥିର କରୁଥାଏ ।

 

ଘର ଭିତରକୁ ଯାଇ ବନ୍ଧୁଙ୍କ ଇଙ୍ଗିତରେ ପୋଡ଼ା କନା ଏବଂ ଚିନି ଦେଇ କ୍ଷତ ଜାଗାରେ ପଟି ବାନ୍ଧି ଦେଲି । ତା’ପରେ ସେ ଆସିଲେ ବୁଢ଼ୀ ଉଦ୍ଦେଶ୍ୟରେ । ବୁଢ଼ୀକୁ ଦୁଇଟଙ୍କିଆ ନୋଟ ଖଣ୍ଡେ ବଢ଼ାଇ ଦେଇ କିଛି ନ ପଚାରି ଫେରି ପଡ଼ିଲେ । ବୁଢ଼ୀ ନେଉଛି ବା କିପରି ? ତାର ନିଜପ୍ରତି ସେତେବେଳେ ବୋଧହୁଏ ଅବିଶ୍ୱାସ ଜାତ ହେଲା । ଯାହା ହେଉ ସେ ନୋଟ ଖଣ୍ଡିକ ଦୁଇ ହାତରେ ଧରିଥାଏ । ନେବ କି ନାହିଁ ଭାବୁଥାଏ । ବନ୍ଧୁଙ୍କ ଫେରିବା ବାଟକୁ ଅନାଇ ଥାଏ । ବନ୍ଧୁ ଘର ଭିତରକୁ ପଶୁ ପଶୁ କହିଲେ, ‘‘ତୁମେ ଯାଅ ବୁଢ଼ୀ, କାହିଁକି ଠିଆ ହୋଇରହିଲ, ଆଜିତ ଲଙ୍କାଆମ୍ବ ଗୋଟାଇ ପାରିଲ ନାହିଁ । ଖାଇବ କଅଣ ? ଚାଉଳ କିଣିନବ, ଯାଅ । ଏତିକି କହି ବୁଢ଼ୀର ଉତ୍ତରକୁ ଅପେକ୍ଷା ନ କରି ଘର ଭିତରକୁ ପଶି ଆସିଲେ ।’’

 

ମୁଁ ଝରକା ବାଟେ ଚାହିଁ ସବୁ ଦେଖୁଥାଏ । ମୁଁ କେଉଁଠାରେ ଅଛି ଭାବି ପାରୁ ନ ଥାଏ । ବନ୍ଧୁ ଘର ଭିତରକୁ ପଶିବା ମାତ୍ରେ ମୁଁ ପଚାରିଲି, ‘‘ଆପଣଙ୍କ ମଥାଟା ଖାଲି ଖଣ୍ଡିଆ ହୋଇଛି ନା ବିଗିଡ଼ି ବି ଯାଇଛି ।’’

 

ସେ ସଙ୍ଗେ ସଙ୍ଗେ ଅଳପ ଉତ୍ତର ଦେଲେ, ‘‘ତା ନ ହୋଇଥିଲେ ଗଛ, ଗଛଟାଏ ହୋଇ, ଫୋପଡ଼ଟାକରେ ଅଧଗାଣ୍ଡୁଆଏ ଫଳ ଦେଉଛି, ମାତ୍ର ମୁଁ ମଣିଷ ହୋଇ ଫୋପଡ଼ଟାକୁ ଖାଇ ଜମାରୁ ୨ଟା ଟଙ୍କା ଦିଅନ୍ତି ନା ?’’ ଏହେ ଶୁଣୁ ଶୁଣୁ ମୁଁ ସ୍ଥାଣୁ ପାଲଟି ଗଲି । ମୋର ମୁଣ୍ଡ ମଧ୍ୟ ଗୋଳମାଳିଆ ହୋଇଗଲା । ମୁଁ ସେଦିନ କହି–କହି ବିଦାୟ ନେଇଥିଲି ତାଙ୍କଠାରୁ, ‘‘କଥାଟା ହଜମ କରିବାକୁ ମୋତେ ସମୟ ଲାଗିବ ।’’ ବାଟ ଯାକ ତାଙ୍କରି କଥା ଖାଲି ଭାବଥାଏ, ମାଡ ଖାଇ ବକ୍‌ସିସ୍‌ଦେବା ଲୋକ ଆଜିକାଲି ସଂସାରରେ କେଇଜଣ ! ମୋର ବନ୍ଧୁଙ୍କର ଯୋଗ୍ୟତା ମୁଁ କେବେ ହେଲେ ଅର୍ଜ୍ଜନ କରି ପାରିବି ନାହିଁ । ସେ କେଉଁ ଉପାଦାନରେ ଗଢ଼ା—ମଣିଷ ନା ଦେବତା-? ମନ ଭିତରେ ଏପରି ଉଙ୍କି ମାରୁଥାଏ ଅଜସ୍ର ଭାବନା—କୂଳକିନାରା ନ ଥାଏ ତା’ର ।

 

–୧୫–

 

ଏହି ଘଟଣା ପରେ ଅନେକ ଦିନ ଅତୀତ ହୋଇଗଲା । ମୁଁ ଶତଚେଷ୍ଟା ସତ୍ୱେ ପର୍ଶୁବାବୁଙ୍କର କୌଣସି ସନ୍ଧାନ ପାଇଲି ନାହିଁ । ସେ ଯେ ହଠାତ୍ ତିରୋଧାନ ହୋଇଯାଇଛନ୍ତି,ଏହା ଅନୁସଂଧାନ କରୁ କରୁ ବୁଝିପାରିଲି । ମଠରେ ପଚାରିଲାରୁ ମହନ୍ତ ମହାଶୟ କହିଲେ, ‘‘ପାଗଳଟାଏ, କୁଆଡ଼େ ବୁଲୁଥିବ । ପୁଣି ଇଚ୍ଛା ହେଲେ ଆସିବ ଯେ ।’’ ମୁଁ ମଠ ମହନ୍ତଙ୍କୁ ତାଙ୍କର ଗ୍ରାମର ଠିକଣା ପ୍ରଭୃତି ପଚାରିଲି । ସେ ମୋର ପ୍ରଶ୍ନର ଉତ୍ତର ନ ଦେଇ ଖଣ୍ଡିଏ ଦୈନିକ ପତ୍ରକା ବଢ଼ାଇ ଦେଉ ଦେଉ କହିଲ, ‘‘ସେ ବର୍ତ୍ତମାନ ବିଂଝାରପୁର ସିଦ୍ଧାଶ୍ରମରେ ଥିବାର ଅନୁମାନ-।’’ କାଗଜଟି ହାତକୁ ଆଣି ଦେଖିଲି ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି, ‘‘ସିଦ୍ଧାଶ୍ରମରେ ପର୍ଶୁଧରବାବାଙ୍କର ସାଧାରଣଙ୍କୁ ଆହ୍ୱାନ ଏବଂ ସେବା ଦୀକ୍ଷାରେ ଦୀକ୍ଷିତ ହେବାକୁ ଉତ୍ସାହଦାନ-

 

‘‘ସିଦ୍ଧାଶ୍ରମ ଭଦ୍ରମଣ୍ଡଳିର ଅନୁରୋଧ କ୍ରମେ ବାବା ପର୍ଶୁଧର ଦୀର୍ଘ ୩୦ମିନିଟି କାଳ ସେବା ସଂବନ୍ଧରେ ଲୋକମାନଙ୍କୁ ସରଳ ଏବଂ ପ୍ରାଞ୍ଜଳ ଭାବରେ ବୁଝାଇ ସେମାନଙ୍କୁ ସେବା ଦୀକ୍ଷାରେ ଦୀକ୍ଷିତ ହେବାପାଇଁ ପ୍ରେରଣା ଦେଇଥିଲେ । ସେ କହିଥିଲେ—

 

ବିଦ୍ୟାବିନୟ ସମ୍ପନ୍ନ ବ୍ରାହ୍ମଣେ ଗର୍ବହସ୍ତିନି

ଶୂନି ଚୈବ ସ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ।

 

‘‘ପ୍ରତ୍ୟେକ ସୃଷ୍ଟି ଜୀବରେ ସ୍ରଷ୍ଟାଙ୍କର କଣିକାଟିଏ ପର୍ଯ୍ୟନ୍ତ ପ୍ରତିଫଳିତ । ତେଣୁ କାହାକୁ ଉତ୍କୃଷ୍ଟ ବା କହାକୁ ନିକୃଷ୍ଟ ବିବେଚନା କରିବା ଭ୍ରମାତ୍ମକ । ସେଇଥି ପାଇଁ ଯେଉଁମାନେ ସୃଷ୍ଟିର ପ୍ରତ୍ୟେକ ଜୀବକୁ ସମାନ ଦୃଷ୍ଟିରେ ଦେଖନ୍ତି, ତାଙ୍କୁହିଁ ପଣ୍ଡିତ ବୋଲାଯାଏ । ଏହି କ୍ଷଣଭଙ୍ଗୁର ଜୀବନରେ ସେବାବ୍ରତହିଁ ସବୁ ଠାରୁ ଉତ୍କୃଷ୍ଟ ବୃତ୍ତି । ଏ ଦିଗରୁ ବିବେଚନା କଲେ ଆପଣମାନେ ହିଁ ସୌଭାଗ୍ୟବାନ । କାରଣ ଏହି ବିରାଟ ସଂସାରରେ ଆପଣମାନେ ହିଁ କେବଳ ସେବାକ୍ଷମ । ଏ ଯେଉଁ ଦରିଦ୍ରମାନଙ୍କୁ ଦେଖୁଛନ୍ତି, ଏମାନେ ପ୍ରତ୍ୟେକ ନରଦେହରେ ଗୋଟିଏ ଗୋଟିଏ ନାରାୟଣ ନୁହନ୍ତି କି ? ନାରାୟଣଙ୍କର ସେବା କରିବାକୁ ଆପଣଙ୍କୁ ମନ୍ଦିର, ମସ୍‌ଜିଦ୍‌ ବା ଗୀର୍ଜାକୁ ଯିବାକୁ ପଡ଼ିବ ନାହିଁ । କଲେରା, ମହାମାରୀ, ବନ୍ୟାର ତାଣ୍ଡବ ନୃତ୍ୟରେ ମୂହୁର୍ତ୍ତକ ମଧ୍ୟରେ କୋଟି କୋଟି ଜୀବନ ବୁଦ୍‌ବୁଦ ପରି ବିଲୟ ଭଜୁଛି । ଆପଣ ସେବା କରିବା ନିମିତ୍ତ, ପୁଣ୍ୟାର୍ଜନ ନିମିତ୍ତ, ଗୀର୍ଜା ବା ମନ୍ଦିର ମସ୍‌ଜିଦ୍‌କୁ ଗଲେ ପୁଣ୍ୟାତ୍ମା ବୋଲାଇବେ ନାହିଁ । ପରନ୍ତୁ ମୃତ୍ୟୁର ବିଭୀଷିକା ସଙ୍ଗେ ଲଢ଼େଇ କରି ଗୋଟିଏ ପ୍ରାଣ ବଞ୍ଚାଇ ପାରିଲେ, ଚିର ଅମର ହୋଇ ରହିବେ । ସ୍ୱର୍ଗ ଆପେ ଆପେ ଆପଣଙ୍କ ପଦତଳକୁ ନତ ହୋଇ ଆସିବ ।’’

 

ତାଙ୍କ ଓଜ–ସ୍ୱିନୀ ଭାଷାରେ ଅନୁପ୍ରାଣିତ ହୋଇ ଅଧିକାଂଶ ସହୃଦୟ ବ୍ୟକ୍ତି ଆଶ୍ରମର ଉନ୍ନତି ନିମନ୍ତେ ଭୂରି ଭୂରି ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି ।

 

ଏତଦ୍‌ ବ୍ୟତୀରେକ କାଗଜରେ ଆଉ ଯାହା କିଛି ଲେଖା ଥିଲା ତହିଁରେ ମୋର ସ୍ୱାର୍ଥ ଜଡ଼ିତ ନ ଥିବାରୁ ମୁଁ ଆଉ ଆଗେଇଲି ନାହିଁ ।

 

ସେହିଦିନ ଡାକରେ ଖଣ୍ଡେ ରିପ୍ଲାଇ କାର୍ଡ଼ ତାଙ୍କ ନିକଟକୁ ପଠାଇଲି । ମାତ୍ର ଦୁଃଖର ବିଷୟ ଯେ ମୁଁ ଅଦ୍ୟାବଧି ସେ କାର୍ଡ଼ର ଉତ୍ତର ପାଇ ପାରିନାହିଁ । ମୁଁ ନିତି ପ୍ରତି ଆଶାନ୍ୱିତ ହୋଇ ଡାକବାଲାକୁ ତା ବେଳରେ ଅପେକ୍ଷା କରୁଥାଏ । ଦିନକର ଡାକବାଲା ପହୁଞ୍ଚିବା ସମୟରେ ମୋ ବଂଧୁଙ୍କର ହସହସ ମୁହଁଟି ମୋ ବସାର ଦ୍ୱାରଦେଶରେ ଫୁଟି ଉଠିଲା । ସେ କହିଲେ, ‘‘କ୍ଷମା କରିବେ ଆଜ୍ଞା ! ନମସ୍କାର, ଆପଣଙ୍କ ଚିଠିର ଉତ୍ତର କଅଣ ଦେବି ଖୋଜି ଖୋଜି ନ ପାଇବାରୁ ନିଜେହିଁ ଆଜି ଉତ୍ତର ସ୍ୱରୂପ ଦ୍ୱାରସ୍ଥ ହେଉଛି । ବର୍ତ୍ତମାନ ଆପଣ ଯାହା ଇଚ୍ଛା ଦଣ୍ଡ ବିଧାନ କରିପାରନ୍ତି ।’’ ଖାଦ୍ୟ ପାଇ ମୋର ଅଭିମାନ ତୁମୁଳ ଆକାର ଧାରଣ କଲା । ମାତ୍ର ମୁଁ ହୃଦୟର ସମସ୍ତ ଆବେଗ ସଂଯୋତ କରି ବନ୍ଧୁଙ୍କ ପରିଚର୍ଯ୍ୟରେ ବ୍ୟାପୃତ ରହିଲି ।

 

ସେଦିନ ୪ଟା ବେଳକୁ ଆମେ ଦୁହେଁ ସମୁଦ୍ର ଆଡ଼େ ବୁଲି ବାହାରିଲୁଁ । ସେ ପ୍ରଥମେ ଆରମ୍ଭ କଲେ–‘‘ଆପଣଙ୍କର ଚିଠିରୁ ମୁଁ ବୁଝିଲି ଯେ ଆପଣଙ୍କ ଧାରଣା ମୁଁ ସ୍ୱର୍ଗଭ୍ରଷ୍ଟ କୌଣସି ଦେବତା ବୋଲି, ନୁହେଁ ? ମାତ୍ର ଆପଣଙ୍କର ଏ ପ୍ରକାର ଅମୂଳକ ଧାରଣାକୁ କି ଯୁକ୍ତି ଦର୍ଶାଇ ମୁଁ ଦୂରୀଭୂତ କରିବି, ଭାବି ପାରୁନାହିଁ । ମୋ ବିଷୟରେ ଆପଣ କିଛି ହେଲେ ଜାଣିବାକୁ ଚିଠିରେ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି, ତାହାର ଲକ୍ଷଣ ମୋ ପକ୍ଷରେ ଶୁଭ ନ ହୋଇପାରେ । ମାତ୍ର ଆପଣଙ୍କ ପରି ଜଣେ ହିତାକାଂକ୍ଷୀ ପାଇ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଛି । ମୋର ଆଶଙ୍କା, ଆପଣ ମୋ ବିଷୟରେ ଯାହା ଜାଣନ୍ତି ତା ଠାରୁ ଅଧିକନ୍ତୁ ଜାଣିଲେ, ମୋ ଆସନ ଆପଣଙ୍କ ମନରେ ଆହୁରି ତଳକୁ ଖସିଯିବ । ତଥାପି ମୁଁ କିଛି କହିବି । କାରଣ, ଆପଣଙ୍କଠାରୁ ଯେ ପରିଚର୍ଯ୍ୟା ପାଉଛି, ତାର ଉପଯୁକ୍ତ ଭାଜନ ବୋଲି ମୁଁ ନିଜକୁ ମନେ କରୁନାହିଁ । ଖେଳିବା ବୁଲିବା ବୟସରେ ସଂସାରରେ ପ୍ରବେଶ କରିବାକୁ ପଡ଼ିଥିଲା ।

 

‘‘ମୋ ପିତା ସ୍ୱର୍ଗଗାମୀ ହେଲାବେଳକୁ ମୋ ପାଇଁ ଛାଡ଼ି ଯାଇଥିଲେ କେବଳ ଗୁଡ଼ିଏ ଶୁଭେଚ୍ଛା ଏବଂ ଆଶୀର୍ବାଦ । ସେ ମୋର ଏ ଧରାଧାମରେ ଏକାନ୍ତ ଆତ୍ମୀୟ ଥିଲେ । ଲକ୍ଷ୍ୟ କରିବେ ତାଙ୍କର ଅନ୍ତର୍ଦ୍ଧାନରେ କୂଳରୁ ମୋ ଦଦରା ନାବିଟି ସମୁଦ୍ର ଅତଳ ଗର୍ଭକୁ ଠେଲି ଦିଆ ହେଲା । ନିଜକୁ ରକ୍ଷା କରିବା ପାଇଁ ସଂସାରର ବୈଷୟିକ ଅଭିଜ୍ଞତା ମୋର ବିଲ୍‌କୁଲ୍‌ ନ ଥିଲା । ନିଜର କୂଟ କାପଟ୍ୟ ବା ଶାଠ ମଧ୍ୟ ସଂବଳ ନାହିଁ, ଯଦ୍ଦ୍ୱାରା ସଂସାରକୁ ଭୂତେଇ ଠକି ପେଟକୁ ଅନ୍ନ ମୁଠାକର ସଂସ୍ଥାନ କରି ପାରନ୍ତି । କାହାରି ସଂଘର୍ଷରେ ନ ଆସି ଜୀବନ ବିତାଇବାର ସଂବଳ ନାହିଁ ଯାର, ତାର ପତନ ଅନିବାର୍ଯ୍ୟ । ତେଣୁ ବାଧ୍ୟ ହୋଇ ୧୮ ବର୍ଷ ବୟକ୍ରମରେ ମୁଁ ସଂସାର ପାତି ବସିଲି । ମଣିଷର ଦୁଃଖ ଦୁର୍ଦ୍ଦିନ ବୁଝିଲେ ଅନେକ ଗୁଡ଼ିଏଏ ହିତକାଂକ୍ଷୀ ବଂଧୁ ଆପେ ଆପେ ଆସି ଦେଖା ଦିଅନ୍ତି । ସେମାନେ ମୋତେ ନାନା ରକମର ଉପଦେଶ ଦେବାକୁ ଆରମ୍ଭ କରିଦେଲେ । ମୋର ସେତେବେଳେ ମାନସିକ ଅବସ୍ଥା ଯାହା, ତହିଁରେ ମୁଁ ଏକାକାଳୀନ ଏତେ ଗୁଡ଼ାଏ ସଦୁପଦେଶ ହଜମ କରି ପାରିଲି ନାହିଁ । ମୋ ସାଙ୍ଗମାନଙ୍କର ମୋତେ ଉପଦେଶ ଯେ ତୁମେ ପୁରୋହିତଗିରି କର । ତୁମର ପିତା ରଜାଘର ପୂଜାପଣ୍ଡା ଥିଲେ । ତେଣି ତମେ ଅଳ୍ପ ଚେଷ୍ଟା କଲେ ତୁମକୁ ସେ ସ୍ଥାନଟି ମିଳିଯିବ । ମୁ୍ଁ ଏ ପ୍ରକାର ଉପଦେଶରେ ସେମାନଙ୍କର ହାର୍ଦିକତା ଥିବାର ଅନୁମାନ କରି ପାରିଲ ନାହିଁ । ମୋର ଧାରଣା ହେଲା ଯେ, ସେତେବେଳେ କୌଣସି ବ୍ୟକ୍ତି ଅପରକୁ ନିଜଠାରୁ ନିଜଠାରୁ ନ୍ୟୂନ ମନେ କରେ, ସେତେବେଳେ ହିଁ ଉପଦେଶ ଦେବାକୁ ଆଗେଇ ଆସେ । ବାପା ମୋର ପଦ୍ଧତି–ଅନୁସାରେ ଗୈରିକ ଭୂଷଣ ପରିହିତ ହେଉଥିଲେ । ମାତ୍ର ତାଙ୍କର ଗୈରିକ ବସନ ଭୂଷଣ ମୋ ପ୍ରାଣରେ ମମତା ପରିବର୍ତ୍ତେ ବିକାର ସୃଷ୍ଟି କଲା । ଯୌବନ ଯେତେବେଳେ ମୋର ଅଙ୍ଗେ ଅଙ୍ଗେ ଭରପୂର, ସେତେବେଳେ ବସନ ଭୂଷଣର ଧାରାବାହିକ କ୍ଲିଷ୍ଟତା, ମୋର ଅସହ୍ୟ ହୋଇ ଉଠିଲା । ମୋ ମନ ଭିତରେ ବିଦ୍ରୋହ ଜାତ ହେଲା ଯେ ଯେଉଁ ବୃତ୍ତି ଆଚାରଣ କଲେ ନିଜର ବସନ ଭୂଷଣର ଧାରାବାହିକ କ୍ଳିଷ୍ଟତା, ମୋର ଅସହ୍ୟ ହୋଇ ଉଠିଲା । ମୋ ମନ ଭିତରେ ବିଦ୍ରୋହ ଜାତ ହେଲା ଯେ ଯେଉଁ ବୃର୍ତ୍ତି ଆଚରଣ କଲେ ନିଜର ବସନ ଭୂଷଣର ସ୍ୱାଧୀନତା ପର୍ଯ୍ୟନ୍ତ ଲୁପ୍ତ ହେବ, ସେ ବୃର୍ତ୍ତି ନିଶ୍ଚୟ ଦୃଶ୍ୟ । ଜଣେ ସାଧାରଣ ପୂଜାପଣ୍ଡାର ଜୀବନ ଆଜିକାଲି ଯୁଗରେ ଛଳନାମୟ । ଆବାଲ୍ୟରୁ ମୋର ଶିକ୍ଷା ତ ଭିନ୍ନ ଦିଗରେ ଗତି କରିଥିଲା । ଭୂରି ଭୋଜନ କରି ଉପବାସ ବ୍ରତାଦି ସଂବନ୍ଧରେ ଦୀର୍ଘ ବକୃତା ଦେବା ପରି ଅପରାଧ ମୁଁ କରି ପାରିଲି ନାହିଁ । ନିଜେ ଅଶୁଚି ହୋଇ ଅନ୍ୟମାନଙ୍କୁ ଶୂଦ୍ଧପୂତ ଜୀବନ ଯାପନ ପାଇଁ ଆହ୍ୱାନ କରିବା ଠାରୁ ଅଧିକ ଭଣ୍ଡାମିର ପରିଚୟ କଅଣ ହୋଇପାରେ ? ଶାସ୍ତ୍ରରେ ଅଛି, ତଦନୁଯାୟୀ ଆଚାରଣ କରୁଥିବା ବ୍ୟକ୍ତିହିଁ ଉପଦେଶ ଦେବାକୁ ଉପଯୁକ୍ତ । ତେଣୁ ମୁଁ ନିଜେ ଯାହା ନୁହେଁ, ତାହା ଜଗତକୁ ଦେଖେଇ ଠକି ପାରିବି ନାହିଁ । ମୋ ଠାରୁ ଏ ପ୍ରକାର ମନ୍ତବ୍ୟ ଶୁଣି ମୋର ହିତାକାଂକ୍ଷୀମାନେ ବୁଝି ପାରିଲେ ଯେ, ମୋର ଭାଗ୍ୟ ବିପର୍ଯ୍ୟୟ ଉପସ୍ଥିତ । ଲୋକକୁ ସୁଯୋଗ ଲୋଡ଼ିଲେ ମିଳେନାହିଁ । ମାତ୍ର ମିଳୁଥିବା ବୃତ୍ତିକୁ ପାଦରେ ଠେଲି ଦେବା ନିଶ୍ଚୟ ବୋକାମିର ପରିଚାୟକ । ମୋର ଦୋଷର ଗୁରୁତ୍ୱ ଏତେ ହେଲା ଯେ, ମୋ ସଂସର୍ଗରେ ଯେଉଁମାନେ ଆସିଲେ ସେମାନେ ଦୂରେଇ ଯିବା ପୂର୍ବରୁ ଗୋଟିଏ କଥା ସମସ୍ୱରରେ ଜଣାଇ ଦେଇ ବିଦାୟ ଦେଇଥିଲି । ତୋ ପରି ଯୋଗ୍ୟ ବ୍ୟକ୍ତିର ଉପଯୁକ୍ତ ସଙ୍ଗୀ ଆମେ ହୋଇ ପାରିବୁନି । ଭାଇ, ଆମକୁ କ୍ଷମା ଦେବୁ ଏତିକି କହିସାରି ପର୍ଶୁବାବୁ ଟିକିଏ ଚିନ୍ତିତ ହେଲା ପରି ଦିଶିଲେ ।

 

ସେତେକେଳକୁ ସଂଧ୍ୟା ହୋଇ ଆସୁଥାଏ । ବଂଧୁ ମୋ ବସା ଅଭିମୁଖେ ଚାଲିଥାନ୍ତି । ଏଡ଼େ ବେଗି ଫେରିବା କାରଣ ମୁଁ ଅନୁମାନ କରି ପାରୁ ନ ଥାଏ । ବଂଧୁଙ୍କ କଥାସ୍ରୋତ ଭଗ୍ନ ହୋଇ ଯିବା ଆଶଙ୍କାରେ ମୁଁ ତାଙ୍କୁ କାରଣ ମଧ୍ୟ ପଚାରି ପାରୁ ନଥାଏ ।

 

ତା’ ପରେ ବନ୍ଧୁ କହିଲେ, ‘‘କ୍ଷମା କରିବେ, ରଥବାବୁ ! ମଠରେ ଆଳତିଟା ଦେଖିବାକୁ ମୋର ଭାରି ଲୋଭ । ସଂଧ୍ୟା ହୋଇ ଆସୁଛି, ଆପଣଙ୍କ ବସାରେ ତ ଏତେ ସମୟ କଟିଲା, ଏଣିକି ଛୁଟି ଟିକିଏ ମିଳୁ ।’’

 

ମୁଁ ହଁ କି ନାହିଁ କଅଣ କହିବି ସ୍ଥିର କରି ପାରିଲି ନାହିଁ । ଚାକର ହାତରେ ତାଙ୍କ ମୁଣିଟି ଦେଇ ତାଙ୍କ ସଙ୍ଗରେ ପଠେଇଲି ସେଦିନ ।

 

–୧୬–

 

କୌଣସି ପୂଜା ପର୍ବାଣିର ଉପଲକ୍ଷେ ସେଦିନ ଅଫିସ ମୋର ବନ୍ଦ ଥାଏ । ତେଣୁ ମୁଁ ଟିକିଏ ବେଳାବେଳି ଯାଇ ବଂଧୁଙ୍କ ଖାସ କମରାରେ ବସିଥାଏ । ବଂଧୁ ମୋତେ ବସେଇ ଦେଇ ନିତ୍ୟକର୍ମ ସାରିବାକୁ ପଦାଆଡ଼େ ଯାଇଥାନ୍ତ । ଦିନ ୩ଟା ସରିକି ହେବ । ମୁଁ ଶୂନ୍ୟ ମନରେ ବସିଥାଏ । ହଠାତ୍‌ ଜଣେ ଭଦ୍ରଲୋକ ଆସି ବଂଧୁଙ୍କ କମରାରେ ମୋତେ ପ୍ରଶ୍ନ କଲେ, ପର୍ଶୁଧରବାବୁ ଏ ବସାରେ ନାହାନ୍ତି କି ? ସେ ବ୍ୟକ୍ତି ପ୍ରୌଢ଼ । ପ୍ୟାଣ୍ଟ ସାର୍ଟ ପିନ୍ଧିଥିଲେ । ଚେହେରାରେ କୌଣସି ବିଶିଷ୍ଟତା ଲକ୍ଷ୍ୟ କଲିନାହିଁ । ପର୍ଶୁଧର ବାବୁଙ୍କ ବୟସଠାରୁ ତାଙ୍କର ବୟସ ନିଶ୍ଚୟ ବେଶୀ ହେବ । ମୁଁ ପର୍ଶୁଧରବାବୁଙ୍କ ଆତ୍ମୀୟ ମନେକରି ଭିତରକୁ ଯାଇ ବସିବାକୁ ଅନୁରୋଧ କଲି । ସେ ଟିକିଏ କୁଣ୍ଠିତ ହେଲା ପରି ଜଣା ପଡ଼ିଲା । ଗୋଡ଼ରୁ ଯୋତାଫିତା ଫିଟାଉ ଫିଟାଉ ସେ ମୋତେ ପୁନଶ୍ଚ ପ୍ରଶ୍ନ କଲେ, ପର୍ଶୁଧରବାବୁ ଏଇଠି ରୁହନ୍ତି ବୋଲି ଆପଣ ନିଶ୍ଚୟ କରି ଜାଣନ୍ତି ତ ? ତାଙ୍କ ସ୍ୱରରେ ବିହ୍ୱଳତା ଓ ଚାଞ୍ଚଲ୍ୟ ଉଭୟ ଉକୁଟି ଉଠୁଥାଏ । ମୁଁ ମୃଦୁହସି କହିଲି, ମୋ କଥାରେ ଆପଣଙ୍କର ବିଶ୍ୱାସ ହେଉନି ତା ହେଲେ ? ସେ କହିଲେ, ନାହିଁ ଯେ । ଏହା କହି ପୁଣି କଅଣ ବିଚାରି ଗୋଡ଼ରେ ଜୋତା ପୂରାଇ ଫିତା ବାନ୍ଧିବାକୁ ଆରମ୍ଭ କଲେ । ଦି’ପାହୁଣ୍ଡ ପଛେଇଲେ । ମୁଁ ଅନୁମାନ କଲି, ସେ ବୋଧେ ପରିସ୍ରା କରିବାକୁ ବାହାରିଲେ । ଏଇ ଅବସରରେ ପର୍ଶୁବାବୁ ଫେରିଆସି ପହୁଞ୍ଚିଲେ । ମୁଁ ତାଙ୍କୁ ଦେଖିକି ପଚାରିଲି, କଅଣ ଏତେ ଶୀଘ୍ର ଆପଣଙ୍କ କାମ ସରିଗଲା ? ସେ କହିଲେ, କାମ ସରିନାହିଁ ଯେ, ଅସଲ କାମଟା ବାକି ରହିଯାଇଛି । ଆଗନ୍ତୁକଙ୍କ ପାଟି ଶୁଣି ଫେରିବାକୁ ବାଧ୍ୟ ହେଲି । ଏଇ ଅବସରରେ ଆଗନ୍ତୁକ ନିଜ ଗୋଡ଼ରୁ ଜୋତା ଦିଟା ସେଇଠି ଫିଙ୍ଗାଡ଼ି ଦେଇ ପର୍ଶୁବାବୁଙ୍କ ଗୋଡ଼ତଳେ ଲମ୍ବ ହୋଇ ଲୋଟିଗଲେ । କାନ୍ଦକାନ୍ଦ ହୋଇ କହିଲେ, କ୍ଷମା କରନ୍ତୁ ଆଜ୍ଞା, ଅକ୍ଷମଣୀୟ ଦୋଷ କରିଛି ମୁଁ । ତଥାପି ତାଙ୍କୁ କହିବାକୁ ନ ଦେଇ, ପର୍ଶୁବାବୁ, ଇଏ କଅଣ ଏପରି କାହିଁକି ହେଉଛନ୍ତି କହି ତଳେ ପଡ଼ିଯିବା ପୂର୍ବରୁ ତାଙ୍କୁ ଉଠାଇଦେଲେ । ମାତ୍ର ସେ ଉଠିବାର ଉପକ୍ରମ କରୁନାହାନ୍ତି । କହୁଥାନ୍ତି, ଆପଣ କ୍ଷମା କଲେ ଉଠିବି । ପର୍ଶୁବାବୁ କହିଲେ, ବସା ଜାଣିବାରେ ଆପଣ ଦୋଷୀ ନୁହନ୍ତି, ବଂର ମୋର ହିତକାଂକ୍ଷୀ । ଆଉ କ୍ଷମା ଦେବାର ଶକ୍ତି ମୋର ଅଛି ବୋଲି ଆପଣ ବିଚାରୁଥିବେ ତ, ତାହା ଆପଣ ମାଗିବା ପୂର୍ବରୁ ମୁଁ ଦେଇ ସାରିଛି । ଏହା ମହି ସେ ଭଦ୍ରବ୍ୟକ୍ତିଙ୍କୁ ତଳୁ ଉଠାଇ ଦେଲେ ।

 

ଏପରି ଦୃଶ୍ୟ ଦେଖିବାକୁ ମୁଁ ଆଶା କରି ନ ଥିଲି । ବୟସ୍କ ଭଦ୍ରବ୍ୟକ୍ତିଙ୍କର ପର୍ଶୁବାବୁ ଯେ କିପରି ନମସ୍ୟ, ମୁଁ ବୁଝି ପାରିଲି ନାହିଁ । ପୁନଶ୍ଚ ସେ ବ୍ରାହ୍ମଣ ହୋଇ ନ ଥାଇପାରନ୍ତି । ମାତ୍ର ଅପରାଧୀ ପରି ଏପରି ଗୋଡ଼ତଳେ ପଡ଼ି କାକୁତି ମିନତି କରି କଥା କହିବାର ରହସ୍ୟ ମୁଁ କିଛି ବୁଝିପାରୁ ନ ଥାଏ । ପର୍ଶୁବାବୁ କିଛି ଇଙ୍ଗିତ କରିବେ, ଏଇ ଆଶାରେ ଅପେକ୍ଷା କରି କରି ମୁଁ ନୀରବରେ ଅଭିନୟର ମୂକସକ୍ଷୀ ପରି ସେଠାରେ ସ୍ଥାପିତ ହୋଇଥାଏ । ପର୍ଶୁବାବୁ ଝାଡ଼ା ଯିବାକୁ ଫେରି ନ ଯାଇ, ଗାମୁଛା ବଦଳି ଧୋତି ଜାମା ପିନ୍ଧିବାର ଦେଖି ମୁଁ ଭାବିଲି, ସେ ବୁଲି ବାହାରିଲେଣି । ଆଗନ୍ତୁକ ଭଦ୍ରଲୋକ ସେତେବେଳକୁ ମୋ ପାଖରେ ଆସି ବସିଲେଣି । ସେ ଗୋଟାଏ କିଛି ଗୁରୁତର ପ୍ରସଙ୍ଗର ଆଲୋଚନା କରିବାକୁ ଚିନ୍ତା କରୁଥିଲେ । ଏହା ତାଙ୍କର ଭାବଭଙ୍ଗୀରୁ ଜଣା ପଡ଼ୁଥାଏ । ପର୍ଶୁବାବୁଙ୍କ ବାହାରି ଯିବାର ଉପକ୍ରମ ଦେଖି ଆରନ୍ତୁକଟି ଚଟ୍ କରି ବସିଲା ଜାଗାରୁ ଉଠି ତାଙ୍କ ହାତ ଧରିପକେଇ କହିଲେ, ‘‘ଆଜ୍ଞା, ଏତେକ ଗ୍ରହଣ କରିବେ ତ, ମୁଁ ଜାଣିବି ଯେ ଆପଣ ମୋତେ କ୍ଷମା କରିଛନ୍ତି ।’’ ହାତରେ ତାଙ୍କର ପାଞ୍ଚଟଙ୍କିଆ ନୋଟ ଧରା ହୋଇଥାଏ । ଟ୫୦୦ ହେବାର ଅନୁମାନ । ପର୍ଶୁବାବୁ ନୋଟ ବିଡ଼ାକୁ ଟିକିଏ ଚାହିଁଲେ, ତାଙ୍କ ମୁହଁ ଆଡ଼କୁ ଟିକିଏ ଚାହିଁଲେ, ତା’ପରେ କହିଲେ, ପାଗଳ ନା କଅଣ ? ଏ ସବୁ ବାଚାଳତାର ପୁନାରାବୃତ୍ତି କାହିଁକି ? ଏହା କହି ତାଙ୍କୁ ଏଡ଼ାଇ ପଦାକୁ ଚାଲି ଯିବାକୁ ବସିବାରୁ ମୁଁ ଯାଗା ଛାଡ଼ି ଠିଆହୋଇ ପଡ଼ିଲି । ମୋ ଉଠିବା ଦେଖି ସେ କହିଲେ, ରଥବାବୁ, ଆପଣଙ୍କର ମୋ ସାଙ୍ଗରେ ଆସିବା ଦରକାର ନାହିଁ । ଆପଣ ଏ ଭଦ୍ରବ୍ୟକ୍ତିଙ୍କ ଚର୍ଚ୍ଚା କରୁଥାନ୍ତୁ । ମୁଁ ଶୀଘ୍ର ଫେରି ଆସୁଛି । ଏହା କହି ସେ ବାହାରିଗଲେ । ଆଗନ୍ତୁକ ଅତନ୍ତ୍ୟ ସନ୍ତର୍ପଣରେ ଟଙ୍କା ବିଡ଼ାକୁ ପକେଟରେ ରଖୁ ରଖୁ ମୋତେ ପଚାରିଲେ, ଆପଣଙ୍କର ପର୍ଶୁବାବୁ କଅଣ ହୁଅନ୍ତି କି ? ମୁଁ କହିଲି, ‘‘ଆପଣ ଯାହା ଅନୁମାନ କରିଛନ୍ତି, ତାହାହିଁ ।’’ ତହୁଁ ସେ–ସ୍ୱ ଇତିହାସ ଆପେ ଆପେ ଆରମ୍ଭ କରି ବସିଲେ । ‘‘ଆପଣ ତା’ହେଲେ ମୋ ବିଷୟରେ ସବୁ ଜାଣିଥିବେ । ମୁଁ ଲାଜରେ ମୁହଁ ଦେଖାଇ ପାରୁ ନଥିଲି । ପର୍ଶୁବାବୁ ଭାବୁଥିବେ ଯେ ମୋ ପରି ଠକ, ବଦ୍‌ମାସ, ଜୁଆଚୋର ଲୋକ ସଂସାରରେ ଆଉ ନ ଥିବ । ଦୋଷ ତାଙ୍କର ନୁହେଁ । ମୁଁ କର୍ମ–ବିପାଜରୁ ସେପରି ଘଟିଲା । ପର୍ଶୁବାବୁଙ୍କ ଭଳି ଦେବୋପମ ବ୍ୟକ୍ତିଙ୍କୁ ମୁଁ ଯେଉଁ ବ୍ୟବହାର କଲି ତାର ପରିଣାମ ମୁଁ ଦୀର୍ଘ ୭ ବର୍ଷ ହେଲା ଭୋଗ କରୁଛି । ପ୍ରାଣରେ ମୋର ଟିକିଏ ହେଲେ ଶାନ୍ତି ନାହିଁ । ମୁଁ ଚାଣ୍ଡାଳ, ଦୁର୍ବୁଦ୍ଧିରେ ପଡ଼ି ଯେଉଁ ହୀନ ଆଚାରଣ କଲି ତା’ର ଅନୁତାପ ଅନଳରେ ପୋଡ଼ି ପୋଡ଼ି ଭସ୍ମ ହୋଇଗଲିଣି । ପ୍ରାୟଶ୍ଚିତ୍ତ କରିବାକୁ ଆସିଥିଲି, ମାତ୍ର ସେ ଆଶା ତ ଲୁପ୍ତ ହୋଇ ଆସୁଛି । ଟିକିଏ ସାହାଯ୍ୟ କରିବେ ନାହିଁ, ଆଜ୍ଞା ? ମୋର ଆପଣଙ୍କୁ ଶତ ଅନୁରୋଧ ।’’ ଏହେ କହି ସେ ମୋ ହାତ ଧରି ପକେଇଲେ । ମୁଁ ସ୍ପଷ୍ଟ ରୂପେ କିଛି ବୁଝି ପାରୁ ନ ଥାଏ । ମାତ୍ର ନିଜର ବୋକାମିର ପରିଚୟ ଦେବାକୁ କୁଣ୍ଠାବୋଧ କରୁଥାଏ । ସାପ ମରିବନି କି ବାଡ଼ି ଭାଙ୍ଗିବ ନାହିଁ, ଏଇ ପଥ ଅନୁସରଣ କରି ମୁଁ କହିଲି, ‘‘ଆପଣ ତ ପର୍ଶୁବାବୁଙ୍କ ପ୍ରକୃତି ଭଲକରି ଜାଣନ୍ତି । ମୁଁ କଅଣ କରିବାକୁ ଆପଣ କହୁଛନ୍ତି ଯେ ।’’

 

ସେ ପୁଣି କହି ଚାଲିଲେ, ‘‘ମୁଁ ଯେଉଁ ଅବସ୍ଥାଚକ୍ରରେ ପଡ଼ି ତାଙ୍କୁ ଠକିଥିଲି, ତାହା ଟିକିଏ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କଲେ ନିଶ୍ଚୟ ତାଙ୍କର ଦୟା ଉଦ୍ରେକ ହେବ । ମୁଁ କିଛି କହିବାକୁ ମୋର ମୁହଁ ଖୋଲୁନାହିଁ । ଟଙ୍କା ଅଢେଇଶଟା ନ ଦେଇ ପାରିବାରୁ ସେ ଚାଣ୍ଡାଳ ନାଲିସ୍ କଲା । ମୁଁ ହାଜତ୍‌ରେ ରହିଲି । ମୋତେ ପର୍ଶୁବାବୁ ଜାମିନରେ ଖଲାସ୍ କଲେ । ମୁଁ ଚାଣ୍ଡାଳ ଖଲାସ୍ ହୋଇ ଟଙ୍କାର ଯେତେ ଯୋଗାଡ଼ କଲି, ହୋଇ ପାରିଲା ନାହିଁ । କିଂକର୍ତ୍ତବ୍ୟବିମୂଢ଼ ହୋଇ କିଛି ଠିକଣା କରିବା ପୂର୍ବରୁ କାଗଜରେ ଖବର ବାହାରିଲା ଯେ ପର୍ଶୁବାବୁ ୬ ମାସ କାରାଦଣ୍ଡ । ସେତେବେଳେ ମଧ୍ୟ ମୋର ସୁବୁଦ୍ଧିଜାତ ହେଲା ନାହିଁ । ଅଭାବର ତିକ୍ତ ତାଡ଼ନାରେ ମୁଁ ହତ । ବୃଦ୍ଧ ହୋଇଗଲି । ମୋର ମତିଭ୍ରମ ହେଲା । ଭାଗ୍ୟା ଚକ୍ରର ଘୂର୍ଣ୍ଣନରେ ମୋ ଭାଗ୍ୟ ଫେରିଲାବେଳକୁ ଲେଡ଼ିଗୁଡ଼ କହୁଣୀକୁ ବୋହି ସାରିଥାଏ । ଅନେକ ଅନୁସନ୍ଧାନ ପରେ ପର୍ଶୁବାବୁଙ୍କ ଠିକଣା ପାଇଲି । ଭାବୁଥିଲି, ଅଜି ମୋର ଭାଗ୍ୟୋଦୟ ହେଲା । ମାତ୍ର ହତଭାଗ୍ୟର ପୁଣି ଭାଗ୍ୟ ଉଦୟ କି କେବେ ସମ୍ଭବ ? ଏଇ ଟଙ୍କା ୫୦୦ଟି ଯଦି ପର୍ଶୁବାବୁ ମୋଠାରୁ ଗ୍ରହଣ କରନ୍ତେ ତା’ହେଲେ ମୁଁ ଟିକିଏ ଶାନ୍ତି ଅନୁଭବ କରନ୍ତି । ସତ କହୁଚି, ମୁଁ ଆଉ ଏ କଷ୍ଟ ସହି ପାରିବି ନାହିଁ । ବେଳେବେଳେ ଏତେ ବିବ୍ରତ ଲାଗୁଛି ଯେ ଆତ୍ମହତ୍ୟା ଶ୍ରେୟସ୍କର ମଣୁଛି ।’’ ସେ ଏତିକି କହିଛନ୍ତି ପର୍ଶୁବାବୁ ଫେରିଆସି ପହଞ୍ଚିଲେ । ହାତରେ ତଙ୍କର ଜଳଖିଆ ଠୁଙ୍ଗାଟାଏ । ମୁହଁରେ ତାଙ୍କର କୌଣସି ପରିବର୍ତ୍ତନ ଲକ୍ଷ୍ୟ କଲି ନାହିଁ । ସବୁବେଳ ପରି ମୁହଁରେ ଅମାୟିକତା ଫୁଟି ଉଠୁ ଥାଏ । ସେ ୩ଟି ପାତ୍ରରେ ଜଳଯୋଗର ବ୍ୟବସ୍ଥା ସଙ୍ଗେ ସଙ୍ଗେ କରିଦେଲେ । ନିଜ ପାଇଁ ସ୍ୱଳ୍ପ ପରିମାଣରେ ବାଢ଼ିଥାନ୍ତି । ମୁଁ ଏହା ଲକ୍ଷ୍ୟ କରି କହିଲି, ‘‘ଆଜ୍ଞା ସେ ଅଳ୍ପକିଆ ଠାଟି କିନ୍ତୁ ମୋର ।’’ ସେ ପ୍ରତିବାଦ କଲେ, ‘‘ଆପଣ ତ ମୋ କଥା ଜାଣନ୍ତି । ମୁଁ ପ୍ରଥମେ ନିଜକୁ ବାଦ୍ ଦେଇ ବାଢ଼ିବାର ସ୍ଥିର କରୁଥିଲି, ମାତ୍ର ଅଂଶଗତ ହେବ ବୋଲି ଭାବି ମୋ ପାଇଁ ବାଢ଼ିଲି । ଆପଣମାନେ ଜାଣିବେଣି ମୁଁ ସ୍ୱୀକାର କରୁଛି ଖାଇବା ପାଇଁ । ମୋର ସଂପୂର୍ଣ୍ଣ ଛାଡ଼ ପାଇବାର କଥା । ମାତ୍ର ଆପଣମାନଙ୍କର କଅଣ ସେ ବଦାନ୍ୟତା ଅଛି ?’’

 

ଆଗାନ୍ତୁକ ହତବାକ୍ ହୋଇ ନୀରବରେ ବସିଥାନ୍ତି । ପର୍ଶୁବାବୁଙ୍କ ଅନୁରୋଧରେ ଖାଇବା ଆରମ୍ଭ କଲୁଁ । ମୁଁ ଗିଳିବାରେ ବ୍ୟାପୃତ ଥାଏ ମାତ୍ର ସେ ଖାଇବେ କଅଣ, ବାରମ୍ବାର ସେ ପର୍ଶୁବାବୁଙ୍କୁ ନିରୀକ୍ଷଣ କରୁଥାନ୍ତି । କେତେବେଳ ଉତ୍ତାରୁ କହିଲେ, ‘‘ଆଜ୍ଞା, ଆପଣ ମୋ ଅନୁରୋଧ ରକ୍ଷା କରିବେ ତ ମୁଁ ଖାଇବି ।’’ ପର୍ଶୁବାବୁ କହିଲେ, ‘‘ଆପଣଙ୍କ ଅବାନ୍ତର କଥା ମୁଁ କିଛି ବୁଝିପାରୁ ନାହିଁ । ଆପଣ ଏ ଜୀବନରେ ଯେଉଁ ଉପକାର କରିଛନ୍ତି ତାହା ମୁଁ ମୋର ଜୀବଦ୍ଦଶାରେ ସୁଝି ପାରିବାର ନୁହେଁ । ସବୁ ଭଗବାନ ଲୀଳା । ଆପଣ ନିମିତ୍ତ ମାତ୍ର । ନିଜକୁ କର୍ତ୍ତା ମନେକରି ଯଦି କଷ୍ଟ ମନେ କରୁଥିବେ, ତା’ହେଲେ ତାହା ଆପଣଙ୍କ ନିଜକୃତ କର୍ମଭ୍ରମ । ଆପଣ ଏତିକି ବିଚାରୁ ନାହାନ୍ତି ଯେ, ମୁଁ କେଉଁ ଅବସ୍ଥାରେ ଆପଣଙ୍କ ପାଇଁ ଜାମିନି ହୋଇ ଠିଆ ହୋଇଥିଲି । ମୋର ସେ ଅବସ୍ଥାରେ ତାହାହିଁ ସବୁଠାରୁ ଶ୍ରେୟ ଥିଲା । ଆପଣ ମୋ ଦୃଷ୍ଟି-କୋଣରୁ କଥାଟି ବିଚାର କରି ନାହାନ୍ତି । ମୋର ମରଣଶୀଳ ଜୀବନର ଇତିହାସ ଆପଣ ହୁଏତ ଜାଣି ନାହାନ୍ତି । ସମସ୍ତେ ମରିବେ ସତ, ମୁଁ ଜେଲ ଯିବା ପୂର୍ବରୁ ବର୍ଷେକାଳ ନିତିପ୍ରତି ମରୁ ମରୁ ବଞ୍ଚିଥିଲି । କାରଣ, ପ୍ରତିଦିନ ମୋର ଶେଷଦିନ ବୋଲି ମଣୁଥିଲି । ଖାଇବା ଗଣ୍ତାକ କେତେବେଳେ କେଉଁଠୁ ଆସିବ ମୁଁ ଜାଣି ନଥିଲି । ସେ ପରିସ୍ଥିତିରେ ମୁଁ ଜେଲ ଯାଇ ଖାଇବା ଗଣ୍ତାକ ଯେ ଉପରି ଖର୍ଚ୍ଚରେ ପାଇ ପାରିଲି ସେଥିପାଇଁ ମୋର ଆପଣଙ୍କୁ ଧନ୍ୟବାଦ୍‌ଦେବା–କଥା । ପୁନଶ୍ଚ, ଜେଲର ମୋତେ ଯେଉଁ ଦାନ, ସେଥିପାଇଁ ହୃଦୟ ଆପଣଙ୍କ ନିକଟରେ କୃତଜ୍ଞ । ଗୀତା ଅଧ୍ୟୟନର ସୁଯୋଗ ବୋଧହୁଏ ଏ ଜୀବନରେ ମୁଁ ପାଇପାରି ନଥାନ୍ତି । ସବୁ ଦିଗରୁ ବିଚାର କଲେ, ମୁଁ ଆପଣଙ୍କ ପାଖରେ ବଂର ଋଣୀ-। ଏ ପରିସ୍ଥିତିରେ ମୋତେ ଅଧିକ ଋଣୀ କରିବାକୁ ଆପଣ ପ୍ରୟାସୀ ହେଉଛନ୍ତି । ଏହା କୌଣସି ହିତାକାଂକ୍ଷୀର କାର୍ଯ୍ୟ ନୁହେଁ ? ସଂସାରରେ ସୁଖ ଦୁଃଖ ଲାଗି ରହିଛି । ଆପଣ ଜାଣିଶୁଣି ମୋତେ ତ ବିପଦ ମୁଁହକୁ ଠେଲି ଦେଇ ନଥିଲେ । ତେଣୁ ମୁଁ କହିବି, ଆପଣ ଅବାନ୍ତର ପ୍ରସଙ୍ଗ ଉଠାଉଛନ୍ତି-। ମୋତେ ବରଂ ଆପଣ କ୍ଷମା କରିବା କଥା । ମୁଁ ଆପଣଙ୍କୁ ମୋ ହୃଦୟର କୃତଜ୍ଞତା ଜଣାଇବାର ସୁଯୋଗ ପାଇ ନିଜକୁ ଆପ୍ୟାୟିତ ମନେ କରୁଛି । ଦୟା ଟିକିଏ ରଖିଥିବେ । ଆବଶ୍ୟକ ହେଲେ ମୋର ସାହାଯ୍ୟ ଲୋଡ଼ିବେ ତ ମୁଁ ନିଜକୁ ଭାଗ୍ୟବାନ ମନେ କରିବି, ଆପଣଙ୍କର କୌଣସି କାମରେ ଲାଗି ପାରିଲେ । ଅନ୍ୟ କିଛି କହିବାର ଅଛି ତ କୁହନ୍ତୁ । କହିଲେ, ଆଉ ଆପଣଙ୍କର ସବୁ କୁଶଳ ତ ? କେବେ ଆସିଲେ ? ଉଦ୍ଦେଶ୍ୟ ଆଉ କିଛି, ନା ମୁଁ ? ହଁ, ମୋ ପରି ହତଭାଗ୍ୟ ଯେ ଆପଣଙ୍କୁ ପୁରୀକୁ ଟାଣି ଆଣି ନ ଥିବ, ତା କିଏ କହିବ ? ଆଉ ସବୁ ଭଲ ତ ?’’ ଆଗନ୍ତୁକଙ୍କ ପ୍ରତି ମୋର ବିଶେଷ ନଜର ନ ଥାଏ । ସେ ଯନ୍ତ୍ର ଚାଳିତ ପରି କେତେବେଳେ କିମିତି ମୁହଁରେ ଖଣ୍ତେ ଅଧେ ଦେଉଥାନ୍ତି । ମୁଁ ମୁଗ୍‌ଧ ଦୃଷ୍ଟିରେ ବନ୍ଧୁଙ୍କ ମୁଖକୁ ଅନାଇ ରହିଥାଏ । ତାଙ୍କର କଥା କହିବାର ଶୈଳୀ, ଉଚ୍ଚାରଣରେ ଆନ୍ତରିକତା, ବାକ୍ୟର ସାଜସଜ୍ଜା, ଅବିରାମ କହିବାର ଧୈର୍ଯ୍ୟ, ଯୁକ୍ତିର ଅକାଟ୍ୟତା ମୋତେ ଏକ ପ୍ରକର ସ୍ତବ୍‌ଧ କରି ପକାଇ ଥାଏ । ସେ ନୀରବ ରହିଲାରୁ ଆଗନ୍ତୁକ କହିଲେ, ‘‘ମୋତେ ତାହାହେଲେ ନିତାନ୍ତ ନିରାଶ ହୋଇ ଫେରିବାକୁ ପଡ଼ିବ ?’’ ସଙ୍ଗେ ସଙ୍ଗେ ପର୍ଶୁବାବୁ ଉତ୍ତର ଦେଲେ, ‘‘ଆପଣ ଆତିଥ୍ୟ ସ୍ୱୀକାର କଲେ ମୁଁ ନିଜକୁ ଅନ୍ତତଃ ସୌଭାଗ୍ୟବାନ ମନେ କରିବି । ଆପଣ ଏତେ ଶୀଘ୍ର ଫେରି ନ ଯିବାକୁ ମୁଁ ତ ବରଂ ଅନୁରୋଧ କରୁଛ-।’’

 

ଆଗନ୍ତୁକ ଏହା ଶୁଣି ଆଉ ଗମ୍ଭୀର ହୋଇ ରହି ପାରିଲାନି । ଟିକିଏ ଦରହସିଲା ହୋଇ କହିଲେ, ‘‘ମୁଁ ହାର ମାନୁଚି; ଏବେ ଆପଣ ମୋ କଥା ରଖନ୍ତୁ ।’’ ପର୍ଶୁବାବୁ ପ୍ରସଙ୍ଗ ବଦଳାଇବାକୁ କହିଲେ, ‘‘ଆପଣ କେଉଁଠି ରହୁଛନ୍ତି ?’’ ସନ୍ଧ୍ୟା ହେବାକୁ ଅଳ୍ପ ବିଳମ୍ବ ଥାଏ । ସେ ଧର୍ମଶାଳାରେ ରହୁଛନ୍ତି ବୋଲି ଜଣାଇଲେ । ‘‘କିଛି ଅସୁବିଧା ହେଉ ନାହିଁ ତ ?’’

 

‘‘ନାହିଁ, ଆଜ୍ଞା ! ଆଜି ଆସି ପୁରୀରେ ପହଞ୍ଚିଲି । ଚାଲନ୍ତୁ ସନ୍ଧ୍ୟା ଦର୍ଶନକୁ ଶ୍ରୀ ମନ୍ଦିରକୁ ଯିବା ।’’ ପର୍ଶୁବାବୁ କହିଲେ, ‘‘ମୋର ତ ନିତ୍ୟକୃତ୍ୟ ଏ ପର୍ଯ୍ୟନ୍ତ ସରିବାକୁ ନାହିଁ । ଆପଣ ଆଗରେ ଚାଲନ୍ତୁ ।’’ ଆଗନ୍ତୁକ ଆଉ କଅଣ କହିବାକୁ ବିଚାରୁଥିଲେ । ଶେଷରେ କହିଲେ, ‘‘ହଉ ଆଜ୍ଞା ଦେଖା ହେବ ତା’ହେଲେ । ମୁଁ ଟିକିଏ ଆସେ ।’’ ଏହା କହି ସେ ବିଦାୟ ନେଇ ଚାଲିଗଲେ ।

 

ସଂଧ୍ୟା ହୋଇ ଆସୁଥାଏ । ଆମେ ଦୁଇବଂଧୁ ସମୁଦ୍ରକୂଳ ଆଡ଼େ ମୁହାଁଇଲୁଁ । ମୁଁ ପଚାରିଲି, ‘‘ଆଜ୍ଞା, ଜେଲରେ ଆପଣଙ୍କର ଆଉ କି ଅନୁଭୂତି ହେଲା ?’’ ପର୍ଶୁବାବୁ କହିଲେ, ‘‘ଶୁଣନ୍ତୁ ତା’ହେଲେ ।’’

 

‘‘ଯେଉଁ ପରିସ୍ଥିତିରେ ପୂଜାପଣ୍ତାର ବୃତ୍ତି ଉପେକ୍ଷା କରିଥିଲି ତାହା ତ ଆପଣ ଜାଣନ୍ତି । ତାର ଅଳ୍ପ ଦିନ ପରର କଥା । ଭୋକ–ଦାଉ ସଂଭାଳିବା ସହଜ କଥା ନୁହେଁ । ମୋ ପରି ମୂର୍ଖକୁ ବା ଚାକେରି ମିଳୁଛି କେଉଁଠି ? ତଥାପି ନିରାଶ ହୋଇ ଜୀବିକାର ଅନୁସଂଧ୍ୟାନରେ ଲାଗିଥାଏ । ପରିଶେଷରେ ଠାଏ ଗୋଟାଏ ଚାକେରୀ ମିଳିଲା । ମୋର କାମ ନିତାନ୍ତ ସହଜ । ଜଣେ ବିଣିଷ୍ଟ ଧନୀ ବ୍ୟକ୍ତିଙ୍କୁ ଖୋସାମତ କରିବାହିଁ ମୋର କର୍ତ୍ତବ୍ୟ ହେଲା । ସେତେକ ସୁଚାରୁରୂପେ ଚଳାଇ ପାରିଲେ ମୋର ଖାଦ୍ୟ, ପେୟ, ବସନ ଭୂଷଣର ଯାବତ ଅଭାବ ଦୂରୀଭୂତ ହେବ ଏବଂ ମୁଁ ସ୍ୱଚ୍ଛନ୍ଦରେ ତାଙ୍କ ଗହଣରେ ଜଣେ ହୋଇ ଜୀବନଯାପନ କରିବାର ସୁଯୋଗ ପାଇବି । ଚାକେରୀଟି ମିଳିବାରୁ ପ୍ରାଣରେ ବଡ଼ ସ୍ୱସ୍ତି ଅନୁଭବ କଲି । ଏତେ ବଡ଼ ଲୋକ । ତାଙ୍କ ସହିତରେ ଏକ ଆସନରେ ବସି, ଏକ ଆସନରେ ଭୋଜନ କରି, ଏକ ଆରାମରେ ରହି, ସେ ଯାହା ଯେତେବେଳେ କହିବେ, ତା ଶୁଣି ନ ଶୁଣି ହୁଁ କରୁଥିବି, ହଁ । ମରୁଥିବି । ମୋ ପ୍ରକ୍ଷରେ ଏହାଠାରୁ ସହଜ କାମ ଆଉ ସାରା ଜଗତରେ କଣ ହୋଇପାରେ ? ବିଶେଷତଃ ମୁଁ ଏକା ନୁହେଁ, ମୋରି ପରି ଆହୁରି ୮ । ୧୦ ଜଣ ମଧ୍ୟ ଥାନ୍ତି । ସେ ଯାହା କହୁଥାନ୍ତି ତାହା ନିତାନ୍ତ ମନଯୋଗ ସହକାରେ ଶୁଣିବାର ଅଭିନୟ କରିବାକୁ ହେଉଥାଏ ସେ ସମସ୍ତଙ୍କ ଅଭିମତ ଲୋଡ଼ିଲାବେଳକୁ, ହଁ ଟିଏ ଭରିବା ଏବଂ ସେ ଯାହା ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରିବେ, ସେ ବ୍ୟକ୍ତି ହସିବା ପାଇଁ ଆରମ୍ଭ କରିଦେବାରେ କଷ୍ଟ କେଉଁଠି ? ଯେ ଇଛା ସେ ତ ଅତି ସହଜରେ ଏକାମ କରିପାରିବ । ସିଂହାସନ ଆରୋହଣ କରି ସମ୍ରାଟ ଏବଂ ବାଦ୍‌ସାହାମାନେ ଭାଟଙ୍କ ପ୍ରଶଂସା ଶୁଣି ଯେପରି ଆନନ୍ଦ ଉପଭୋଗ କରୁଥିଲେ, ଆମର ଏ ଭଦ୍ରବ୍ୟକ୍ତି ଆମେ ତାଙ୍କ କଥାରେ ହସିଦେଲେ ସେହିପରି ଆତ୍ମସମ୍ମାନ ଅନୁଭବ କରୁଥିଲେ । ସେଇ ପୁରୁଣା ବୁଡ଼ୀଆଣି ଗପ ସେ ବାରଂବାର କହନ୍ତି ମାତ୍ର ପ୍ରତିଥର ଆମକୁ ନୂଆ କରି ଶୁଣିଥିବାର ଅଭିନୟ କରି ହସିବାକୁ ପଡ଼େ । ସେଥିରେ ମଧ୍ୟ ସେପରି କଷ୍ଟ ଅନୁଭୂତ ହୁଅନ୍ତା ନାହିଁ । ମାତ୍ର ଦୁଃଖ ଏବଂ ପରିତାପର ବିଷୟ ଏହି ଯେ, ମୁଁ ଅତି ଅଳ୍ପଦିନରେ ବୁଝିପାରିଲି ଯେ ମୋ ଖାମିଦ ମୋଠାରୁ ବଳି ଏକ ବଡ଼ ଗଧ । ଏବଂ ସେଇ ମୁହୂର୍ତ୍ତରୁ ମୋର ଖୋସାମତି କରିବା ଶକ୍ତି ଏକବାରେ ବିଲୁପ୍ତ ହୋଇଗଲା । ମୁଁ ଚେଷ୍ଟାକଲି, ମୋ ଖାମିଦଙ୍କୁ ସତ୍‌ମାର୍ଗରେ ଚଳାଇବାକୁ । ସେ ନିଜର ବୋକାମିର ପରିଚାୟକ କୌଣସି ପ୍ରସଙ୍ଗ ଉତ୍‌ଥାପନ କଲେ, ମୁଁ ପ୍ରତିରୋଧ ଆରମ୍ଭ କରିଦିଏ । ଆମେ ଯେଉଁମାନଙ୍କ ସଂବନ୍ଧରେ ସବିଶେଷ ଜାଣୁନାଁ, ତାଙ୍କୁ ଖୋସାମତି କରିବାକୁ ଆମକୁ ହୁଏତ କଷ୍ଟ ଲାଗିବ ନାହିଁ । ମାତ୍ର ଆମେ ଯେଉଁମାନଙ୍କୁ ଭଲ କରି ଜାଣୁ, ଯାହାଙ୍କର ଦୋଷ ଦୁର୍ବଳତା ଆମ ଆଖି ଆଗରେ ନାଚୁଥାଏ, ତାଙ୍କୁ ଖୋସାମତ କରିଚା ଯେ କେତେ ଦୁରୂହ ବ୍ୟାପାର ତାହା ଅନୁଭବୀ କେବଳ ଜାଣେ । ଏଣିକି ମୁଁ ଯେତେବେଳେ ଖୋସାମତିଆ କଥା ପଦେ ଉଚ୍ଚାରଣ କରିବାକୁ ଯାଏ, ମୋ ବିବେକ ମୋର ପ୍ରତିକୂଳ ଆଚରଣ କରେ । ଫଳତଃ, ଚାକେରି ପାଇଁ ମୁଁ ଯେ ଅଯୋଗ୍ୟ, ଏହା ମୋ ଖାମିଦ ଜାଣିବାକୁ ବିଶେଷ ବିଳମ୍ୱ ହେଲା ନାହିଁ । ମୋର ଭାଗ୍ୟ ସଙ୍ଗେ ସଙ୍ଗେ ନିୟନ୍ତ୍ରିତ ହୋଇଗଲା । ସେ ମୋତେ ବିଦାୟ ବେଳେ କହିଥିଲେ, ତୁମେ ଏଡ଼େ ଉତ୍ତମ ପ୍ରକୃତରେ ଲୋକ ଯେ ଏ ଯୁଗରେ ଜୀଇଁ ରହିଲେ, ତୁମକୁ ନିର୍ବୋଧ ବ୍ୟତିରେକେ ଅନ୍ୟ କିଛି କୁହାଯାଇ ପାରିବ ନାହିଁ ।

 

ଉଚ୍ଚାଭିଳାଷ ଦୂରର କଥା । ପେଟକୁ ଗଣ୍ତାଏ ଖାଦ୍ୟ ଯୋଗାଡ଼ କରିବାର ଆଶା ସମୂଳେ ମୂହୁର୍ତ୍ତକେ ବିନାଶ ହେଲେ । ଜୀବନ ତୁଚ୍ଛ ବୋଧ ହେଲା । ନିଜ ପ୍ରତି ଘୃଣା ଜନ୍ମିଲା । ମୋର ଏହି ପ୍ରକାର ମାନସିକ ଅବସ୍ଥାରେ ଜେଲ ଯିବାକୁ ପଡ଼ିଥିଲା । ଅରଖିତକୁ ତ ସବୁଦିନେ ଦଇବ ସାହା । ଜେଲ ଭିତରେ ମୋର ଭୋଜନ ଚିନ୍ତା ରହିଲା ନାହିଁ । ତା ଭିତରେ ମୁଁ ପ୍ରାଣରେ ଯେଉଁ ପ୍ରକାର ଶାନ୍ତି ଉପଭୋଗ କଲି, ଜେଲ ବାହାରେ ତାହା ପାଉ ନ ଥିଲା । ମୁଁ ଭାବିଲି, ଜେଲ ଭିତରେ ମୋ ପ୍ରକୃତିରେ ଅଧିକାଂଶ ବ୍ୟକ୍ତି ଥିବେ । ଆଶା କଲି, ତାଙ୍କ ସଙ୍ଗେ ଭାବ ଆଦାନପ୍ରଦାନ କରି ଆନାୟାସରେ କାଳ କାଟିପାରିବି । ଜେଲ ଭିତରେ ଅତି ଅଳ୍ପ ସମୟରେ ମୋର ଅନୁଭୂତି ହେଲା ଯେ ଯେତେଗୁଡ଼ିଏ ଲୋକ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବାହାରର ପ୍ରତ୍ୟେକ ବ୍ୟକ୍ତିପରି ସାଂସାରିକ ବିଷୟରେ ଧୁରନ୍ଧର । ମୁଁ ସେତେବେଳେ ଟିକିଏ ସାଦାସିଧା ଥାଏ । ମୋର ସେପରି ଅବସ୍ଥାରେ ମୁଁ ପ୍ରାଣପଣେ ଅପରକୁ ସାହାଯ୍ୟ କରେ । ମାତ୍ର ଯେଉଁମାନେ ମୋଠାରୁ ଜେଲ ଭିତରେ ସାହାଯ୍ୟ ପାନ୍ତି ସେମାନେ ଭିନ୍ନ ଉପାଦାନରେ ଗଢ଼ା । ମୋତେ ନିତାନ୍ତ ବୋକା ବୋଲି ଠଉରାଇ ମୋ ଦ୍ୱାରା ସୁଖସ୍ୱାଚ୍ଛନ୍ଦ୍ୟ ହାସଲକରି ନିଜକୁ ବଡ଼ ଚାଲାଖ ବୋଲି ବିବେଚନା କରୁଥାନ୍ତି ଖାଇବାକୁ ଯେଉଁ ବଗଡ଼ା ଭାତ, ଦରସିଝା ଡାଲି ଓ କଂଚା ମାଂସ ତରକାରୀ ମିଳେ, ତାହା ମୁଁ ସହଜରେ ଗଳାଧଃ କରି ପାରେନାହିଁ, ମାତ୍ର ଯେତେଟା ପାରେ ସେତେଟା ଅତି ଆଗ୍ରହରେ ଖାଇ ପକାଏ । ମୋ ଖାଇବାର ପ୍ରଣାଳୀ ଏବଂ ଆଗ୍ରହ ଦେଖି ଜେଲସ୍ଥ ଜେଲର ଏବଂ ଓ୍ୟାଡ଼ର୍‌ ପ୍ରଭୃତି ମନେକରନ୍ତି ଯେ କାନିକା ଏବଂ ଖିରୀ ପୁଳିଠାରୁ ଜେଲର ଖାଦ୍ୟ ମୋତେ ସ୍ୱାଦୁକର, ରୁଚିକର ଏବଂ ପ୍ରୀତିପ୍ରଦ ବୋଧହୁଏ । କ୍ରମଶଃ ମୋର ଅନୁଭବ ସିଦ୍ଧ ହୋଇଗଲା ଯେ ଜେଲ ଭିତରେ ହେଉ ବା ବାହାର ହେଉ, ସବୁଠାରେ ଲୋକଚରିତ୍ର ସମାନ । କେତେକଙ୍କ ମନ ଜେଲର ଗଣ୍ତି ଭିତରେ ସୀମାବଦ୍ଧ ରହି ଭାଜି ପଡ଼େ । ମାତ୍ର ମୁଁ ବିଶେଷ କିଛି ପରିବର୍ତ୍ତନ ଅନୁଭବ କଲିନାହିଁ-। ମୁଁ ପାଚେରୀର ଗୋଟାଏ ପାଖରେ ଆବଦ୍ଧ ଥାଏ ଏବଂ ଅପର ପାର୍ଶ୍ୱରେ ବ୍ୟକ୍ତିମାନେ ହଏତ ନିଜକୁ ମୁକ୍ତ ମନେକରି ସ୍ୱଚ୍ଛନ୍ଦରେ ବିଚରଣ କରୁଥାନ୍ତି । ମାତ୍ର ପ୍ରକୃତି ଯଦି ସମାନ, ଏ ବିଭିନ୍ନତା କେଉଁ ଗୋଟାଏ ବଡ଼ ଧରଣର ଯେ ? ପ୍ରଥମେ ପ୍ରଥମେ ଦିନାକାତେ ମୋତେ ଅବଶ୍ୟ ଅଡ଼ୁଆ ଅଡ଼ୁଆ ଲାଗୁଥିଲା । ଜେଲ ଭିତରେ ଖାଦ୍ୟକ୍ଲିଷ୍ଟତା ଅନୁଭବ କଲେ ମୁଁ ନିଜ ମନକୁ ମନ ବୁଝାଏ ଯେ ଜୀବନଟା ସାରା ତ ଖାଇବାକୁ ପଡ଼ିଛି, ତେଣୁ ସେ ଦିଗରେ ଆଗ୍ରହ ବା ବ୍ୟଗ୍ରତା ମୋର ନ ଥାଏ । ମୋର ଶରୀର ସୁସ୍ଥ ରଖିବାକୁ ମୁଁ ଯତ୍ନବାନ । ଅକ୍ଲାନ୍ତ ପରିଶ୍ରମ କରେ । ମୋତେ ଆପଣ ଯଦି ସୁସ୍ଥ ସବଳ ଥିବାର ଅନୁମାନ କରନ୍ତି, ତାହାଲେ ତାହା ସେହି ଜେଲର ମୋ ପ୍ରତି ଦୟାର ନିଦର୍ଶନ ବୋଲି ମାନବାକୁ ପଡ଼ିବ । ମୁଁ ପିଲାଟି ଦିନୁଁ ପରିଶ୍ରମୀ ନ ଥିଲି । ମାତ୍ର ମୋର ଶ୍ରମ–କାତରତା ଜେଲ ଭିତରେ ଉଭେଇ ଗଲା । ଜେଲ ଭିତରେ ମୁଁ ହସେ, ଫୁର୍ତ୍ତିରେ ଥାଏ, ମୁକ୍ତ ସଂସାରରେ ଗତି କଲାପରି ସଂଚରଣ କରେ । ସୁଦୃଢ଼ ପାଚେରୀ ବ୍ୟତୀତ ଅନ୍ୟ ବିଭିନ୍ନତା ତ ପରିଲକ୍ଷିତ ହେଉ ନ ଥାଏ ।

 

‘‘ଭଗବାନଙ୍କର ଆଉ ଗୋଟିଏ ଆଶ୍ରୀର୍ବାଦ ମୁଁ ଲାଭ କରିଥିଲି । ଜେଲର ସାନ ବଡ଼ ପ୍ରତ୍ୟେକ କର୍ମଚାରୀ ମୋ ଆଚରଣ ଓ କାର୍ଯ୍ୟକଳାପରେ ସନ୍ତୁଷ୍ଟ ଥାନ୍ତି । ସେମାନେ ମୋତେ ଅପର କଏଦୀଙ୍କଠାରୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି । ମୁଁ ମଧ୍ୟ ମୋ ପରିସର ମଧ୍ୟରେ ସେମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ରଖି କାମ କରେ । ଭଗବାନଙ୍କ ନିର୍ଦ୍ଦେଶରୁ ଜେଲର କର୍ମଚାରୀଙ୍କ ଭିତରୁ ଜନୈକ ବ୍ୟକ୍ତି ମୋତେ ଖଣ୍ତିଏ ଗୀତା ଆଣି ପଢ଼ିବାକୁ ଦେଇଥାନ୍ତି । ସେହି ଗୀତା ହିଁ ଜେଲ ଭିତରେ ମୋର ଚିରସହଚର ହୋଇଥାଏ । ଯେତେ ବେଶୀ ପାରାୟଣ କରୁଥାଏ, ତେତେ ବେଶୀ ନୂତନ ନୂତନ ଭାବ ଜାଗ୍ରତ ହେଉଥାଏ । ଏହିପରି ଦିନ ପରେ ଦିନ କଟିଗଲା । ଦିନ ଆସିଲା ଯେଉଁ ଦିନ ମୁଁ ମୁକ୍ତ ହେଲି । ସେଦିନ ଭାରି ଅଡ଼ୁଆ ଅଡ଼ୁଆ ଲାଗିଥିଲା । ପୁଣି ଦରିଦ୍ର ପଞ୍ଚାକ୍ଷର ମନ୍ତ୍ର ମୁଣ୍ତରେ ଢ଼ୁକିଲା କିନା ।’’ ଆଜି ଏତିକି ଥାଉ ।

 

–୧୭–

 

ଆକାଶ ମେଘାଚ୍ଛନ୍ନ ଥାଏ । ସୂର୍ଯ୍ୟ ଡୁବିବାକୁ ଅନେକ ବାକୀ ଥାଏ । ପବନ ଟକିଏ ଟିକିଏ ବହୁଥାଏ । ବର୍ଷା ଅସରାଏ ହେବାର ଆଶଙ୍କା ହେଉଥାଏ । ଆମେ ଦୁଇବନ୍ଧୁ ବେଳାଭୂମିରେ ପହଁଞ୍ଚିଥାଉଁ । କେତୋଟି ପିଲା ବାଲିକଙ୍କଡ଼ା ପଛରେ ଧାଁ ଦଉଡ଼ କରୁଥାନ୍ତି । ସ୍ଥାନେ ସ୍ଥାନେ ବଙ୍ଗମହିଳା ଠିଆହୋଇ ଜମାଟ ବାନ୍ଧି ଗପ ସୁର୍‌ କରି ଦେଇଥାନ୍ତି । କେହି କେହି ଯୁବକ ସମୁଦ୍ର ଦେଖିବା ବାହାନାରେ ରୂପପିପାସା ମେଣ୍ଟାଇବାରେ ରତ ଥାନ୍ତି । କେହି କେହି ପୁଣ୍ୟାତ୍ମାଙ୍କ ପରି ବସିଥାନ୍ତି, ଚକ୍ରବାଳରେ ଦୃଷ୍ଟି ଥାପନା କରି । କେତେକ ବାଳକ ବାଳିକା ପୋଲା ପଇଡ଼ଗୁଡ଼ା ସମୁଦ୍ରକୁ ନିକ୍ଷେପ କରୁଥାନ୍ତି । ଜୁଆରରେ ସେଗୁଡ଼ା ପୁଣି ନିକଟେଇ ଆସିଲେ ଧରୁଥାନ୍ତି ଏବଂ ପୁଣି ଫୋପାଡ଼ୁଥାନ୍ତି । ଚନାଚୂରବାଲା ମଝିରେ ମଝିରେ ତାର ଉପସ୍ଥିତି ଜଣାଇ ଦେଉଥାଏ । ଏ ଦୃଶ୍ୟ ପ୍ରାୟ ସବୁଦିନକାର । ଗୋଟାଏ କଳା ମଚମଚିଆ ଷଣ୍ଢ ଚାରିଆଡ଼କୁ ଆଖି ପକାଇ ଖାଦ୍ୟ ପଦାର୍ଥ ଅନ୍ୱେଷଣ କରୁ କରୁ ଧୀର ମନ୍ଥର ଗତିରେ ଠାଏ ଠାଏ ମୁହଁ ମାରି, ଯେଉଁ ଦିଗକୁ ଆଖି ଦେଉଥାଏ, ସେହି ଦିଗକୁ ମାଡ଼ି ଚାଲିଥାଏ । ତାର ଗତି ଟିକିଏ ବେଶୀ ହେବାରୁ ବସି ରହିବା ଲୋକଙ୍କର ସ୍ୱସ୍ତି ବୋଧ ହେଉ ନ ଥାଏ । ବନ୍ଧୁଟି ମୋରଏ ପ୍ରକୃତିର ଲୋକଟିଏ ଯେ ଯାହା କରିବାକୁ ପ୍ରସ୍ତାବ କଲେ କୁଣ୍ଠିତ ହୁଅନ୍ତି ନାହିଁ । ମୁଁ ଆଗ ପ୍ରସ୍ତାବ କଲି, ଚାଲନ୍ତୁ ଟିକିଏ ବୁଲାଚଲା କରିବା । ମୋ ତୁଣ୍ତରୁ କଥା ସରୁ ନ ସରୁଣୁ ସେ ‘ଚାଲନ୍ତୁ’ କହି ଉଠି ପଡ଼ିଲେ । ଆମେ ଆଗେଇ ଗଲୁଁ ।

 

କିଛି ଦୂର ଯାଇଛୁ ଗୋଟିଏ ଦମ୍ପତି ଆମକୁ ଭେଟିଲେ । ମହିଳାଟି ଆଗେଇ ଆସି ପର୍ଶୁବାବୁଙ୍କ ପଦଧୂଳି ଗ୍ରହଣ କଲେ । ତାଙ୍କ ମୁହଁକୁ ସିଧା ସଳଖେ ଚାହିଁ ପଚାରିଲେ, ‘‘ଭଲ ଅଛନ୍ତି ଆଜ୍ଞା !’’ ତାଙ୍କର ସ୍ୱାମୀ ଅଳ୍ପ ଦୂରରେ ଠିଆ ହୋଇ ରହିଥିଲେ । ତାଙ୍କର ଆମ ଭିତରେ ବ୍ୟବଧାନ ଏତେ କମ୍‍ ଥିଲା ଯେ ସେ ଅନାୟାସରେ ଆମର କଥୋପକଥନ ଶୁଣି ପାରୁଥିବେ । ତାଙ୍କ ପୋଷାକପତ୍ରରୁ ଜଣା ପଡ଼ୁଥିଲା ଯେ ସେ ଆଧୁନିକ ରୁଚିସମ୍ପନ୍ନ କୌଣସି ଭଦ୍ରଘରର ସନ୍ତାନ । ମହିଳା ତାଙ୍କର ଅନୁରୂପେ ସ୍ତ୍ରୀ ବୋଲି ମୋର ଧାରଣା ହେଲା । ମହିଳାଙ୍କ ପ୍ରଶ୍ନରେ ପର୍ଶୁବାବୁ ଟିକିଏ ନୀରବ ରହିଲେ । ଅଧରପ୍ରାନ୍ତରେ ସାମାନ୍ୟ ଟିକିଏ ହସ ଖେଳିବାର ମୁଁ ଅନୁମାନ କରିଛି କିନ୍ତୁ । ମହିଳାଙ୍କ ପ୍ରଶ୍ନର କିଛି ଉତ୍ତର ନ ଦେଇ ସେ ପ୍ରଶ୍ନ କଲେ, ‘‘ଏ ଭଦ୍ରବ୍ୟକ୍ତି ଆପଣଙ୍କ ସ୍ୱାମୀ ନିଶ୍ଚୟ ?’’ ମହିଳା ଟିକିଏ ତଳକୁ ଦୃଷ୍ଟି କଲାରୁ ପୁଣି ପ୍ରଶ୍ନ କଲେ, ‘‘ଆଉ ଆପଣଙ୍କର ସବୁ କୁଶଳ ତ ?’’ ଏହା କହି ତାଙ୍କ ଉତ୍ତରକୁ ଅପେକ୍ଷା ନ ରଖି ପର୍ଶୁବାବୁ ତାଙ୍କ ସ୍ୱାମୀଙ୍କ ସହିତ ସାକ୍ଷାତ୍‌ କରିବା ମାନସରେ କେଇ ପାଦ ମାତ୍ର ଆଗେଇ ଗଲେ ଓ କହିଲେ, ‘‘ନମସ୍କାର ଆଜ୍ଞା ! ବାସନ୍ତୀଙ୍କ ପରି ସ୍ତ୍ରୀରତ୍ନ ପାଇ ଆପଣ ନିଶ୍ଚୟ ନିଜକୁ ଭାଗ୍ୟବାନ୍‌ ମନେ କରୁଥିବେ ।’’ ମୁଁ ସେହିପରି ଅଦୂରରେ ଠିଆ ହୋଇଥାଏ । ମୋର କର୍ତ୍ତବ୍ୟ ସ୍ଥିର କରି ନ ପାରି ସମୁଦ୍ର ଆଡ଼େ ଚାହିଁଥାଏ । ମହିଳାଟି କେଇ ପାଦ ପଛେଇ ଯାଇ ଠିଆ ହୋଇଥାନ୍ତି । ବଂଧୁଙ୍କ ପ୍ରଶ୍ନରେ ଭଦ୍ରଲୋକ କହିଲେ, ‘‘ଆପଣଙ୍କ ନାଁ ପର୍ଶୁବାବୁ ନାଁ ? ଆମ ଓଡ଼ିଶାରେ ଆପଣଙ୍କର କୃତୀ ସନ୍ତାନ ଆଉ କେତୋଟି ଥିଲେ, ଓଡ଼ିଶାର ଭାଗ୍ୟ ଆଜି ଜଳୁଥାନ୍ତା । ଆପଣଙ୍କ ଶୁଭେଚ୍ଛା ଏବଂ ଆଶୀର୍ବାଦରୁ ଆମେ ଦୁହେଁ ଭଲ ଅଛୁଁ । ଯା ହେଉ ବାସନ୍ତୀଙ୍କର ଗୋଟାଏ ବଡ଼ କାମନା ଆଜି ପୂର୍ଣ୍ଣ ହେଲା ।’’ ସ୍ୱାମୀଙ୍କ ମୁହଁରୁ ଏତକ ସରୁ ନ ସରୁଣୁ ବାସନ୍ତୀ ଦେବୀ ଆଗେଇ ଆସି ତାଙ୍କୁ ପ୍ରଶ୍ନକଲେ, ‘‘ଆଉ, ତମର ?’’ ତାପରେ ପର୍ଶୁବାବୁଙ୍କୁ ଅନାଇ ପଚାରିଲେ, ‘‘ଆପଣ ବିବାହକରି ସାରିଲେଣି ?’’ ପର୍ଶୁବାବୁ ହସି ହସି ଉତ୍ତର ଦେଲେ, ମୋ ପାଇଁ କନ୍ୟା ପାତ୍ରୀ ଯୋଗାଡ଼ କରିଥିଲା ପରି ପଚାରୁଛନ୍ତି ଯେ ? ମହିଳା ଟିକିଏ ସଂକୁଚିତ ହୋଇ ନୀରବ ହେଲେ । ଏଇ ସମୟରେ ବର–କୋଳିଆ ଟୋପା ଚାଳିଲା । ମୁଁ ଓ ଭଦ୍ରବ୍ୟକ୍ତି ଦୁହେଁ ଧାଇଁ ଯାଇ ସଡ଼କରେ ପହଞ୍ଚିଲୁଁ । ଖଣ୍ତେ ନୀଳ ରଙ୍ଗର ମଟର ସେଠାରେ ଅପେକ୍ଷା କରିଥିଲା । ଭଦ୍ରବ୍ୟକ୍ତି ଭିତରକୁ ପଶିଯାଇ ମୋତେ ବସିବାକୁ ଅନୁରୋଧ କଲେ । ମୁଁ ଭିତରେ ବସି ପଡ଼ଲି । ଲକ୍ଷ୍ୟ–କଲି, ପର୍ଶୁବାବୁ ବାସନ୍ତୀଙ୍କ କ୍ଷିପ୍ର ଗତି ସହିତ ତାଳ ରଖି ମାଡ଼ି ଚାଲିଛନ୍ତି । ଭଦ୍ରବ୍ୟକ୍ତି ଗେଟ୍‌ଖୋଲା ରଖିଥିଲେ । ବାସନ୍ତୀ ଦେବୀ ସିଧା ସଳଖ ମଟର ଭିତରେ ଢୁକିଲେ । ପର୍ଶବାବୁଙ୍କୁ କହିଲେ, ‘ଆସନ୍ତୁ ଭିତରକୁ, ବସିଯାନ୍ତୁ । ’ ପର୍ଶୁବାବୁ କହିଲେ, ‘‘କ୍ଷମା କରିବେ, ଯାନ୍ତୁ, ପରେ ଦେଖା ହୋଇପାରେ ।’’ ମୋର କିନ୍ତୁ ମଟରରୁ ଓହ୍ଲାଇ ପଡ଼ିବାକୁ ଇଛା ହେଉ ନ ଥାଏ । ମାତ୍ର ପର୍ଶୁ–ବାବୁ ନିମନ୍ତ୍ରଣ ରକ୍ଷା ନ କରିବାରୁ ମୁଁ ଅଗତ୍ୟା ଓହ୍ଲାଇ ପଡ଼ିଲି । ଆଗନ୍ତୁକ ନମସ୍କାର କରି ମଟରରେ ଷ୍ଟାଟ୍‌ଦେଲେ । ଆମେ ନିକ–ଟସ୍ଥ ବରଣ୍ତାକୁ ଉଠିଯାଇ ବର୍ଷା ପ୍ରକୋପରୁ ରକ୍ଷା ପାଇଲୁଁ । କିଛି କ୍ଷଣ ପରେ ବର୍ଷା ଥମିଗଲା । ଆକାଶ ଟିକିଏ ପରିଷ୍କାର ଜଣା ପଡ଼ିଲା । ଆମେ ପୁଣି ଆଗେଇ ଚାଲିଲୁଁ ସମୁଦ୍ରର ପାଣି ଧାରେ ଧାରେ । ବେଳା ଭୂମିକୁ ପୁଣି ବୃଦ୍ଧ ବନିତା ଗୋଟି ଗୋଟି ଗଡ଼ୁ–ଥାନ୍ତି । ମୋର ବାସନ୍ତୀ ଦେବୀ ଏବଂ ତାଙ୍କ ସ୍ୱାମୀଙ୍କ ସବନ୍ଧରେ ବିଶେଷ କିଛି ଜାଣିବାକୁ ଆଗ୍ରହ ଜନ୍ମିଥାଏ । ମୁଁ ପ୍ରଶ୍ନ କଲି, ‘‘ଆଜ୍ଞା, ଏ ବାସନ୍ତୀ ଦେବୀ କୀଏ କି-?’’ ବଂଧୁ ସାଦା ସରଳ ଭାବେ ଉତ୍ତର ଦେଲେ, ‘‘ଦିନେ ମୁଁ ବାସନ୍ତୀ ଦେବୀଙ୍କୁ ନେଇ ସଂସାର ଗଢ଼ିବାକୁ କଳ୍ପନା କରୁଥିଲି । ମାତ୍ର ଆଜି ମୁଁ ପ୍ରାଣରେ ଅଖଣ୍ତ ଶାନ୍ତି ଅନୁଭବ କରୁଛି ଯେ ଭଗବାନ ମତେ ଜଞ୍ଜାଳରୁ ତ୍ରାହି କରିଛନ୍ତି ।’’ ମୁଁ ଟିକିଏ ଥା ଥା ମା ମା ହୋଇ ପ୍ରଶ୍ନ କଲି, ‘‘ଆପଣ ତାହାଲେ ବୈବାହିକ ଜୀବନକୁ ପସନ୍ଦ କରୁନାହାନ୍ତିଁ ନାଁ ପ୍ରେମର ମାଦକତା ଆପଣଙ୍କ ମନଙ୍କୁ ଛୁଇଁ ପାରେ ନାହିଁ ?’’ ବଂଧୁ ଆପତ୍ତି କଲେ, ‘‘ଆପଣ ଯେଉଁ ଅନୁମାନ କରୁଛନ୍ତି, ତହିଁରୁ କୌଣସିଟି ଠିକ୍‌ ନୁହେଁ-। ବୈବାହିକ ଜୀବନକୁ ମୁଁ ନିହାତି ପସନ୍ଦ କରେ, ମାତ୍ର ବୈବାହିକ ଜୀବନର ଗତି ଠିକ୍‌ ରଖିବାକୁ ଯେଉଁ ଧୈର୍ଯ୍ୟ, ତ୍ୟାଗ ଏବଂ ସଂଯମ ଆବଶ୍ୟକ, ତାହା ମୋର ଅଧିକାଂଶ ସମୟରେ ଦୃଷ୍ଟିରେ ନ ପଡ଼ିବାରୁ, ସେ ଦିଗକୁ ମୋ ମନଟା ରଗଡ଼ି ରଗଡ଼ି ଆସୁଛି । ମୁଁ କହିଲି, ‘‘ଆପଣଙ୍କ କଥା ମୁଁ ସ୍ପଷ୍ଟକରି ବୁଝି ପାରୁନାହିଁ । ଆଚ୍ଛା କହିଲେ, ପ୍ରେମର ପ୍ରାଚୁର୍ଯ୍ୟରେ, ବରବଧୂଙ୍କର ପରସ୍ପର ପ୍ରତି ନିଗୁଢ ପ୍ରଣୟରେ, ଜୀବନପଥରେ ନିତିଦିନିଆ ସାମାନ୍ୟ ଅଭାବ ଅସୁବିଧା ବା ଅଭିଯୋଗ କଅଣ ପ୍ରେମର ମାଧୁରୀ ବଢାଏ ନାହିଁ ?’’

 

ବନ୍ଧୁ ଟିକିଏ ଚିନ୍ତା କରି କହିଲେ, ‘‘ପ୍ରେମ କହିଲେ ଆପଣ କଅଣ ବୁଝୁଛନ୍ତି ମୁଁ ଠିକ୍‌କହି ପାରୁନି । ମୋ ପ୍ରାଣରେ ପ୍ରେମର ଅର୍ଥ ଭିନ୍ନ ରୂପେ ତରଙ୍ଗାୟିତ ହୁଏ । ଅବଶ୍ୟ ମୁଁ ଯେ ଠିକ୍‌, ତାହା ମୁଁ କହି ପାରୁନାହିଁ । ଧୈର୍ଯ୍ୟ ଅଛି ତ ମୋ ଦୃଷ୍ଟିଭଙ୍ଗୀ ଶୁଣନ୍ତୁ ।’’ ମୁଁ କହିଲି, ‘‘ଆପଣଙ୍କର କଅଣ ଅଦ୍ୟାବଧି ବୁଝିବାକୁ ବାକି ଅଛି ଯେ ଆପଣଙ୍କ ତୁଣ୍ଡରୁ ଯେ କୌଣସି ପ୍ରସଙ୍ଗ ଶୁଣିବାକୁ ମୁଁ ସତେ ଆଗ୍ରହାନ୍ୱିତ ?’’ ବନ୍ଧୁ ଉତ୍ସାହିତ ହୋଇ ପୁଣି ଆରମ୍ଭ କଲେ ।

 

‘‘ସ୍ଥୂଳତଃ ପ୍ରେମର ଦୁଇଟି ଗୁଣ । ପ୍ରଥମଟି, ପ୍ରେମ ଗୋଟାଏ ଦିଆନିଆ ବସ୍ତୁ ନୁହେଁ । ପ୍ରେମ ପ୍ରେମପାଇଁ କରାଯାଏ ବୋଲି ମୋର ଧାରଣା । ଧରନ୍ତୁ କୌଣସି ସ୍ତ୍ରୀ ସ୍ୱାମୀଙ୍କ ପାଖରେ ଅଳିକଲେ–ମୋତେ ଭଲ ଶାଢୀ ବା ଅଳଙ୍କାର ନ ଦେବେ ତ, ମୁଁ ଜାଣିବି ତୁମର ମୋପ୍ରତି ଲୋଭ ବା ପ୍ରେମ ବା ମମତା କିଛି ନାହିଁ । ଏହା କହି ସେ ବାସ୍ତବିକ୍‌ଅଭିମାନ କରି ବସିଲେ । ଏ କ୍ଷେତ୍ରରେ ମୋ ବିଚାରରେ ସେ ପ୍ରେମ ଯର୍ଥାଥ ପ୍ରେମ ନୁହେଁ କାରଣ ଦେବା ନବା ଉପରେ ତାହା ପର୍ଯ୍ୟବସିତ ହେଲାଣି । ସ୍ୱାମୀ ଅଳଙ୍କାର ବା ଶାଢୀ ଯୋଗାଇ ପାରିବେ ତ, ପ୍ରେମ ପାଇବେ, ନ ହେଲେ ନାହିଁ । ତା ଅର୍ଥ ସେ ପ୍ରେମ ସ୍ୱାର୍ଥସମ୍ବଳିତ ଏବଂ କୌଣସି ସର୍ତ୍ତର ଗଣ୍ଡି ମଧ୍ୟରେ ସୀମାବଦ୍ଧ କରାଯାଇ ନ ପାରେ । ପ୍ରେମ ଯେ ଅସୀମ !

 

‘‘ଦ୍ୱିତୀୟତଃ, ପ୍ରେମର ଭୟ ବୋଲି ଗୋଟାଏ କିଛି ନ ଥାଏ । ତୁମେ ଯାହାକୁ ଭୟ କରିବ, ତାକୁ ପ୍ରେମ ବା କରିବ କେମିତି ? ରୋଷେଇ ହୋଇନି, ଘରକୁ ଆସିଲେ ଗରଗର ହେବେ–ଏ ଆଶଙ୍କା ଯଦି ସ୍ତ୍ରୀ କରି ଶଙ୍କାକୁଳ ହୁଅନ୍ତି, ତାହେଲେ ମୁଁ କହିବି, ସେଠି ପ୍ରେମ ତିଷ୍ଠି ପାରିବ ନାହିଁ । ତେଣୁ ସ୍ୱାମୀ ଏବଂ ସ୍ତ୍ରୀର ପରସ୍ପର ପ୍ରତି କୌଣସି ଶଙ୍କାକୁଳ ଆଚରଣ ମୋ ମତରେ ପ୍ରେମ ପର୍ଯ୍ୟାୟଭୁକ୍ତ ନୁହେଁ ।

 

‘‘ଆଉ ଗୋଟାଏ ଦିଗରୁ ଆଲୋଚନା ଏବଂ ଅନୁସନ୍ଧାନ ମୁଁ ଏବେ ଚଳାଇଛି । ଏ ପର୍ଯ୍ୟନ୍ତ ତହିଁର କୌଣସି ସିନ୍ଧାନ୍ତରେ ଉପନୀତ ହୋଇ ପାରିନାହିଁ । ତେବେ ଆପଣ ଶୁଣି ପାରନ୍ତି । ସ୍ତ୍ରୀ ଏବଂ ସ୍ୱାମୀ ପରସ୍ପରକୁ ଭଲ ପାଇବାର ଯେ ଅଭିନୟ କରନ୍ତି, ସେଥିରେ ସେମାନେ ନିଜକୁ ଭଲ ପାଇବାର ମୁଁ ଅନୁମାନ କରେ । ପ୍ରତ୍ୟେକ ପ୍ରତ୍ୟେକଙ୍କର ସ୍ୱାମୀ ବା ସ୍ତ୍ରୀ ନିଜକୁ ଅପରର ଯଥାଉପଯୁକ୍ତ ମନେ କରନ୍ତି । କାରଣ ନିଜେ ଯାହା ହେବାକୁ ଚାହାନ୍ତି, ତାର ପ୍ରତିଛାୟା ଅପରର ଦେହ ମନରେ ପ୍ରତିଫଳିତ ହେବାର ଦେଖିଲେ ପ୍ରେମରେ ମୋହ ଯାନ୍ତି । ବାସ୍ତବିକ୍‌ ପ୍ରେମର ସ୍ୱରୂପ ଏହିଠାରେ ହିଁ ସାମାନ୍ୟ ପ୍ରତିଫଳିତ ହୁଏ ।’’ ଯଥାର୍ଥ ପ୍ରେମର ଆଭାସ ଟିକିଏ ଦେବାକୁ ବନ୍ଧୁଙ୍କୁ ମୁଁ ଅନୁରୋଧ କଲି ।

 

ସେ କହିଲେ, ‘‘ବୁଝି ପାରିଲେ ନାହିଁକି ? ଧରନ୍ତୁ, ଘର ପୋଡ଼ିଗଲା ବେଳକୁ ଛୁଆ ଘର ଭିତରେ ରହିଛି । ମା ବୁଲି ଯାଇଛି । ଫେରି ଆସି ଦେଖେ ତ ଛୁଆ ଜଳିଯିବା ଉପରେ । ସେ କଅଣ କରେ ? ନିଜ ଜୀବନକୁ ଖାତିରି ନକରି ନିଆଁକୁ ଡେଇଁପଡ଼ । ଛୁଆକୁ ଉଦ୍ଧାର କରିବା ତାର ଏକମାତ୍ର ଲକ୍ଷ୍ୟ । ସେ ପରିଣାମକୁ ଅପେକ୍ଷା ରଖେ ନାହିଁ । ନିଜେ ହୁଏତ ପୋଡ଼ି ଜଳି ଭସ୍ମ ହୋଇ ଯାଇପାରେ, ମାତ୍ର ସେଥିପ୍ରତି ତାର ଚିନ୍ତାଦକ କିଛି ନ ଥାଏ । ଏହା ହେଲା ଯଥାର୍ଥ ପ୍ରେମର ଗୋଟାଏ ନିଦର୍ଶନ । ମା ଯେ ଛୁଆଠାରେ କୌଣସି ସ୍ୱାର୍ଥ ରଖି ଛୁଆର ଜୀବନ ବଞ୍ଚାଏ ତା ନୁହେଁ । ତେଣୁ ଏ ପ୍ରେମ ନିଃସ୍ୱାର୍ଥ, ସେଥିପାଇଁ ପ୍ରେମ ପଦବାଚ୍ୟ । ବାସନ୍ତୀ ଦେବୀଙ୍କୁ ମୁଁ ବିବାହ କରିବା ଭଗବାନଙ୍କର ଅଭିପ୍ରେତ ନୁହେଁ । ସେଥିପାଇଁ ମୋ ହୃଦୟ ସ୍ରଷ୍ଟାର ପଦତଳେ ଆଜି ଛାଏଁ ଅବନତ ହୋଇଯାଉଛି । ପ୍ରେମ କରିବାକୁ ସାରା ସଂସାର ଯେତେବେଳେ ପଡ଼ିଛି, କୌଣସି ଜଣକୁ ସେ ଏକକାଧିପତ୍ୟ ଦେଇ ମୁଁ ଅଧିନତା ସ୍ୱୀକାର କରିବାକୁ ମୁଁ ପସନ୍ଦ କରେ ନାହିଁ । ବାସନ୍ତୀ ଦେବୀଙ୍କ ପ୍ରାଣରେ ସୁଖସନ୍ତୋଷରେ ଯେ ହସ ଫୁଟି ଉଠୁଛି, ତାହା ଚିନ୍ତା କଲେ ମୋର ଅପାର ଆନନ୍ଦ ଜାତ ହୋଉଛି । ମୋର ଇଛା ହେଉଛି, ସମଗ୍ର ବିଶ୍ୱବାସୀଙ୍କ ପ୍ରାଣରେ କିପରି ସୁଖ ସନ୍ତୋଷ ସଂଚରଣ କରାଇ ପାରନ୍ତି କି, ମୋ ଜୀବନ କୃତାର୍ଥ ହୁଅନ୍ତା ।’’ ଏହା କହି ସେ ନୀରବ ହେଲେ ।

 

ତାଙ୍କ କଥା ଶୁଣି ମୁଁ ଯୁକ୍ତି ବାଢ଼ି ପାରିଲି ନାହିଁ ବା ସେଗୁଡ଼ାକ ମୁଁ ଉତ୍ତମ ରୂପେ ହଜମ କରି ପାରିଲି ନାହିଁ । ମୋର ଅବଧାରଣା କରିବା ଶକ୍ତି ନିତାନ୍ତ କମ୍‌ । ମୁଁ ମୋ ଦୁର୍ବଳତା ସ୍ୱୀକାର କରି କହିଲି, ‘‘ଆଜ୍ଞା ଚାଲନ୍ତୁ । ଆଜି ଏତିକିରେ ଥାଉ । ମୋତେ ଯାହା କହି ଗଲେଣି ତାହା ହଜମ କରିବାକୁ ସମୟ ଲାଗିବ ।’’

 

ଫେରିଲା ବାଟରେ ଦୁହେଁ ନୀରବ ଥିଲୁଁ । ବନ୍ଧୁଙ୍କ ମୁହଁ ଚିନ୍ତାମଗ୍ନ ଦିଶୁଥାଏ । ମୁଁ ମୋ ସ୍ତ୍ରୀଙ୍କ ସହିତ ମୋର ସମ୍ପର୍କ ମନେ ମନେ ପର୍ଯ୍ୟାଲୋଚନା କରୁଥାଏ । ଭାବୁଥାଏ, ଏସବୁ ଶୁଣିବା ଆଗରୁ ହୁଏତ ସୁଖୀ ଥିଲି ।

 

–୧୮–

 

ଦର୍ଶନ ସାରି ଦୁଇବନ୍ଧୁ ମନ୍ଦିରରୁ ଫେରୁଥାଉଁ । ଶ୍ରୀମନ୍ଦିରର ଗରୁଡ ସ୍ତମ୍ଭଠାରୁ କେଇ କଦମ ଆଗେଇ ଯାଇଛୁ, ବାଲିସାହି ଦେଇ ସମୁଦ୍ର କୂଳକୁ ସ୍ୱର୍ଗଦ୍ୱାର ବାଟେ ଯେଉଁ ରାସ୍ତା ପଡ଼ିଛି, ସେଇ ରାସ୍ତା ଦେଇ ବାଁ ପାଖ ଗୋଟାଏ ଦୋକାନରେ, ଗୋଟାଏ ଗ୍ରାମଫୋନ ରେକଡରୁ ‘‘ଦୀନବଂଧୁ ଦଇତ୍ୟୋରୀ, ଦୁଃଖ ନ ଗଲା ମୋହରି’’ ସ୍ତବ ଭାସି ଆସୁଥାଏ । ସେଇ ଗ୍ରାମଫୋନ୍‌ର ବିପରୀତ ଦିଗରେ ଗୋଟିଏ ଅନ୍ଧବୁଢ଼ା ଗୋଟିଏ ଚାଳିକାର ହାତ ଧରି ମନଯୋଗ ସହିତ ସ୍ତବଟି ଶୁଣୁଥାଏ । ରେକଡ଼ଟି ସରି ଆସିଲାରୁ ମାଲିକ ଆଉ ଗୋଟିଏ କଅଣ ଲଗାଇବାକୁ ଭାବୁଥାନ୍ତି ବୋଧହୁଏ । ବୁଢ଼ା ଭିକାରୀଟି ଉଠି ପଡ଼ୁ ପଡ଼ୁ କହିଲା, ‘‘ବୁଝିଲୁ ମା, ଖାଲି ଦୀନବଂଧୁ ନୁହନ୍ତି ସେ, ଜଗ–ବନ୍ଧୁ ମଧ୍ୟ ।’’ ତା ଆଖିରୁ ଦୁଇଟୋପା ଲୁହ ନିଗିଡ଼ି ପଡ଼ିଲା । ବଂଧୁ ମୋର ନୀରବ ଥାନ୍ତି । ରେକଡ଼ଟି କେତେବେଳୁ ବନ୍ଦ ହୋଇ ଗଲାଣି । ଆମେ ଆଗେଇ ଚାଲିଥାଉ । ମାତ୍ର ରେକଡରୁ କିଛିକ୍ଷଣ ପୂର୍ବରୁ ଯେଉଁ ମନମୁଗ୍‌ଧକର ଗୀତବାଦ୍ୟ ବାହାରୁ ଥିଲା, ତାହା ବଂଧୁଙ୍କ ମନ–ଗହୀରରେ ପ୍ରତିଧ୍ୱନିତ ହେଉଥାଏ ନିଶ୍ଚୟ । ସେ ଅନ୍ୟମନସ୍କ ହାଇ ଚାଲୁଥାନ୍ତି । ମୁଁ ଯନ୍ତ୍ରଚାଳିତବତ୍‌ ଉଚ୍ଚାରଣ କରୁଥାଏ–‘‘ଖାଲି ଦୀନବଂଧୁ ନୁହଁନ୍ତି, ଜଗବଂଧୁ ମଧ୍ୟ ।’ ବଂଧୁଙ୍କ କାନରେ ମୋ ଅସ୍ପଷ୍ଟ ସ୍ୱର ହଠାତ୍‌ବାଜିଗଲା ବୋଧହୁଏ । ସେ ମୋତେ କହିଲେ, ‘‘ଦୀନବଂଧୁ ଅର୍ଥ କଅଣ, ଆପଣଙ୍କର ଧାରଣା ହୋଉଛି ତ ?’’ ମୁଁ ଟିକିଏ ହସିକରି କହିଲି, ‘‘ହଁ, ଦୀନବଂଧୁର ଆକ୍ଷରିକ ଅର୍ଥ ବୁଝିବା କଷ୍ଟକର ନୁହେଁ ।’’ ସେ କହିଲେ, ‘‘ତାହା ମୁଁ ପଚାରୁ ନାହିଁ ଯେ, ଚକାଡୋଳା ଦୀନବଂଧୁ ନା ଭଗବାନ ଦୀନବଂଧୁ ?’’ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ‘‘ଚକାଡୋଳା ଆଉ ଭଗବାନ କଅଣ ଅଲଗା ଅଲଗା ?’’ ସେ କହିଲେ, ବୁଝିଲେ ଏକ, ପୁଣି ବୁଝିଲେ ବି ଅଲଗା । ଯାହା ହେଉ ଚକାଡୋଳାଙ୍କୁ ଚିହ୍ନିବାପୂର୍ବରୁ ମୁଁ ଭଗବାନଙ୍କ ପରିଚୟ ପାଇଥିଲି ଏବଂ ଏହି ଭଗବାନ ଦୀନବଂଧୁଙ୍କ ପରିଚୟ ପାଇବାର ପୂର୍ବରୁ ମୁଁ ସଂସାରରେ ଏକାକୀ ହୋଇ ଖାଲି ଅନ୍ଧଭାବେ ବିଚରଣ କରୁଥିଲି ।’’

 

ମୁଁ ଆଉ ଟିକିଏ ଖୋଲାସା ଭାବେ ପଚାରିଲି, ‘‘ଆଛା, ସଂସାରରେ ଆପଣଙ୍କର ଆତ୍ମୀୟ ସ୍ୱଜନ ସିନା କେହି ନାହାନ୍ତି, ମାତ୍ର ବଂଧୁ କଅଣ କେହି ନାହାନ୍ତି ?’’ ସେ ମୃଦୁ ପ୍ରତିବାଦ ଜଣାଇଲେ । କହିଲେ, ‘‘ଆପଣ ତ ବେଶ ଲୋକ । ମୁଁ ତ ଆପଣଙ୍କୁ ମୋର ଆତ୍ମୀୟ ସ୍ୱଜନ କେହି ନାହାନ୍ତି ବୋଲି କେବେ କହିନାହିଁ । କହିଥିଲେ ବଂଧୁ କେହି ନାହାନ୍ତି ବୋଲି କେବେ କହିଥିବି ସିନା-! ଦିନ ଥିଲା, ଯେତେବେଳେ ମୁଁ ମନେ କରୁଥିଲି ଯେ ସଂସାରରେ ମାର ଅଗଣିତ ବଂଧୁ ଅଛନ୍ତି । ମାତ୍ର ଭଗବାନଙ୍କ ଆଶୀର୍ବାଦରୁ ସେ ଅନ୍ଧ ବିଶ୍ୱାସ ମୋର ତୁଟି ଯାଇଛି ।’’

 

ଭଗବାନଙ୍କ ସଂବନ୍ଧରେ ଜାଣିବା ଅପେକ୍ଷା, ବଂଧୁଙ୍କ ବିଷୟରେ ଜାଣିବାର ଆଗ୍ରହ ମୋର ନିତାନ୍ତ ବେଶୀ । ଆଜିକାଲି ଯେଉଁ ଲୋକମାନେ ମାଙ୍କଡ଼ ନଚାଇ ପେଟ ପୋଷିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପେଟ ପୁରୁନାହିଁ । ମାତ୍ର ଯେଉଁ ମାଙ୍କଡ଼ମାନେ ଲୋକଙ୍କୁ ନଚାଇ ଖେଳ ଦେଖାଇ ପାରୁଛନ୍ତି, ସେମାନଙ୍କ ମାଲିକ ଅଳ୍ପଦିନରେ ବେଶ୍‌ ଆରାମରେ ନିଜର ସଂସ୍ଥା ଯୋଗାଡ଼ କରି ନେଉଛନ୍ତି । ବିଶେଷ କରି ମୁଁ ଯେତେବେଳେ ମୋ ବଂଧୁଙ୍କ ପ୍ରତି ଟିକିଏ ସ୍ନେହ ସହାନୁଭୂତି ଅଜାଡ଼ି ଦିଏ, ତାହା ଶତଗୁଣିତ ହୋଇ ମୋ ଆବଶ୍ୟକତା ବେଳେ ଫେରି ଆସେ । ମାତ୍ର ଭଗବାନଙ୍କୁ ଏତିକି ସ୍ନେହ ସହାନୁଭୂତି ଦେଖାଇଲେ,ତା ପରିବର୍ତ୍ତେ ପାଏ କଅଣ ଜାଣନ୍ତି ? ତୁଚ୍ଛା ମନସ୍ତାପ, ଅଶାନ୍ତି ଏବଂ ପଶ୍ଚାତ୍ତାପ । ପାଠକେ ଯଦି ମୋତେ ନାସ୍ତିକ ନ ଭାବି ଆସ୍ତିକ ଭାବନ୍ତି, ଅବଶ୍ୟ ନିଜକୁ ନିଶ୍ଚୟ ଭାଗ୍ୟବାନ ମନେ କରିବାକୁ ହେବ । ତା’ପରେ ମୁଁ ବଂଧୁଙ୍କୁ ଅନେକ ପ୍ରଶ୍ନ କରିବାରେ ସେ ମୋତେ ତାଙ୍କର ଅନୁଭୂତିରୁ କାଣ୍ଡିଏ କହିବାକୁ ବାଧ୍ୟ ହେଲେ ।

 

‘‘ଭଗ୍ନ ହୃଦୟ ଏବଂ ନିରାଶ ପ୍ରାଣରେ ଜଗତଟା, ଆଲୁଅ ଥାଉ ଥାଉ, ଅନ୍ଧାର ଦିଶେ । ଜେଲରୁ ଫେରି କଅଣ କରିବି, ଏହି ଦରିଦ୍ର ପଞ୍ଚାକ୍ଷର ଜପ ମୋର ଚାଲିଥାଏ । ଏଇ ସମୟରେ ମୋର ଗୋଟିଏ ଦୁଇଟି ଆତ୍ମୀୟଙ୍କ ସ୍ମୃତି ଜାଗି ଉଠିଲା । ସ୍ଥିର କଲି ତାଙ୍କର ସାହାଯ୍ୟ ଲୋଡ଼ିବାକୁ । ବନ୍ଧୁତ୍ୱର ମୋହ, ବନ୍ଧୁତ୍ୱର ମର୍ଯ୍ୟାଦା ସାମାନ୍ୟ ନୋହେ । ହୃଦୟ ଭାଜି ପଡୁଥିଲା ବେଳେ ବଂଧୁର ଦିପଦ ମିଠାକଥା ସାରା ଜୀବନକୁ ଓଲେଟେଇ ଦେଇପାରେ । ବନ୍ଧୁତ୍ୱର ଦାନ ଅସୀମ । ତେଣୁ ନିରାଶ ମାନବ କାଳେ କାଳେ ଦୁଃସ୍ଥ ପରିସ୍ଥିତିରେ ଖୋଜି–ବସେ ବଂଧୁଙ୍କୁ । ବନ୍ଧୁତ୍ୱର ମହିମା ଗାଇବା ପାଇଁ । ଜଂଜାଳ–ପିଷ୍ଟ ମାନବ ବନ୍ଧୁତ୍ୱର ମର୍ଯ୍ୟାଦା ଉପରେ ନିର୍ଭରକରି ନିଜର ଦୁଃଖ ଦୈନରୁ ଅନ୍ତତଃ ସାମୟିକ ତ୍ରାହି ପାଏ । ଅନାଗତର ରାଶି ରାଶି ଦୁଃଖ ତା ଭାଗ୍ୟକୁ ଜମାଟ ବାଂଧି ଥାଏ, ମାତ୍ର ବନ୍ଧୁତ୍ୱର ଆଶ୍ୱାସନାବାଣୀରେ ସେ ବେପାରୁଆ ଜୀବନ ଯାପନ କରିବାକୁ ସାହସ ବାନ୍ଧେ । ଉଆଁସ ଅନ୍ଧକାରରେ ମଧ୍ୟ କ୍ଷୀଣ ଆଶାଲୋକ ଦେଖିବାକୁ ସମର୍ଥ ହୁଏ । ମୁଁ ଯେଉଁ ବଂଧୁଙ୍କ ନିକଟରେ ପହଞ୍ଚିଲି ତାଙ୍କର ବ୍ୟବସାୟ ହେଉଛି ଟଙ୍କା ପଇସା କରଜ ଦେବା । ମୋର ଦରକାର ନ ଥିଲା ବେଳେ ସେ ମୋତେ ଅନେକ ଥର ଟଙ୍କାପଇସା ଯାଚିଛନ୍ତି । ମୁଁ ତାଙ୍କରି ଦ୍ୱାରସ୍ଥ ହେଲି । ତାଙ୍କୁ କହିଲି ମୋର ଉଦ୍ଦେଶ୍ୟ । ମୋର ଦୁଃଖ ଶୁଣାଇ ସାରି ମୁଁ କହିଲି, ‘‘ବୁଝିଲେ କି, ବର୍ତ୍ତମାନ ଆପଣଙ୍କ ବନ୍ଧୁତ୍ୱ ପରୀକ୍ଷା କରିବା ପାଇଁ ଉପଯୁକ୍ତ ସମୟ ମିଳିଛି । ଆପଣ କୁଣ୍ଠିତ ନ ହୋଇ କିଛି ଧାର ଦିଅନ୍ତୁ; ନ ହେଲେ ମୋ ଅବସ୍ଥା ବାରଣ୍ଡା ଦିକଡ଼ା ହେବ । ନିହାତି ଟଙ୍କା ଦୁଇଶହଟି ଦେଲେ ମୋର ଗୁଜୁରାଣ ମେଣ୍ଟିଯିବ ।’’ ବନ୍ଧୁ ସଙ୍ଗେ ସଙ୍ଗେ ପ୍ରଶ୍ନ କଲେ, ‘‘ଆପଣଙ୍କର କେବଳ ଦୁଇଶହଟି ହେଲେ ଚଳିଯିବ, ନାଁ ଆଉ କିଛି ଲୋଡ଼ା ?’’ ମୁଁ ଅତ୍ୟନ୍ତ ଆଶାନ୍ୱିତ ହୋଇ ସତ୍ୟହିଁ ବ୍ୟକ୍ତ କଲି । ସେ ଯେତେବେଳେ ବୁଝିଲେ ଯେ ମୋର ଆଉ ବକ୍ତବ୍ୟ କିଛି ନାହିଁ, ସେତେବେଳେ ଅତ୍ୟନ୍ତ କୋମଳ ଭାବରେ କହିଲେ, ‘‘ଆପଣ ଜାଣନ୍ତି, ମୁଁ ବନ୍ଧକ ବ୍ୟତିରେକ ଟଙ୍କା ପଇସା କାରବାର କରେ ନାହିଁ । ଯଦି ଦୟା କରି ଆପଣ କିଛି ବନ୍ଧକ ଯୋଗାଡ଼ କରିପାରନ୍ତେ, ତାହାଲେ ମୁଁ ଦୁଇଶହ କ’ଣ ଚାରିଶହ ଟଙ୍କା ଗଣି ଦିଅନ୍ତି ।’’ ମୁଁ ସେପରି ଅବସ୍ଥାରେ ଯେ ବନ୍ଧକର ଯୋଗାଡ଼ କରି ପାରିବି, ଦେଖିଲି ନାହିଁ । ତାହାହିଁ ଅବଗତ ହୁଅନ୍ତେ ସେ କହିଲେ, ‘‘ଆପଣ ଜାଣନ୍ତି ନାହିଁ, ଯେଉଁମାନେ ଅଭାବ ଦାଉରେ ଧାରକରି ବସନ୍ତି,ସେମାନେ ଶୁଝିଲା ବେଳକୁ ଅଭାବର ରୁଦ୍ର କଷାଘାତ ଅନୁଭବ କରନ୍ତି । ତେଣୁ ମୋର ଆଶା, ଆପଣ ମୋତେ ଭୁଲ ନ ବୁଝି କ୍ଷମା କରିବେ ।’’ ତାଙ୍କଠାରୁ ଏ ପ୍ରକାର କଥା ଶୁଣି ମୋ ହୃଦୟ ଘୃଣାରେ ଭରି ଉଠିଲା ସେତେବେଳେ । ମୋ ଜ୍ଞାତସାରରେ ସଂସାରରେ ମୋର ହୋଇ ଜଣେ ଆତ୍ମୀୟ ଥିଲେ । ତାଙ୍କ ପାଖକୁ ଧାଇଁଲି ଏବଂ ମୋର ଯାବତ ଦୁଃଖ ଜଣାଇଲି । ତାଙ୍କର ସାହାଯ୍ୟ ଭିକ୍ଷା କଲି । ସେ ସେଦିନ କହିଲେ,‘‘ମୁଁ ଆଗରୁ ଜାଣିଥିଲି ତୁ ଦିନେ ନା ଦିନେ ମୋ ପାଖକୁ ଆସିବୁ । ତେବେ ତୋ ଅନ୍ତରକୁ ପଚାରିଲେ ବୁଝିପାରିବୁ, ମୁଁ ତୋର କିପରି ହିତାକାକ୍ଷୀଂ । ସେଇ ଦୃଷ୍ଟିରୁ ମୁଁ ତୋତେ ଉପଦେଶଟି ଦଉଛି । ମୋର ଆଶା ତୁ ମୋ କଥାଟି ମାନିବୁ । ତୋର ଅବସ୍ଥାର ଏପରି ବିପର୍ଯ୍ୟୟ ଘଟିଛି ଯେ ଚୋର ଚଣ୍ଡାଳକୁ ଘଟିବ ନାହିଁ । ତୁ ଦେଖିଛୁ ସଂସାରରେ ତୋତେ ଆହା ବୋଲି କହିବାକୁ ମୋ ଛଡ଼ା କେହି ନାହିଁ । ତୁ ସତ କହିଲୁ, ତୋର କେତେ ଟଙ୍କା ଲୋଡ଼ା । ମୁଁ କହିଲି, ‘‘କକା, ମୋର ତିନିଶହ ଲୋଡ଼ା । ମାତ୍ର ମୋର ଆଉ ଜଣେ ବନ୍ଧୁ ଅଛନ୍ତି ଯାହାଙ୍କ ଠାରୁ ମୁଁ ଶହେ ଖଣ୍ଡେ ଧାର ଆଣି ପାରିବି-। ଆପଣ ଦୁଇଶଟି ବର୍ତ୍ତମାନ ଦେଲେ ମୋର ଚଳିଯିବ ।’’ ଏହା ଶୁଣି ସେ କହିଲେ, ‘‘ହଁ, ଉପଦେଶ କଥା କହୁଥିଲି ନାଁ ? ତୋ ଭଲକୁ କହୁଛି, ତୋ ଭାଗ୍ୟ ଭଲ ଥିଲେ ମାନିବୁ, ନ ହେଲେ ନାହିଁ । ତୁ ଗୋଟିଏ କଥା କର । ତିନି ଶହ ଯାକ ଟଙ୍କା ସେଇ ବନ୍ଧୁଙ୍କଠାରୁ ଧାରକର ଯେ, ଗୋଟିଏ ହ୍ୟାଣ୍ଡନୋଟ୍‌ରେ ସବୁ କାମ ହୋଇଯିବ । ଦିଖଣ୍ଡ ହ୍ୟାଣ୍ଡନୋଟ କରି ପୁଣି କିଛି ଅଧିକା ତଣ୍ଡ ଗଣିବୁ କିଆଁ ? ମୋ କଥା ତୋତେ ହୁଏତ ଭଲ ଲାଗିବ ନାହିଁ । ମାତ୍ର ମୋ କଥା ତୁ ମାନୁ, ତାହାଲେ ଭବିଷ୍ୟତକୁ ଦେଖିବୁ ।’’ ଏହା କହି ସେ ତୁନି ପଡ଼ିଲେ । ମୁଁ କାନମୁଣ୍ଡା ଆଉଁଷି ଫେରିଲି । ଫେରୁ ଫେରୁ ବାଟର ମୋର ଗୋଟିଏ ଗପ ମନେ ପଡ଼ିଲା । ଗୋଟିଏ ରାଜା ଥିଲେ । ତାଙ୍କର ୪୦ । ୫୦ ଖାଣ୍ଟି ବନ୍ଧୁ ଏବଂ ଆତ୍ମୀୟ ଥାନ୍ତି । ସେଥିପାଇଁ ରାଜା ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଥାନ୍ତି ଏବଂ ସୁଯୋଗ ପାଇଲେ ଗର୍ବକରି ଏକଥା ସଂସାରକୁ ଜଣାଇ ଦିଅନ୍ତି । ଥରକର ଗୋଟିଏ ସାଧୁ ଆସି ତାଙ୍କର ଆତିଥ୍ୟ ଗ୍ରହଣ କଲେ । ରାଜା ପ୍ରସଙ୍ଗକ୍ରମେ କହିଲେ, ମୋର ଏପରି ୪୦ । ୫୦ଟି ବଂଧୁ ଅଛନ୍ତି ଯେଉଁମାନେ ଆବଶ୍ୟକ ହେଲେ ମୋ ନିମନ୍ତେ ଅକାତରରେ ପ୍ରାଣ ମଧ୍ୟ ଦାନ କରି ପାରନ୍ତି । ଯୋଗକୁ ସେଦିନ ଅମାବାସ୍ୟା ହୋଇଥାଏ । ସାଧୁ କହିଲେ, ତାହାଲେ ଆଜି ଗୋଟିଏ ପରୀକ୍ଷା କରିବା । ସାଧୁଙ୍କ ପରାମର୍ଶ ଅନୁସାରେ ରାଜା ସମସ୍ତଙ୍କୁ ପାଖକୁ ଡ଼କାଇ କହିଲେ, ଆପଣମାନେ ମାଠିଆଏ ମାଠିଆଏ ଗୋଦୁଗ୍‌ଧର ଦାମ କାଲି ରାଜ–କୋଷରୁ ପାଇବେ-। ଆଜି ଆର୍ଦ୍ଧରାନ୍ତ୍ର ସମୟରେ ଏଇ ନିର୍ଦ୍ଧଷ୍ଟ କୁଣ୍ଡରେ ଆପଣମାନେ ଅନ୍ଧାରରେ ଦୁଧ ମାଠିଆଏ ଲେଖା ଆଣି ଢାଳିବେ । ମୁଁ କାଲି ମାପିବି । ଏପରି କରିବା ଉଦ୍ଦେଶ୍ୟ ଯେ ସାଧୁ ମହାଶୟ ଆପଣମାନଙ୍କ ଆନ୍ତରିକତାକୁ ସନ୍ଦେହଚକ୍ଷୁରେ ଦେଖୁଛନ୍ତି । ମୁଁ ତାହା ସତ୍ୟ କରି ପାରୁନାହିଁ-

 

ସମସ୍ତେ ସ୍ୱୀକାର କରି ଉତ୍‌ଫୁଲ୍ଲ ଚିତ୍ତରେ ପ୍ରତ୍ୟାବର୍ତ୍ତନ କଲେ । ତହିଁ ଆରଦିନ ନିର୍ଦ୍ଦିଷ୍ଟ କୁଣ୍ଡ ଦେଖିଲାରୁ ଜଣାପଡ଼ିଲା ଯେ ତହିଁରେ ଶୁଦ୍ଧ ସ୍ଫଟିକ ଜଳ ବ୍ୟତିରେକ ଅପର କିଛି ନାହିଁ । ରାଜାଙ୍କ ପ୍ରଶ୍ନରେ ପ୍ରତ୍ୟେକ ବଂଧୁ କହିଲେ, ମୁଁ ଭାବିଲି ମୋର ମାଠିଆକ ପାଣି ଅବଶିଷ୍ଟ ୪୯ମାଠିଆ ଦୁଧରେ ବାରି ହେବନାହିଁ ବୋଲି । ସାଧୁ ନୀରବ ଥାନ୍ତି । ମୋର ଫେରନ୍ତା ରାସ୍ତାରେ ଏଇ ଗପଟି ମନେପଡ଼ି ଯିବାରୁ ମୁଁ ଭାବିଲି ମୁଁ, ବଂଧୁ ଏବଂ ଆତ୍ମୀୟଙ୍କ ଆତ୍ମୀୟତା ପରୀକ୍ଷା ନିମିତ୍ତ ପ୍ରଥମରୁ ଏ ପ୍ରଥା ଅବଲମ୍ବନ କରିଥିଲେ ମୋତେ ହୁଏତ ଭୁଆଁ ବୁଲିବାକୁ ପଡ଼ିନଥାନ୍ତା ।

 

ଠିକ ସେଇଦିନ ମୁଁ ଦୀନବଂଧୁଙ୍କୁ କେବଳ ଦୀନବଂଧୁ ନୁହେଁ ଜଗବଂଧୁ ରୂପେ ଦେଖିବାକୁ ପାଇଲି । ଚକାଡୋଳା ଯେ ଶ୍ରୀମନ୍ଦିରରେ ଆବଦ୍ଧ, ତା ନୁହେଁ । ସେ ସବୁଠି, ପୁଣି ସମସ୍ତଙ୍କ ପାଇଁ ବଂଧୁ ହେବାକୁ ପ୍ରସ୍ତୁତ । ମାତ୍ର ଆମେ ତାଙ୍କ ପରି ବଂଧୁଙ୍କୁ ଖୋଜାଲୋଡ଼ା କରିବାକୁ ସପ୍ନରେ ସୁଦ୍ଧା ଭାବୁନାହିଁ । କେତେବେଳେ କିମିତି ବିବ୍ରତ ହେଲେ ଧନ ଦିଅ, ପୁଅ ଝିଅ, ସୁଖ ଦିଅ, ଦିଅ, ଏହାହିଁ ମାଗିବସୁ । ବଂଧୁ କୁଶଳରେ ଅଛନ୍ତି କି ନାହିଁ ପଚାରିବା ଆଗରୁ ମାଗି ବସିଲେ କେଉଁ ବଂଧଭଲା ଦଇ ବସିବ । ତଥାପି ଜଗବଂଧୁ ଆମର ଆଚରଣ ଏବଂ ତ୍ରୁଟିକୁ ଉପେକ୍ଷା କରି ଦେଉଛନ୍ତି । ଆପଣ ଗୋଟିଏ କଥା ବିଚାର କରନ୍ତୁ, ତା’ହେଲେ ଜାଣିପାରିବେ ଆମକୁ ସେ କଅଣ ନ ଦେଇଛନ୍ତି ବା ଆମ ପାଇଁ ସେ କଅଣ ନ କରିଛନ୍ତି । ଦେଖନ୍ତୁ, ସ୍ୱାମୀ ଆମର ଶୋଇବା ଏବଂ ଚେଇଁଥିବା ଅବସ୍ଥାରେ ଆମକୁ ରକ୍ଷା କରୁଛନ୍ତି । ସେ ନିଜେ କଅଣ ପିନ୍ଧୁଛନ୍ତି, ଖାଉଛନ୍ତି, ମୁଁ କହି ପାରିବିନି, ମାତ୍ର ଆମ ଖାଇବା ପିନ୍ଧିବା ବନ୍ଦୋବସ୍ତ କରିଛନ୍ତି କି ନାହିଁ ? ପୁନଶ୍ଚ ଆମେ ତାଙ୍କୁ ଖୋଜେ ନ ଖୋଜେ, ଗାଳିକରେ, ଘୃଣାକରେ, ତଥାପି ମୁହୂର୍ତ୍ତକ ପାଇଁ ଆମ ସାଙ୍ଗ ସେ ଛାଡ଼ୁଛନ୍ତି କି ? ଏପରି ବଂଧୁ, ଆତ୍ମୀୟ ଥାଉ ଥାଉ ମୋର ଆଉ ବଂଧୁ ବା ଆତ୍ମୀୟ କଅଣ ଦର–କାର ? ତାଙ୍କରି ଦୟାରୁ ମୁଁ ତାଙ୍କୁ ଚିହ୍ନିବାକୁ ଶିଖିଚି ସିନା !’’ ସେତେବେଳକୁ ମୋ ବସା ନିକଟ ହୋଇ ସାରିଥାଏ । ଭାଗବତ୍‌ ଚର୍ଚ୍ଚା ପଡ଼ିଲା ବେଳକୁ ମୋତେ ପ୍ରକୃତିର ଡାକରା ଆସିବାର ମୁଁ ଅନୁଭବ କରିଥିଲି । ସେଦିନ ସେ ଅନୁଭୂତି ସିଦ୍ଧ ହେଲା ନିଶ୍ଚୟ ।

 

–୧୯–

 

ଏହା ଭିତରେ ଅନେକ ଦିନ ଅତୀତ ହୋଇଯାଇଛି । ତଥାପି ବଂଧୁଙ୍କର ଦେଖା ସାକ୍ଷାତ୍‌କାର ପାଇ ପାରିଲି ନାହିଁ । ମନେ ହେଲା, ବଂଧୁ ଯେପରି ହଠାତ୍‌ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । ମନ ଶଂକାକୁଳ ହେଲାରୁ ତାଙ୍କ ମଠର ମହନ୍ତଙ୍କଠାରୁ ଖବର ନେଲି । ଜଣାଗଲା ଯେ ମୋ ଆଶଙ୍କା ଅମୂଳକ ନୁହେଁ । ପର୍ଶୁବାବୁ ୧୦ । ୧୨ ଦିନ ହେବ ସେଠାରୁ ଚାଲି ଗଲେଣି । କେଉଁଠାକୁ ଗଲେ, କେବେ ଫେରିବେ ସେ କହି ପାରିଲେ ନାହିଁ । ଜାଣିବାର ଅନ୍ୟ ଉପାୟ ତ ନାହିଁ-। ମୋ ଛଡ଼ା ପୁରୀ ଧାମରେ ତାଙ୍କର ଅନ୍ୟ କେହି ବେଶୀ ସଙ୍ଗଲିପ୍ସୁ ହୋଇ ତାଙ୍କ ସ୍ନେହ ସହାନୁଭୂତିର ପାତ୍ର ହୋଇ ପାରନ୍ତି, ଏହା ମଧ୍ୟ ମୋର ଧାରଣା ହେଲା ନାହିଁ । ମୋତେ ବଡ଼ ଅଭିମାନିଆ ଲାଗିଲା । ଅନ୍ତର ଦେଇ ଲୋକଟାକୁ ମୁଁ ଏତେ ଭଲପାଏ । ତଥାପି ଯିବା ପୂର୍ବରୁ ମୋତେ ଯିବାର ଇଙ୍ଗିତ ଟିକିଏ ଦେଇେ ନଥାନ୍ତେ, ନା ? ଲୋକଟା ସତେ କେଡ଼େ ନିମଂମ ! ମାତ୍ର ଅନ୍ୟ କୌଣସି ଗର୍ହିତ ଦୋଷରେ ତାଙ୍କୁ ଅଭିଯୁକ୍ତ କରି ପାରିଲି ନାହିଁ । ମନେ ମନେ ଭାବିଲି, ତାଙ୍କ ଖବର ଖବରକାଗଜ ବ୍ୟତିରେକ ଅନ୍ୟ କୌଣସିଠାରୁ ପାଇବାର ସମ୍ଭାବନା ନାହିଁ । ତେଣୁ ନିତିପ୍ରତି ଦୈନିକ କାଗଜର ଗ୍ରହକ ହେବାକୁ ବାଧ୍ୟହେଲି । ଗୋଟାଏ ବିଷୟ ପ୍ରତି ନିତାନ୍ତ ବ୍ୟାକୁଳିତ ହେଲେ, ଭଗବାନଙ୍କ ନିର୍ଦ୍ଦେଶ କ୍ରମେ ସେ ବିଷୟ ବସନା ଚରିତାର୍ଥ ହେବାର ସୁଯୋଗ ମିଳେ । ଏ ଧାରଣା ମୋର ପ୍ରଥମ ଦିନ କାଗଜପାଠରୁ ଦୃଢ଼ତର ହେଲା । ବଂଧୁଙ୍କର ଖବର ତହିଁରୁ ପାଇ ମୁଁ ପ୍ରାଣରେ ଯେ ପ୍ରକାର ନିର୍ମଳ ଆନନ୍ଦ ଉପଭୋଗ କରିଥିଲି, ତାହା କ୍ୱଚିତ୍ ଅନ୍ୟତ୍ର ମିଳିଥାଏ ।

 

‘ଜାତୀୟ ସମାବର୍ତ୍ତନ ଉତ୍ସବ ଉପଲକ୍ଷେ ସୁକିନ୍ଦାର ବିରାଟ ଜନତାକୁ ପର୍ଶୁଧର ବାବାଙ୍କର ଆହ୍ୱାନ । ’ ଏହି ହେଡ଼ ଲାଇନ୍ ପଢ଼ି ମୋର ଧାରଣା ଦୃଢ଼ୀଭୂତ ହୋଇ ଗଲା ଯେ ଏହି ପର୍ଶୁଧର ବାବା ମୋର ପରମ ସୁହୃଦ ପର୍ଶୁଧର ରଥଙ୍କ ବ୍ୟତୀତ ଅପର କେହି ହୋଇ ନ ପାରନ୍ତି । ମୁଁ ସଙ୍ଗେ ସଙ୍ଗେ ତାଙ୍କ ଉଦ୍ଦେଶ୍ୟରେ କାର୍ଡ଼ ଖଣ୍ଡେ ଲେଖି ପୂଜାରୀ ହାତରେ ପଠାଇ ଦେଲି ଏବଂ ତଦୁତ୍ତାରେ ପୁନଃ କାଗଜରେ ମନୋନିବେଶ କଲି । ପଢ଼ିଲି, ତାଙ୍କ ଭାଷଣ । ‘‘ଦୈହିକ ବଳ ପରାକ୍ରମରେ ବଳୀୟାନ୍ ହୋଇ କେହି କେବେ କେଉଁଠି ବିଶ୍ୱବିଜୟୀ ହୋଇ ପାରେ ନାହିଁ । ପ୍ରଥମେ ମାନସିକ ବଳ ହିଁ ଆହର୍ଯ୍ୟ । ସେଥିପାଇଁ ଆମର ଦୋଷ ଦୁର୍ବଳତାକୁ ମନରେ ସ୍ଥାନ ଦେଲେ ଆମ୍ଭମାନଙ୍କ ଉନ୍ନତି ହେବନାହିଁ, ଆମ୍ଭମାନଙ୍କର ବଳବୀର୍ଯ୍ୟ ବଢ଼ିବ ନାହିଁ । ବରଂ ଦୌର୍ବଲ୍ୟ ହିଁ ବଢ଼ିବ । ବଳଶାଳୀ ଏବଂ ପରାକ୍ରମଶାଳୀ ହେବାକୁ ହେଲେ ଆମକୁ ଅହରଣ ବଳବୀର୍ଯ ସଂବନ୍ଧରେ ଚିନ୍ତା କରିବାକୁ ପଡ଼ିବ । ଗାନ୍ଧି, ଅଶୋକ, ବୁଦ୍ଧି, ବିବେକାନନ୍ଦ ପ୍ରଭୃତି ମନୀଷୀମାନେ ଦୈହିକ ନୁହେଁ, ନୈତିକ ଏବଂ ଆଧ୍ୟତ୍ମିକ ବଳରେ ପରମ ପରାକ୍ରମଶାଳୀ ହୋଇ ଉଠିଥିଲା । ସଂସାରର ପ୍ରତି କନ୍ଦିବିକନ୍ଦିରେ ସେମାନଙ୍କର ବିଜୟ ଶଙ୍ଖ ବାଜି ଉଠୁଥିଲା । ସେମାନେ ବିଶ୍ୱବିଜୟୀ ନୁହନ୍ତି ତ ଆଉ ବିଶ୍ୱବିଜୟୀ କିଏ ?

 

‘‘କଥାର ଚାତୁରିରେ, ଭାବର ପ୍ରବଣତାରେ,ସାମୟିକ ପ୍ରେରଣାରେ ଉତେଜିତ ହୋଇ ନୀରକ୍ଷର ବ୍ୟକ୍ତି ମଧ୍ୟ ଓଜଃସ୍ୱିନୀ ବକ୍ତୃତା ଦେଇପାରେ । ମାତ୍ର ନିଜେ ଦେଉଥିବା ଉପଦେଶାବଳୀରୁ କେତୋଟି ବକ୍ତା ନିଜେ ପାଳନ କରନ୍ତି, ତାହା ଆପଣମାନେ କେବେ ଅନୁସଂଧାନ କରି ନ ଥିବେ । ସେଥିପାଇଁ ଅବଶ୍ୟ ବକ୍ତାଙ୍କୁ ବା ମୋତେ ଦୋଷ ଦେଇ ଲାଭ ନାହିଁ । ମାନସିକ ଦୁର୍ବଳତା, ଦୈହିକ ଦୁର୍ବଳତାର ତାହା ଚାକ୍ଷୁଷ କୁଫଳ । ମୋର ବିଶ୍ୱାସ, ବଳଶାଳୀ ଜନତା ଅନାୟାସରେ ଅନୁଭବ କରିପାରିବେ ଯେ ଭଗବାନ ଶ୍ରୀକୃଷ୍ଣଙ୍କର ଅସୀମ ବଳବୀର୍ଯ୍ୟର ପରାକାଷ୍ଠା ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରେ ବଜ୍ରନିଦ୍ଦୋଷରେ ନିନାଦତ । ଆପଣ ଯେତେ ବଳପରାକ୍ରମଶାଳୀ ହେବେ,ତେତେ ସୂଚାରୁ ରୂପେ ଅପରର ବଳବୀର୍ଯ୍ୟ ସମନ୍ୱିତ କାର୍ଯ୍ୟାବଳୀକୁ ହୃଦୟଙ୍ଗମ କରି ପାରିବେ । ମାତ୍ର ଏହା ମାନିବାକୁ ପଡ଼ିବ ଯେ, ଦୈହିକ ବଳହିଁ ମାନସିକ, ନୈତିକ ବଳର ମୂଳଭିତ୍ତି-। ନିଜର ଦୈହିକ ବଳରେ ଯାହା କରି ନ ହେବ ମାନସିକ ଏବଂ ନୈତିକ ବଳରେ ତାହା ଅନାୟାସରେ କରା ଯାଇପାରେ । ଆସୁରିକ ବଳ କଥା ମୁଁ କହୁନାହିଁ । ମାତ୍ର ବ୍ରହ୍ମଚର୍ଯ୍ୟ ଉପରେ ପ୍ରତିଷ୍ଠିତ ନ ହେଲେ ମାନସିକ ଏବଂ ନୈତିକ ବଳ ସ୍ୱଳ୍ପକ୍ଷଣ ସ୍ଥାୟୀ ହୋଇଥାନ୍ତି...’’ ଇତ୍ୟାଦି ।

 

ଜାତୀୟ ସମାବର୍ତ୍ତନ ଉତ୍ସବରେ ପର୍ଶୁବାବୁ ଲୋକଙ୍କୁ କି ଦୈହିକ, କି ହାର୍ଦ୍ଦିକ, କି ନୈତିକ, ମାନସିକ ବା ଆଧ୍ୟାତ୍ମିକ ବଳରେ ବଳିଷ୍ଠ ହେବାକୁ ଆହ୍ୱାନ କରିବାରେ ଆଶ୍ଚର୍ଯ୍ୟ ନ ହେବାର କିଛି ନାହିଁ । ମତ୍ର ଏହି ବକ୍ତୃତାର ଶେଷ ଆଡ଼କୁ ଯେଉଁ ବିଷୟ ଉଲ୍ଲିଖିତ ହୋଇଥିଲା ତହିଁରେ ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲି ନାହିଁ । ତହିଁରେ ଉଲ୍ଲେଖ ଥିଲା–ସଭାପତି ସର୍ବଶେଷରେ ସାଧାରଣଙ୍କୁ ଜଣାଇ ଦେଇଥିଲେ ଯେ, ପର୍ଶୁବାବୁ ଦୁଇ ଦିନ ପରେ ସ୍ଥାନାନ୍ତରକୁ ଗମନ କରିବେ । ଯେଉଁମାନଙ୍କର କୌଣସି ପ୍ରକାର ସନ୍ଦେହ ଥିବ ସେମାନେ ଏହି ଅବସରରେ ପର୍ଶୁବାବୁଙ୍କୁ ସାକ୍ଷାତ କରି ତାଙ୍କର ସନ୍ଦେହ ମୋଚନ କରିପରିବେ । ତା ପରେ ତାଙ୍କୁ ଧନ୍ୟବାଦ ଅର୍ପଣ କରାହୋଇ ସଭା ମଉଳିଥିଲା ।

 

ମୋର ଆଶଙ୍କା ହେଲୋ, ମୁଁ କାଗଜ ପଢ଼ା ଶେଷ ନ କରି କାର୍ଡ଼ ଖଣ୍ତି ଲେଖିପକାଇ ଦେଇ ହୁଏତ କଷ୍ଟ ଉପାର୍ଜିତ ତିନଟି ପଇସା ନଷ୍ଟ କରି ଦେଇଛି । ଏ ପ୍ରକାର ଆଚରଣରେ ପଶ୍ଚାତ୍ତାପ ଏବଂ ଆତ୍ମଧିକ୍କାର ସ୍ୱଭାବିକ । ମାତ୍ର ମାନବର ପ୍ରକୃତି, କୃତକର୍ମ ତୃଟୀକୁ ଉଦ୍ଧାର କରି ନେବାରେ କାଳେ କାଳେ ଦୃଷ୍ଟ ହୁଏ । ତେଣୁ ମନେ ମନେ ଆଶା ପୋଷିଲି, ପର୍ଶୁବାବୁ ଯିବାରେ ଯଦି ଦିନେ ଓଳିଏ ବିଳମ୍ବ କରନ୍ତି, ତା ହେଲେ କାଡ଼ଟି ହୁଏତ ନିଶ୍ଚୟ ତାଙ୍କର ହସ୍ତଗତ ହେବ । ପୁନଶ୍ଚ ସନ୍ଦେହର କଳାପର୍ଦ୍ଦା ବୁକୁତଳକୁ ଢାଙ୍କି ଆସୁଥାଏ ।

 

–୨୦–

 

ସୂର୍ଯ୍ୟାସ୍ତ ପ୍ରାୟ । ସାମନାରେ ପ୍ରଶସ୍ତ ସାଗର ଏବଂ ପ୍ରଶାନ୍ତ ଆକାଶ ଦୂରଦିଗବଳୟରେ ଅସୀମ ପ୍ରେମରେ ମିଳିତ ହେଉଛନ୍ତି । ସୂର୍ଯ୍ୟ ପଛଆଡ଼େ ଡୁବି ଡୁବି ଆସୁଥାନ୍ତି । ସ୍ୱପ୍ନ ଦେଶର ରାଜକୁମାର ଭଳି ସୁବର୍ଣ୍ଣ ମେଘଖଣ୍ତମାନ ଘୁରି ବୁଲୁଥାନ୍ତି । କେତେବେଳେ ଖଣ୍ତେ ଖଣ୍ତେ ମେଘ ସୂର୍ଯ୍ୟର ରକ୍ତିମାରେ ବିଲୟ ଭଜୁଥାନ୍ତି, କେତେ ବେଳେ ବା ସୂର୍ଯ୍ୟଙ୍କ ବଡ଼ିମା ପରାହତ ହେଉଥାଏ । ଗୋଧୂଳିର ସୌନ୍ଦର୍ଯ୍ୟ ପିଇଯିବାପାଇଁ ସମଗ୍ର ସାଗରଟା ଯେପରି ଅସ୍ଥିର, ଅଧୀର ଓ ଚଞ୍ଚଳ ।

 

ମାତ୍ର ସମୁଦ୍ରର ବେଳାଟା ମୋତେ ଭଲ ଲାଗୁ ନ ଥାଏ । ବହୁ ଦିନ ହେଲା ଏ ଆଡ଼େ ଆସି ନ ଥିଲି । ପ୍ରକୃତିର ସମସ୍ତ ସୌନ୍ଦର୍ଯ୍ୟ ଏକତ୍ର ସମାବେଶ ହେଲେ କଅଣ ହେବ, କଅଣ ଗୋଟାଏ ତ୍ରୁଟି କେଉଁଠି ରହି ଯଇଥାଏ । କିଛି ଗୋଟାଏ ହଜାଇ ଥିଲାପରି ମନ ଖୋଜି ଲାଗିଥାଏ-। ବଂଧୁଙ୍କ ସ୍ମୃତି ବାରଂବାର ବୁକୁ ତଳେ ଜାଗି ଉଠି ମୋ ମନଟାକୁ ଚଞ୍ଚଳ ଓ ଅଧୀର କରୁଥାଏ, ଠିକ୍ ସମୁଦ୍ରର ତରଙ୍ଗ ପରି । ମୋତେ ଆଉ କ୍ଷଣେମାତ୍ର ସେଠି ରହିବାକୁ ଭଲ ଲାଗିଲା ନାହିଁ । ଡୁବି ଆସୁଥିବା ସୂର୍ଯ୍ୟଙ୍କ ପରି ମୋ ବଂଧୁ ଆଉ ମୋତେ ନିରାଶ ଅନ୍ଧକାରରେ ବୁଡ଼ାଇ, ମୋ କୋଳରୁ ଡୁବି ଗଲେ କି—ଏଇ ଭାବନା ମୋ ହୃଦୟରେ କେନ୍ଦ୍ରୀଭୂତ ହେଉଥାଏ । ଦୃଷ୍ଟି ମୋର ଫାଙ୍କା-। ମୁଁ ବସାକୁ ଫେରୁ ଫେରୁ ମୋର କାର୍ଯ୍ୟକ୍ରମ ଆଲୋଚନା କରୁଥାଏ । କୌଣସି ଗୋଟାଏ ଉପଲକ୍ଷ୍ୟ ନେଇ ଅଫିସ ମୋର ବନ୍ଦ ଥାଏ ଓଳିଏ । ଭାବିଲି ଛୁଟିଟା ଆଉ ଟିକିଏ ଲମ୍ୱା ହୋଇଥାନ୍ତା କି ପର୍ଶୁବାବୁଙ୍କ ଗାଁଆଡ଼େ ଘେରାଏ ବୁଲି ଆସି ପାରନ୍ତି । ଗାଁରେ ଯେ ତାଙ୍କର ସାକ୍ଷାତ ଲାଭ ହେବ ତା ନୁହେଁ, ତେବେ ମୋର ଅନ୍ତର ଦେଇ ଯାହାଙ୍କୁ ଶ୍ରଦ୍ଧା କରେ ତାଙ୍କ ବିଷୟରେ ଆଉ କିଛି ଜ୍ଞାନ ତ ଅର୍ଜନ କରି ପାରିବି । ଛୁଟି ନେବି କି ? ପଇସାର ମୋହ ତ କମ୍ ନୁହେଁ । ତଥାପି ବଂଧୁଙ୍କ ଆକର୍ଷଣ–ଶକ୍ତି ପଇସାଠାରୁ ମୋ ପାଖରେ ଗୁରୁ ବୋଧ ହେଲା । ମାତ୍ର ତାଙ୍କ ଠିକଣାଟା ତ ସଠିକ୍ ମନେ ପଡ଼ୁନାହିଁ, କଅଣ କରାଯାଇପାରେ ? ବିଛଣା ଧରିବାକୁ ଯାଉଛି । କାଗଜବାଲା ଆସି କାଗଜଖଣ୍ତେ ବଢ଼ାଇ ଦେଇ ଚାଲିଗଲା । ହେଡିଂ ଗୁଡ଼ାକରେ ଆଖି ଆପେ ଆପେ ଆଗ ବୁଲିଗଲା ପର୍ଶୁବାବୁଙ୍କ ସମ୍ୱନ୍ଧରେ କିଛି ବାହାରିଥିବ କି ? ମନେ ମନେ ଚକାଡୋଳାଙ୍କୁ ସ୍ମରଣ କରୁଥାଏ । କାରଣ ତାଙ୍କର ସ୍ମୃତି ଆଜି ଘନ ଘନ ବୁକୁତଳେ ଚେଇଁ ଉଠୁଥାଏ ।

 

ଭଗବାନ ବଡ଼ ଲୋକ, ନ ହେଲେ ଜଗବନ୍ଧୁ ବୋଲାଉଥାନ୍ତେ ? ସତକୁ ସତ କାଗଜରେ ବାହାରିଥିଲା । ରାୟଗଡ଼ା ହାଇସ୍କୁଲର ଛାତ୍ରଛାତ୍ରୀବର୍ଗଙ୍କୁ ବାବା ପର୍ଶୁଧରଙ୍କର ଭାଷଣ । ହେଡ଼ମାଷ୍ଟର ମହୋଦୟଙ୍କର ଅନୁରୋଧକ୍ରମେ ପର୍ଶୁବାବୁ ଅସୁସ୍ଥ ଥିବା ସତ୍ୱେ ଭାଷଣ ଦେବାକୁ ଅଙ୍ଗୀକାର କଲେ । ତାଙ୍କର ଏ ପ୍ରକାର ଶାରୀରିକ ଅବସ୍ଥାରେ ସେ ଯେଉଁ ପ୍ରଭୂତ କଷ୍ଟ ସ୍ୱୀକାର କରି ସାରଗର୍ଭକ ଭାଷଣ ଦେଲେ, ସେଥିପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ତଥା ସୁଧୀବର୍ଗଙ୍କର ତାଙ୍କଠାରେ କୃତଜ୍ଞତା ।

 

ପର୍ଶୁବାବୁଙ୍କ ବକ୍ତୃତାର ସାରମର୍ମ ଅଳ୍ପ କେତୋଟି କଥାରେ ପ୍ରକାଶ ପଇଥିଲା ବୋଧହୁଏ । ସେ କହିଥିଲେ, ‘‘ଆପଣମାନେ ଥରେ ମାତ୍ର ଅନ୍ତର୍ଦୃଷ୍ଟି ଦେଇ ବିବେଚନା କରନ୍ତୁ । ଆମ୍ଭମାନଙ୍କ ପରମ ପିତାଙ୍କ କଥା ସ୍ମରଣ କରନ୍ତୁ । ଆପଣମାନେ ପ୍ରତ୍ୟେକେ ହୁଏତ ମୋ ସହିତ ଏକମତ ହେବେ ଯେ, ସୃଷ୍ଟି ପରମପିତାଙ୍କ ସୃଷ୍ଟ । ରାମ, ହରି, ଗୋପାଳ, ଗୋବିନ୍ଦ, ମଧୁ, ଦାମୋଦର ଯାହାଙ୍କ ସୃଷ୍ଟ, ଆପଣମାନେ ଯାହାଙ୍କ ସୃଷ୍ଟ, ମୁଁ ମଧ୍ୟ ତାଙ୍କରି ହାତରେ ସୃଷ୍ଟ । ଗୋଟିଏ ପିତାଙ୍କଠାରୁ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ପରସ୍ପରର ଭାଇ ଭଉଣୀ ନୁହନ୍ତି କି ? ଦ୍ରୌପଦୀ, ସୀତା, ସାବିତ୍ରୀ, ତାରା, ଦମୟନ୍ତୀ,ଅନସୂୟା, ଅହଲ୍ୟା ମୋର ଭାଇ ଭଉଣୀ ନୁହନ୍ତି କି ? ରେବା, ରୁକ୍ମିଣୀ, ସାବିତ୍ରୀ, ହରି, ଗୋବର୍ଦ୍ଧନ, ଦୟାନିଧି ପରସ୍ପର ପରସ୍ପରର ଭାଇ ଭଉଣୀ ନୁହନ୍ତି କି ? ମୋରି ପରମ ପିତାଙ୍କ ଛୁଆ ପିଲାମାନେ ମୋର ଭାଇ ଭଉଣୀ ନୁହନ୍ତି କି ? ଆପଣଙ୍କର ଭାଇ ଭଉଣୀ ନୁହନ୍ତି କି ? ଆପଣମାନେ ମୋର ଭାଇ ଭଉଣୀ ନୁହନ୍ତି ତ, ଏ ସଂସାରର ପରମପିତା, ପଶୁପକ୍ଷୀ, ଜୀବଜନ୍ତୁ ମୋର ବନ୍ଧୁ କୁଟୁମ୍ବ ନୁହନ୍ତି ତ, ଆଉ କିଏ ? ମାତ୍ର ଏ କଥା ଆମ୍ଭେ ଚିନ୍ତା ପର୍ଯ୍ୟନ୍ତ କରୁନାହୁଁ । ଏହାଠାରୁ ଅଧିକ କ୍ଷୋଭର ବିଷୟ ଆଉ କଅଣ ହୋଇପାରେ ?

 

‘‘ଆପଣମାନେ ହନୁମାନଙ୍କ ଚରିତ୍ରକୁ ଆଦର୍ଶ ମରନ୍ତୁ । ସ୍ୱାମୀର ଇଙ୍ଗିତ ମାତ୍ର ଯେ ସାତ ସମୁଦ୍ର ଡେଇଁପାରେ ସେ ନିଜେ ହିଁ ତ ସ୍ୱାମୀ ହେବା ନିମନ୍ତେ ଉପଯୁକ୍ତ । ହନୁମାନ ମାତ୍ର ସ୍ୱାମୀ ହେବାକୁ ପସନ୍ଦ କରି ନାହାନ୍ତି । ସେ ଶିଷ୍ୟ ହେବାକୁ ପସନ୍ଦ କରିଛନ୍ତି । ସେ ଯଦି ନିଜେ ସ୍ୱାମୀ ହୋଇଥାନ୍ତେ, ତା’ହେଲେ ତାଙ୍କର ମହିମା କୀର୍ତ୍ତନରେ ଆମେ ଆଜି ହୁଏତ ଏତେ ଅପାର ଆନନ୍ଦ ଲାଭ କରି ପାରୁନଥାନ୍ତେ । ହନୁମାନ ସ୍ୱକାର୍ଯ୍ୟ ସାଧନ ନିମନ୍ତେ ଏପରି ଅଲୌକିକ କାର୍ଯ୍ୟ ସମ୍ପନ୍ନ କରିଥିଲେ ହୁଏତ ତାଙ୍କ ଚରିତ୍ର ଶ୍ରବଣରେ ଆମ ହୃଦୟ ଏତେଟା ଦ୍ରବୀଭୂତ ହେଉ ନ ଥାନ୍ତା । ମାତ୍ର ସେ ନିଜର ଜୀବନକୁ ତୁଚ୍ଛ ମନେକରି ସ୍ୱାମୀର କାର୍ଯ୍ୟ ଉଦ୍ଧାର ନିମନ୍ତେ ଯେ ପ୍ରଭୂତ ତ୍ୟାଗ ସ୍ୱୀକାର କରିଛନ୍ତି, ଯେଉଁ କଷ୍ଟକୁ ବରଣ କରିଛନ୍ତି ସେଥିପାଇଁ ସେ ଆଜି ଆମର ନମସ୍ତ୍ୟ, ପୂଜାର୍ହ । ହନୁମାନହିଁ ବାସ୍ତବିକ୍ ଜିତେନ୍ଦ୍ରିୟ । ଆପଣମାନେ ଚେଷ୍ଟା କଲେ ହନୁମାନଙ୍କ ଆଦର୍ଶରେ ନିଜ ଜୀବନ ଗଢ଼ି ପାରିବେ । ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ ଏବଂ ସୁବର୍ଣ୍ଣ ସୁଯୋଗ । ବ୍ରହ୍ମଚାରି ହୋଇ ଗୁରୁବାକ୍ୟ ଅକ୍ଷରେ ଅକ୍ଷରେ ପାଳନ କଲେ, ଦିନ ଆସିବ, ଯେତେବେଳେ ଆପଣମାନେ ଭାରତମାତାର କୃତି ସନ୍ତାନ ବୋଲାଇବେ । ଦେଶ ଆପଣଙ୍କୁ ଘେନି ଗର୍ବ ଅନୁଭବ କରିବ । ଆପଣମାନେ ଅବହେଳାକ୍ରମେ ହନୁମାନଙ୍କ ପରି ଅଲୌକିକ କର୍ମମାନ ସଂପାଦନ କରିପାରିବେ । ଦିନ ଆସିବ, ଯେତେବେଳେ ଆପଣଙ୍କ ପ୍ରାଣରେ ଅଖଣ୍ତ ସୁଖ ଶାନ୍ତି ସଂଚାର ହୋଇ ଅପରକୁ ଅନୁପ୍ରାଣିତ କରିବ...’’ ଇତ୍ୟାଦି ।

 

ତାଙ୍କର ବକ୍ତୃତା ଶେଷ ପରେ ହେଡ଼ମାଷ୍ଟର ମହୋଦୟ ପର୍ଶୁବାବୁ ଅସୁସ୍ଥ ଥିବାରୁ ସ୍ୱଗ୍ରାମ ବୈଜୟନ୍ତୀପୁର ଅଭିମୁଖେ ଗମନ କରିବାର ସମ୍ଭାବନା ସୂଚାଇ, ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜର ସନ୍ଦେହ ମୋଚନାର୍ଥେ ଆହ୍ୱାନ କରିଥିଲେ ।

 

ଏ ସମ୍ୱାଦ ପଢ଼ି ମୋର କିପରି ଏକ ଧାରଣା ହେଲା ଯେ, ତାଙ୍କ ଗ୍ରାମକୁ ଗଲେ ମୁଁ ନିଶ୍ଚୟ ତାଙ୍କର ସାକ୍ଷାତ ଲାଭ କରିବି । ଭାଗ୍ୟକୁ ଭଗବାନ ମଧ୍ୟ ଅପୂର୍ବ ସୁଯୋଗ ଆଣି ଜୁଟାଇଲେ-। ମୋତେ ମୋ ହାକିମ ଗସ୍ତରେ ବାରିପଦା ଯିବା ନିମିତ୍ତ ଆଦେଶ ବିହିଲେ । ବୈଜୟନ୍ତୀପୁର ବାଲେଶ୍ୱର ଜିଲାରେ । ବାରିପଦା ଯିବାକୁ ହେଲେ ବୈଜୟନ୍ତୀପୁର ଦେଇ ଯାଇହେବ । ମୁଁ ସ୍ୱତଃପ୍ରବୃତ୍ତ ହୋଇ ଉନ୍ମନା ହୋଇଥାଏ ।

 

–୨୧–

 

‘ସତ୍ୟମେବ ଜୟତେ’ ସେହି ଯେଉଁ କୋଠାର ଶୀର୍ଷଭାଗରେ ଲେଖା ହୋଇଛି, ସେ କୋଠାର ଅତୀତ ଇତିହାସ ପୁରାତନ ଗର୍ଭରେ ବିସ୍ମୃତ ନୁହେଁ । ଆମ୍ୱ ନଡ଼ିଆ ଝଙ୍କାଳିଆ ଗଛର ଗହଳିରେ ଯେଉଁଠି ମଲା ବରଟା ସହଜରେ ଲୋକଲୋଚନରେ ପଡ଼େ ନାହିଁ, ସେଠାର ପୁଷ୍କରିଣୀ ଯେଉଁ ସମୟରେ ଖୋଳା ହୋଇଥିଲା, କୋଠାଟି ଠିକ୍ ସେହି ସମୟରେ ତୟାର ହୋଇଥିଲା । କୋଠାର ଶୀର୍ଷଭାଗସ୍ଥ କ୍ଷୁଦ୍ର ହନୁମାନଚିତ୍ରଟି ନିଭି ନିଭି ଆସୁଥିଲେ ହେଁ, ଆୟୁ କଳି ବସିଲେ ବର୍ଷ ୫୦ । ୬୦ର ଭିତର କଥା ପରି ନିଶ୍ଚୟ ଜଣା ପଡ଼ିବ । କୋଠା ଭିତରକୁ ଦୃଷ୍ଟିପାତ କଲେ ବଖରାଏ ପ୍ରଶସ୍ତ ଘର ଛଡ଼ା ଆଉ କିଛି ଦେଖା ଯାଏନାହିଁ । ମାତ୍ର ତା’ର ବାରଣ୍ତାର ଗଠନର ବାହାଦୁରୀ ନିଶ୍ଚୟ ଅଛି । ସ୍ୱଚ୍ଛନ୍ଦରେ ଦୁଇଟି ବ୍ୟକ୍ତି ମୁଣ୍ତକୁ ଯୋଡ଼ି ବାରଣ୍ତାର ଓସାରରେ ରାତି ବିତାଇ ପାରିବେ । ବାରଣ୍ତା ଯେ କୋଠାର ଗୋଟାଏ ପାର୍ଶ୍ୱରେ ସନ୍ନିହିତ, ତାହା ବି ନୁହେଁ । ଚତୁଷ୍କୋଣ ଗୃହଟିର ଚରିପାଖେ ଗୋଲାକାର ପ୍ରଶସ୍ତ ବାରଣ୍ତାଟି କର୍ତ୍ତାର ମହତ୍ତ୍ୱର ପରିଚାୟକ ନିଶ୍ଚୟ ।

 

ବର୍ଣ୍ଣିତ ପାନ୍ଥନିବାସଟି ବୈଜୟନ୍ତୀପୁରରେ । ପାନ୍ଥ ନିବାସଟି ଦେଖି ମନରେ ଗୋଟିଏ ଅହେତୁକ ଆନନ୍ଦ ଜାତ ହେଲା । ଖବର ନେବାରେ ଜଣା ପଡ଼ିଲା ଯେ, ଉକ୍ତ ପାନ୍ଥନିବାସଟି ପର୍ଶୁବାବୁଙ୍କ ପିତା ଶ୍ରୀ ବ୍ରହ୍ମବାଦୀ ରଥେ ନିର୍ମାଣ କରିଥିଲେ । ମାତ୍ର ସେ ଆନନ୍ଦ ମୋର ସ୍ୱଳ୍ପକେ ଉଭେଇଗଲା କାରଣ ମୁ୍ଁ ଶୁଣିବାକୁ ପାଇଲି ଯେ ପର୍ଶୁବାବୁ ଗାଁକୁ ଫେରି ନାହାନ୍ତି । ସେ ଗ୍ରାମରୁ ହଠାତ ବିଦାୟ ନେବାକୁ ମନ ଧାଇଁଲା । ମାତ୍ର ଭଗବାନଙ୍କ ବରାଦ ତ ! ଜନୈକ ସହୃଦୟ ବ୍ୟକ୍ତିଙ୍କ ସୌଜନ୍ୟରେ ମୁଗ୍ଧ ହୋଇ ଆତିଥ୍ୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲି ସେଦିନ । ପର୍ଶୁବାବୁଙ୍କର ଭେଟ ନ ପାଇ ଭଗବାନଙ୍କୁ ତାର କାରଣ ପଚାରିଲି । ସେ କହିବା ପରି ବୋଧ ହେଲା ଯେ, ଭାଗ୍ୟବାନ ବ୍ୟକ୍ତିହିଁ ସତସଙ୍ଗ ଲାଭ କରିବାର ସୁଯୋଗ ପାଏ । ମୁଁ ସ୍ଥିର କଲି, ପର୍ଶୁବାବୁଙ୍କ ସାକ୍ଷାତ୍ ନ ପାଇଲେ କଅଣ ହେବ ତାଙ୍କ ସଂପର୍କରେ ମୋର ଜ୍ଞାନବୃଦ୍ଧିର ସୁଯୋଗ ଏତେ ଅଳ୍ପକେ ଛାଡ଼ି ଦେବାର ନୁହେଁ । ବର୍ଣ୍ଣିତ ପାନ୍ଥନିବାସର ବର୍ତ୍ତମାନ ମାରଫତ୍‍ଦାର ହେଉଛନ୍ତି ଶ୍ରୀ ବିଷ୍ଟର ରଥ ଆପଣେ । ତାଙ୍କର ଜୀବନ ପର୍ଯ୍ୟାଲୋଚନା କଲେ, ତାଙ୍କ ଅନ୍ତଃକରଣରେ ଯେ ଜନମଙ୍ଗଳକର କାର୍ଯ୍ୟ ଥାଇପାରେ, ଏହା ବିଶ୍ୱାସ ଯୋଗ୍ୟ ନୁହେଁ । ଲୋକେ କହନ୍ତି, ତାଙ୍କ ନାଁ ଧଇଲା ଦିନ ବଢ଼ା ହୋଇଥିବା ଥାଳିରୁ ଉଠିଯିବାକୁ ପଡ଼େ । ସେ ଯେ ଜଣେ ଯଖ ପ୍ରକୃତିର ଲୋକ ଏଥିରେ ସନ୍ଦେହ ନାହିଁ । ତାଙ୍କ ବାପେ ଛୁଆ ଦିନୁ ମରିଥିଲେ । ମା ପେଟରୁ ପଡ଼ିଲା ଦିନୁଁ ସାଂସାରିକ ବୁଦ୍ଧିରେ ରଥେ ଆପଣେ ବଡ଼ ଧୁରନ୍ଧର ଥିଲେ । ସେ ନିହାତି କଂଚା ବୟସରେ ପୈତୃକ ସଂପତ୍ତି ଯାହା ଥିଲା ତାହା ତାଙ୍କ ବଡ଼ ଭାଇ ଶ୍ରୀ ବ୍ରହ୍ମବାଦୀ ରଥଙ୍କଠାରୁ ଭାଗ ବଖରା କରି ନେଇଥିଲେ । ଗଲା ବେଳେ ତାଙ୍କ ଅବସ୍ଥା ନିଃସ୍ୱ ଥିଲା । ମାତ୍ର ଗାଁକୁ ଫେରିଲେ ଥୋଡ଼ାଏ ସଂପତ୍ତିର ମାଲିକ ହୋଇ । ଅସହିଷ୍ଣୁ ଲୋକ କହିଲେ, କାଲି କାଙ୍ଗାଳ ହୋଇ ବୁଲୁଥିଲା, ଆଜି ବଡ଼ଲୋକ ବନିଗଲା କିମିତି ? ନିଶ୍ଚୟ ଅସଦ୍ ଉପାୟରେ ଧନ ଭେଇଚି, ବଳେ ବଳେ ଦିନ କେଇଟାରେ ଧରା ପଡ଼ିଯିବ ନାହିଁକି ? କେହି କେହି କହିଲେ ସଂସାରରେ ସୁଖ ଦୁଃଖ ଲାଗିଚି । ସେ ଯେଉଁ ଦୁଃଖରେ ଜୀଇ ରହିଥିଲା, ତା’ପରେ ସୁଖ ପାଇବା ତ ସ୍ୱଭାବିକ କଥା । ଧନ ଆସିଲା ବେଳେ ନଡ଼ିଆରେ ପାଣି ପଶିଲା ପରି ଆସେ । ପୁଣି କେହି କେହି ଈର୍ଷାପରାୟଣ ବ୍ୟକ୍ତି କହିଲେ, ‘‘ଖୋଦା ଯାହାକୁ ଦିଅନ୍ତି, ତାକୁ ଛପର ଫାଡ଼ିକରି ଦିଅନ୍ତି । ପୋତା ମାଲ ତା ହାତରେ ଥୋଡ଼ାଏ ପଡ଼ିଛି ।’’ କେହି କେହି ଅନୁମାନ କରନ୍ତି ଯେ ସେ ଅଜ୍ଞାତବାସ ସମୟରେ ଘରଜୋଇଁ ହୋଇ ରହିଥିଲେ । ଶାଶୁଡ଼ି ଏବଂ ସ୍ତ୍ରୀ ମରିବାରୁ ତାର ସଂପତ୍ତିବାଡ଼ି ବିକ୍ରି କରି ସେଠାରୁ ପଳାଇ ଆସିଛନ୍ତି । ପଇସା ସରିଯିବା ଲୋଭରେ ସେ ଆଉ ବିବାହ କରି ନାହାନ୍ତି । ସଂସାରରେ ତାଙ୍କର ହୋଇ ୭ । ୮ ବର୍ଷର ଝିଅ ଖଣ୍ତେ କେବଳ ଅଛି । ସ୍ଥୂଳତଃ ରଥ ଆପଣଙ୍କ ନାମରେ ଏହି ପ୍ରକାରର ନାନା ଗୁଜବ ଶୁଣାଗଲା ।

 

ପୂର୍ବ ଇତିହାସ ଯାହା ହେଉନା କାହିଁକି, ରଥେ ଆପଣେ ଏବେ ପାଞ୍ଚଜଣଙ୍କ ମଧ୍ୟରେ ଜଣେ ବୋଲି ଗଣିତା ହୁଅନ୍ତି । ଏଥିରେ ତାଙ୍କ ଟଙ୍କା ପଇସାର କାରସାଦି ଅଛି ନ କହି, ତାଙ୍କ ନିଜର ବାହାଦୂରୀ ଅଛି ବୋଲି କହିବା ଉଚିତ୍ । ସେ କ୍ୱଚିତ୍ ବାହାରକୁ ବାହାରନ୍ତି । ପଦା ଲୋକଙ୍କ ସଙ୍ଗେ ବେଶୀ ମିଳାମିଶା କରନ୍ତି ନାହିଁ । ଲୋକେ କହନ୍ତି, ବୁଢ଼ାର ମଳ ହଳଦିଆ ଦିଶିଲା ଦିନ ବୁଢ଼ା ଅଯଥା ଝିଅଟା ଉପରେ ଚିଡ଼ିଭିଡ଼ି ହୁଏ । ସାଇ ପଡ଼ିଶାରୁ ବାହାତିଥି ଆଦିରେ ନିମନ୍ତ୍ରଣ ଆସେ । ମାତ୍ର ରଥେ ଆପଣେ କାହା ଦୁଆରେ ଅଇଁଠା ପତ୍ର ପକାଇବାକୁ ପସନ୍ଦ କରନ୍ତିନାହିଁ । ତଥାପି ଲୋକମାନେ ତାଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତି ଏବଂ ତାଙ୍କ ହାବୁଡ଼ରେ ପଡ଼ିଗଲେ ତାଙ୍କୁ ତାଙ୍କର ନ୍ୟାୟ ସମ୍ମାନ ମଧ୍ୟ ଦେଇଥାନ୍ତି । ତାଙ୍କ ହାତରେ କେଯାଏ ପାଣ୍ଠି ଅଛି, ତାର ଅଟକଳ ଏ ପର୍ଯ୍ୟନ୍ତ କେହି କରି ପାରନ୍ତି ନାହିଁ । ମାତ୍ର ଦୁଃଖ ଦୁଦ୍ଦନ ସମସ୍ତଙ୍କର ଅଛି । ଦୁର୍ଯୋଗ ପଡ଼ିଲେ ତାଙ୍କ ଦୁଆରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ପଡ଼ିପାରେ । ଏଇ ଆଶଙ୍କାରେ କେହି ତାଙ୍କର ଅପ୍ରିୟଭାଜନ ହେବାକୁ ପସନ୍ଦ କରନ୍ତି ନାହିଁ । ବୁଢ଼ା ଉପଦେଶ ଛଳରେ କହନ୍ତି ପେଟକଣ୍ଟାକୁ ବେବସା ଅଣ୍ଟେ ନାହିଁ ବୋଲି-। ଅର୍ଥାତ୍ ନିଜ ପେଟର ଖାଦି କମାଇ ପଇସାଏ ଦି ପଇସା ରଖି ପାରିଲେ ବ୍ୟବସାୟଟାକର ଲାଭ ତହିଁରୁ ବାହାରି ପଡ଼େ । ଗାଁର କୌଣସି ଲୋକ ଖୁବ୍‍ ଅବାଧ୍ୟ ବା ବଦଖର୍ଚ୍ଚା ହେଲେ, ତାର ବାପ ଦାଦି ବା ଅପର କେହି ଅଭିଭାବକ ଧମକ ଦଅନ୍ତି–ତତେ ବିଷ୍ଟର ଔଷଧ ଲୋଡ଼ା ହେଲାଣି କିରେ-? ଅର୍ଥାତ୍‌, ଉପାସ ରଖି ଦେବାକୁ ଧମକାନ୍ତି । ସାରୁ ଖଡ଼ା ବାଇଗଣ ବାଲି ଦାଣ୍ଡକୁ ବିକି ଆସିଲେ, ତା ସଙ୍ଗେ ଦରମା ନେଇ ବେଶୀ ଧୂଳିକି ଚିକିଡ଼ି ଲାଗିଲେ, ପରାସ୍ତ ହୋଇଥିବା ଲୋକର ତୁଣ୍ଡରୁ ସ୍ୱତଃ ଯେମିତି ବାହାରି ପଡ଼େ, ‘‘ ଯା ଯା, ସେହି ବିଷ୍ଟର ରଥ ପାଖକୁ ଯା ଯେ ତାରି ପାଖେ ପସରା ଫିଟାଇବୁ, ତୋ ପେଟ ପୁରିବ ।’’ ଗାଁ ଭିତରକୁ ଶାଢୀ କପଡ଼ାବାଲା ବିକି ଆସିଲେ ଏବଂ ଉଚିତ ଦରରେ ଦିଆ ନିଆ ନ କରିବାରୁ ଗ୍ରାହକର ସନ୍ଦେହ ହେଲେ, ସେମାନେ ତାକୁ ରଥ ଆପଣଙ୍କ ପାଖକୁ ଭିଡ଼ି ଆଣନ୍ତି । ଲୋକମାନଙ୍କର ବିଶ୍ୱାସ ଯେ, ରଥ ଆପଣେ ଯେଉଁ ମୂଲ୍ୟଟା କହିଦେବେ, ସେଇଟା ବେଶୀ ଜଣା ପଡ଼ିଲେ ମଧ୍ୟ ଉଚିତ୍‌ ମୂଲ୍ୟ ।

 

ଆଖ ପାଖ ଗାଁ ଗଣ୍ଡାର ଲୋକମାନେ ବାହା ପ୍ରସଙ୍ଗ ପ୍ରଭୁତି ପକ୍‌କା କରିବା ପୁର୍ବରୁ ଥରେ ଅଧେ ଆସି ରଥ ଆପଣଙ୍କ ମତ ଲୋଡ଼ି ଯାଆନ୍ତି । ରଥ ଆପଣଙ୍କର ସେ ସବୁ ବିଷୟରେ ଜ୍ଞାନ କେତେଦୂର, ତାଙ୍କର ଶିକ୍ଷାଦୀକ୍ଷା କେତେ ଦୁର, କେହି କେବେ ବିଚାରି ନାହିଁ । ଆମର ଆଶା, ତାଙ୍କ ସଂସର୍ଗରେ କ୍ଷଣେ ଆସିଲେ, ସେ ଯେ ଜଣେ ବିଜ୍ଞ ବ୍ୟକ୍ତି ଏହା ଅଳ୍ପକେ ଜଣା ପଡ଼ିଯାଏ । ତାଙ୍କୁ ଯିଏ ଯେଉଁ ବିଷୟରେ ପ୍ରଶ୍ନ କରୁନା କାହିଁକି, ସେ ସବୁ ବିଷୟ ଜାଣିଥିଲା ପରି ମୁହଁ କରନ୍ତି । ମାତ୍ର କୈାଣସି ପ୍ରଶ୍ନର ମୀମାଂସା ନ ଦେଇ ଏମିତି ଟିକିଏ ଚାହାଣି ଦିଅନ୍ତି ବା ଏପରି ଗୋଟାଏ ମୁରୁକି ହସା ମାରି ଦିଅନ୍ତି ଯେ, ପ୍ରଶ୍ନକର୍ତ୍ତା ତାଙ୍କର ଅକଲ ଏବଂ ବୁଦ୍ଧିକି ପସନ୍ଦ ନ କରି ରହି ପାରନ୍ତି ନାହିଁ ।

 

ପଡ଼ୋଶୀ ଗାଁ ଗଣ୍ଡାର ଯେତେକ ଧନୀ ବ୍ୟକ୍ତି ପ୍ରାୟ ତାଙ୍କର ଚିହ୍ନା ପରିଚିତ, ଅତି ଆପଣାର । ସେ ସେମାନଙ୍କୁ ନିଜର କରିବା ନିମନ୍ତେ କେବେହେଲେ ହୁଡ଼ି ତୁଟିରେ ପଇସାଏ ଅଧଲାଏ ଖର୍ଚ୍ଚ କରି ନାହାନ୍ତି । ବାଡ଼ିରେ ତାଙ୍କର ହାଟଟାକର ପନିପରିବା ନିଜେ କରନ୍ତି । ମାନ୍ତ୍ର ଗଛରେ ପରିବା ପୋଚରି ଯାଉଥାଉ ପଛେ ଭୁଲରେ ସୁଦ୍ଧା କାହା ଘରକୁ ଖଡ଼ା ଗଛେ କି ବାଇଗଣ କଷି ଦିଟା ପଠାଇବାର କେହି କେବେ ଦେଖିନାହିଁ । ତାଙ୍କୁ ପଚାରିଲେ ସେ କହନ୍ତି ଯେ, ବଡ଼ଲୋକମାନଙ୍କୁ ବଶ କରିବାକୁ ଗୋଟେ ମନ୍ତ୍ର ଅଛି । ସେ ମନ୍ତ୍ର ହେଉଛି, ସେମାନଙ୍କୁ ଦେଖିଲା ମାନ୍ତ୍ରେ ଗୋଟାଏ ପ୍ରଶ୍ନ ପଚାରୁଥିବ–ସତ କହିଲେ ଆଜ୍ଞା ! ମୋ ପାଖରେ ଯେଉଁ ଶହେ ଟଙ୍କାର ନୋଟ୍‌ଖଣ୍ଡିକ ଅଛି, ତାକୁ ମୁଁ ଯେତେ ଅସୁବିଧାରେ ପଡ଼ିଲେ ମଧ୍ୟ ଭଙ୍ଗାଇ, ତହିଁରୁ ଯଦି ପାହୁଲାଟିଏ ଖର୍ଚ୍ଚ କରି ଦିଏ, ତା’ ହେଲେ, ସେ ଆଉ ଶହେ ଟଙ୍କା ହୋଇ ରହିବ ଟିକି ?

 

କେହି କେବେ ରଥ ଆପଣଙ୍କ ଦୁଆରେ ଅତିଥି ଅଭ୍ୟାଗତ ଦେଖି ନାହିଁ । ହଠାତ୍‌ ଯୋଗୀ ବା ଭିକ୍ଷାଶୀ ଟିଏ ଆସି ପହଞ୍ଚିଗଲେ, ସେ ଗର୍ଜି ଉଠନ୍ତି, ‘‘ହତଭାଗା କର୍ମ କୋଢ଼ିର ଦଳ, ବେଶ୍‌ ଠକି ଶିଖିଚ ରେ । ତମ ବାପଦାଦି ଏଠି ଥାତି ମାରିଛନ୍ତି....ଗଡ଼ି ପଡ଼ିଲେ....ଯାଉଚ ଏଠୁଁ ନାଁ ଗରମ ପାଣିର ବନ୍ଦୋବସ୍ତ କରିବି ?’’ କେହି କେହି ବେଶୀ ଅନୁନୟ ବିନୟ କଲେ ଗରମ ପାଣିର ବନ୍ଦୋବସ୍ତ କରିଥାନ୍ତି ବୋଲି ଅସହଣିକ ଲୋକଙ୍କଠାରୁ ଶୁଣି ପାରିଲି ।

 

ବିଷ୍ଟର ରଥଙ୍କର ଖର୍ଚ୍ଚ ନ କରିବାର ଯାବତ୍‌ଗୁଣ ନିଖୁଣ ରୂପେ ଆଶ୍ରା ପାଇଥିଲେ । ଏପରିକି ବଢ଼ି ମରୁଡ଼ି ଘରପୋଡ଼ି ପ୍ରଭୁତିର ଖବର ପାଇଲା ମାତ୍ରେ ବା ହଇଜା କଲରା ଲାଗି ଲୋକ ମରୁଥିବାର ଜଣାଯିବା ମାତ୍ର ସେ ଚାନ୍ଦାର ଫର୍ଦ୍ଦକରି ବାହାରି ପଡ଼ନ୍ତି । ସବୁ ଦିନେ କୈାଣସି ନାଁ କୈାଣସି ଚାନ୍ଦା ଆଦାୟରେ ଆଳ ସେ ଖୋଜୁଥାନ୍ତି । କେଉଁଠାରେ ପୋଖରି ଖୋଳା ହେବ, କେଉଁଠାରେ ଦେଉଳ ତୋଳା ହେବ, ତାର ହିସାବ ସବୁ ତାଙ୍କ ପାଖରେ । ସେ ଚାନ୍ଦା ଆଦାୟ କରିବାକୁ ଅଣ୍ଟାଭିଡ଼ି ସବୁକାଳେ ଆଗ ବାହାରନ୍ତି । ବଡ଼ି ସକାଳୁ ଘରୁ ଯିବେ ଯେ, ସଞ୍ଜ ବେଳକୁ ନ ହେଲେ ରାତି ପହରେ ହେଲେ ଘରକୁ ଫେରିବେ । ତାପରେ ସେ ଦାନ୍ତ ଘଷନ୍ତି । ଅସହଣିକ ଲୋକ ତ ସବୁକାଳେରେ ସବୁ ଦେଶରେ ଥାନ୍ତି । କହନ୍ତି ହଁ ବା, ଆମେ କେତେ ଦେଖିଚୁ, ଦୀପ ତେଜିଲେ ହାତ ଚିକ୍‌କଣ ହୁଏ,, ନ ହେଲେ ରାତି ଅଧଯାଏ ଦାନ୍ତ ନ ଘସି ଥିବା ଲୋକେ ସଂସାରରେ କମ ଅଛନ୍ତି । ମାନ୍ତ୍ର ଏତେଟା ଏଡ଼େ ସହଜରେ ବିଶ୍ୱାସ କରିବା ମୁଁ ଉଚିତ୍‌ମଣିଲେ ନାହିଁ । ତାଙ୍କର ଚାନ୍ଦା ଆଦାୟ କରିବା ପାଇଁ ଯେଉଁ ବ୍ୟଗ୍ରତା ସ୍ପୃହା ଏବଂ ପରିଶ୍ରମ କଥା ଶୁଣିଲି ତହିଁରୁ ଅନୁମାନ କଲି ଯେ ସେ ପାହୁଲାଟାଏ ହେଲେ ତହିଁରୁ ଅପବ୍ୟୟ କରୁ ନ ଥିବେ । ଯେ ପାହୁଲାଟାଏ ଦାନ କରିବାକୁ କୁଣ୍ଠିତ, ସେ ପଚିଶ ଜଣଙ୍କ ଧନରୁ କେବେ ପାହୁଲାଟାଏ ତୋସରପାତ୍ର ମଧ୍ୟ କରିବା ଅଶଂଭବ ମନେ କଲି । ମଝିରେ ମଝିରେ ବକ୍ତୃତା ଦେବାକୁ ତାଙ୍କୁ ଡକରା ପଡ଼େ ଏବଂ ତାର ଆବଶ୍ୟକତା ମଧ୍ୟ ସେ ବେଶ୍‌ଉପଲବ୍‌ଧ କରନ୍ତି । ଏହା ଜାଣିବା କଥା ଯେ ହୃଦୟ ପୂର୍ଣ୍ଣ । ତେଣୁ ସେ ଯେତେ ବାଗେଇ ବଙ୍କେଇ କହିଲେ ମଧ୍ୟ ସେଇ ଗୋଟିଏ କଥା । ଛାତ୍ର ହୁଅନ୍ତି ବା ସ୍ୱେଚ୍ଛାସେବକ ହୁଅନ୍ତୁ ତାଙ୍କର କହିବାର ସାରମର୍ମ, ତାଙ୍କର ଅନୁଭତି । ତାଙ୍କର ନିଜର ଅନୁଭୁତି ହେଉଛି, କେହି ଦୁଃଖୀରଙ୍କି ଦୈନ୍ୟରେ ପ୍ରାଣ ପଛେ ତ୍ୟାଗ କରୁ ମାତ୍ର ତାକୁ ପାହୁଲାଟାଏ ସାହାଯ୍ୟ କରିବା ବୋକାମିର ପରିଚାୟକ । ପକ୍ଷାନ୍ତରେ ନିଜର ହଜାର ଦାନ କରିବା ଶକ୍ତି ଥାଉ ପଛେ ପଟା ପାହୁଲାଟାଏ ଯେ ଦାନ ନ କରେ, ସେହି ସଂସାରର ଉପଯୁକ୍ତ ବ୍ୟକ୍ତି । ସମସ୍ତଙ୍କର ସେ ପୂଜାର୍ହ ହୁଏ ଏବଂ ସମ୍ମାନସ୍ପଦ ହୁଏ ମଧ୍ୟ ।

 

ଗୋଟାଏ ସନ୍ଧ୍ୟା ବୈଠକରେ ଜଣେ ଆଗନ୍ତୁକ ଏତେଗୁଡ଼ାଏ ତଥ୍ୟ ଜଣେ ଭଦ୍ରଲୋକଙ୍କୁ କେନ୍ଦ୍ରକରି ଯୋଗାଡ଼ କରିବା ଅତି ସହଜ ନ ଥିବ । ମାତ୍ର ସବୁଗୁଡ଼ା ସତ୍ୟ ବୋଲି ମୋର ଅନୁମାନ ହେଲା ନାହିଁ । ରାତିଯାକ ସତ୍ୟର ଶତକରା କେତେ ଭାଗ ଥିବାର ଆଭାସ ମଳୁଛି, ଭାଗ ମୁଁ ବିଛଣା ଧଇଲି । ମାତ୍ର ନିଦ ଆସୁ ନ ଥାଏ ।

 

–୨୨–

 

ପାଠକ ମହାଶୟ ରଥ ଆପଣଙ୍କ ସଂକୀର୍ଣ୍ଣ ମନର ପରିଚିୟ ପାଇ ହୁଏତ ଅଧୈର୍ଯ ହେବେଣି । ମାତ୍ର ଗୋଟିଏ କଥା ପାଠକେ ଜାଣି ପାରିବେଣି । ରଥ ଆପଣେ ସମଗ୍ର ବିଶ୍ୱରେ, ଆମ ରଥ ଆପଣଙ୍କର ଏକମାତ୍ର ଆତ୍ମୀୟ, ତାଙ୍କର ଖୁଡ଼ୁତା । ପର୍ଶୁ ବାବୁଙ୍କର ଚରିତ୍ରରେ ଯେଉଁ ସଦ୍‌ବୃତ୍ତିଚୟର ଆଭାସ ମିଳେ ତାଙ୍କୁ ଖୁଡ଼ୁତାଙ୍କ ଚରିତ୍ରରେ ସେ ସବୁ ଗୁଣନିଚୟ ଯେ ସଂପର୍ଣ୍ଣ ବିପରୀତ ମୁଖୀ, ଏହାହିଁ ମୋର ବକ୍ତବ୍ୟ । ବୈଜୟନ୍ତୀପୁରରେ ସେଦିନ ରାତିକ ପାଇଁ ଯେଉଁ ଭଦ୍ରଲୋକଙ୍କ ଘରେ ଆଶ୍ରୟ ନେଇଥିଲେ ସେହି ଭଦ୍ରବ୍ୟକ୍ତିରଥ ଆପଣଙ୍କ ସମବୟସୀ । ସେ ବେଶ୍‌ସାଦାସିଧା ଲୋକ । ଛନ୍ଦ କପଟିଆ ନୁହନ୍ତି । ତାଙ୍କ ସରଳ ଏବଂ ନିଷ୍କପଟ ବ୍ୟବହାରରେ ଖୁବ୍‌ଅଳ୍ପ ସମୟ ମଧ୍ୟରେ ସେ ମୋତେ ବେଶ୍‌ଆପଣାର କରି ପାରିଥିଲେ । ତାଙ୍କ ଅବସ୍ଥା ସ୍ୱଚ୍ଛଳ ଥିଲାପରି ମୋର ଅନୁମାନ ହେଲା ନାହିଁ । ରଥ ଆପଣଙ୍କ ସମ୍ୱନ୍ଧରେ ଯେଉଁ ତଥ୍ୟ ଗୁଡ଼ିକ ଜାଣିଲି ତାର ସତ୍ୟତା ଉପରେ ଭଦ୍ରବ୍ୟକ୍ତିଙ୍କ ମନ୍ତବ୍ୟ ଶୁଣିବାକୁ ଇଚ୍ଛା ହେଲା । ପର୍ଶୁବାବୁ ଏବଂ ତାଙ୍କ ଦାଦିଙ୍କ ମଧ୍ୟରେ ଆକାଶ ପାତାଳ ଫରକ ମନେ ହେଲା । ସନ୍ଦେହ ହେଲା ଯେ, ଈର୍ଷା ପୋଷି ନିଜର ସ୍ୱାର୍ଥରେ ବାଧା ପଡ଼ୁଥିବାରୁ ହୁଏତ ଗ୍ରାମବାସୀମାନେ ମୋ ଆଗରେ ରଥ ଆପଣଙ୍କ କୁତ୍ସା ରଟନା କଲେ । ସେମାନଙ୍କର ସତ୍ୟତା ପ୍ରତିପାଦନ ନିମନ୍ତେ ମୁଁ ଗୋଟାଏ ଉପାୟ ଅବଲମ୍ୱନ କଲି-। ଭଦ୍ର ବ୍ୟକ୍ତିଙ୍କୁ କହିଲି, ‘‘ଆପଣ ଗୋଟାଏ କଥା କରନ୍ତୁ । ମୁଁ କାଲି ସକାଳୁ ଟିକିଏ ରଥ ଆପଣଙ୍କ ସଙ୍ଗେ ସାକ୍ଷାତ୍‌କରିବାକୁ ଭାବୁଛି । ଆପଣ ସେଇ ଅବସରରେ ଯାଇ ତାଙ୍କୁ ଟଙ୍କାଏ ମଶାଏ ଧାର ମାଗିବେ ।’’ ସେ ଅତି ସନ୍ତର୍ପଣରେ ହଁ ଭରିଲେ । ମୁଁ ଭାବୁଥାଏ, ‘ସତ୍ୟମେବ ଜୟତେ’ ର ଉତ୍ପତ୍ତି ସମ୍ୱନ୍ଧରେ ତ କିଛି କାହାକୁ ପଚାରି ବୁଝି ପାରିଲି ନାହିଁ ।

 

ତହିଁ ଆରଦିନ ମୁଁ ନିତ୍ୟକର୍ମ ସାରି ରଥ ଆପଣଙ୍କ ସୁସମୟ ଖବର ବୁଝି, ଠିକ୍‌ସମୟରେ ଯାଇ ହାଜର ହେଲି । ସେ ଟିକିଏ ଚୂନପତ୍ର ପାଟିରେ ପକାଇ ଥାନ୍ତି । ଦିନ ୯ଟା ହେବ, ଅଥଚ ଦାନ୍ତ ଘଷି ନ ଥାନ୍ତି । ମଇଳା କିଟି କିଟି ଗୋଛିକରିଆ ଖଣ୍ଡିଏ ପିନ୍ଧିଥାନ୍ତି । କତାରୁ ମେଞ୍ଚାଏ କୁଢା ହୋଇଥାଏ ତାଙ୍କ ପାଖରେ । ବୁଢ଼ା ଦଉଡ଼ା ବଳିବା କାମରେ ବ୍ୟସ୍ତ ଥାନ୍ତି । ମୋତେ ସରକାରୀ ଚାକିରିଆ ମନେକରିକି ଅଭିବାଦନ ଜଣାଇଲେ । ନାନାଦି ପ୍ରସଙ୍ଗ ଚାଲିଲା । ଗାଁର ହାନିଲାଭ କଥା ପଡ଼ିଥାଏ । ଏଇ ଅବସରରେ ପଡ଼ୋଶୀଟି ଆସି ପହଁଚିଲେ । ଯଥାରୀତି ନମସ୍କାର ପକାଇ କିଛି ସମୟ ଠିଆ ହେଲେ । ରଥ ଆପଣେ ତାଙ୍କ ଆଡ଼କୁ ଦୃଷ୍ଟି ନ ପକାଇ ମୋ ସଙ୍ଗେ ଅନ୍ୟମୁଖୀ ବାର୍ତ୍ତା ଚଳାଇଥାନ୍ତି । କେତେ ସମୟ ପର୍ଯ୍ୟନ୍ତ ସେ ତାକୁ ବସିବାକୁ ନ କହିବାରୁ ମୁଁ ଟିକିଏ ଅପ୍ରତିଭ ହୋଇ ତାକୁ କହିଲି, ବସୁ ନାହାନ୍ତି, ଠିଆ ହୋଇ ରହିଲେ ଯେ । ମୋ କଥା ସରୁ ନ ସରୁଣୁ ରଥ ଆପଣେ ତାଙ୍କୁ ପଚାରିଲେ, କୁଆଡ଼େ ଆସିଥଲେ ? ପଡ଼ୋଶୀ ବଡ଼ ନିଊନ ହୋଇ କହିଲେ, ଆପଣ ତ ବାବୁଙ୍କ ସଙ୍ଗେ କଥା ଲଗେଇଛନ୍ତି । ତାଙ୍କ ଆଗରେ କି ଦୁଃଖ କହିବି ? ନିହାତି ଅସୁବଧାରେ ପଡ଼ିଛି, କିଛି ନ କହି ଫେରିପାରୁ ନାହିଁ । ନିତାନ୍ତ ଦରକାର ପଡ଼ିବାରୁ ଆସିଲି, ଟଙ୍କାଏ ମଶାଏ ଧାର ଦିଅନ୍ତେ ଯଦି ବଡ଼ ଉପକାର କରନ୍ତେ । ମୁଁ ସୁବିଧା ଦେଖି ନିଶ୍ଚେ ଧାର ସୁଝି ଦେବି । ରଥ ଆପଣଙ୍କ ସୁର୍‌ ସଙ୍ଗେ ସଙ୍ଗେ ମଦଳିଗଲା । ସେ ଟିକିଏ ରୁକ୍ଷ ଭାବରେ ଉତ୍ତର ଦେଲେ–ତମେ ତ ଜାଣ ଯେ ମୁଁ କାହାରିକୁ ହାତ ଉଧାରି ଦିଏ ନାହିଁ । ଆଉ ଯେତେବେଳେ ସେତେବଳେ ଆସି ମତେ କାଇଁ ଉପଦସ୍ଥ କରୁଛୁ ? ତା’ ପରେ ମୋ ଉଦ୍ଦେଶ୍ୟରେ କହିଲେ, ବୁଝିଲେ, ଆଜ୍ଞା, ଏ ବ୍ୟକ୍ତି ମୋର ପଡ଼ୋଶୀ । ମୁଁ ଯେତେବେଳେ ଗାଁକୁ ଫେରେ ସେତେବେଳେ ୟାଙ୍କ ଘରେ ଦିନେ ଦି ଦିନ ଆଶ୍ରା ନେବାକୁ ବାଧ୍ୟ ହୁଏ । ଇଏ ତାକୁ ଉଦ୍ଦେଶ୍ୟ କରି ଭଡ଼ା ନେବାକୁ ଆସିଛନ୍ତି ନିଶ୍ଚୟ । ମାତ୍ର କଥାର ଭଙ୍ଗି ଶୁଣୁଛନ୍ତି ତ ? ତା’ ପରେ ପୁନଶ୍ଚ ତାଙ୍କୁ କହିଲେ, ବନ୍ଧୁକ ଟିକିଏ ଧରି ଆସନ୍ତୁ, ନ ହେଲେ ଭଡ଼ା ନେବେ ତ ଠିଆ ହ’ନ୍ତୁ ଟିକିଏ । ପଡ଼ୋଶୀ ମୋ ଘେନି ଯେଉଁ ଅପମାନ ପାଇଲେ ସେତିକିରେ ମୋତେ ରୁକ୍ଷ ଏବଂ ଉଦାସ ଚାହାଣିଟିଏ ଚାହିଁ ଫେରି ପଡ଼ିଲେ । ବୁଢ଼ା ପୁଣି ମତେ କହିଲେ, ଦେଖନ୍ତୁ ଆଜିକାଲିର ଯୁଗ କଥା । ଯୋକପରି ଦେହରୁ ରକ୍ତ ଶୋଷି ନେବାକୁ ଏମାନେ ହାଁ କରି ଚାହିଁ ବସିଛନ୍ତି ।

 

ପ୍ରସଙ୍ଗକୁ ମୁଁ ଧୀରେ ଅନ୍ୟଆଡ଼େ ବାଗେଇ ନେଲି । ସୁଯୋଗ ଦେଖି ପର୍ଶୁବାବୁଙ୍କ ପ୍ରସଙ୍ଗ ଉଠାଇଲି । ସେ କହିଲେ—ନାଁ ଧରନ୍ତୁ ନାହିଁ, ସେ ଛତରାଟାର । ବାରଦ୍ୱାର ଶୁଣ୍ଡିପିଣ୍ଡା ହୋଇ ବୁଲୁଛି, ତଥାପି ଟିକିଏ ବୁଦ୍ଧିଶୁଦ୍ଧି କଅଣ ହଉଛ ? କିଓ, ପଇସେ ଅଧଲେ ଆସେ କେଉଁଠୁ-? ଏତେ ଅବସ୍ଥା ଭୋଗୁଛି, ତଥାପି ହେଲେ କଅଣ ମୋ କଥା ମାନୁଛି ? ତା ଘେନି ମୁଁ ଯୋଉ ହଇରାଣ ହରକତ ହେଲିଣି କହି ଯୋଗାଏ ନାହିଁ । ରଜାଙ୍କ ସଙ୍ଗେ ଲାଗି ଲାଗି ଭାଇନା ଯେଉଁ ପାନ୍ଥନିବାସଟି ହାତୀପରି ଛିଡ଼ା କରିଦେଇଛନ୍ତି, ତାର ହେତା ଥିଲା ଜମି ୫ । ୭ ମାଣ । ସେଥିରେ ପୁଣି ନିତିପ୍ରତି ଏ ଓଳି ତିନିଜଣ, ସେ ଓଳି ୪ ଜଣ ଅତିଥି ଅଭ୍ୟାଗତ ଖଇରାତି ଖାଇବେ-। ଏବେ ତ ମହରଗ କାଳ । ଯାହା ଫଳୁଚି, ହାତୀପରି ଘର ବଖରାକ ମରାମତି କରିବାକୁ ଥରେ ପଡ଼ିବ ତ, ହାତରୁ ବାଜିଯିବ । ଯେତେ ଖଇରାତି ବନ୍ଦ କଲେ ହେଲେ ଏ ଯୋଗୀ ଭିକାରୀଏ ମୁଠାଏ ଅଧେ ନ ନାଇଲେ ଉଠୁଛନ୍ତି ଏଠୁ ? କହନ୍ତି ନି, ମୁଁ ଯେଉଁ ହରକତ ହୋଇ ସାରିଲେଣି, ତା ମନ ଏକା ଜାଣେ-। ପୁତୁରା ତ, କାହା ଆଗରେ ଗୁହାରି କରିବି ? ଏଡ଼ୁଟାଏ ହେଲାଣି, ଘର ସଂସାର କରିବାକୁ ମନ ବଳାନ୍ତା ନାହିଁ, ମୂଳରୁ କିଆଁ ଏ ଆରବ ଜମାଇ ବସିଲ ? ରଥ ଆପଣେ ବୋଧହୁଏ ଅନର୍ଗଳ ଗପି ଚାଳିଥାନ୍ତେ । ମୋର ଶୁଣିବାକୁ ଆଉ ଧୈର୍ଯ୍ୟ ନ ଥାଏ । ଯୋଗକୁ ପାଖ ଗାଁର ଦୁଇଜଣ ଲୋକ କରଜ ନେବା ଉଦ୍ଦେଶ୍ୟରେ ଆସି ପହଞ୍ଚିଲେ । ମୋ ଉପସ୍ଥିତିରେ କରଜ ଦେବାକୁ ରଥ ଆପଣେ ପସନ୍ଦ କଲେ ନାହିଁ । ବଡ଼ ଚତୁରତାର ସହିତ ମୋତେ କହିଲେ, ‘‘ହଉ ବାବୁ, ଗାଁ ଆଡ଼େ ଟିକିଏ ବୁଲି ଆସନ୍ତୁ । ମୁଁ ଟିକିଏ ଭିତର କାମଟା ଛିଣ୍ଡାଇ ଦେଇ ଆସେ ।’’ ମୁଁ ସମସ୍ତ ବୁଝିପାରି ଉଠି ଆସିଲି ସେଠୁ ।

 

ପଡ଼ୋଶୀଙ୍କ ଘରେ ପହଞ୍ଚିଲାରୁ ସେ କହିଲେ,‘‘ ଦେଖିଲେ ତ ନିଜ ଆଖିରେ, ଶୁଣିଲେ ତ ନିଜ କାନରେ, ଏତିକିରୁ ବୁଝୁ ନାହାନ୍ତି ଯେ, ଯିଏ ନିଜ ପୁତୁରାକୁ ଟଙ୍କା କେଇଟା ତାର ନିତାନ୍ତ ଦରକାରବେଳେ ଦେବାକୁ ହ୍ୟାଣ୍ଡନୋଟ ମାଗେ, ସେ ମଳ ଛାଡ଼ିବ କିମିତି ? ପାନ୍ଥନିବାସର ୭ ମାଣ ଜମି । ସକାଳେ ୩ ଜଣଙ୍କ ଖଂଜା, ଉପରେ ଓଳିକି ୪ ଲୋକଙ୍କର । ଏ ଯଖ ସେତକ ଯାକ ଖାଉଛି । ଯୋଗୀ ଭିକାରୀ କିଏ ଆସିଲେ, ଥାଳରେ ଭିକ ମୁଠାଏ ପକାଇବ କଅଣ, ଓଲଟି ମାରି ଗୋଡ଼ାଉଛି । ଦାନ ଖଇରାତର ପ୍ରଶ୍ନ ତ ଉଠୁ ନାହିଁ । ଲୋକେ ଖୋଜିଲେ ଧର୍ମ କର୍ମ କରିପାରୁ ନାହାନ୍ତି, ଅଥଚ ଏ ଦୁର୍ବୁଦ୍ଧି ଧର୍ମକୁ ଆଖିମିଟିକା ମାରୁଛି । ଧର୍ମ ଥିଲେ ପାଇବ, କାହାର କ’ଣ ଯିବ-? ଝିଅ ବକଟକ ବାହାହେଲା ବାସୀଦିନ ଏ ଡିହରେ ଯଦି ବିଲୁଆ ନ ଡ଼େଇଁବ ତା ହେଲେ ମୋ ନାଁ ଧରିବେ ନାହିଁ । ଆଜି ମୋର ଦୁର୍ଯ୍ୟୋଗ । ମୁଁ ଆପଣଙ୍କୁ ନାହିଁ କରି ଦେବି ଭାବୁ ଥିଲିଟି । ଖାଲି ଆପଣଙ୍କ ମୁହଁକୁ ଅନାଇ ହଁ ଭରିଲି, ଫଳରେ ଅପମାନ ଗୁଡ଼ିଏ ପାଇଲି । ଖାଇବା ଗଣ୍ଡାକ ଯୁଟିଲେ ଭାଗ୍ୟ ଭଲ ।’’ ମୁଁ କ୍ଷୁଣ୍‌ଣ ଅନୁଭବ କଲି । କହିଲି, ‘‘ନାହିଁ ମଉସା, ଆଜି ଆମ କପାଳରେ ଭଲ ଖାଦି ଅଛି, ବ୍ୟସ୍ତ ହୁଅ ନାହିଁ । ଆଚ୍ଛା, ଆଙ୍କ ପୁତୁରାଟି କିମିତିକା ଧରଣର ଲୋକ-।’’

 

ସେ ପୁଣି କହି ଚାଲିଲେ, ‘‘ମୁଁ ଭାବୁଥିଲି ତୁମେ ତାଙ୍କ ପୁତୁରାଙ୍କୁ ଭଲ କରି ଜାଣ ବୋଲି-। ରତ୍ନଟାଏ ତ । ବିଶ୍ୱାସ ହେବ ନାହିଁ, ଏଇ ଦାଦିର କେମିତିକା ପୁତୁରା ହୋଇ ଜନ୍ମ ହେଲା-। ଏ ଗାଁର ଭାଗ୍ୟ କାହିଁ ସେଭଳି କୃତୀ ସନ୍ତାନ କୋଳରେ ବଢ଼ାଇବାକୁ ? ଯାହା ବା ଏ ଗାଁରେ ଦିନେ ଓଳିଏ ରହିଥାନ୍ତି, ଏ ରଥର ଅଦଉତି ନିଜର ପୁଅ ହେଲେ ସଂଭାଳି ପାରିବ ନାଁ ? ଝିଅ ବୋଲି ଖଣ୍ଡେ, ମାତ୍ର ତାକୁ ଯେଉଁ ହୀନମାନ କରୁଛି, ଗାଆଣି ଗାଇବ ନାହିଁ ! ସତେ ଯେମିତି ମଲାବେଳେ ୟେ ଏ ସଂପତ୍ତି ସବୁ ସଙ୍ଗରେ ନେଇଯିବ । ରଥଙ୍କଠାରେ ଯେତିକି, ଦୁର୍ଗଣ, ପର୍ଶୁଟିଠାରେ ସେତିକି ସୁଗୁଣ ଭରପୂର । ଚେହେରା ଯେମିତି, କଥା ସେମିତି, ବୁଦ୍ଧି ସେମିତି, ଗୁଣ ବି ସେମିତି । ତା କଥା ଯିଏ ଶୁଣିବ, ସିଏ ଥକ୍‌କା ମାରି ଘଣ୍ଟାଏ ଛିଡ଼ା ହେବ । ଏ ଗାଁର ଉନ୍ନତି ପାଇଁ ତା’ର ଛାତି ତଳେ ପୁଣି ଏତିକି ଦରଜ ! ମାଛିକି ମ ବୋଲି କହିବ ନାହିଁ । ମୋତେ ଲାଗୁଛି, ସେ ବାବାଜି ହୋଇ କୋଉ ମଠ ଆଶ୍ରା କରିବ । କେଭେ ଘର ସଂସାର କରିବ ନାହିଁ । ଯେଉଁ ଦିନ ଖୁଡ଼ୁତା ଘରୁ ବାହାର କରିଦେଲା, ସେଦିନ ରାତିରେ ମୁଁ ଟିକିଏ ଆଶ୍ରା ଦେଇଥିଲି । ମୋତେ ସେ ଦିନ ସେ ଯାହା କହିଲା, ମନେ ପଡ଼ିଲେ କୋହ ଉଠୁଛି । ତୁମରି ବୟସର ହେବ । ମଉସା ଡ଼ାକେ ମୋତେ । କହିଲା, ମଉସା ! ତୁମେ ଭଲରେ ସୁଦ୍ଧା କାହାରିକୁ କେବେ ଜାଣିବାକୁ ଦେବ ନାହିଁ ଯେ କକା ମୋତେ ଘରୁ ନିରାଶ କରି ଘଉଡ଼ି ଦେଇଛନ୍ତି ବୋଲି । ମୋତେ କେହି ଖୋଜିଲେ ଲୋଡ଼ିଲେ କହିବ, ମୁଁ ମନକୁ ବୁଲୁଛି ବୋଲି । ଗୋଟିଏ କଥାରୁ ତାର ସବୁ କଥା ବିଚାରି ହେବ । ମା ମରିଯିବାର ଖବର ବିଦେଶରେ ଶୁଣି ସେ ରାଗହେବ ଛାଡ଼ି ଦେଇଚି । ଆମେ ସବୁ ଗୟା ପ୍ରଭୃତି ଶ୍ରାଦ୍ଧ କରି ଆମ ପିତୃପୁରୁଷଙ୍କ ସ୍ମୃତି ଚିରସ୍ଥାୟୀ କରିବା ନିମନ୍ତେ ଯେମିତି ଆମ୍ୱ, ପଣସ, ନଡ଼ିଆ ବା କଦଳୀ ଛାଡ଼ି ଦିଏ ନାହିଁ, ସେ ମା’ର ସ୍ମୃତି ରକ୍ଷା କରିବାକୁ ସେମିତି ରାଗ ହେବା ଛାଡ଼ି ଦେଇଛି-। ଆଉ ବାପର ସ୍ମୁତି ରକ୍ଷା କରିବାକୁ ଇିନ୍ଦ୍ରୟସୁଖଭୋଗ ଛାଡ଼ି ଦେଇଛି । ଦୁନିଆର ସବୁତକ ଅସଂଭବ ତା ପାଖରେ ସଂଭବ । ଏଇଥିରୁ ମୁଁ ଅନୁମାନ କରୁଛି, ସେ କେବେ ହେଲେ ବାହାତୋଳା କରିବ ନାହିଁ । ମୋତେ ସେଦିନ ବୁଝାଉଥାଏ, ‘ବୁଝିଲ ମଉସା, ପ୍ରେମ ଆଉ ସ୍ନେହର ପାତ୍ର ସବୁ ଦୁଃଖର ନିଦାନ । ଭଲ ପାଇବାକୁ ଇଚ୍ଛା ତ ସଂସାରକୁ ଭଲ ପାଇଲେ କଅଣ ହେବ ନାହିଁ ? ପୁଅ ଝିଅର ବାପ ହେବାକୁ ଇଚ୍ଛାଯୋଗୁଁ ସଂସାରରେ ନିତିପ୍ରତି କେତେ କେତେ ଅରକ୍ଷ ପିଲା, ବାପା ମା ଖୋଜି ବୁଲୁଛନ୍ତି । ମତେ କହୁଚ ବାହା ହେବି । ସଂସାର ଗଢ଼ିବି । ମାତ୍ର ମୁଁ ବାହା ହୋଇପଡ଼ିଲେ ସଂସାରରେ କାହାର କୋଉ ସୁଖଟା ଅଧିକ ହୋଇଯିବ ଟିକିଏ କହିଲ ।’ ତା କଥା ଶୁଣି ମୋର ଅକଲ ତ ଗୁଡ଼ୁମ । ତୁମେଇ କୁହନା ବାପ, ଇମିତି ଯୁକ୍ତିକି ତୁମ ଶାସ୍ତ୍ରରେ କି ଉତ୍ତର ଆଉ ଅଛି-? ସତରେ, ତା’ ପରି ପୁଅ ମା କୋଟିକରେ ଗୋଟିଏ ଜନ୍ମ କରେ । ସେ ତିନି ଭାଇ ଦୁଇ ଭଉଣୀ ଥିଲେ । ସମସ୍ତେ ମରି ମରି ଏଇ ଖଣ୍ଡିକ ବଂଚିଛି । ଆଶା ଥିଲା, ବାପର ନା ରଖିବ । ମାତ୍ର ଏ କୂଳ ବୁଡ଼ିଯିବ ଭଗବାନଙ୍କ ଅଭିପ୍ରେତ ପରି ଜଣା ପଡ଼ୁଛି । ସେ ଯେଉଁଦିନ ଏ ଗାଁ ଛାଡ଼ି ଚାଲିଗଲା, ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ କାହା ଆଖି ଓଦା ନ ହଉଛି ? କୃଷ୍ଣଙ୍କୁ ଅକ୍ରୁର ମଥୁରାକୁ ନେଇଗଲା ବେଳେ ସାଙ୍ଗରେ ତାଙ୍କର ବାପ ମା’ ଥିଲେ, ଗୋପିଏ ବାଟ ଓଗାଳି ଥିଲେ, ମାତ୍ର ପର୍ଶୁ ଗଲାବେଳେ ଗାଁର ଅଣ୍ଡା ବଚା ପର୍ଯ୍ୟନ୍ତ ସମସ୍ତେ ତା’ ବାଟ ଓଗାଳି ଥିଲେ, ସମସ୍ତେ ତା ପଛରେ ଗୋଡ଼ାଇ ଯାଇଥିଲେ, ମାତ୍ର ସେ କିଆଁ କାହା କଥା ଶୁଣିବ ? ସେମିତି ହସିଲା ହସିଲା ମୁହଁରେ କହିଲା, ‘‘ମୁଁ ଫେରି ଆସିବି ମୁଁ, ତମେମାନେ କେହି ବ୍ୟସ୍ତ ହୁଅ ନାହିଁ । ମୋ କଳା ତୁମମାନଙ୍କୁ ଲାଗିଲେ । ଏକୁଟିଆ ମଣିଷ । ତାଙ୍କ ହାନି ଲାଭରୁ ଟିକିଏ ସାହା ହେବ । ମୋ ରାଣ ତୁମକୁ-। ମନରେ ତାଙ୍କର କୌଣସି ଦୋଷ ଧରିବ ନାହିଁ ।’’

 

ଏତିକି କହି ମଉସା ଆଖିରୁ ଦୁଇଧାର ଲୁହ ନିଗାଡ଼ି ପକେଇଲେ । ପୁଣି କହିଲେ, ଭଗବାନ ନିଶ୍ଚୟ ଏପରି ପିଲାର ମଙ୍ଗଳ କରିବେ । ଏଇ ଅବସରରେ ଭିତରୁ ଖାଇବା ପାଇଁ ଡକରା ଆସିଲା । ମଉସା ହସି ହସି କହିଲେ, ଆଜି ସକାଳେ ରଥଙ୍କ କଥା ପଡ଼ିଥିଲା ଯେ, ମୁଁ ଭାବିଥିଲି ଖାଇବା ଯୋଗ ଆଜି ପଡ଼ିବ ନାହିଁ । ପର୍ଶୁ କଥା ପଡ଼ିଲାରୁ ସେ ରିଷ୍ଟ ଖଣ୍ଡନ ହେଲା । ନ ହେଲେ ଦେଖିଧାନ୍ତ ବାପ, ଆଜି ଜମା ଖାଇବାକୁ ମିଳି ନ ଥାନ୍ତା ।

 

ମଉସା ଯେ କେବଳ ସ୍ନେହୀ ଲୋକ, ସେତିକି ନୁହେଁ, ବେଶ ମଉଜିଆ ମଣିଷଟିଏ ମଧ୍ୟ-। ବିଦାୟ ବେଳର ତାଙ୍କର ସେ ଶୁଖିଲା ମୁହଁ ଏବେ ମଧ୍ୟ ମୋ ମନରେ ଲାଗି ରହିଛି । ସେ କହିଥିଲେ, ‘‘ମନେ ରଖିବ ପୁଅ, ମଝିରେ ମଝିରେ ଏଇ ରାସ୍ତା ଦେଇ ଯିବା ଆସିବା କରିବାକୁ ଯେମିତି ଭୁଲି ନ ଯାଅ ।’’ ପର୍ଶୁ ବାବୁଙ୍କ କଥା ମନେ ପଡ଼ିଲେ ତାଙ୍କ ଗାଁ କଥା ମନେ ପଡ଼େ-। ବୈଜୟନ୍ତୀପୁର ମନେ ପଡ଼ିଲେ, ମଉସାଙ୍କ କଥା ମନେ ପଡ଼େ ।

 

–୨୩–

 

ମଣିଷର ମନ ଅତି ତରଳ, ଅତି ଚଞ୍ଚଳ । ମନୁଷ୍ୟର କୈାଣସି ବ୍ୟକ୍ତି ନିଜର ଯେତେ ପ୍ରିୟ ହେଉ ନା କାହିଁକି, ଯଦି ମଝିରେ ମଝିରେ ପରସ୍ପରର ଦେଖା ସାକ୍ଷାତ୍‌ ନ ହୁଏ ତା ହେଲେ, ସ୍ନେହ ସୌହାର୍ଦ୍ୟ କମି ଆସେ । ପରସ୍ପରର ଆଦର ଅଭ୍ୟର୍ଥନା ଅଦଳ ବଦଳ ନ ହେଲେ, ସ୍ମୃତି କ୍ରମଶଃ ବିଲପ୍ତ ହୋଇଆସେ । ଅବଶ୍ୟ ମାନିବାକୁ ହେବ ଯେ ଭୁଲିଯିବା ଶକ୍ତି ମାନବକୁ ସ୍ରଷ୍ଟାଙ୍କର ଏକ ବିଶିଷ୍ଟ ଦାନ । ତା ନ ଥିଲେ, କୈାଣସି ଆତ୍ମୀୟ ସ୍ୱଜନଙ୍କ ତିରୋଧାନରେ ମରଣାବିଧି ଜୀବନ ଯେଉଁ ଡହଳ ବିକଳ ହୁଅନ୍ତା, ତାହାର ସ୍ମରଣରେ ଥରି ଉଠେ । ବିସ୍ମରଣ ଗର୍ଭରେ ବଡ଼ ସାନର, ପ୍ରିୟ ଅପ୍ରିୟର, ବିବେଚନା ନାହିଁ । ନୂଆ ନୂଆ କଥା, ନୂଆ ନୂଆ ଅନୁଭୁତି ପୁରୁଣା ସ୍ମୃତିକୁ ବିସ୍ମୃତିର ଅତଳଗର୍ଭରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ମୁଁ ପର୍ଶୁବାବୁଙ୍କୁ ଆନ୍ତରିକ ଭଲପାଏ, ଶ୍ରଦ୍ଧାକରେ । ତାଙ୍କର ସାକ୍ଷାତ୍‌କାର ଲଭିବା ଅନେକ ଦିନୁଁ ମୋ ଭାଗ୍ୟରେ ଘଟିନାହିଁ । ଆଉ ଘଟିବା ମଧ୍ୟ ସମ୍ଭବପର ଦିଶୁନାହିଁ । ମୁଁ ଭବିଷ୍ୟତକୁ ଚାହିଁଲେ ଅନ୍ଧକାରମୟ ଦିଶୁଛି । ତଥାପି ମୁଁ କହିବି ଯେ, ତାଙ୍କ ସ୍ମୃତି ମୋ ମାନସପଟରେ ଅଧିକାଂଶ ସମୟରେ ଜାଗି ଉଠୁଛି । ସେ ସ୍ମୃତିକୁ ଧରି ରଖିବାକୁ ଭାରି ଇଚ୍ଛା ହୁଏ । ମାତ୍ର ପୁଣି ତ କେତେ କଥା କରିବାକୁ, କେତେ କଥା ଦେବାକୁ, କେତେ କଥା କହିବାକୁ ମଧ୍ୟ ଇଚ୍ଛା ବି ହେଉଛି । ନୂଆର ରୂପ ପୁରୁଣା କେତେ ସହିବ ? ଚାଲିଚି ବୋଲି ତ ସଂସାର । ପର୍ଶୁବାବୁଙ୍କ ସମ୍ବନ୍ଧରେ ଶେଷ ସ୍ମୃତି କରି ମୁଁ ସାଇତି ରଖିଚି ଭାଷଣଟି । ଫାଙ୍କା ମନରେ ବେଳେ ବେଳେ ପଢ଼େ ତାକୁ, ତାଙ୍କ ସ୍ୱର କାନରେ ବାଜିଲା ପରି ଅନୁଭବ କରେ । ଅନ୍ତରର ସ୍ନେହ ସହାସୁଭୂତି ଓଜାଡ଼ି ଦେବାକୁ କ୍ଷଣେ ଇଚ୍ଛା ହୁଏ । ତାଙ୍କ ସୈାମ୍ୟ ମୂର୍ତ୍ତି ଆଖି ଆଗରେ ନାଚି ଯାଏ । ତା ପରେ ସବୁ ଶୁନ୍‌.... ସବୁ ଅନ୍ଧକାର–ବ୍ରହ୍ମପୁରରେ ବାବା ପର୍ଶୁଧରଙ୍କର ଓଡ଼ିଶାର ଜନତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ କିଛି ନାହିଁ । କ୍ଷମା କରିବେ, ସାମାନ୍ୟ କଥା କେଇପଦ ମୁଁ କହିବି । ଦେଖନ୍ତୁ, ପ୍ରତି ମାନବର ଐକ୍ୟ ପ୍ରତିଷ୍ଠା କରିବା କର୍ତ୍ତବ୍ୟ । ପ୍ରତି ମାନବ ସାମ୍ୟନୀତିରେ ଜୀବନ ଯାପନ କରିବା ସର୍ବକ୍ଷା କାମ୍ୟ । ଧର୍ମ, ଭାଷା, ଜାତିଗତ ପ୍ରଶ୍ନର ସ୍ଥାନ ଏଥିରେ ନାହିଁ । କି ଧନୀ, କି ଗରିବ, ପ୍ରତ୍ୟେକ ଇଚ୍ଛା କଲେ ସାମ୍ୟନୀତି ଉପରେ ଜୀବନର ଭିତ୍ତି ସ୍ଥାପନ କରି ପାରିବେ ।

 

‘‘ଓଡ଼ିଶାର ଅଧିକାଂଶ ନାଗରିକ ଯେଡ଼େ ଗରିବ ହୁଅନ୍ତୁ ନା କାହିଁକି, ସେମାନେ ସୃଷ୍ଟିର ପ୍ରାରମ୍ଭରୁ ଯେଉଁ ମହତ୍‌ ମାନବିକତାର ପରିଚୟ ଦେଇ ଆସିଛନ୍ତି, ତାହା ଗୈାରବର ବିଷୟ । ଦରିଦ୍ରତା ଆମର ଅଧୁନା ଚିରସହଚର ହୋଇପାରେ । ମାତ୍ର ଏହା ଆମର ହେୟ ନୋହେ । ଦରିଦ୍ର ଜୀବନରେ ସରଳ ଜୀବନ ଯାପନ କରିବାର ଭୂରି ଭୂରି ସୁଯୋଗ ମିଳିବା ସ୍ୱୀକାର୍ଯ୍ୟ । ଦରିଦ୍ର ହିଁ ସେବାଦୀକ୍ଷାରେ ଦୀକ୍ଷିତ ହେବାକୁ ଜଗତରେ ଅପୂର୍ବ ସୁଯୋଗ ପାଇଥାଏ । ମନର ଗ୍ଲାନି ମେଣ୍ଟାଇ ପାରିଲେ ଜୀବନରେ ଶାନ୍ତି ଓ ସାରଲ୍ୟର ଯେଉଁ ଉତ୍ସ ଫୁଟି ଉଠେ, ତାହା ସ୍ୱଳ୍ପ ସାଧନାର ବସ୍ତୁ ନୁହେଁ । ସଂସାରରେ ଯେଉଁମାନେ ପରର ଉପକାର ନିମିତ୍ତ ସୁଯୋଗ ପାଉଛନ୍ତି, ସେହିମାନେ ହିଁ କେବଳ ଭାଗ୍ୟବାନ୍‌ । କୈାଣସି ବ୍ୟକ୍ତି ଯେଡ଼େ ଦରିଦ୍ର ହେଉନା କାହିଁକି, ଇଚ୍ଛା କଲେ ସେ ମଧ୍ୟ ଦାନ କରି ପାରିବେ । ସଂସାରରେ ତିନୋଟି ପଦାର୍ଥ ଦାତବ୍ୟ । ମିଷ୍ଟ ବାକ୍ୟ, କ୍ଷମା ଏବଂ ସଦ୍‌ବ୍ୟବହାର । ମିଷ୍ଟବାକ୍ୟ, କ୍ଷମା ଓ ସଦ୍‌ବ୍ୟବହାର ଦାନ କରିବାକୁ ହେଲେ କାହାରି ଆର୍ଥିକ ବଳର ଆବଶ୍ୟକତା ନାହିଁ । ମାନସିକ ବଳହିଁ ସେଥି ନିମିତ୍ତ ଏକାନ୍ତ ଆବଶ୍ୟକ । ମୋ ବିଚାର କୋଣରୁ ମୁଁ ନିର୍ଭୀକ ଭାବେ କହିପାରେ ଯେ ଯେଉଁମାନେ ଦରିଦ୍ର ହୋଇ ସୁଦ୍ଧା ସରଳ ଜୀବନ ଯାପନା କରୁଛନ୍ତି ସେହିମାନେ ହିଁ ପ୍ରକୃତ ତ୍ୟାଗୀ । ପକ୍ଷାନ୍ତରେ ଯେଉଁ ଧନୀ ବ୍ୟକ୍ତିମାନେ ଧନ ଧନ ବୋଲି ଅହରହ ଧନ ଅର୍ଜନରେ ବ୍ୟାପୃତ, ସେମାନେ ତ୍ୟାଗର ମାଧୁରୀ ଜୀବନରେ ଥରେ ହେଲେ ଚାଖି ନାହାନ୍ତି । କ୍ଷଣଭଙ୍ଗୁର ସଂସାରରେ ଦୟା ଦାକ୍ଷିଣ୍ୟ ହିଁ ମାନବକୁ ଅମର କରେ ଗର୍ବ ଦମ୍ଭ ଅହଂକାର ପ୍ରଭୁତି ଦୁର୍ଗୁଣାବଳୀ ଧନିକର ଜୀବନକୁ ପଳ ପଳ କରି ନଷ୍ଟ କରନ୍ତି । ତ୍ୟାଗର ମହିମା ସେମାନେ ନିର୍ମଳ ହୃଦୟରେ ଅନୁଭବ କରି ପାରନ୍ତି ନାହିଁ । ଧନୀମାନେ ଈଶ୍ୱରଙ୍କ ଅଭିପ୍ରେତରେ ବିଶ୍ୱକୁ ଗୋଟାଏ ଦାନ ବୋଲି ଧରି ନିଆ ଯାଇପାରେ । ସେମାନେ ଥିବାରୁ ହିଁ ଗରିବ ଶ୍ରେଣୀ ସେମାନଙ୍କ ସେବା ପରିଚର୍ଯ୍ୟାରେ ନିୟୋଜିତ ହୋଇ ସ୍ୱ ସ୍ୱ ଜୀବନକୁ ତ୍ୟାଗପୂତ କରି ପାରୁଛନ୍ତି ।

 

‘‘ତେଣୁ ମୁଁ ଆଜି ଆପଣମାନଙ୍କୁ ମୋର ଅନ୍ତରର ଶ୍ରଦ୍ଧା ଜଣାଇ ଏତିକି ଅନୁରୋଧ କରିବି ଯେ ପ୍ରତ୍ୟେକ ମନେ ରଖନ୍ତୁ ସଂସାରରେ ଦାତବ୍ୟ ହେଉଛି କ୍ଷମା, ସଦ୍‌ବ୍ୟବହାର ଏବଂ ମିଷ୍ଟବାକ୍ୟ । ଏଥିପାଇଁ ପଇସା କଉଡ଼ି ଲୋଡ଼ା ନାହିଁ । କେବଳ ମନ ହିଁ ଲୋଡ଼ା । ବଳିଷ୍ଟ ଜାତୀୟ ଓ ମାନବିକ ମନୋବୃତ୍ତି ଓ ବିଚାରଧାରା ଉପରେ ପ୍ରତ୍ୟେକ ନାଗରିକର ଜୀବନ ପ୍ରତିଷ୍ଠିତ ହେଉ–ଏହାହିଁ ମୋର ଆନ୍ତରିକ କାମନା । ପ୍ରତ୍ୟେକେ ଅପରକୁ ଏ ଦିଗରେ ଧାରାବାହିକ ପ୍ରେରଣା ଦିଅନ୍ତୁ-। ପ୍ରତ୍ୟେକେ ଜୀବନକୁ ସାର୍ଥକ କରିବାକୁ ଉଦ୍ୟମ କରନ୍ତୁ । ଆଜି ଆଉ ଶୋଇ ରହିବାକୁ ବେଳ ନାହିଁ । ବର୍ତ୍ତମାନ ଜାଗ୍ରତ ହେବା ପାଇଁ ବେଳ ଆସିଛି । ପ୍ରତି ପ୍ରାଣରେ ବର୍ତ୍ତମାନ ସ୍ପନ୍ଦିତ ହେଉ, ‘‘ଉତ୍ତିଷ୍ଠତ, ଜାଗ୍ରତ, ପ୍ରାପ୍ୟ ବରାନ୍‌ ନିବୋଧତ ।’’

Image